ଆସନ୍ନ ଅଜ୍ଞାତବାସ
ହଜିଯିବ ମଦମତ୍ତ କୋଇଲିର
କୁହୁତାନ
ଯେତେବେଳେ ପ୍ରଜାପତି ଗୁଡ଼ା କହିବେ
- ବସନ୍ତ ସବୁ ମିଥ୍ୟା !
ଅକାରଣେ ମଉଳିଯିବେ ବଉଳ ଫୁଲସବୁ
ଯେବେ ସ୍ୱପ୍ନ ଭଳି ଲାଗିବ ବସନ୍ତର ଚୁମା ।
ଚୈତ୍ରରେ ସୁରଭିରେ
ମୃଗୟାର କସ୍ତୁରୀ
ତମକୁ ଲାଗିବ ଅତୀନ୍ଦ୍ରୟମାନଙ୍କ ପ୍ରରୋଚନା
ଅଥବା, ମରୀଚିକା ଓ ଆସକ୍ତିର ସନ୍ଧି !
ଗଣତନ୍ତ୍ରରେ ଭୋଗିଲେ ରାଜଦ୍ରୋହ
ତମକୁ କୁହାଯିବ,
କ୍ଷମାପ୍ରାର୍ଥନା ହିଁ ଶେଷତମ ଉପାୟ ପୃଥିବୀରେ
ହେ ରାଜନ !
ତମ ପାଇଁ ଇ ଏଇ ଚକ୍ରବ୍ୟୁହ !
ଡରିଗଲେ ପକ୍ଷୀମାନେ ତାଙ୍କୁ ଆଶ୍ୱସ୍ତି ଦେବ,
ନୀଳ ନିଳାଦ୍ରୀରୁ ଶୁଭୁଥିବା
ଯୋଗୀର କେନ୍ଦେରା ଗୀତ
ଯୋଗୀମାନେ ବଦଲାଇଲେ ବେଶ
ପ୍ରକଟ ହେବ ଆତ୍ମବିମୁଗ୍ଧତା !
ଇଡିଯିବ ବିବଶତାର ପଶାପାଲି
ଆଉ ଗୋଟେ ଅଜ୍ଞାତବାସର ଅପେକ୍ଷାରେ ।
କିଛି ସମୟ ପାଇଁ ଲାଗିବ
ତମର ପାଦ ତଳେ ଜାହାନମ୍ ଓ ଛାତିରେ ସ୍ୱର୍ଗ !
କହି ପାରିବ !
ଉଡାଣଖୋର ପକ୍ଷୀର କଟିଗଲେ ଡେଣା
ତା ପାଇଁ, କ୍ଷତ ଭଲ ନା ମୃତ୍ୟୁ ?
ହେ ରାଜନ !
ତମକୁ ଫେରିଆସିବାକୁ ହେବ
ଆସନ୍ନ ଅଜ୍ଞାତବାସର ତାରକସିରୁ
ପୃଥିବୀର ଅନନ୍ତିମ ସତ୍ୟ ପାଇଁ !