ଉତ୍ତର ପୂର୍ବ ନିର୍ବାଚନ : ବିଜେପି ପାଇଁ ବିପଦ ସଙ୍କେତ

ଉତ୍ତର ପୂର୍ବ ନିର୍ବାଚନ : ବିଜେପି ପାଇଁ ବିପଦ ସଙ୍କେତ

ଏଗଜିଟ ପୋଲରେ ଉତ୍ତର –ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ବିଜେପି ବ୍ୟାପକ ବିଜୟ ହାସଲ କରିବ ବୋଲି ଯାହା କୁହା ଯାଇଥିଲା, ତାହା ବାସ୍ତବ ଫଳାଫଳରେ ପ୍ରତିଫଳିତ ହୋଇନାହିଁ । ତ୍ରିପୁରାରେ ବିଜେପି ହାରୁ ହାରୁ ଜିତିଛି । ଅପରାହ୍ନ ଚାରିଟା ସୁଦ୍ଧା ବିଜେପି ୩୨ଟି ଆସନରେ ଆଗୁଆ ଥିବା ବେଳେ ଏହାର ସହଯୋଗୀ ଆଇପିଏଫଟି ଗୋଟିଏ ଆସନରେ ଆଗୁଆ ରହିଛି । ଷାଠିଏ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ନବ ଗଠିତ ତିପ୍ରା ମୁଠା ପାର୍ଟି ୧୩ଟି ଆସନରେ ଆଗୁଆ ରହିଛି ଓ ଏହି ଦଳକୁ ପାଖାପାଖି ୨୦% ଭୋଟ ମିଳିଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପିକୁ ୩୬ ଏବଂ ଏହାର  ସହଯୋଗୀ ଆଇପିଏଫଟିକୁ ୯ ଟି ଆସନ ମିଳିଥିଲା । ଚଳିତ ନିର୍ବାଚନରେ ବିଜେପି+ର ଆସନ ୪୫ ରୁ ୩୩ କୁ ଖସିଥିବା ବେଳେ ଭୋଟ ହାର ୪୪.୫% ରୁ ୩୯% କୁ ଖସି ଆସିଛି । ଛୋଡାନ୍ତ ଫଳାଫଳ ବେଳକୁ ହୁଏତ ଏଥିରେ କିଛିଟା ପରିବର୍ତ୍ତନ ଆସିପାରେ ।

ମୋଟାମୋଟି ତ୍ରିପୁରା ବିଜେପି ପାଇଁ ଆଉ ସୁରକ୍ଷିତ ରାଜ୍ୟ ହୋଇ ରହିନାହିଁ ।

ନାଗାଲାଣ୍ଡରେ ବିଜେପି-ଏନଡିପି ମେଣ୍ଟ ବିଜୟୀ ହୋଇଥିଲେ ମଧ୍ୟ ଏଠାରେ ବିଜେପିର ସ୍ଥିତି ଗତ ନିର୍ବାଚନ ତୁଳନାରେ ସ୍ଥିର ରହିଛି । ୨୦୧୮ ନିର୍ବାଚନରେ ବିଜେପି ୧୨ ଟି ଆସନ ଜିତିଥିବା ବେଳେ ଏଥର ମଧ୍ୟ ୧୨ ଆସନରେ ଆଗୁଆ ରହିଛି । ଏନଡିପିର ଆସନ ସଂଖ୍ୟା ପ୍ରାୟ ଦୁଇଗୁଣ ଏଥର ବଢିଛି ।

ମେଘାଳୟରେ କୋନ୍ରାଡ ସାଙ୍ଗମାଙ୍କ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଗତ ଥର ସାଙ୍ଗମା ବିଜେପି ସହିତ ମେଣ୍ଟ କରିଥିଲେ । ହେଲେ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗି ସେ ଏକାକୀ ନିର୍ବାଚନ ଲଢିଥିଲେ । ସଂଖ୍ୟା ଗଣିତରେ ସାଙ୍ଗମା ଏବଂ ତୃଣମୂଳ ର ନୂଆ ସମୀକରଣ ଏବେ ଦେଖା ଯାଉଛି ।

ତିନୋଟି ରାଜ୍ୟ ନିର୍ବାଚନରେ ଯେଉଁ ଗଣିତ ଦେଖାଯାଉଛି, ସେଥିରେ ଯଦି ବିରୋଧୀଙ୍କ ଏକତା ଚୂଡାନ୍ତ ହୁଏ ତାହେଲେ ଏହା ବିଜେପି ପାଇଁ  ମୁଣ୍ଡବିନ୍ଧାର କାରଣ ପାଲଟିବ । ଉତ୍ତରପୂର୍ବ ରାଜ୍ୟ ଗୁଡିକୁ ବିଭିନ୍ନ ଉପାଯରେ ଦଖଲ କରିବା ଲାଗି ବିଜେପିର ରଣନୀତି ସଫଳ ହୋଇନାହିଁ । ଏହାର ବିପରୀତରେ ଏହି ରାଜ୍ୟ ମାନଙ୍କରେ ଆଞ୍ଚଳିକ ଦଳଙ୍କର ପ୍ରଭାବ ବୃଦ୍ଧି ପାଉଛି । ତ୍ରିପୁରାରେ ପ୍ରଦ୍ୟୋତ ଦେବ ବର୍ମନଙ୍କର ତିପ୍ରା ମୁଠା, ମେଘାଳୟରେ କୋନ୍ରାଡ ସାଙ୍ଗମାଙ୍କର ଏନପିପିର ପ୍ରଭାବ ବିଜେପିକୁ ଅଡୁଆରେ ପକାଇଛି ।

ତ୍ରିପୁରାରେ ବିଜେପିର ଶକ୍ତି ଦୁର୍ବଳ ହୋଇଥିବା ବେଳେ ବାକି ଦୁଇ ରାଜ୍ୟରେ ବିଜେପିର ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପିର ଏହି ସ୍ଥିତି ଆଗାମୀ ଦିନ ପାଇଁ ଅନେକ ସଙ୍କେତ ଦେଉଛି ।