ଓଡିଶା ସରକାରଙ୍କ ମାତ୍ରାଧିକ ଆଦାନୀ ପ୍ରୀତି : କାହା ସ୍ଵାର୍ଥରେ ?

ଓଡିଶା ସରକାରଙ୍କ ମାତ୍ରାଧିକ ଆଦାନୀ ପ୍ରୀତି : କାହା ସ୍ଵାର୍ଥରେ ?

ଦେଶର ସବୁ ପ୍ରମୁଖ ବିରୋଧୀଦଳ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସମୂହର କଳା କାରବାରର ତଦନ୍ତ ହେଉ ବୋଲି କହୁଥିବା ବେଳେ ଏହି ପ୍ରସଙ୍ଗରେ ଓଡିଶାର ବିଜୁ ଜନତା ଦଳ ସଂପୂର୍ଣ୍ଣ ଚୁପ ହୋଇ ବସିଛି । ଏହାର କାରଣ ସମ୍ପର୍କରେ ରାଜ୍ୟର ଏକ ପ୍ରମୁଖ ନାଗରିକ ସଂଗଠନ "ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ" ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ଓଡିଶା ସରକାର ଓ ଆଦାନୀ ସମୂହ ଭିତରେ ରହିଥିବା ନିବିଡ ସମ୍ପର୍କ ସ୍ପଷ୍ଟ ଜଣାପଡୁଛି । 

-----

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଏ ୨୪ ଜାନୁଆରୀ ୨୦୨୩ ତାରିଖରେ । ଏହି ରିପୋର୍ଟ ଅନୁସାରେ, “ଆଦାନୀ ଏଣ୍ଟରପ୍ରାଇଜେର୍ଷ କମ୍ପାନୀ ଦଶନ୍ଧି ଦଶନ୍ଧି ଧରି ସେୟାର ବଜାରରେ ବିଭିନ୍ନ କାରସାଦିରେ ତଥା ଠକାମିର ରାସ୍ତାରେ ନିଯୁକ୍ତ ରହିଛି ।“ ଏହି ରିପୋର୍ଟ ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ, ୨୦୧୭ ମସିହାରେ ‘ଏକୋନୋମିକ ଆଣ୍ଡ ପଲିଟିକାଲ ୱିକ୍ଲି’ର ପୂର୍ବ ସମ୍ପାଦକ ପରଞ୍ଜୟ ଗୂହା ଠାକୁର୍ତ୍ତା ସୂଚନା ଦେଇସାରିଥିଲେ ଯେ ନିଜର ସେଲ କମ୍ପାନୀ ମାଧ୍ୟମରେ ଆଦାନୀ କମ୍ପାନୀ ୧୦୦୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଯାହାକୁ ଡାଇରେକ୍ଟର ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବା ଡ଼ି.ଆଇ.ଆର. ଘଣ୍ଟ ଘୋଡାଇ ରଖିଛି । ପ୍ରଧାନମନ୍ତ୍ରୀଙ୍କ ନିକଟ ହୋଇଥିବା କାରଣରୁ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ରୁଲ୍ସ, ୨୦୧୬ରେ ପରିବର୍ତ୍ତନ ଆଣି ଆଦାନୀ କମ୍ପାନୀକୁ ୫୦୦ କୋଟି ଟଙ୍କାର ଲାଭ ମଧ୍ୟ କରାଇଦିଆଯାଇଛି । ଉଭୟ ଠାକୁର୍ତ୍ତା ଓ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ସତ୍ୱେ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଆଦାନୀ କମ୍ପାନୀ ସହିତ ନିୟମିତ ଭାବରେ ଚୁକ୍ତି କରିଚାଲିଛନ୍ତି ଓ କମ୍ପାନୀର ବିକାଶ ଲାଗି ସହଯୋଗର ହାତ ବଢାଇଚାଲିଛନ୍ତି । ଗଣତନ୍ତ୍ରରେ ନିର୍ବାଚିତ ସରକାର ଯେବେ ନିଜେ ଦୁର୍ନୀତିରେ ଲିପ୍ତ ଓ ଏକଛତ୍ରବାଦୀ ଶାସକରେ ପରିଣତ ହୋଇଯା’ନ୍ତି ସେତେବେଳେ ରାଜତନ୍ତ୍ରକୁ ମଧ୍ୟ ସେ ବଳିଯା’ନ୍ତି । ଓଡିଶା ସରକାରଙ୍କ କମ୍ପାନୀ ସହିତ ବନ୍ଧୁତାର ପ୍ରଭାବ ଓ ରାଜ୍ୟବାସୀଙ୍କ ବିରୋଧର ନମୁନା ଆମେ ନିମ୍ନରେ ଦେଉଛୁ ।

                ୧. ଓଡିଶା ସରକାର ୨୭ ଫେବୃଆରୀ ୨୦୨୩ ତାରିଖରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଧିନସ୍ଥ କୁଟୃମାଳୀ ବକ୍ସାଇଟ ଖଣି ଉତ୍ତୋଳନ ଲାଗି ନିଜର ଅନୁମତି ପତ୍ର ବା ଲେଟର ଅଫ ଇଣ୍ଟେଣ୍ଟ ଆଦାନି ଏଣ୍ଟରପ୍ରାଇଜର୍ସ ଅଧୀନରେ ଥିବା ମୁନ୍ଦ୍ରା ଆଲୁମିନିୟମ କମ୍ପାନୀକୁ ପ୍ରଦାନ କରିଛନ୍ତି । ଏହାଦ୍ୱାରା ଆଦାନୀ କମ୍ପାନୀର ଅଂଶଧନର ମୂଲ୍ୟ ୧୨ ପ୍ରତିଶତ ବଢିଯାଏ । (ବିଜିନେସ ଷ୍ଟାଣ୍ଡାର୍ଡ) ଏହାର ଗୋଟିଏ ଦିନ ପରେ ଅର୍ଥାତ ୧ ମାର୍ଚ୍ଚ ୨୦୨୩ ଦିନ ଓଡିଶା ସରକାର ପୁଣି ଥରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଦା ବକ୍ସାଇଟ ଖଣି ଲାଗି ଅନୁମତି ପତ୍ର ଲେଟର ଅଫ ଇଣ୍ଟେଣ୍ଟ ଆଦାନି ଏଣ୍ଟରପ୍ରାଇଜର୍ସକୁ ପ୍ରଦାନ କରିଛନ୍ତି । ସିଏନବିସି ସମ୍ବାଦ ଅନୁସାରେ ଏହାପରେ କମ୍ପାନୀର ଅଂଶଧନର ମୂଲ୍ୟ ୧୬ ପ୍ରତିଶତ ବୃଦ୍ଧି ଘଟିଛି । ଆଦାନୀ କମ୍ପାନୀ ନିଜର ବେଆଇନ କାର୍ଯ୍ୟ ଲାଗି ସମଗ୍ର ବିଶ୍ୱରେ ନିନ୍ଦିତ ହେଉଥିବା ସମୟରେ ଓଡିଶା ସରକାର ଏକ ଉତ୍ତମ ବନ୍ଧୁ ଭାବରେ ଆଦାନୀ କମ୍ପାନୀକୁ ସହଯୋଗର ହାତ ବଢାଇଲେ । କିନ୍ତୁ ଏହା ଦ୍ୱାରା ଓଡିଶା ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇନାହାନ୍ତି କି?

                ୨. କାଶୀପୁର ବ୍ଲକ ଅଧିନସ୍ଥ କୁଟୃମାଳୀ ବକ୍ସାଇଟ ଖଣିରେ ୧୨୮ ନିୟୁତ ଟନ ବକ୍ସାଇଟ ଗଚ୍ଛିତ ରହିଛି । ସେହି ଭଳି ନନ୍ଦପୁର ସ୍ଥିତ ବାଲଦା ଖଣିରେ ୧୧.୫ ନିୟୁତ ଟନ ବକ୍ସାଇଟ ଖଣି ଗଚ୍ଛିତ ଅଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଉଭୟ କାଶୀପୁର ଓ ନନ୍ଦପୁର ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ସମ୍ବିଧାନର ଅନୁସୂଚୀତ ଅଞ୍ଚଳରେ ଆସୁଛି । କିନ୍ତୁ ସେଠାର ଲୋକଙ୍କ ମତାମତ ନେବା ପୂର୍ବରୁ ନିଲାମ କରାଯିବା ଓ ଅନୁମତି ପତ୍ର ଦେବା ଅସମ୍ବିଧାନିକ । କୁଟୃମାଳୀ ଆଦାନୀକୁ ଦିଆଯିବା ପ୍ରତିବାଦରେ ଶହୀଦ ଲକ୍ଷ୍ମଣନାୟକ ଦିବସରେ (୨୯ ମାର୍ଚ୍ଚ ୨୦୨୩) କାଶୀପୁର ବ୍ଲକ ଅନ୍ତର୍ଗତ ସାରମବାଇ ଗ୍ରାମରେ ଏକା ବିରାଟ ଜନସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩୦ ଖଣ୍ଡ ଗ୍ରାମର ଆଦିବାସୀ ଦଳିତ ପୁରୁଷ ଓ ମହିଳା ଓଡିଶା ସରକାର ସେମାନଙ୍କୁ ବିପଦ ମଧ୍ୟକୁ ଠେଲି ଦେଇ ମିଥ୍ୟା ଓ ଦୁର୍ନୀତିପୂର୍ଣ୍ଣ କମ୍ପାନୀର ବନ୍ଧୁ ପାଲଟିବାକୁ ବିରୋଧ କରିଥିଲେ । ସେମାନେ ଦାବି କରିଥିଲେ ଯେ କମ୍ପାନୀ ନିଲାମକୁ ସଂପୂର୍ଣ୍ଣ ବାତିଲ କରାଯାଉ ।

                ୩. ଓଡିଶା ସରକାରଙ୍କ ଆଦାନୀ କମ୍ପାନୀ ସହିତ ଏଭଳି ବନ୍ଧୁତା ଯେ କାହା ସ୍ୱାର୍ଥରେ ତାହା ଆହୁରି ସ୍ପଷ୍ଟ ହୁଏ ବାଲଦା ଖଣି କ୍ଷେତ୍ରରେ । ଓଡିଶା ସରକାର ବାଲଦା ଅଞ୍ଚଳର ନାଗେଶ୍ୱରୀ ପାହାଡକୁ ୨୦୦୮ ମସିହାରେ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିଥିଲେ । ଅଥଚ ସେହି ନିଷ୍ପତ୍ତିକୁ ଆଦାନୀ କମ୍ପାନୀ ଲାଗି ପରିବର୍ତ୍ତନ କରିଦେଲେ । ଉକ୍ତ କମ୍ପାନୀଙ୍କୁ ଅନୁମତି ପତ୍ର ଦେବାର ପ୍ରତିବାଦରେ ଗଲା ୨୧ ମାର୍ଚ୍ଚ ୨୦୨୩ ତାରିଖରେ ବାଲଦା ଠାରେ ଏକ ବିରାଟ ଜନସଭା ହୋଇଥିଲା । ଏଥିରେ ଉପସ୍ଥିତ ଗ୍ରାମବାସୀ କୌଣସି ବି ପରିସ୍ଥିତିରେ ଖଣି ଖୋଳାଇ ଦେବେ ନାହିଁ ବୋଲି ଶପଥ ମଧ୍ୟ ନେଇଛନ୍ତି । ଯଦି ଆଦାନୀ ଏଠାରେ ବକ୍ସାଇଟ ଖଣି ଖୋଳେ ତେବେ ନନ୍ଦପୁର ଓ ଲମତାପୁଟ ବ୍ଲକର ୫ଟି ପଞ୍ଚୟତର ଗ୍ରାମାବାସୀ ବିସ୍ଥାପିତ ହେବେ ଓ ୮ଟି ପଞ୍ଚାୟତର ଲୋକେ ପ୍ରଭାବିତ ହେବେ । ତଥ୍ୟ ଅନୁସାରେ, ଷାଠିଏ ଦଶକରେ ତିଆରି ହୋଇଥିବା ମାଛକୁଣ୍ଡ ପ୍ରକଳ୍ପର ବିସ୍ଥାପିତ ଲୋକେ ଆଜି ବାଲଦା ଅଞ୍ଚଳରେ ବସବାସ କରୁଛନ୍ତି । ଏବେ ଆଦାନୀ କମ୍ପାନୀ ଲାଗି ଓଡିଶା ସରକାର ସେମାନଙ୍କୁ ପୁଣିଥରେ ବିସ୍ଥାପିତ କରିଦେବେ । ସାଧାରଣ ମଣିଷ ନିଜର ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ରହେ ଯେ ସରକାରଙ୍କ ଉପରେ ଭରୋସା କରିବା ବ୍‌ଯତୀତ ତା’ ପାଖରେ ଅନ୍ୟ କୌଣସି ରାସ୍ତା ନଥାଏ । କିନ୍ତୁ ସେହି ଭରୋସା ପୁଣି ତାହା ଲାଗି କାଳ ମଧ୍ୟ ହୋଇଯାଏ ।

                ୪. କେନ୍ଦ୍ର ସରକାର ନିଜର ଅହେତୁକ ଅନୁକମ୍ପା ଆଦାନୀ କମ୍ପାନୀକୁ ଦେଖାଇଥିବା କାରଣରୁ ବିରୋଧୀ ଦଳର ସାଂସଦଙ୍କ ଜେପିସି ତଦନ୍ତ ପ୍ରସ୍ତାବକୁ ଗ୍ରହଣ କରିପାରୁନାହାନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ୨୦୧୯ ମସିହାରେ ନିଜର ଆଇନରେ ସଂଶୋଧନ ଆଣି କୌଣସି ଅନୁଭୂତି ନଥିବା ଆଦାନୀ କମ୍ପାନୀକୁ ବି ବିମାନବନ୍ଦର ନିର୍ମାଣ କରିବାର ପ୍ରକଳ୍ପ ଦିଆଯିବା ଲାଗି ପ୍ରବଧାନ କଲେ । ଏହା ପରେ ମୁମ୍ବାଇ ସମେତ ଦେଶର ବୃହତ ୮ଟି ବିମାନ ବନ୍ଦର ମଧ୍ୟରୁ ସାତଟିର ନିର୍ମାଣ ଓ ପରିଚାଳନା ଦାୟିତ୍ୱ ଏବେ ଆଦାନୀ ଗୃପ ହାତରେ ରହିଛି ।

                 ୫. ଆଦାନୀ ଏଣ୍ଟରପ୍ରାଇଜେର୍ଷ ଭଳି ଏକ ଭାରତୀୟ ବହୁରାଷ୍ଟ୍ରୀୟ ସାର୍ବଜନୀକ ପୁଞ୍ଜୀକୃତ କମ୍ପାନୀ (କ୍ଟ୍ରଙ୍କଭକ୍ଷସମକ୍ଷଚ୍ଚ କ୍ଷସଗ୍ଦଗ୍ଧରୟ ଷକ୍ଟକ୍ଷୟସଦ୍ଭଶ ମକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ) ହୋଇମଧ୍ୟ ଭାରତର ଷ୍ଟକ ଏକ୍େଚଞ୍ଜ ଅଫ ଇଣ୍ଡିଆ (ସେବି) ଦ୍ୱାରା ସମୟ ସମୟରେ ତଦାରଖ ହେଉନାହିଁ । ‘ସେବି’ର ଗିରଫ କରିବା ଓ ସମ୍ପତ୍ତି ବ୍ୟାଜପ୍ତ କରିବାର କ୍ଷମତା ମଧ୍ୟ ରହିଛି । ଗଲା କିଛି ଦଶନ୍ଧି ହେଲା ‘ସେବି’ ଏକ ସ୍ୱାଧୀନ ସଂସ୍ଥା ଭାବରେ କାମ ନକରି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଏକ ବିଭାଗ ଭଳି କାମ କରୁଛି । ଗୌତମ ଅଦାନୀଙ୍କ ବଡ ଭାଇ ବିନୋଦ ଅଦାନୀଙ୍କ ନେତୃତ୍ୱରେ ମରିସସ, ଆରବ ଏମିରେଟ୍ସ, ବିଭିନ୍ନ କାରିବିଆନ ଦେଶରେ ୩୮ ଅଚଳ କମ୍ପାନୀ (ଗ୍ଦଷରକ୍ଷକ୍ଷ ମକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ) ଖୋଲାଯାଇଛି ଓ ତାହା ମାଧ୍ୟମରେ ଆମଦାନୀ ରପ୍ତାନୀ ନାମରେ ଦେଶର ଟିକସର ଠକେଇ ହୋଇଥିବା କଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରୁଛି । ଏହି ରିପୋର୍ଟ ପୁଣି କୁହେ ଯେ ଭିତ୍ତିଭୂମୀ କ୍ଷେତ୍ରରେ ବିନିଯୋଗ ହେଉଥିବା ପୁଞ୍ଜିର ସିଂହ ଭାଗ ଆଦାନୀକୁ ଯାଉଛି । ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର, ଜାତୀୟ ରାଜପଥ, କୋଇଲା ଆମଦାନୀ, ପାୱାର ପ୍ଳାଣ୍ଟ, ସିମେଣ୍ଟ, ଗ୍‌ଯାସ, ଷ୍ଟିଲ ଇତ୍ୟାଦି କ୍ଷେତ୍ରରେ ଏକମାତ୍ର ଆବେଦନକାରୀ ଭାବରେ ଗୌତମ ଆଦାନୀ ରହିଛନ୍ତି ଅଥବା ଉପଯୁକ୍ତ ପ୍ରତିଯୋଗୀଙ୍କୁ ସୁଯୋଗ ଦିଆନଯାଇ ସମସ୍ତ ୱାର୍କ ଅର୍ଡର ଆଦନୀ କମ୍ପାନୀକୁ ଦିଆଯାଉଛି ।

                ୬. କେନ୍ଦ୍ର ସରକାରଙ୍କ ଭଳି ଓଡିଶା ସରକାରଙ୍କର ଆଦାନୀ ଗୃପ ସହିତ ସମ୍ବନ୍ଧ ବେଶ ଦୀର୍ଘ । ୨୦୧୪ ମସିହା ସେପ୍ଟେମ୍ବର ମାସରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଠାରେ ହୋଇଥିବା ଜନଶୁଣାଣୀକୁ ଲୋକେ ବିରୋଧ କରି ଆଦାନୀର କୋଇଲା ଖଣି ପ୍ରସ୍ତାବକୁ ବନ୍ଦ କରିଦେଇଥିଲେ । ଏବେ ଓଡିଶା ସରକାର ଲୋକଙ୍କ ବିରୋଧ ସତ୍ୱେ ଛେଣ୍ଡିପଦାର ଦୁଇଟି କୋଇଲା ବ୍ଲକ ସେହି ଆଦାନୀ କମ୍ପାନୀକୁ ନିଲାମ ଦେଇଛନ୍ତି । ମାଲକାନଗିରିର ମାଥିଲି ଅଞ୍ଚଳରେ ଚୂନ ପଥର ଖଣି ଓ ଆଦାନୀ ଗୃପର ଆମ୍ବୁଜା ସିମେଣ୍ଟ ଫ୍ୟାକ୍ତ୍ରୀ, ଭଦ୍ରକ ଜିଲ୍ଲାର ଧାମରା ବନ୍ଦର (୨୦୧୪), ଓଡିଶାରେ ଶିଳ୍ପ କରିଡର “ଭାରତମାଳା ପ୍ରୋଜେକ୍ଟ”ର (ଅବଶ୍ୟ ଏହା କେନ୍ଦ୍ର ସରକାରଙ୍କ ଯୋଜନା) ରାସ୍ତା ନିର୍ମାଣ ଇତ୍ୟାଦି ଅନେକ ପ୍ରକଳ୍ପକୁ ମାତ୍ର ଗଲା କଛି ବର୍ଷ ମଧ୍ୟରେ ଆଦାନୀ କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ଓଡିଶାରେ କୌଣସି ଆଲୁମିନା ପ୍ଳାଣ୍ଟ ନଥାଇ ବି ରାୟଗଡା ଜିଲ୍ଲା କାଶୀପୁର ଅନ୍ତର୍ଗତ କୁଟୃ ମାଳୀ, କୋରାପୁଟ ଜିଲ୍ଲା ନନ୍ଦପୁରର ବାଲଦା ବକ୍ସାଇଟ ମାଇନ୍ସ, ଦିଆଯାଉଛି ।

                ସରକାରଙ୍କର ଏଭଳି କମ୍ପାନୀ ପ୍ରୀତି କାହିଁକି? କାହିଁକି ଓଡିଶା ସରକାର ନିଜର ରାଜ୍ୟବାସୀଙ୍କ ବିପକ୍ଷରେ କାମ କରୁଛନ୍ତି? କାହିଁକି ଓଡିଶା ସରକାର ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ହେବା ପରେ ପରେ ଆଦାନୀ ସହିତ ନିଜର ସମସ୍ତ ସମ୍ପର୍କକୁ ଛିନ୍ନ କରିପାରିଲେ ନାହିଁ? ଏହି ଭଳି ଅନେକ ପ୍ରଶ୍ନ ରାଜ୍ୟବାସୀ ରାଜ୍ୟ ସରକାରଙ୍କୁ ପଚାରିବା ଉଚିତ । ରାଜ୍ୟ ସରକାର ଆଦାନୀକୁ ଦେଇଥିବା ସମସ୍ତ ନିଲାମକୁ ଶୀଘ୍ର ବାତିଲ କରିବା ଲାଗି ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା’ ଦାବି କରୁଛି । ଓଡିଶାର ପ୍ରଗତିଶୀଳ ରାଜନୈତିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଏକାଠି ଆଦାନୀ କମ୍ପାନୀର ପ୍ରତିବାଦ କରିବା ଲାଗି ଆମେ ଆହ୍ୱାନ କରୁଛୁ ।