କଂଗ୍ରେସ ଇ କଂଗ୍ରେସର ସବୁଠୁ ବଡ଼ ଶତ୍ରୁ

କଂଗ୍ରେସ ଇ କଂଗ୍ରେସର ସବୁଠୁ ବଡ଼ ଶତ୍ରୁ

ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡୋ ଯାତ୍ରା” ଯେଉଁ ପ୍ରକାର ରାଜନୈତିକ ପ୍ରଭାବ ସୃଷ୍ଟି କରିଥିଲା, ସେଥିରେ ବିଜେପି ଏକ ପ୍ରକାର ଆତଙ୍କିତ ହେବା ସ୍ବାଭାବିକ । ଏହି ପ୍ରଭାବକୁ କାଟିବାକୁ ଯାଇ ବିଜେପି ଏକ ପ୍ରକାର ରାହୁଲ ଗାନ୍ଧୀ ବିରୋଧୀ ଯୁଦ୍ଧ ଘୋଷଣା କରିଥିଲା । ରାହୁଲଙ୍କ ବିରୋଧରେ ପୂରା ବିଜେପି ଓ ମୋଦୀ ସରକାରର ସବୁ ମନ୍ତ୍ରୀ ଷଣ୍ଢୁଆସି ଆକ୍ରମଣ ଆରମ୍ଭ କରିଥିଲେ । ଆଦାନୀ ପ୍ରସଙ୍ଗ ଆସିଲା ପରେ ବିଜେପି ଏକ ପ୍ରକାର ଭୟଭୀତ ଅବସ୍ଥାରେ ପହଂଚିଥିଲା । ବିଜେପିର ଡର ଏତେ ଅଧିକ ଥିଲା ଯେ, ସେମାନେ ସଂସଦ ଚାଲିବାକୁ ଦେଇନଥିଲେ ଓ ରାହୁଲ ଗାନ୍ଧୀଙ୍କୁ ସଂସଦରୁ ବହିସ୍କାର କରିବାର ଅନୈତିକ ବାଟ ତିଆରି କରିଥିଲେ । ବିଜେପି ରାହୁଲଙ୍କ ବିରୋଧରେ ଯେତେ ଆଗକୁ ବଢୁଥିଲା, ତାହା କଂଗ୍ରେସ ଲାଗି ସେତେ ସୁଯୋଗ ସୃଷ୍ଟି କରୁଥିଲା । କଂଗ୍ରେସ ଗତ ୯ ବର୍ଷ ଭିତରେ ଏତେ ସୁବିଧା ଜନକ ପରିସ୍ଥିତିରେ କେବେ ବି ନଥିଲା ।

କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରଭାବକୁ ସମୂଳେ ନଷ୍ଟ କରିବା ବିଜେପି ପକ୍ଷରେ ସମ୍ଭବ ନୁହେଁ । ଏକଦା କଂଗ୍ରେସ ମୁକ୍ତ ଭାରତର ସ୍ଳୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଭଲ ଭାବରେ ଜାଣନ୍ତି ଯେ କଂଗ୍ରେସ ମୁକ୍ତ ଭାରତ କେବଳ ଏକ କଳ୍ପନା । ବିଜେପି ପାଇଁ ସବୁବେଳେ କଂଗ୍ରେସ ଇ ମୁଖ୍ୟ ବିରୋଧୀ ହୋଇ ରହିଛି ଓ ରହିବ । ତେଣୁ କଂଗ୍ରେସକୁ ଅସୁବିଧାରେ ପକାଇବାକୁ ଏବେ ବିଜେପି କଂଗ୍ରେସର ପ୍ରୟୋଗ କରୁଛି । କଂଗ୍ରେସ ଦଳରୁ ବାହାରି ଆସିଥିବା କିଛି ପୁରୁଣା ନେତା ଏବେ ବିଜେପିର ରାହୁଲ ବିରୋଧୀ ଅଭିଯାନର ସେନାପତି ସାଜିଛନ୍ତି ।

ଏବେ ବିଜେପି ନେତା ମାନେ ରୋଜ୍ ଗୁଲାମ ନବୀ ଆଜାଦ କିମ୍ବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାକ୍ୟ ଆଧାରରେ କଂଗ୍ରେସକୁ ଆକ୍ରମଣ କରୁଛନ୍ତି । ଏ ଦୁହିଁଙ୍କୁ ହଠାତ୍ ବିଜେପି ଏତେ ଗୁରୁତ୍ୱ ଦେବାର କାରଣ ହେଉଛି ଲୋକେ ବିଜେପିର କଂଗ୍ରେସ ବିରୋଧୀ ପ୍ରଚାରକୁ ଆଉ ବିଶ୍ବାସ କରୁନାହାଁନ୍ତି । ତେଣୁ କଂଗ୍ରେସକୁ କଂଗ୍ରେସ ଲୋକଙ୍କ ଜରିଆରେ ଆକ୍ରମଣ କରିବାର ନୂଆ ରଣକୌଶଳ ଏବେ ଦେଖିବାକୁ ମିଳୁଛି । କଂଗ୍ରେସ ଭିତରେ ସବୁବେଳେ ଏକ ଉଚ୍ଚାଭିଳାଷୀ ଓ ସ୍ୱାର୍ଥପର ଗୋଷ୍ଠୀ ରହି ଆସିଛନ୍ତି । ସେମାନଙ୍କ ପାଇଁ ନିଜ କ୍ଷମତା ଓ ପଦବୀର ଗୁରୁତ୍ବ ବେଶୀ । ଏମାନେ ମୂଳତଃ କ୍ଷମତା କାଙ୍ଗାଳ ଓ କଂଗ୍ରେସର ସଂଘର୍ଷରେ ଏମାନେ ସବୁବେଳେ ସୌଖିନ୍ ଦେଖଣାହାରୀ । ଏମାନେ ନିଜ କ୍ଷମତା ଓ ଚଉକି ଲୋଭରେ କଂଗ୍ରେସକୁ ମାରିବା ପାଇଁ ପଛଘୁଞ୍ଚା ଦେବେନାହିଁ । ରାହୁଲଙ୍କ ବିରୋଧରେ ଏବେ ଗୁଲାମ ନବୀ ଆଜାଦ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ସେହି କାମ ହିଁ କରୁଛନ୍ତି ।


ଏହି ସମୟରେ ହଠାତ୍ ରାଜସ୍ଥାନରେ ସଚିନ ପାଇଲଟ୍ ବିଦ୍ରୋହୀ ହୋଇ ଠିଆ ହେବା କଂଗ୍ରେସ ପାଇଁ ଅଡ଼ୁଆ ବଢ଼ାଉଛି । ଗତ କିଛି ବର୍ଷ ହେଲାଣି ସଚିନ ପାଇଲଟ୍ ଦୁଇ ନାଆରେ ଗୋଡ଼ ଦେଇ ଚାଲିଛନ୍ତି । କଂଗ୍ରେସ ଛାଡ଼ିବାକୁ ତାଙ୍କର ସାହସ ହେଉନାହିଁ, ସେପଟେ ବିଜେପିର ଲୋଭ ମଧ୍ୟ କିଛି କମ୍ ନୁହେଁ । ଗଣମାଧ୍ୟମରେ କଂଗ୍ରେସ ଭାବମୂର୍ତ୍ତି ନଷ୍ଟ କରିବାରେ ସଚିନ ପାଇଲଟ୍ ଏକ ପ୍ରମୁଖ ଭୂମିକା ନେଇ ଆସୁଛନ୍ତି ।

କଂଗ୍ରେସ ବିରୋଧୀ ଭୂମିକା ନେଉଥିବା ପୁରୁଣା କଂଗ୍ରେସ ନେତାମାନେ ଏହା ଫଳରେ ପାଉଛନ୍ତି କ'? ସାଧାରଣ ଭାବରେ ଦେଖିଲେ ଏମାନେ ବିଜେପି ଭିତରେ ମଧ୍ୟ ଅସ୍ପୃଶ୍ୟ । ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦୀ ସରକାରରେ ମନ୍ତ୍ରୀ ଥିଲେ ବି ତାଙ୍କର ସେମିତି କିଛି ପତିଆରା ବିଜେପିରେ ନାହିଁ । ଗୁଲାମ ନବୀ ନିଜ ଦଳ ଗଢ଼ି ହତାଶ ହେଲା ପରେ ଏବେ ବିଜେପିର ଦାନପାତ୍ରକୁ ଅପେକ୍ଷା କରିଛନ୍ତି । କାଳେ ତାଙ୍କୁ ରାଜ୍ୟପାଳ କି ରାଜ୍ୟ ସଭା ସଦସ୍ୟ ପଦ ପାଇଁ ବିଜେପି ଦୟା କରି ପାରେ !! ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ଲୋଭରେ ପଡ଼ି ହତାଶ ହୋଇ ବସିଛନ୍ତି । ସେ ଉପ ରାଷ୍ଟ୍ରପତି ହେବେ ବୋଲି ଅପେକ୍ଷା କରି ବସିଥିଲେ । ଏଯାଏଁ ତାଙ୍କୁ କିଛି ମିଳିନାହିଁ ।

ବିଜେପି କଂଗ୍ରେସର କିଛି ନେତାଙ୍କୁ ନିଜ ଦଳକୁ ଆଣି ସେମାନଙ୍କୁ ନିଜର ମୁଖପାତ୍ର କରୁଛି । ଏହାର କାରଣ ହେଲା ପୁରୁଣା କଂଗ୍ରେସ ଲୋକଙ୍କ ହାତରେ କଂଗ୍ରେସ କୁ ଖତମ କରିବାର ରଣକୌଶଳ । ବିଜେପି ନେତା କଂଗ୍ରେସ ବିରୋଧରେ କହିବା ଏକ ସାଧାରଣ ଘଟଣା, ହେଲେ କଂଗ୍ରେସ ଲୋକ କଂଗ୍ରେସ ଏବଂ ଗାନ୍ଧୀ ପରିବାର ଉପରେ ଆକ୍ରମଣ କଲେ, ସେହି ଖବର ଅଧିକ ବ୍ୟାପକ ହେବ । ସେହି ଆଶାରେ ବିଜେପି ଏବେ କଂଗ୍ରେସର ପୁରୁଣା ମୂଷା ମାନଙ୍କୁ ନିଜ କାମରେ ଲଗେଇ ଦେଇଛି ।