କଂଗ୍ରେସ: ଘରଭେଦୀ ଓ ବିଶ୍ଵାସଘାତକମାନଙ୍କର ଏକ ତମ୍ବୁ

କଂଗ୍ରେସ: ଘରଭେଦୀ ଓ ବିଶ୍ଵାସଘାତକମାନଙ୍କର ଏକ ତମ୍ବୁ

କର୍ଣ୍ଣାଟକ ପାଇଁ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଥିବା ବେଳେ କଂଗ୍ରେସର ସବୁ ମଲାଇ ଖାଇ ସାରି ଏବେ କଂଗ୍ରେସକୁ ସମାଲୋଚନା କରୁଥିବା କିଛି ନେତାଙ୍କ ଚେହେରା ବାରମ୍ବାର ଟିଭି ପରଦାରେ ଦେଖିବାକୁ ମିଳୁଛି । କଂଗ୍ରେସକୁ ଏବେ ସବୁଠୁ ଅଧିକ ଗାଳି କରୁଥିବା ନେତାଙ୍କ ତାଲିକାରେ ଏକନମ୍ବରରେ ଅଛନ୍ତି ଗୁଲାମାନବୀ ଆଜାଦ । କଂଗ୍ରେସର ଏମିତି କୌଣସି ବଡ ପଦବୀ ନାହିଁ ଯେଉଁଥିରେ ଗୁଲାମନବୀ ଅବସ୍ଥାପିତ ହୋଇନଥିଲେ । ଏବେ କିନ୍ତୁ ତାଙ୍କୁ କଂଗ୍ରେସ ପିତା ଲାଗୁଛି । ଆନ୍ଧ୍ର ଓ ତେଲେଙ୍ଗାନାର ବିଭାଜନ ପରେ ଏହି ଦୁଇ ରାଜ୍ୟରେ କଂଗ୍ରେସର ବିପର୍ଯୟ ଯାହା ପାଇଁ ହେଲା ସେଇ କିରଣ ରେଡ୍ଡୀ ଏବେ ବିଜେପିର ହାତ ଧରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଦିନରାତି କଂଗ୍ରେସକୁ ଗାଳି କରୁଛନ୍ତି । ଏକେ ଆନ୍ତୋନୀଙ୍କ ପୁଅ ବିଜେପିରେ ମିଷିଛନ୍ତି। କଂଗ୍ରେସର ପୁରୁଣା ମୂଷାମାନେ ଏବେ ବିଜେପି ଭିତରେ ଆଶ୍ରା ଖୋଜିବାକୁ ଲଜ୍ଜାବୋଧ କରୁନାହାନ୍ତି ।

ଗତ ପାଞ୍ଚ ବର୍ଷ ମଧ୍ୟରେ ଘରଭେଦୀମାନଙ୍କଷଡଯନ୍ତ୍ର କାରଣରୁ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାର ଭାଙ୍ଗିଥିଲା। ରାଜସ୍ଥାନ କଂଗ୍ରେସର ଟାଣୁଆ ଯୁବ ନେତୃତ୍ଵ ଭାବେ ଦୀର୍ଘ ବର୍ଷ ଧରି କାମ କରି ଆସିଥିବା ସଚିନ ପାଇଲଟ ବିଜେପି ସହିତ ମୂଲଚାଲ କରି କଂଗ୍ରେସ ସରକାରର ପତନ ଘଟାଇବାକୁ ଏକାଧିକ ଥର ଉଦ୍ୟମ କରିଥିଲେ। ମଧ୍ୟପ୍ରଦେଶ ଢାଞ୍ଚାରେ ରାଜସ୍ଥାନରେ ମଧ୍ୟ ବିଜେପି କଂଗ୍ରେସର ସବୁଠୁ ବଡ ମାଛକୁ କିଣିବାରେ ସଫଳ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସେ ଉଦ୍ୟମ ପାଣି ଫାଟିଯାଇଥିଲା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କମଳନାଥ ସରକାର ଭାଙ୍ଗିବାରେ ମୁଖ୍ୟ ଭୂମିକା ନେଇଥିଲେ। ଅନୁରୂପ ଭାବେ ସଚିନ ପାଇଲଟ ରାଜସ୍ଥାନରେ ସେହି ଭୂମିକା ତୁଲାଇବାକୁ ଯାଇ ଅପଦସ୍ତ ହୋଇଥିଲେ।

 ସବୁଠୁ ବଡ ପ୍ରଶ୍ନ ହେଉଛି, ଦେଶର ଅନ୍ଯାନ୍ଯ ଅଣକଂଗ୍ରେସ ଦଳକୁ ଭାଙ୍ଗିବାର ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ବିଜେପିକୁ ସଫଳତା ମିଳୁନାହିଁ। ହେଲେ କଂଗ୍ରେସକୁ ଯେତେବେଳେ ଚାହିଁଲେ ସେତେବେଳେ ଭାଙ୍ଗିଦେବାକୁ ବିଜେପି ସମର୍ଥ ହେଉଛି କେମିତି୧୩୫ ବର୍ଷର ସବୁଠୁ ପୁରୁଣା ଦଳ ଭାବରେ କଂଗ୍ରେସ ବହୁ ଉତ୍ଥାନ ଓ ପତନ ଦେଖିଛି। ସ୍ଵାଧୀନ ଭାରତର ସର୍ବାଧିକ ସମୟ ଶାସନ କ୍ଷମତାରେ ରହିଥିବା କଂଗ୍ରେସରେ ବାରମ୍ବାର ବିଭାଜନ ଘଟିଛି। ତେବେ ସବୁ ବିଭାଜନ ଓ ସଙ୍କଟକୁ ସାମ୍ନା କରି କଂଗ୍ରେସ ପୁଣି ଉଠିଛି। ୧୯୬୭ରେ ଇନ୍ଦିରା ଗାନ୍ଧୀ ବନାମ ପୁରୁଣା କଂଗ୍ରେସ ସିଣ୍ଡିକେଟ, ଜରୁରୀ କାଳୀନ ପରିସ୍ଥିତି ପରେ ଇନ୍ଦିରା ବନାମ ଅନ୍ୟମାନେ, ୧୯୮୯ରେ ରାଜୀବ ଗାନ୍ଧୀ ବନାମ ବିଶ୍ଵନାଥ ପ୍ରତାପ ସିଂ, ୧୯୯୯ ରେ ସୀତାରାମ କେଶରୀ ବନାମ ସୋନିଆଁ ଗାନ୍ଧୀ- ଏମିତି ଅନେକ ସଙ୍କଟର ମୁକାବିଲା କଂଗ୍ରେସ କରିଛି। ହେଲେ ନରେନ୍ଦ୍ର ମୋଦୀ-ଅମିତ ଶାହାଙ୍କ ନେତୃତ୍ବରେ ବିଜେପିର କ୍ଷମତା ହାସଲ ପରେ, କଂଗ୍ରେସ ବାରମ୍ବାର ଧୂଳିରେ ଲୋଟିବାକୁ ବାଧ୍ୟ ହେଉଛି। 

ବିଜେପି ସରକାର ଗଢିବା ପରେ ପୂର୍ଣ୍ଣ ବହୁମତରେ ଥିବା ଅରୁଣାଚଳ ପ୍ରଦେଶର କଂଗ୍ରେସ ସରକାରକୁ  ବିଜେପି ପୂରା କିଣି ନେଇଥିଲା। ପରେ ପରେ ଉତ୍ତରାଖଣ୍ଡରେ ସେହି ସମାନ ନାଟକ ଚାଲିଥିଲା। ବିଭିନ୍ନ ସମୟରେ ଦେଶର ସାଧାରଣ ଜନତା କଂଗ୍ରେସକୁ ସୁଯୋଗ ଦେଇଛନ୍ତି। ହେଲେ ଏହି ସୁଯୋଗର ସଦୁପଯୋଗ କରିବାରେ କଂଗ୍ରେସ ସମର୍ଥ ହୋଇପାରିନାହିଁ।କଂଗ୍ରେସ ଦଳରେ ଦଳର ଅସ୍ତିତ୍ଵ ଅପେକ୍ଷା ଏହି ଦଳର ନେତାମାନଙ୍କର ଉଚ୍ଚାଭିଳାଷ ଅଧିକ ଗୁରୁତ୍ୱପୂର୍ଣ୍ଣ। ୨୦୧୯ ବିଧାନସଭା ନିର୍ବାଚନରେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସର ବିଜୟ ଏକ ବଡ ସୁଯୋଗ ତିଆରି କରିଥିଲା। ତେବେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପୁରୁଣା ବନାମ ନୂଆ ର ସଙ୍ଘାତକୁ କଂଗ୍ରେସ ନେତୃତ୍ଵ ସଠିକ ଭାବେ ବୁଝିନଥିଲେ। ପୁରୁଣା ଗୋଷ୍ଠୀର କମଳନାଥ ଓ ଆଶୋକ ଗେହେଲୋତଙ୍କ ନେତୃତ୍ବକୁ ମାନିବା ଲାଗି ସିନ୍ଧିଆ ଓ ପାଇଲଟ ମୂଳରୁ ପ୍ରସ୍ତୁତ ନଥିଲେ। ତେବେ ତାଳିପକା ଉଦ୍ୟମରେ ବଞ୍ଚି ରହିଥିବା ଏହି ଦୁଇଟି ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ଭାଙ୍ଗିବା ଲାଗି ବିଜେପି ପାଖରେ ପର୍ୟାପ୍ତ ମୌକା ରହିଥିଲା। ସମୟକ୍ରମେ ବିଜେପି ସେ ମୌକାରୁ ଭରପୁର ଫାଇଦା ଉଠାଇଥିଲା। 

ଯେଉଁ କଂଗ୍ରେସ ନେତାମାନେ ଏବେ ଦଳ ଛାଡୁଛନ୍ତି ସେମାନେ ଯେ କଂଗ୍ରେସ ପାଇଁ କିଛି ଗୋଟେ ବଡ ସମ୍ପତ୍ତି ଥିଲେ ତା ନୁହେଁ । ଗୁଲାମନବୀ ଆଜାଦଙ୍କ ରାଜନୈତିକ ସ୍ଥିତି ସବୁବେଳେ କଂଗ୍ରେସ ହାଇକମାଣ୍ଡଙ୍କ ଆଶୀର୍ବାଦ ଉପରେ ନିର୍ଭରଶୀଳ ଥିଲା । ସେ ନିଜ ଉଦ୍ୟମରେ କେବେ କିଛି କରିବା ନେତା ନୁହନ୍ତି କି କେବେ ନଥିଲେ । ଏବେ ଏଆକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନିର୍ବାଚନ ପୂର୍ବରୁ ଗୁଲାମନବୀଙ୍କର କଂଗ୍ରେସ ବିରୋଧୀ ପ୍ରଚାର ଦେଖି ଲାଗୁଛି, ସତେକି ଏଠି ଲାଗି ତାଙ୍କୁ ବିଜେପି ଚାକିରୀ ଦେଇଛି । କଂଗ୍ରେସ ଛାଡିବା ପରଠୁ ଗୁଲାମନବୀଙ୍କର କୌଣସି ରାଜନୈତିକ ପରିଚୟ ଆଉ ନାହିଁ। କାଶ୍ମୀରରେ ସେ ଗଢିଥିବା ଦଳ ମାଟିରେ ମିଶିଯାଇଛି । କେବଳ ଡିଲଲରେ ନିଜର ପରିଚୟ ବଜାୟ ରଖିବାକାଉ ସେ କଂଗ୍ରେସ ବିରୋଧରେ ବିଜେପିର ଭଡାଟିଆ ଭାବରେ କାମ କରୁଛନ୍ତି ।     

ତେବେ ଅସଲ ପ୍ରଶ୍ନ ହେଉଛି, ବାକି ଦଳ ତୁଳନାରେ କଂଗ୍ରେସରେ ଘରଭେଦୀ ଓ ବିଶ୍ଵାସଘାତକ ନେତାମାନଙ୍କର ସଂଖ୍ୟା ଏତେ ଅଧିକ କାହିଁକି ?