ନବ ଦାସ ହତ୍ୟାକାଣ୍ଡ : ଯେତେ ନେତା ସେତେ ତଦନ୍ତ

ନବ ଦାସ ହତ୍ୟାକାଣ୍ଡ : ଯେତେ ନେତା ସେତେ ତଦନ୍ତ
  • ଫାଇବ ଟି ସଚିବ ଓ ବିଜେଡି ମହାସଚିବଙ୍କ କଲ ରେକର୍ଡ ଯାଞ୍ଚ କଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଗୁମର ଫିଟିବ : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର
  • ପଦ୍ମପୁର ଉପ ନିର୍ବାଚନ ସମୟରେ ନବ ଦାସଙ୍କୁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧମକ ଦେଇଥିଲେ : ବିଜେଡି ବିଧାୟକ ରୁଦ୍ର ମହାରଥୀ
  • ନବ ଦାସଙ୍କ ପାଖକୁ ହତ୍ୟାକାରୀ ଗୋପାଳ ଦାସ ତା ଝିଆରୀକୁ ନେଇ ଯାଉଥିବାର ଖବର ମୋ ପାଖରେ ଅଛି ସେଥିପାଇଁ କିଛି ଅଘଟଣ ଘଟି ନାହିଁ ତ !! : ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର
  • ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ରାଜ୍ୟ ସରକାରଙ୍କର ଜଣେ ଆଇଏଏସ ଏବଂ ଆଉ ଜଣେ ଆଇପିଏସ ଅଧିକାରୀ ଜାଣନ୍ତି :ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର
  • ଦୟାକରି ମୋ ସ୍ଵର୍ଗତ ବାପାଙ୍କ ଚରିତ୍ର ସଂହାର କରନ୍ତୁ ନାହିଁ ଓ ଆମ ପରିବାରକୁ କଷ୍ଟ ଦିଅନ୍ତୁ ନାହିଁ : ଦୀପାଳି ଦାସ, ମନ୍ତ୍ରୀ ନବ ଦାସଙ୍କ ଝିଅ

ରାଜ୍ୟର ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରେ ଚାଳିଶ ଦିନ ବିତିଗଲାଣି । ଗତ ଚାଳିଶ ଦିନ ଭିତରେ ଏହାର ତଦନ୍ତ କରୁଥିବା ରାଜ୍ୟ କ୍ରାଇମ ବ୍ରାଞ୍ଚ ଏବଂ ତଦନ୍ତର ତଦାରଖ କରୁଥିବା ପୂର୍ବତନ ହାଇକୋର୍ଟ ବିଚାରପତି ଲୋକଙ୍କ ପାଖରେ କୌଣସି ତଥ୍ୟ ରଖିନାହାନ୍ତି । ଏହି ତଦନ୍ତ ଦାୟିତ୍ବରେ ଥିବା ବରିଷ୍ଠ ପୁଳିଶା ଦାହିକାରୀ ଅରୁଣ ବୋଥ୍ରା ଚୁପଚାପ ତଦନ୍ତ କରିବା ଲୋକ ନୁହନ୍ତି । ବୋଥ୍ରା ସାହେବ ସୋସିଆଲ ମିଡିଆରେ ଯେତେ ସକ୍ରିୟ, ଗଣମାଧ୍ୟମ ଆଗରେ ସେତିକି ମୁଖର । ହେଲେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଭେଦ ସମ୍ପର୍କରେ ସେ ମଧ୍ୟ ପୂରାପୂରି ନୀରବ । କ୍ରାଇମ ବ୍ରାଞ୍ଚ ଏ ପ୍ରସଙ୍ଗରେ ଯେତେ ନୀରବ ରହୁଛି, ଏହାକୁ ନେଇ ରାଜନୀତି ସେତେ ବଢୁଛି ।

ଅବିକା ଏହି ମାମଲାରେ ଯେତେ ନେତା, ସେତେ ମତ । ରାଜ୍ୟର ସବୁ ନେତା ନିଜକୁ ଜଣେ ଜଣେ ଜେମ୍ସ ବଣ୍ଡ ବୋଲି ଭାବୁଛନ୍ତି । ଗଣମାଧ୍ୟମ ଆଗରେ ସେମାନଙ୍କର ରୋଚକ କାହାଣୀ ସବୁ ଏବେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ । ଯାହା ମନକୁ ଯାହା ଆସିଲା ସେ ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗୋଟେ କାହାଣୀ କହୁଛନ୍ତି । ଅସଲ ପ୍ରସଙ୍ଗ ଉପରେ କାହାର ନିଘା ଆଉ ନାହିଁ । ଏତେ ବଡ ହତ୍ୟାକାଣ୍ଡର କାରଣ ଓ ଉଦ୍ଦେଶ୍ୟ ଖୋଜି ପାଇବାକୁ ରାଜ୍ୟ ପୁଲିସ ସମର୍ଥ ହେଉନାହିଁ । ପୁଲିସର ନୀରବତା ( ହୋଇପାରେ ବିଫଳତା) ଏହି ପ୍ରସଙ୍ଗରେ ରାଜନୀତିକୁ ଅଧିକ ତେଜୀୟାନ କରୁଛି । ନିର୍ବାଚନ ବର୍ଷରେ ଏମିତି ଏକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ରାଜନୀତି ହେବା ସ୍ଵାଭାବିକ । ରାଜନେତାଙ୍କ ଠାରୁ ଆମେ ଯଦି ମାନବୀୟ ସଂବେଦନା ବା ପାରିବାରିକ ମର୍ଯାଦାବୋଧ ଆଶା କରୁଛେ, ତାହା ଆମର ନିର୍ବୋଧତା । ରାଜନୈତିକ ଦଳମାନେ ଏହାକୁ ନେଇ ରାଜନୀତି କରିବେ ଓ ଏହା ତାଙ୍କର ସ୍ଵାଭାବିକ ପ୍ରକୃତି ।

ରାଜନୀତିର ମୁହଁ ବନ୍ଦ ରଖିବାକୁ ତଦନ୍ତକାରୀ ଅଧିକାରୀ ଓ ସରକାରଙ୍କୁ ଅଧିକ ଦାୟିତ୍ଵସମ୍ପନ୍ନ ହେବାକୁ ପଡିବ । ଏତେ ବଡ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଜଣେ ପୁଲିସ ଅଧିକାରୀର ଉଦ୍ଦେଶ୍ୟ ଜାଣିବାକୁ କ୍ରାଇମ ବ୍ରାଞ୍ଚ ଆଉ କେତେ ସମୟ ନେବ ? ବାସ୍ତବ ତଦନ୍ତକାରୀ ଅଧିକାରୀ ଏ ସମ୍ପର୍କରେ ବିଳମ୍ବିତ ପ୍ରକ୍ରିୟା ଅବଲମ୍ବନ କରୁଥିବାରୁ ରାଜନୈତିକ ନାଟକବାଜି ବଢିଚାଲିଛି ।

ସ୍ପଷ୍ଟ ଦିବାଲୋକରେ ଘଟିଥିବା ଗୋଟେ ହତ୍ୟାକାଣ୍ଡର ରହସ୍ୟଭେଦ ଲାଗି ଚାଳିଶ ଦିନ କିଛି ଛୋଟିଆ ସମୟ ନୁହେଁ !!