ପୁଷ୍ପ ନାଗ
ମୂଳ ତାମିଲ ରଚନା:ଡଃ ସୁମତି
ଇଂରାଜୀ ଅନୁବାଦ:କବିତା ମୁରଲୀ ଧରନ୍
ଓଡିଆ ରୂପାନ୍ତର:ସ୍ବାଗତିକା ସ୍ବାଇଁ
କୋଉ ପବିତ୍ର ନଦୀ ଏ ଦେଶର !
ଧୋଇ ପାରିବ କୁହ;
ବଳାତ୍କାର ପରର ଆମ ଦେହର ଦାଗ?
କୋଉ ଦେବତା ତମେମାନେ ଏ ଦେଶର !
ମନଯୋଗ ଦେଇଥିଲ କୁହ
ଯେତେବେଳେ ଆମକୁ କରାଯାଉଥିଲା ଉଲଗ୍ନ ?
କୋଉ ନ୍ୟାୟ ପୀଠ ଏ ଦେଶର !
ଶବ୍ଦାୟିତ କଲା ଅକୁହା ବେଦନା ଆମ ଲୁହର ?
କୋଉ ଦରଜା ଏ ଦେଶର !
ବାଡେଇବା ପାଇଁ ଯିବୁ ଆମେ
ଯିଏ ଉଦ୍ଧାର କରି ପାରିବ ଆମକୁ ଆମର ଏଇ ଭୟଙ୍କର ଦୁଃସ୍ବପ୍ନ କବଳରୁ;
କାନ ଦବ ହେଲେ ଟିକେ ଆମ ପ୍ରତି ହଉଥିବା ଏଇ ଅନ୍ୟାୟକୁ!
ଜ୍ଞାନୀ ଗୁଣୀ କୋଉ ଚୈତନ୍ୟଙ୍କୁ ଏ ଦେଶର !
ଆମେ ଯିବୁ କୁହ ପ୍ରତିବାଦ କରିବାକୁ
ଆଙ୍ଗୁଳି ନିର୍ଦ୍ଦେଶ କରି ସେଇ ହାତ ମାନଙ୍କୁ ଯିଏ ଧୂଳିସାତ କରିଛନ୍ତି ଆମକୁ
ଏବଂ ସେଇ ଗୋଡ ମାନଙ୍କୁ ଯିଏ ପଦାଘାତ କରିଛନ୍ତି ଆମ ଅସ୍ମିତାକୁ ।
ଏ ଦେଶର କୋଉ କାନୁନକୁ
ମନେ ପକେଇ ଦବୁ ଆମେ ଯେ ଆମ ମାଟି ଆମ ଜାତି
ଏଯାଏଁ ଅଛି ଏଇ ଭାରତର ମାନଚିତ୍ରରେ ?
କୋଉ ପବିତ୍ର ଗ୍ରନ୍ଥ ଏ ଦେଶର!
ଉପଶମ କରି ପାରିବ କୁହ ଆମ ରକ୍ତାକ୍ତ କ୍ଷତ ମାନଙ୍କୁ !
ଯାହା ଆମକୁ ମିଳିଛି
ଆତ୍ମା ଏବଂ ଶରୀରକୁ ବିଦାରି ଦେଇଥିବା ଅନ୍ତହୀନ ଯାତନାରୁ ।
ଏବଂ ତାହାକୁ ଯିଏ ଅକାରଣ ବିଳାପ କହି ଅଣଦେଖା କରି ଚାଲିଛି ।
ମନେରଖ!
ଆମ ଶୋଣିତର ଦାଗ ଯଥେଷ୍ଟ ସମର୍ଥ ଶକ୍ତିମୟ
ନିଷ୍ପ୍ରଭ କରିବା ପାଇଁ
ସୁନାପାଣି ଦିଆ ତମ ଚଉକିର ଚକ୍ ମକିକୁ ।
ଆମେ ଆମ କ୍ଷତମାନଙ୍କୁ କେବେହେଁ ମହଳଣ ପଡିବାକୁ ଦବୁ ନାହିଁ ।
ବରଂ ଯତ୍ନ କରି ତାକୁ ପାଲଟେଇବୁ ପ୍ରଚଣ୍ଡ କୋପ ,
ଏବଂ ଏ ଦେଶର ଫୁଲ ମାନଙ୍କ ରେ ସହସ୍ର ସହସ୍ର ନିଲୀ** ହେଇ ଫୁଟିବୁ!
ଯେହେତୁ ଇଏ ପୁଷ୍ପ ନାଗ ର ଯୁଗ !
କେବଳ ସେଇ ଭୟଙ୍କର ଝଡ ଯାହା ଛାର୍ ଖାର୍ କରି ବହି ଯାଇଛି
ଆମ ଉପରେ ତାକୁ ବୋଲି ନୁହଁ
ବରଂ ତମେମାନେ ଯିଏ ସବୁ ନୀରବ ଦ୍ରଷ୍ଟା ହେଇ ଛିଡ଼ା ହେଇଚ;
ତମ ସମସ୍ତଙ୍କ ଉପରେ ପ୍ରତିଶୋଧ ନବୁ !
ତମ ସମସ୍ତଙ୍କ ଉପରେ ଗଣି ଗଣି ପ୍ରତିଶୋଧ ନବୁ !!
** ପୁ ନାଗମ୍:ଏକ ପୌରାଣିକ ଜୀବ~ ଫୁଲ ଭିତରେ ରହୁଥିବା ଅତି ବିଷଧର ସାପ
** ନୀଲି: ନିଜ ପ୍ରତି ହେଇଥିବା ଅନ୍ଯାୟର କଡା ପ୍ରତିଶୋଧ ନେଇଥିବା ଜଣେ ପୌରାଣିକ ନାରୀ ଚରିତ୍ର