ମୋଦୀଙ୍କ ଆମେରିକା ଗସ୍ତ : “ମିମ” ଓ “ଜୋକ୍ସ”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସରିଛି । ପ୍ରଧାନମନ୍ତ୍ରୀ ଭାବରେ ଏହା ମୋଦୀଙ୍କର ପ୍ରଥମ ଆଧିକାରିକ ଆମେରିକା ଗସ୍ତ । ଏହା ପୂର୍ବରୁ ସେ ଯେତେଥର ଆମେରିକା ଯାଇଥିଲେ, ତାହା ଦ୍ୱିପାକ୍ଷିକ ଗସ୍ତ ନଥିଲା । ପ୍ରଥମ ଥର ଲାଗି ମୋଦୀଙ୍କ ଏହି ଗସ୍ତକୁ ନେଇ ଭାରତର ଗଣମାଧ୍ୟମ ଉଠୁଛି ଏବଂ ପଡୁଛି । ଭାରତୀୟ ଗଣମାଧ୍ୟମର ଖବର ଦେଖି ଲାଗୁଛି, ବୋଧହୁଏ ଆମେରିକାକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ବୋଧହୁଏ । ତେବେ ସତ୍ୟ ହେଉଛି ସ୍ବାଧୀନତା ପରଠୁଁ ଆମେରିକା ଓ ଭାରତ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଛି । ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଂକୁ ରାଷ୍ଟ୍ରପତି ଟ୍ରୁମ୍ୟାନ୍, ରାଷ୍ଟ୍ରପତି ଆଇଜେନଆଓ୍ଵାର୍ ଏବଂ ରାଷ୍ଟ୍ରପତି କେନେଡି ବ୍ୟକ୍ତିଗତ ଭାବରେ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ। ପ୍ରଟୋକଲ୍ ଭାଙ୍ଗି ନେହେରୁଙ୍କୁ ଏଆରପୋର୍ଟରେ ଆମେରିକା ରାଷ୍ଟ୍ରପତି ନିଜେ ସ୍ବାଗତ କରିବାର ଇତିହାସ ରହିଛି ।
ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତ-ଆମେରିକା ସମ୍ପର୍କରେ କିଛିଟା ମନୋମାଳିନ୍ୟ ଅବଶ୍ୟ ରହିଥିଲା। ରାଷ୍ଟ୍ରପତି ନିକ୍ସନଙ୍କ ଇଚ୍ଛା ବିରୋଧରେ ଯାଇ ଇନ୍ଦିରା ଗାନ୍ଧୀ ବାଙ୍ଗଲାଦେଶ ମୁକ୍ତିଯୁଦ୍ଧକୁ ସମର୍ଥନ କରିଥିଲେ ଓ ଆମେରିକାକୁ ବେଖାତିର୍ କରି ପାକିସ୍ତାନକୁ ଦୁଇଖଣ୍ଡରେ ବିଭାଜିତ କରିବାର ବିରଳ ସାହସ ପ୍ରଦର୍ଶନ କରିଥିଲେ । ସେତେବେଳର ରାଜନୀତିକୁ ଦେଖିଲେ ଇନ୍ଦିରା ଗାନ୍ଧୀ ରିଚାର୍ଡ ନିକ୍ସନଙ୍କୁ ଏକପ୍ରକାର ବେଖାତିର କରି ପାକିସ୍ତାନକୁ ଦୁଇଖଣ୍ଡ କରିଦେବାରେ ଇତିହାସ ସୃଷ୍ଟି କରିଥିଲେ ।
ରାଜୀବ ଗାନ୍ଧୀଙ୍କ ସମୟରେ ଆମେରିକା ସହିତ ଭାରତର ସମ୍ପର୍କ ସୁଧୁରିବା ଆରମ୍ଭ କରିଥିଲା ଓ କ୍ରମାଗତ ଭାବରେ ଏହା ସୁଦୃଢ ହୋଇ ଚାଲିଛି। ତେବେ ଆମେରିକା ଭାରତକୁ ଏକ ସହଯୋଗୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଗୁରୁତ୍ବ ଦେଉଥିଲେ ମଧ୍ୟ ବିଶ୍ବ ରାଜନୀତିରେ ଭାରତକୁ ଏହା ତୃତୀୟ ବିଶ୍ଵ ର ଅଂଶ ଭାବରେ ବିବେଚନା କରୁଛି।
ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ସ୍ବାଗତ କରିବା ଏକ ସାଧାରଣ କୁଟନୈତିକ ପ୍ରକ୍ରିୟାର ଅଂଶ ବିଶେଷ। ଏହାକୁ ନେଇ ଆମର ଗଣମାଧ୍ୟମ ମାତ୍ରାଧିକ ଉତ୍ସାହ ଦେଖାଇ ମୋଦୀଙ୍କ ଆମେରିକା ଗସ୍ତକୁ ମୋଦୀ କୀର୍ତ୍ତନ ସ୍ତରକୁ ନେଇ ଆସିଛି। ଏହାର ବିପରୀତରେ ଆମେରିକାର ଗଣମାଧ୍ୟମ ମୋଦୀଙ୍କ ଗସ୍ତକୁ ପ୍ରାୟତଃ ଅଣଦେଖା କରିଛନ୍ତି । ଅନେକାଂଶରେ ଆମେରିକାର ଗଣମାଧ୍ୟମରେ ମୋଦୀଙ୍କୁ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷ ରାଜନୀତିର ପ୍ରତିପକ୍ଷ ଭାବରେ ଉପସ୍ଥାପନ କରାଯାଇଛି ।
ଯେତେବେଳେ ମୋଦୀ ହ୍ଵାଇଟ ହାଉସରେ ସମ୍ବର୍ଦ୍ଧିତ ହେଉଥିଲେ ଠିକ ସେହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତରେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ପ୍ରସଙ୍ଗ ଉଠାଇ ଏ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବିଡେନ ମୋଦୀଙ୍କ ସହ କଥା ହେବା ଜରୁରୀ ବୋଲି କହିଥିଲେ । ମୋଦୀଙ୍କ ଗସ୍ତ ପୂର୍ବରୁ ଆମେରିକା ସଂସଦର ୭୫ ଜଣ ସଦସ୍ୟ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ମୋଦୀଙ୍କ ସହ କଥା ହେବାକୁ ଅନୁରୋଧ କରିଥିଲେ ।
ରାଷ୍ଟ୍ରପତି ଜୋ ବିଡେନଙ୍କସହିତ ଦ୍ଵି ପାକ୍ଷିକ କଥାବାର୍ତ୍ତା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ମାତ୍ର ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇଥିଲେ ଏବଂ ସେତିକିରେ ତାଙ୍କୁ ବାରମ୍ବାର ପାଣି ପିଇବାକୁ ପଡିଥିଲା । ସଙ୍ଖ୍ୟାଲଘୁଙ୍କ ଅଧିକାର ଓ ଗଣତନ୍ତ୍ର ପ୍ରସଙ୍ଗରେ ଆମେରିକାର ଜଣେ ସାମ୍ବାଦିକ ମୋଦୀଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ମୋଦୀ ତାହାର ଏକ ଆଲଙ୍କାରିକ ଉତ୍ତର ରଖି ଗଣତନ୍ତ୍ର ଆମ ଡିଏନଏରେ ଅଛି ବୋଲି କହିଥିଲେ । ତେବେ ଭାରତରେ ଘଟୁଥିବା ସଂଖ୍ୟାଲଘୁ ବିରୋଧୀ ଘଟନା ଏବଂ ଧର୍ମ ନିରପେକ୍ଷ ରାଜନୀତି ବିରୋଧରେ ମୋଦୀଙ୍କ ଦଳର ଆଭିମୁଖ୍ୟ ମୋଦୀଙ୍କୁ ଏକପ୍ରକାର ଅଡୁଆ ପରିସ୍ଥିତିରେ ପକାଇଥିଲା ।
ସେହିପରି ଆମେରିକା ସଂସଦରେ ମୋଦୀଙ୍କ ଇଂରାଜୀ ଭାଷଣ କୁ ନେଇ ଏବେ ସୋସିଆଲ ମିଡିଆରେ “ମିମ” ଓ “ଜୋକ୍ସ” ର ବନ୍ୟା ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ମୋଦୀଙ୍କ ଭାବମୂର୍ତ୍ତି ବଞ୍ଚାଇବାର ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଯାଇ ଆମେରିକାରୁ ଆମକୁ ସେହି ମିମ” ଓ “ଜୋକ୍ସ” ର ବନ୍ୟା ହିଁ ମିଳିଛି ।