ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜ୍ ଙ୍କ "ଲେଖକ ହେବାର ବିଡମ୍ବନା"
(ପ୍ରଖ୍ୟାତ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜଙ୍କର ଏଇ ପ୍ରତିବେଦନ ଟି ମେକ୍ସିକୋ ର ଏକ ସମ୍ବାଦପତ୍ର ରେ ୧୯୬୬ ମସିହା ରେ ପ୍ରକାଶିତ । ଏଇଟି ଆଜି ବି ପ୍ରାସଙ୍ଗିକ । ଆଜି ବି ଆମକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ। ଏହାର ଅନୁବାଦ କରିଛନ୍ତି ପ୍ରଖ୍ୟାତ କଥାକାର ଜ୍ୟୋତି ନନ୍ଦ ।)
ଲେଖାଲେଖି ଆତ୍ମଘାତୀ ପେଶା। ପ୍ରତ୍ୟକ୍ଷ ଲାଭ ବିବେଚନା କରିବାକୁ ବସିଲେ ଦେଖାଯିବ ଆଉ କୌଣସି ପେଶା ହିଁ ଏତେ ସମୟ,ଏତେ ପରିଶ୍ରମ,ଏତେ ତ୍ୟାଗ-ତିତିକ୍ଷା ଦାବୀ କରେନାହିଁ। ଏହିଭଳି ପାଠକ ଖୁବ୍ ବେଶି ଅଛନ୍ତି ବୋଲି ମନେ ହୁଏନାହିଁ,ଯିଏ କି ଗୋଟିଏ ବହିକୁ ପଢିବା ଶେଷ କରି ନିଜକୁ ପ୍ରଶ୍ନ କରିଛନ୍ତି -ଏଇ ଦୁଇଶହ ପୃଷ୍ଠା ପାଇଁ ଲେଖକକୁ ଠିକ୍ କେଉଁ ମୂଲ୍ୟ ଦେବାକୁ ହୋଇଛି ? କେତେ ମାନସିକ ଯନ୍ତ୍ରଣା ଆଉ କେତେ ପାରିବାରିକ ବିପର୍ଯ୍ୟୟ ତାହାକୁ ଭୋଗିବାକୁ ହୋଇଛି, ଏଇ କାମଟି ପାଇଁ ସେ କେତେ ଅର୍ଥ ପ୍ରାପ୍ୟ ଆକାରରେ ପାଇଛନ୍ତି ? ସେମାନେ ଜାଣନ୍ତି ନାହିଁ,ସେମାନଙ୍କର ସୁବିଧା ପାଇଁ ସଂକ୍ଷେପରେ କହୁଛି,ଜଣେ କ୍ରେତା ବହି ଦୋକାନରେ ଯେଉଁ ଦାମ ଦେଇ ଆସିଥାନ୍ତି,ତାହାର ମାତ୍ର ଦଶ ଶତାଂଶ ହେଉଛି ଲେଖକର ଉପାର୍ଜନ । ଅର୍ଥାତ୍ ଯେଉଁପାଠକ କୋଡିଏ ଟଙ୍କା ଦେଇ ବହି କିଣୁଛନ୍ତି,ଲେଖକର ରୁଜିରୁଟିରେ ତାହାର ଅବଦାନ ଦୁଇ ଟଙ୍କୀ । ବାକି ତକ ଯାଏ ପ୍ରକାଶକ ପାଖକୁ ,ଯିଏ ସାହସ ବାନ୍ଧି ବହିଟିକୁ ଛାପିଛନ୍ତି ,ଆଉ କିଛି ନିଏ ସେହି ବହିକୁ ବିକ୍ରୀକରିଥିବା ବହିର ଦୋକାନର ମାଲିକ ।ଏଇ ବେଇନସାଫି ଆହୁରି ପ୍ରବଳ ମନେହେବ ଯେବେ ଆପଣ ଜାଣିପାରିବେ ଯେ,ଶ୍ରେଷ୍ଠ ଲେଖକ ହେଉଛନ୍ତି ସେଇମାନେ ,ଯେଉଁମାନେ ଲେଖନ୍ତି କମ୍ ଅଥଚ ଧୂମପାନ କରନ୍ତି ବେଶି । ଦୁଇଶହ ପୃଷ୍ଠାର ବହିଟିଏ ଲେଖିବାକୁ ଗଲେ ନ୍ୟୁନତମ ଦୁଇବର୍ଷ ସମୟ ଆଉ ଅଣତ୍ରିଶ ହଜାର ଦୁଇଶହ ସିଗାରେଟ୍ ଯେ ଖର୍ଚ୍ଚ ହେବ ,ତାହା ତ ଅତି ସ୍ୱାଭାବିକ । ହିସାବ ତେଣୁ ଖୁବ୍ ହିଁ ସହଜ,ବହି ଲେଖି ଲେଖକ ଯେଉଁ ଟଙ୍କା କମାଇ ପାରିବ,ପାନବିଡି ଆଦିର ଖର୍ଚ୍ଚ ଯାହା ଆସିବ ତାହା ତା' ତୁଳନାରେ ଢେର୍ ବେଶି । ଏଇଥିପାଇଁ ଜଣେ ଲେଖକବନ୍ଧୁ କହୁଥିଲେ, "ବୁଝିଲ,ପ୍ରକାଶକ ପରିବେଶକ ବହି ବିକ୍ରେତା ସମସ୍ତେ ବଡଲୋକ ହୋଇଗଲେ ,ଆଉ ଆମେ ଲେଖକମାନେ ରହିଗଲୁ ଯେଉଁ ଫକୀରକୁ ସେଇ ଫକୀର" ।
ଅନୁନ୍ନତ ଦେଶରେ ବହିର ବେପାର ଆହୁରି ଦୁର୍ବଳ ତେଣୁ ପରିସ୍ଥିତି ସେଇଠି ଆହୁରି ସଂଗୀନ । କିନ୍ତୁ ସମସ୍ୟାଟି ସେମାନଙ୍କର ଏକଚାଟିଆ ନୁହଁ । ସଫଳ ଲେଖକମାନଙ୍କ ପାଇଁ ମାର୍କିନ୍ ଯୁକ୍ତରାଷ୍ଟ୍ର ସ୍ୱର୍ଗରାଜ୍ୟ ପରି। କିନ୍ତୁ ସେଇଠି ବି ପେପରବ୍ୟାକ ସଂସ୍କରଣ ର ଲଟାରୀ ଜିତି ରାତାରାତି ବଡଲୋକ ପାଲଟିଯାଉଥିବା ପ୍ରତିଟି ଲେଖକର ବିପରୀତରେ ଅଛନ୍ତି କେତେଶହ ସାଧାରଣମାନର ଲେଖକ,ଯେଉଁମାନେ ଯାବଜ୍ଜୀବନ ଦଶ-ପର୍ସେଣ୍ଟର ଶୂଳୀକାଠରେ ଚଢିବା ଥୟ ।
ଆମେରିକାରେ ହଠାତ୍ ଫୁଲଫଳ ହୋଇଯିବାର ସର୍ବଶେଷ ଉଦାହାରଣ ହେଉଛନ୍ତି ଔପନ୍ୟାସିକ ଟ୍ରୁମାନ୍ କାପୋଟି । ତାଙ୍କର ବହି "ଇନ୍ କୋଲ୍ଡ ବ୍ଲଡ୍" ପ୍ରଥମ କେତୋଟି ସପ୍ତାହରେ ରୟାଲିଟି କମେଇଛି ଅଧ ମିଲିୟନ୍ ଡଲାର୍ ,ସିନେମା -ସ୍ୱତ୍ତ୍ୱ ର ନିମନ୍ତେ ସେ ଏଇ ପରିମାଣର ଅର୍ଥ ପାଇଛନ୍ତି । ଏପଟରେ ଅଛନ୍ତି ଆଲବେୟାର୍ କାମ୍ୟୁଙ୍କ ଭଳି ଲେଖକ- ଆଜିର ଜନପ୍ରିୟ ଟ୍ରୁମାନ୍ କାପୋଟିଙ୍କୁ ଯେତେବେଳେ କେହି ମନେ ରଖିବେ ନାହିଁ,ସେତେବେଳେ ହିଁ ତାଙ୍କର ବହି କିଣି ଲୋକେ ପଢିବେ । ସେଇ କାମ୍ୟୁ ଛଦ୍ମନାମରେ ଫିଲ୍ମର ଚିତ୍ରନାଟ୍ୟ ଲେଖି ଅର୍ଥ ଉପାର୍ଜନ କରୁଥିଲେ,ଯେପରି କି ତାଙ୍କର ବହିଲେଖାରେ କୌଣସି ବାଧା ନପଡେ । ମୃତ୍ୟୁର ଠିକ୍ କେତେବର୍ଷ ଆଗରୁ ଜିତିଥିବା ନୋବେଲ୍ ପୁରସ୍କାର ତାଙ୍କୁ ସାଂସାରିକ ବିପର୍ଯ୍ୟୟରୁ କ୍ଷଣିକ ଉପଶମ ହୁଏତ ଆଣି ଦେଇଥିଲା । ପ୍ରାୟ ଚାଳିଶ ହଜାର ଡଲାର ଅର୍ଥମୂଲ୍ୟର ଯେଉଁ ନଗଦ ରାଶି ପୁରସ୍କାର ଆକାରରେ ସେ ପାଇଥିଲେ ତାହା ଦ୍ୱାରା ସେହି ଅମଳରେ ଅତିବେଶିରେ ଗୋଟିଏ ଘର କିଣାଯାଇପାରିବ,ଯେଉଁଠି ତାହା ସହିତ ଥିବ ପିଲାଙ୍କର ଖେଳିବା ପାଇଁ ଗୋଟିଏ ଭଲ ବଗିଚା । ଆଉ ଉଦ୍ଦେଶ୍ୟମୂଳକ ନହେଲେ ବି କାମ୍ୟୁଙ୍କ ତୁଳନାରେ ଉତ୍ତମ କାରବାର କରିଥିଲେ ଜାଁ ପଲ୍ ସାର୍ତ୍ତ୍ରେ । ନୋବେଲ୍ ପୁରସ୍କାର ପ୍ରତ୍ୟାଖ୍ୟାନ କରି ସେ ସଂଗତ କାରଣରେ ହିଁ ସ୍ୱାଧୀନଚେତା ହିସାବରେ ବିଶେଷ ସୁନାମ ଅର୍ଜନ କରିଥିଲେ ,ଫଳରେ ତାଙ୍କର ବହିର କାଟତି ଯଥେଷ୍ଟ ବୃଦ୍ଧି ପାଇଯାଇଥିଲା ।
ବିଗତଦିନର ଦାନସାଗରମାନଙ୍କ ପାଇଁ ଆଜିବି ଅନେକ ଲେଖକ ପ୍ରଶଂସାରେ ଗଦଗଦ । ମୁକ୍ତହସ୍ତ ନବାବ ମାନଙ୍କର ବଦାନ୍ୟତାର ଅଏସ୍ ରେ ଇଚ୍ଛା ମୁତାବକ କାର୍ଯ୍ୟ କରିପାରୁଥିଲେ ଅତୀତର ଶିଳ୍ପୀ ଗଣ। ସେଇ ପୃଷ୍ଠପୋଷକମାନେ ଏବେବି ଅଛନ୍ତି ,ଯଦିଓ ଏବେ ସେମାନଙ୍କର ବେଶ ଭିନ୍ନ ଭିନ୍ନ । ଆଜିବି ଏମିତି କିଛି ବ୍ୟବସାୟ ପ୍ରତିଷ୍ଠାନ ରହିଅଛି ଯେଉଁମାନେ ଅତୀତର ନବାବମାନଙ୍କ ଭଳି ଶିଳ୍ପୀ ଏବଂ ଶିଳ୍ପୀର ସମର୍ଥନରେ ମୋଟାରକମର ଅର୍ଥ ବ୍ୟୟ କରିପାରନ୍ତି । କେତେବେଳେ ତାହା ନିଜ ଉପରେ ଲାଗୁହେଉଥିବା କରଭାରକୁ ଲଘୁ କରିବା ଉଦ୍ଦେଶ୍ୟରେ,କେବେକେବେ ଜନସମକ୍ଷରେ ସେମାନଙ୍କର ଯେଉଁ ସର୍ବଗ୍ରାସୀ ହାଙ୍ଗରମୂର୍ତ୍ତି ତିଆରି ହୋଇଛି ତାହାର ଅପସରଣ ଉଦ୍ଦେଶ୍ୟରେ ,ଆଉ କେବେ କେବେ ନିଜର ବିବେକର ଜ୍ୱାଳାକୁ ମେଣ୍ଟାଇବା ପାଇଁ ଏହି ଭଳି କାର୍ଯ୍ୟ କରିଥାଆନ୍ତି ।
କିନ୍ତୁ ଆମେ ଲେଖକମାନେ ତ ସାଧାରଣତଃ ଯାହା ଆମକୁ ଭଲଲାଗେ ତାହା କରିଥାଉ,ତେଣୁ ଅମୂଳକ ହେଲେ ବି ମନରେ ସନ୍ଦେହ ଉପସ୍ଥିତ ହୁଏ ,ପୃଷ୍ଠପୋଷକ କ'ଣ ଆମର ଚିନ୍ତା ଆଉ ମତପ୍ରକାଶର ସ୍ୱାଧୀନତାକୁ ଖର୍ବ କରିଦେବ ? ଅନଭିପ୍ରେତ କୌଣସି ସାଲିସ୍ ର ଜନ୍ମଲଗ୍ନ ପ୍ରସ୍ତୁତ କରିଦେବ ? ମୁଁ ମୋ ନିଜର କଥା ଯଦି କହିବି ,କୌଣସି ପ୍ରକାରର ବକସିସ୍ କୁ ଛାଡି ଲେଖିବାକୁ ମୁଁ ସବୁବେଳେ ପସନ୍ଦ କରିଥାଏ । ସମ୍ଭାବ୍ୟ ନିଗ୍ରହ-ନିପୀଡନ ର ପ୍ରଚଣ୍ଡ ଭୟ ହିଁ ଏହାପଛର ଏକମାତ୍ର କାରଣ ନୁହଁ ,ଆଉ ଗୋଟିଏ କାରଣ ହେଉଛି ମୁଁ ଯେତେବେଳେ ଲେଖିବାକୁ ବସେ ,ଶେଷ ପର୍ଯ୍ୟନ୍ତ କାହା ସହିତ ମତୈକ୍ୟ ଘଟିପାରେ ,ସେଇକଥା କୁ ନେଇ ମୋର କୌଣସି ମଥାବ୍ୟଥା ନଥାଏ । ଶେଷ ଆଡକୁ ପହଞ୍ଚି ଯଦି ଦେଖେ ଯେ ମାଲିକ ର ସହିତ ମତର ଅମିଳ ହୋଇଯାଇଛି,ସେଇଟି ବଡ ଅନ୍ୟାୟ ହେବ। ଆଉ ଲେଖକର ବିପରୀତ ,ଦ୍ୱାନ୍ଦ୍ୱିକ ସ୍ୱଭାବର କଲ୍ୟାଣରୁ ସେହିଭଳି ହେବାର ସମ୍ଭାବନା ବି ପ୍ରଚୁର । ଆଉ ଦୈବାତ୍ ଯଦି ବା ମତର ମିଳ ହୋଇଯାଏ,ମୁଁ ମନେ କରେ ସେଇଟା ବି ଗୋଟିଏ ଘୋରତର ଅନୈତିକ ବ୍ୟାପାର ହେବ।
ପୁଞ୍ଜିବାଦୀ ପିତୃଶାସନର ଅନ୍ୟତମ ଉଦାହାରଣ ପୃଷ୍ଠପୋଷକତାର ଏହି ଭଳି ବ୍ୟବସ୍ଥା । ଆପାତଦୃଷ୍ଟିରେ ମନେ ହୋଇପାରେ ଯେ ଲେଖକକୁ ରାଷ୍ଟ୍ରର ବେତନଭୂକ୍ କର୍ମଚାରୀ ବନାଇ ରଖିବା ଭଳି ଯେଉଁ ସମାଜତାନ୍ତ୍ରିକ ସମାଧାନ,ପୃଷ୍ଠପୋଷଣ ହେଉଛି ତାହାର ପାଲଟା ଜବାବ । ତତ୍ତ୍ୱ ଅନୁଯାୟୀ ସମାଜତନ୍ତ୍ରର ସମାଧାନଟି ହିଁ ସଠିକ ହେବା ଉଚିତ,କାରଣ ଏହା ଦଲାଲ୍ ର ଶୋଷଣରୁ ଲେଖକକୁ ମୁକ୍ତି ଆଣି ଦେଇ ପାରେ । କିନ୍ତୁ ବାସ୍ତବରେ ଦେଖାଯାଏ ଏହି ବ୍ୟବସ୍ଥା ଯେତେ ପରିମାଣରେ ଅବିଚାରର ପ୍ରତିକାର କରିବା ଭଳି ଚେଷ୍ଟା କରୁଛି ,ତାହାଠାରୁ ଢେର୍ ବେଶି ଗୁରୁତର ବିପଦର ଜନ୍ମ ଦେଉଅଛି । ଅନ୍ତତଃ ଆଜି ପର୍ଯ୍ୟନ୍ତର ଅଭିଜ୍ଞତା ତାହାହିଁ କହେ,ସାମ୍ନାରେ ଆଉ କେତେଦିନ ଏମିତି ଚାଲିବ ତାହା କିଏ କହିବ !
ସଂପ୍ରତି ରଦ୍ଦି-ମାର୍କା ଦି' ଜଣ ସୋଭିଏତ୍ ଲେଖକଙ୍କୁ ସଶ୍ରମ କାରାଦଣ୍ଡ ଦେଇ ସୁଦୂର ସାଇବେରିଆକୁ ପଠାଇ ଦିଆଯାଇଛି,ଖରାପ ଲେଖାର କାରଣରେ ନୁହଁ ,ବରଂ ସରକାର ଙ୍କ ସହିତ ଦ୍ୱିମତ ପୋଷଣ କରିବା ର ଅଭିଯୋଗ ପାଇଁ । ଏହି ଘଟଣାରୁ ବୁଝାଯାଉଛି ଯେ,ଅପରିପକ୍ୱ ଶାସନ ବ୍ୟବସ୍ଥାର ଅଧୀନରେ ଲେଖାଲେଖି କରିଚାଲିବା କେତେ ପରିମାଣରେ ବିପଦପୂର୍ଣ୍ଣ । ବିଶେଷ କରି ସେହି ପ୍ରଶାସନ ଯଦି ଏଇ ଭଳି ଚିରନ୍ତନ ସତ୍ୟଟିକୁ ମାନି ନେବାକୁ ଅସମର୍ଥ ଯେ ଲେଖକମାନେ ହେଉଛନ୍ତି ଅସଲରେ ଦସ୍ୟୁର ଜାତି,ନୂତନ ଯୋତାର ତୁଳନାରେ ଆମକୁ ବେଶି ବିନ୍ଧେ ରାଜନୈତିକ ମତବାଦର ବେଡି, ଏପରିକି ଆଇନର ସମସ୍ତ ବାଧାନିଷେଧ । ବ୍ୟକ୍ତିଗତ ଭାବରେ ମୁଁ ବିଶ୍ୱାସ କରେ ଯେ କେବଳ ଭଲ ଲେଖା ଜଣେ ଲେଖକର ଅନ୍ୟ କୌଣସି ବିପ୍ଳବୀ ଦାୟିତ୍ୱ ରହି ନପାରେ । ଯେ କୌଣସି ସରକାର ର ଅଧୀନରେ ହେଉ ନା କାହିଁକି,ଏକଲା ଚଲୋ ନୀତି ଲେଖକ ପାଇଁ ଗୋଟିଏ ଅପରିହାର୍ଯ୍ୟ ଏବଂ ଅପ୍ରତିକାର୍ଯ୍ୟ ସର୍ତ୍ତ,କାରଣ ଲେଖକ ଯଦି ପ୍ରଥାର ଦାସ ହୁଏ,ଖୁବ୍ ସମ୍ଭବତଃ ସେ ଜଣେ ଦୁର୍ଜନ ଏବଂ ସୁନିଶ୍ଚିତ ଭାବରେ ଜଣେ ବାଜେ ଲେଖକ।
ନିରାନନ୍ଦ ଏଇ ଆଲୋଚନାର ଶେଷ ପର୍ଯ୍ୟାୟରେ ଆସି ମୌଳିକ ପ୍ରଶ୍ନଟି କରିବାକୁ ହେବ -ଆମେ ଲେଖକମାନେ ତାହାହେଲେ କାହିଁକି ଲେଖୁ ? ଅବଧାରିତ ଭାବରେ ଏହାର ଉତ୍ତର ଯେତେ ଆନ୍ତରିକ ହେବାକୁ ଯିବ ,ଏହା ସେତିକି ସେତିକି ନାଟକ ନାଟକ ଶୁଭିବ ।ଜଣେ କୃଷ୍ଣାଙ୍ଗ ଯେଉଁଭଳି ଜଣେ କୃଷ୍ଣାଙ୍ଗ,ବା ଜଣେ ଈହୁଦୀ ଯେଉଁଭଳି ଜଣେ ଈହୁଦୀ ,ଜଣେ ଲେଖକ ଠିକ୍ ସେହିଭଳି ଜଣେ ଲେଖକ । ସାଫଲ୍ୟ ଆମକୁ ଉତ୍ସାହିତ କରେ ସତ,ପାଠକର ଅନୁଗ୍ରହ ଆମ ଭିତରେ ଉଦ୍ଦୀପନା ଭରିଦିଏ ସତ,କିନ୍ତୁ ଏସବୁ କହିବାକୁ ଗଲେ ହେଉଛି ଉପୁରି ପାଉଣା । ଜଣେ ପ୍ରକୃତ ଲେଖକ ଯେ କୌଣସି ଉପାୟରେ ହେଉ ତାହାର ଲେଖା ଚଳାଇ ଯାଉଥିବ,ନିଜ ଯୋତାର ତଳି ଯେତେ ଘୋରି ହୋଇଯାଉ ପଛକେ ,ତାହାର ବହି କୁ କେହି ନ କିଣୁ ପଛକେ,ତଥାପି ! ଏହା ଅସଲରେ ଏକ ଧରଣର ମନୋବୈକଲ୍ୟ, ଏବଂ ସମାଜର ଗୋଟିଏ ଗୁରୁତର ବ୍ୟାଧି ତାହାକୁ ବୁଝିବାରେ ଆମକୁ ସାହାଯ୍ୟ କରେ - କାହିଁକି ବା ଏତେ ନାରୀପୁରୁଷ କ୍ଷୁଧାପେଟରେ ସ୍ୱେଚ୍ଛା ମରଣକୁ ବାଛି ନେଉଛନ୍ତି ,ତାହା ପୁଣି ଏମିତି ଗୋଟିଏ କାର୍ଯ୍ୟ ପାଇଁ ଯାହା ଶେଷ ବିଚାରରେ ( ଟିକିଏ ବୋଲି ଥଟ୍ଟା କରୁନାହିଁ ) କାହାର ବିନ୍ଦୁମାତ୍ର କାର୍ଯ୍ୟରେ ଆସେ ନାହିଁ ।