ଭାଙ୍ଗିପଡୁଥିବା କଂଗ୍ରେସର ଘର

ଭାଙ୍ଗିପଡୁଥିବା କଂଗ୍ରେସର ଘର

ବର୍ତ୍ତମାନ ସମୟରେ ଏକଥା କହିବା ସହଜ । ଯେମିତି ଏକଥା କହିବା ସହଜ ଯେ ଆପ୍ ନେତାଙ୍କୁ ବେଲ୍ କାହିଁକି ମିଳୁନି। ସେମିତି ୨୦୧୪ରେ ବାରମ୍ବାର ପ୍ରଶ୍ନ କରା ଯାଉଥିଲା କେବଳ ଅରବିନ୍ଦ କେଜରିୱାଲଙ୍କ ଉପରେ କାହିଁକି ବାରମ୍ବାର କାଳି ଫିଙ୍ଗା ଯାଉଛି। 

କଂଗ୍ରେସ ଭିତରେ ଯେ ଦୁର୍ବଳତା ଥିବ ସେକଥାକୁ ମୁଁ ଅସ୍ବୀକାର କରୁ ନାହଁ। କିନ୍ତୁ କେବେ ପଚରାଯାଇଛି କି ଆଗରୁ କାହିଁକି ଏମିତି ହେଉ ନଥିଲା ?

ବିଜେପି ବର୍ତ୍ତମାନ ଏମିତି କ'ଣ କରୁଛି ଯେ ଅନେକ ବିରୋଧୀ ଦଳର ବଡ଼ ବଡ଼ ନେତା କେବଳ ବିଜେପି ମୁହାଁ ହେଉଛନ୍ତି ? ସାରା ପୃଥିବୀରେ ଶତାବ୍ଦୀ ଶତାବ୍ଦୀ ଧରି ମାନି ନିଆ ଯାଇଛି ଯେ ୧୦୦ ଦୋଷୀ ପଛେ ଖସି ଯାଆନ୍ତୁ କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନ ପାଉ ।  ଜଣେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ନିର୍ଦୋଷ ଅଟେ ଓ ତାକୁ ନିର୍ଦ୍ଦୋଷ ବୋଲି ବ୍ୟବହାର କରାଯିବ । କିନ୍ତୁ ଆଜିକାଲି ଜଣଙ୍କ ଘରେ ଇଡି ପଶିବା ମାତ୍ରେ ତାକୁ ଦୋଷୀ ବୋଲି ଧରା ଯାଉଛି।‌
(ଏହା ମୁଁ କେବଳ ପ୍ରଫୁଲ୍ଲ ସାମଲଙ୍କ ସନ୍ଦର୍ଭରେ କହୁନାହିଁ। ପ୍ରଫୁଲ୍ଲ ସାମଲଙ୍କ ଦୁର୍ନୀତି ବିରୁଦ୍ଧରେ ଆପ୍ ର ପୁରୁଣା ସାଥୀମାନେ ଆଗରୁ ଆନ୍ଦୋଳନ କରିଛନ୍ତି।) କିନ୍ତୁ ଆମ୍ ଆଦମୀ ପାର୍ଟି କ୍ଷେତ୍ରରେ ବେଲ୍ ନ ପାଉଥିବା ନେତାଙ୍କୁ ଦୁର୍ନୀତିଗ୍ରସ୍ତ କୁହାଯାଉଛି। ମନୀଷ ଶିଶୋଦିଆଙ୍କ ବେଲ୍ ପ୍ରାର୍ଥନାକୁ ନାକଚ କରିଥିବା ସୁପ୍ରିମକୋର୍ଟଙ୍କ ରାୟରେ କେଉଁଠି ଲେଖା ଯାଇ ନାହିଁ ଯେ ସେ ଦୁର୍ନୀତି କରିଛନ୍ତି। ବରଂ 'ଆମର ତଦନ୍ତ ସରିନାହିଁ' କହି ଇଡି ବାରମ୍ବାର କୋର୍ଟକୁ କହୁଛି ଏବେ ବେଲ୍ ଦିଆ ନଯାଉ ।‌ କେହି କେବେ ବିଜେପିକୁ ପଚାରୁଛି କି ମଦ ଦୁର୍ନୀତି ହୋଇଛି ବୋଲି ତମେ ଯଦି ଏତେ ଚିତ୍କାର କରୁଥିଲ,  ତମ ଏଜେନ୍ସିକୁ ପ୍ରମାଣ କାହିଁକି ମିଳୁନାହିଁ ଏବଂ ଦୁଇ ବର୍ଷ ଧରି ତଦନ୍ତ କାହିଁକି ସରୁନାହିଁ ? 

କେହି କେବେ ବିଜେପିକୁ ପଚାରୁଛି କି ଯାହାକୁ ତୁମେ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲ ତାକୁ କେମିତି ପାର୍ଟିରେ ନେଲ ? ଅନେକ ରାଜ୍ୟରେ ବିଜେପି ଅନ୍ୟ ଦଳକୁ ଭାଙ୍ଗି ସରକାର ଗଢିଛି। ଏପରିକି ନିଜେ ସୁପ୍ରିମକୋର୍ଟ କହିଛନ୍ତି ଯେ  ଶିବସେନା ଦଳକୁ ଭାଙ୍ଗି ବିଜେପି ସହ ସରକାର ଗଢିଥିବା ବିଧାୟକମାନେ ଦଳବଦଳ ବିରୋଧୀ ଆଇନରେ ଦଣ୍ଡିତ ହେବେ। ତଥାପି ସୁପ୍ରିମକୋର୍ଟର ରାୟ ପରେ ବି ଗୋଟିଏ ବେଆଇନ ସରକାର ମହାରାଷ୍ଟ୍ରରେ ଗତ ୮ ମାସ ଧରି ଚାଲିଛି । ସେହି ସରକାରକୁ ବିରୋଧୀ ଦଳ ବେଆଇନ କହିବା ଅଲଗା କଥା। କିନ୍ତୁ ମହାରାଷ୍ଟ୍ର କ୍ଷେତ୍ରରେ ତ ନିଜେ ସୁପ୍ରିମକୋର୍ଟ ଏକଥା କହିଛନ୍ତି। ଏହା ପରେ ବି କେହି ବିଜେପିକୁ ପ୍ରଶ୍ନ କରୁଛି କି ? 

ତେଣୁ ନୈତିକତା ଓ ସାଧୁତା କେବଳ କଂଗ୍ରେସ ଦଳରେ ଖୋଜିଲେ କେମିତି ହେବ ? ଯଦି ମୁଖର ବର୍ଗ ଧରି ନେଇଛନ୍ତି 'ଯୋ ଜିତା ଓହ୍ ସିକନ୍ଦର', ଏଥିରେ ନୈତିକତା ଆଉ କାହିଁକି ଖୋଜା ଯାଉଛି ? 

ଆମ୍ ଆଦମୀ ପାର୍ଟି ଭିଡିଓ ରେକର୍ଡିଂ କରି ବିଜେପି ନେତାଙ୍କୁ ଧରି ଥିଲା, କିପରି ଦିଲ୍ଲୀ ବିଜେପି ଉପସଭାପତି ଜଣେ ଆପ୍ ବିଧାୟକକୁ କିଣିବାକୁ ଅଫର୍ ଦେଉଛନ୍ତି। ଆପ୍ ତା ପର ଦିନ ପ୍ରେସ୍ କନଫରେନ୍ସ୍ କରି ଭିଡିଓ ଦେଖାଇ ଥିଲା। ବିଜେପି ଏହାକୁ ଅସ୍ବୀକାର କରି ପାରି ନଥିଲା । ପ୍ରଲୋଭନ ଦେଇ ଦଳ ଭାଙ୍ଗିବାର ଅନେକ ରେକର୍ଡ ଅଛି। 

ଯଦି ଜଣକ ଘରୁ ଚୋରି ହୁଏ ତେବେ ପୋଲିସ ପ୍ରଥମେ ସେ ଅଞ୍ଚଳରେ ଆଗରୁ ଧରାପଡ଼ି ବେଲରେ ଆସିଥିବା ଚୋର ମାନଙ୍କୁ ଧରି ପଚରାଉଚରା କରେ । ପୋଲିସ କ'ଣ ସେତେବେଳେ ଘର ମାଲିକକୁ ଦୋଷ ଦିଏ ଯେ ତମ ଘରୁ କାହିଁକି ଚୋରି ହେଲା ? 

କିନ୍ତୁ ଏ କ୍ଷେତ୍ରରେ ଅରବିନ୍ଦ କେଜରିୱାଲଙ୍କୁ ପଚରାଯାଉଛି ତମ ବିଧାୟକଙ୍କୁ ଟଙ୍କା ଅଫର୍ ହେଉଛି ବୋଲି ପ୍ରମାଣ ଦିଅ । 

ଯଦି ଅନୈତିକତାର ଜୟ ଜୟକାର ହେଉଛି ଓ ଯେନତେନ ଉପାୟରେ ସରକାର ଗଢୁଥିବା ଦଳକୁ ସାର୍ଟିଫିକେଟ ଦିଆ ଯାଉଛି, ତେବେ କେଉଁ ଦଳ ନିରାପଦ ରହିବ ? ଏହି ପ୍ରଶ୍ନ କର୍ତ୍ତା ମାନେ କ'ଣ ଚାହାଁନ୍ତି ଦେଶରେ କେବଳ ଗୋଟିଏ ଦଳ ରହୁ ? ଏହି ପ୍ରଶ୍ନ କର୍ତ୍ତାମାନଙ୍କର ବି ଦିନେ ପାଳି ପଡିବ । କେହି ବାଦ୍ ପଡ଼ିବେ ନାହିଁ। ଜର୍ମାନୀର ଇତିହାସ ପଢନ୍ତୁ। 

ଗୋଟିଏ ଦଳ କେମିତି ଜଣେ ଇମାନଦାର ନେତା ବାଛିବ ? ସେଥିପାଇଁ କେଉଁ ମେସିନ୍ ଅଛି କି ? ଦଳ ହାରୁଛି ବୋଲି ଆଗରୁ ମଧ୍ୟ କେତେକ ନେତା ଅସନ୍ତୁଷ୍ଟ ରହୁଥିଲେ। ଦଳରେ ଅଣଦେଖା କରାଯାଉଛି ଓ ପଦବୀ ମିଳୁନାହିଁ ବୋଲି ଆଗରୁ ବି ନେତା ଅସନ୍ତୁଷ୍ଟ ରହୁଥିଲେ। କିନ୍ତୁ ସେମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେବାକୁ ସାହସ କରୁ ନଥିଲେ। କାରଣ ଆଗରୁ ସେପରି ନେତାଙ୍କୁ ଛି ଛି କରା ଯାଉଥିଲା। କିନ୍ତୁ ଏବେ ଯେତେବେଳେ ଦେଖା ଯାଉଛି ଏଭଳି ଦଳବଦଳୁଙ୍କୁ ପ୍ରଶଂସା କରାଯାଉଛି, ଯେଉଁ ଦଳକୁ ଛାଡିଲା ତାକୁ ଦୁର୍ବଳ ଓ ଅପାରଗ କହି ତିରସ୍କାର କରାଯାଉଛି ଓ ଯେଉଁ ଦଳ ଆଗରୁ ଚୋର ବୋଲି କହିଥିବା ବ୍ୟକ୍ତିକୁ ନିଜ ଦଳକୁ ନେଉଛି ତାକୁ ଓ୍ବାହ୍ ଓ୍ବାହ୍ କରାଯାଉଛି , ତେବେ କେବଳ କଂଗ୍ରେସ ଦଳକୁ କାହିଁକି ଦୋଷ ଦିଆଯିବ ? ଯେଉଁମାନେ ଏହାର ଜୟ ଜୟକାର କରୁଛନ୍ତି ସେମାନଙ୍କୁ କାହିଁକି ଦୋଷ ଦିଆଯିବ ନାହିଁ ? 

ଯଦି ଜଣକୁ ୨୫ କୋଟି କିମ୍ବା ୫୦ କୋଟି ଦିଆଯିବ ତାହେଲେ ସେ ତାର ଇମାନ୍ କେମିତି ରଖି ପାରିବ ? ସେ ବି ମଣିଷ । ସବୁ ମଣିଷଙ୍କ ମଧ୍ୟରେ ଯେମିତି ଦୁର୍ବଳତା ଅଛି ତା ମଧ୍ୟରେ ସେମିତି ଦୁର୍ବଳତା ଥିବ। କେବେ ପଚରାଯାଉଛି କି ବିଜେପି ଏତେ ଟଙ୍କା କେଉଁଠୁ ଆଣୁଛି ? ମହାରାଷ୍ଟ୍ରର ବିଧାୟକ ମାନଙ୍କୁ ମାସାଧିକ କାଳ ଗୌହାଟିର ମହଙ୍ଗା ହୋଟେଲରେ ରଖାଗଲା। ସେଥିପାଇଁ ଟଙ୍କା କିଏ ଦେଇଥିଲା ? ପଚାରିବା ଲୋକେ ତାଙ୍କୁ କେବେ ପଚାରିଛନ୍ତି କି ? 

ବିଜେପି ଏମିତି କ'ଣ କରି ପକାଇଛି ଯେ ସେଥିପ୍ରତି ଏତେ ନେତା ଆକୃଷ୍ଠ ହୋଇ ନିଜ ଦଳ ଛାଡି ସେ ଦଳରେ ଯୋଗ ଦେଉଛନ୍ତି ? କ'ଣ ଯୁଦ୍ଧ ଜୟ କରିଛି ? କ'ଣ ଇନ୍ଦିରା ସରକାର ପାକିସ୍ତାନକୁ ହରାଇ ବଙ୍ଗଳାଦେଶ ଗଠନ କରିବା ପରେ ଅନ୍ୟ ଦଳର ନେତା ମାନେ ଏମିତି ନିଜ ନିଜ ଦଳ ଛାଡି କଂଗ୍ରେସରେ ଯୋଗ ଦେଉଥିଲେ ? ବରଂ ଇନ୍ଦିରା ଜରୁରୀ ପରିସ୍ଥିତି ଜାରି କରିବା ପରେ ଅନେକ ନେତା ଇନ୍ଦିରାଙ୍କ ବିରୁଦ୍ଧରେ ବିଦ୍ରୋହ କରି କଂଗ୍ରେସ ଛାଡି ଥିଲେ, ଯଦିବା ଦଳ ଛାଡିଥିବା ସେହି ନେତାଙ୍କୁ ନେବା ପାଇଁ କୌଣସି ଶକ୍ତିଶାଳୀ ଦଳ ନଥିଲା। 

ଯଦି ଚୋରି, ଡକାୟତି, ଅନୈତିକତା ବଳରେ ଜଣେ ସରକାର ଗଢିବାରେ ସଫଳ ହେଉଛି, ଯଦି ଏହା ପ୍ରତି ସାମାଜିକ ସ୍ବୀକୃତି ରହୁଛି, ଯଦି କୌଣସି ଟଙ୍କା କିମ୍ବା ପ୍ରମାଣ ସ୍ବରୂପ  ଗୋଟିଏ ଫର୍ଦ୍ଦର ଡକ୍ୟୁମେଣ୍ଟ ନଥାଇ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ପୁରା ଯାଇ ପାରୁଛି, ଯଦି ସେ ଜେଲ୍ ଯିବା ପରେ ତା ଦଳର ନିର୍ବାଚିତ ନେତାକୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନ ଡାକି ରାଜ୍ୟପାଳ ୨୪ ଘଣ୍ଟା ଅପେକ୍ଷା କରୁଛି କାଳେ ତା ଦଳ ଭାଙ୍ଗିବ ଓ ବିଜେପି ସରକାର କରିବ , ତେବେ କେଉଁ ଦଳ କେମିତି ରାଜନୀତି କରିବ ? ଝାଡ଼ଖଣ୍ଡ ପାର୍ଟିର ସଭାପତିଙ୍କୁ ବିନା କୌଣସି ପ୍ରମାଣରେ ଓ କେବଳ ଅଭିଯୋଗ ଆଧାରରେ ଯଦି ଜେଲରେ ପୁରାଇ ରଖାଯିବ ସେ ତାଙ୍କ ଦଳରେ ବିଭାଜନକୁ କେମିତି ରୋକି ପାରିବେ ? 

ଗୋଟିଏ ସମୟରେ ଅତି ହାସ୍ୟାସ୍ପଦ ଅଫିସ ଫର ପ୍ରଫିଟ୍ ମାମଲାରେ ନିର୍ବାଚନ କମିଶନ ୨୫ ଜଣ ବିଧାୟକଙ୍କୁ ବିଧାୟକ ପଦରୁ ବାହାର କରିଥିଲେ। ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେବା ପୁର୍ବରୁ ଆପ୍ ବିଧାୟକଙ୍କୁ ତାଙ୍କ ପକ୍ଷ ରଖିବାକୁ ଦେଇ ନଥିଲେ। ଫଳରେ ଗୋଟିଏ ସପ୍ତାହ ପରେ ହାଇକୋର୍ଟ ସଭ୍ୟପଦ ଫେରାଇଥିଲେ। କିନ୍ତୁ କେହି ବିଜେପିକୁ ପ୍ରଶ୍ନ କରିଥିଲା କି, ନିର୍ବାଚନ କମିଶନଙ୍କ ପ୍ରସ୍ତାବ ଉପରେ ରବିବାର ଦିନ ମଧ୍ୟ ଦିଲ୍ଲୀ ବାହାରେ ଥିବା ରାଷ୍ଟ୍ରପତି ତୁରନ୍ତ ଦିଲ୍ଲୀ ଆସି କେମିତି ସେଥିରେ ଦସ୍ତଖତ ଦେଇ ଥିଲେ ? ବରଂ ନିର୍ବାଚନ କମିଶନଙ୍କ କଥାରେ ବାରମ୍ବାର ଆପ୍ ବିଧାୟକମାନଙ୍କୁ ଅପରାଧୀ ବୋଲି କୁହା ଯାଉଥିଲା। 

ଯଦି କିଏ ଦୁର୍ନୀତି କରିଛି ତେବେ ତାକୁ ଫାଶୀ ଦିଅ । ମୁଁ ସ୍ବାଗତ କରିବି । କିନ୍ତୁ କଥିତ ଦୁର୍ନୀତି ଘଟଣାର ୨୦ ବର୍ଷ ପରେ ସେ ଲୋକ ଘରେ ଏବେ ଇଡି ରେଡ୍ କଲେ କ'ଣ ମିଳିବ ? ତାକୁ ଏବେ ଜେଲରେ ପୁରାଇ କି ତଦନ୍ତ ହେବ ? ଅନନ୍ତ କାଳ ପର୍ଯ୍ୟନ୍ତ ତଦନ୍ତ ଚଳାଇ ତାକୁ ଜେଲରୁ ବେଲ୍ ନ ଦେବାର ଉଦ୍ଦେଶ୍ୟ ପ୍ରମାଣ ଖୋଜିବା ନା ତା'କୁ କେବଳ ଜେଲରେ ରଖିବା ? ୨୦୧୯ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪ ବର୍ଷ ହୋଇଗଲା । ମନି ଲଣ୍ଡରିଂ କେସ୍ ରେ, କେତେ ଜଣଙ୍କର ବିଚାର ସରିଲାଣି ? ବିଚାର ଛାଡ଼ନ୍ତୁ, କେତେ ଜଣଙ୍କର ତଦନ୍ତ ସରିଲାଣି ? କାହାର ସରିନାହିଁ। କାରଣ ଏହି ଆଇନର ଉଦ୍ଦେଶ୍ୟ ନୁହେଁ ଦୁର୍ନୀତି ଧରିବା । ଏହାର ଉଦ୍ଦେଶ୍ୟ ହେଉଛି ବିଜେପିରେ ଯୋଗ ଦେବାକୁ ମନା କରୁଥିବା ନେତାକୁ ଦୀର୍ଘ ଦିନ ଧରି ଜେଲରେ ରଖିବା ଓ ମିଡ଼ିଆ ମାଧ୍ୟମରେ ତାକୁ ବଦନାମ କରିବା।

ମୋ କଥା ଅନେକ ବନ୍ଧୁଙ୍କୁ ଅଲଣା ଲାଗୁଥିବ । ତେବେ ମୋ କଥା ଛାଡ଼ନ୍ତୁ। ଥରେ ଆଖିବୁଲାଇ ଦେଖିଲେ, ଆଉ କେଉଁ ଦେଶରେ ଏମିତି ହେଉଛି କି ? ଏପରିକି ପାକିସ୍ତାନରେ ବି ଏମିତି ହେଉଛି କି ? ଆଉ କେଉଁ ଦେଶରେ ବିଧାୟକଙ୍କୁ ଉଡାଜାହାଜରେ ଗାଈ ଛେଳି ଭଳି ଲୋଡ୍ କରାଯାଇ ଦୁରରେ ଗୋଟିଏ ହୋଟେଲରେ ରଖା ଯାଉଛି କି ? 

ମୋ ପାଇଁ ଏବେ କଂଗ୍ରେସକୁ ଦୋଷ ଦେବା ସହଜ । କାରଣ ଅନ୍ୟ ଦଳ ଏଭଳି ଡକାୟତିର ଶିକାର ହେବାବେଳେ ଅନ୍ୟ ଦଳମାନେ ନୈତିକତାର ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ କେବେ ମୁହଁ ଖୋଲି ନାହିଁ। କିନ୍ତୁ ମୋ ପାଇଁ କଂଗ୍ରେସର କ୍ଷତି ଅପେକ୍ଷା ଦେଶର ନୈତିକତାରେ ଗଭୀର ଅବକ୍ଷୟ ଚିନ୍ତାର ବଡ଼ କାରଣ । 

ମୁଁ ଜାଣିଛି, ବହୁତ ବିଦ୍ୱାନ ଅଛନ୍ତି, ଯେଉଁମାନେ କହୁଥିବେ , ମୁଁ ଆଗରୁ ଜାଣିଥିଲି, ମୁଁ ଆଗରୁ କହିଥିଲି ଯେ ଏ ନେତା କଂଗ୍ରେସ ଛାଡ଼ିବ । ମୋର ସେହି ବିଦ୍ୱାନଙ୍କୁ ଅନୁରୋଧ ଆଉ କେଉଁ କେଉଁ ନେତା କଂଗ୍ରେସ ଛାଡିବେ ତାହାର ଗୋଟିଏ ତାଲିକା ରାହୁଲ ଗାନ୍ଧୀଙ୍କୁ ଦିଅନ୍ତୁ, ଯେମିତି ସେମାନଙ୍କୁ ଦଳରୁ ବାହାର କରିବା ପରେ ଆଉ କେହି କଂଗ୍ରେସ ଛାଡିବେ ନାହିଁ।