ପଶ୍ଚିମ ଓଡିଶା ଉପରେ ବିଜେପି ବଡ ନେତାଙ୍କ ଆଖି

ପଶ୍ଚିମ ଓଡିଶା ଉପରେ ବିଜେପି ବଡ ନେତାଙ୍କ ଆଖି

ଏବେ ଦେଖା ଯାଉଛି ଉପକୂଳ ଓଡିଶାର ଅନେକ ବିଜେପି ନେତା ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବାକୁ ପାଗ ଭିଡୁଛନ୍ତି । ବିଜେପିର ସବୁଠୁ ବଡ ମୁଣ୍ଡ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ୨୦୨୪ ନିର୍ବାଚନ ଳଢନ୍ତି, ତାହେଲେ ସେ ଯେ ଢେଙ୍କାନାଳରୁ ଲଢିବେ, ଏହା ସ୍ପଷ୍ଟ ଭାବରେ କହି ହେଉନାହିଁ । ଧର୍ମେନ୍ଦ୍ର ଆବଶ୍ୟକ ପଡିଲେ ସମ୍ବଲପୁରରୁ ଲଢିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁରର ଗୁରୁତ୍ଵ ଅଧିକ କାରଣ ଏହି ନିର୍ବାଚନ ମଣ୍ଡଳୀରେ ଚ୍ଛେଣ୍ଡିପଦା, ଆଠମଲ୍ଲିକ ଏବଂ ଦେବଗଡ ବିଧାନସଭା କ୍ଷେତ୍ର ରହିଛି

ପୂର୍ବରୁ ବିଜେଡି-ବିଜେପି ପ୍ରାର୍ଥୀ ଭାବରେ ଧର୍ମେନ୍ଦ୍ର ଦେବଗଡରୁ ଥରେ ଲୋକସଭାକୁ ନିର୍ବାଚିତ ହୋଇଯାଇଥିଲେ । ତେଣୁ ଢେଙ୍କାନାଳ ତୁଳନାରେ ସମ୍ବଲପୁର ତାଙ୍କ ଲାଗି ଅଧିକ ସୁରକ୍ଷିତ । ସମ୍ପ୍ରତି ସମ୍ବଲପୁର ଲୋକସଭା ଆସନର ତିନୋଟି ଆସନରେ ବିଜେପିର ବିଧାୟକ ରହିଛନ୍ତି । ସେହି ତୁଳନାରେ ଢେଙ୍କାନାଳ ଆସନରେ ଜଣେ ବି ବିଜେପି ବିଧାୟକ ନାହାନ୍ତି । ପୁନଶ୍ଚ ସମ୍ବଲପୁର ଏବେ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । ସମ୍ବଲପୁର ଲୋକସଭା ସଦସ୍ୟ ନିତୀଶ ଗଙ୍ଗଦେବ ନିର୍ବାଚିତ ହେବା ପରଠୁ ବିଜେପିର କୌଣସି କାର୍ଯକ୍ରମରେ ଦେଖା ଦେଇନାହାନ୍ତି । ତାଙ୍କ ପରିବାରର ଅନ୍ୟ ପ୍ରମୁଖ ସଦସ୍ୟମାନେ ଏବେ ବିଜେଡ଼ିର ଜୟଗାନ କରିଚାଲୁଥିବାରୁ ନୀତିଶ ଗଙ୍ଗଦେବ ଆଉଥରେ ବିଜେପି ଟିକଟ ପାଇବା ସହଜ କଥା ନୁହେଁ । ଆଜିର ପରିସ୍ଥିତିକୁ ଦେଖିଲେ ଧର୍ମେନ୍ଦ୍ର ଢେଙ୍କାନାଳ ତୁଳନାରେ ସମ୍ବଲପୁରରୁ ଲଢିବା ଅଧିକ ପ୍ରାସଙ୍ଗିକ ହୋଇପାରେ ।

ସମ୍ବଲପୁର ବ୍ୟତୀତ ବରଗଡ ଲୋକସଭା ଆସନ ଉପରେ ଏବେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଆଖି ପଡିଛି । “ମାମୁଘର ଗାଁ” ଭାବରେ ସେ ବରଗଡକୁ ନିଜର ନୂଆ ନିର୍ବାଚନମଣ୍ଡଳୀ ଭାବରେ ବାଛିବାର ଯଥେଷ୍ଟ କାରଣ ରହିଛି । କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବାର ଆଦୌ ସମ୍ଭାବନା ନାହିଁ । କେନ୍ଦ୍ରାପଡାରେ ବିଜୁ-ନବୀନ ପଟ୍ଟନାୟକଙ୍କର ଯେଉଁ ପ୍ରତିଷ୍ଠିତ ଭୋଟ ଆଧାର ରହିଛି ତାକୁ ନବୀନ ବିରୋଧୀ ବୈଜୟନ୍ତ ଭାଙ୍ଗିପାରିବେ ନାହିଁ ବୋଲି ସେ ଭଲଭାବରେ ଜାଣନ୍ତି । ତେଣୁ ସେ ନିଜ ପାଇଁ ଏକ ବିକଳ୍ପ ଆସନ ଭାବରେ ବରଗଡକୁ ବାଛୁଛନ୍ତି ।

ତେବେ ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ଲାଗି ଯେତିକି ସୁବିଧା ଅଛି ତା ଠୁ ଢେର ଅଧିକ ଅସୁବିଧା ବୈଜୟନ୍ତଙ୍କର ରହିବ । ସମ୍ବଲପୁରରେ ବିଜେପିର ବଡ ଚେହେରା କେହି ନଥିବା ବେଳେ ବରଗଡରେ ସୁରେଶ ପୂଜାରୀଙ୍କ ଟିକଟ କାଟିବା ବିଜେପିକୁ ମହଙ୍ଗା ପଡିଯିବ । ସୁରେଶ ପୂଜାରୀ ଯେ କୌଣସି ମୁହୂର୍ତ୍ତରେ ବିଜେଡିରେ ଯୋଗଦେଇ ଟିକେଟ ପାଇବାରେ ତାଙ୍କର ଅସୁବିଧା ହେବନାହିଁ । ଉପକୂଳ ଓଡିଶାର ନେତାଙ୍କୁ ସମ୍ବଲପୁରରେ ଗ୍ରହଣ କରିବା ଆଦୌ ସହଜ ନୁହେଁ । ତେଣୁ ବୈଜୟନ୍ତ ଯଦି ବରଗଡକୁ ନିଜର ନିର୍ବାଚନମଣ୍ଡଳୀ ଭାବରେ ବାଛୁଛନ୍ତି, ତାହା ସିଧା ସିଧା ରାଜନୈତିକ ଆତ୍ମହତ୍ୟା ହିଁ ହେବ ।