ଓଡ଼ିଶା ବିଜେପି: ଅଫିମ ବିଚାର !!

ଓଡ଼ିଶା ବିଜେପି: ଅଫିମ ବିଚାର !!

ଓଡ଼ିଆରେ ରହିଥିବା ଦୁଇଟି ପ୍ରସିଦ୍ଧ ଢଗ "ଗାଲୁଆଙ୍କ ବାରବାଟି ଚାଷ" ଓ “ଅଫିମ ବିଚାର”ର ଅର୍ଥ ବୁଝିବାକୁ ଚାହାନ୍ତି ଯଦି ଆମ ଓଡିଶା ବିଜେପି ନେତାମାନଙ୍କର ବୟାନ ଶୁଣନ୍ତୁ । ଆପଣଙ୍କ ମୁଣ୍ଡ ଖାଲି ଟିଣ ହୋଇଯିବନି, ଆପଣଙ୍କୁ ଲାଗିବ-ଆମେ ବୋଧହୁଏ ଗୋଟେ ପାଗଳ ଗାରଦରେ ରହୁଛୁ । ଗଲା କାଲି ବିଜେଡି ଓ ବିଜେପି ସାଂସଦମାନେ ଯେତେବେଳେ ଏକାଠି ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟାଭିଷେକ ଦେଖୁଥିଲେ ଓ ମିଳିତ ଭାବରେ ଫଟୋ ଉଠାଉଥିଲେ, ଠିକ୍ ସେହି ସମୟରେ ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲ କହିଲେ- "ବିଜେଡିରେ ବିସ୍ଫୋରଣ ହେବ। ୧୧୭ ସିଟିଂ MLAଙ୍କ ସହ ଆମେ କଥା ହେଉଛୁ, ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି, ସବୁ MLA ଆମ କଣ୍ଟାକ୍ଟରେ ରହିଛନ୍ତି।"

ଏକଥା ଶୁଣିଲା ପରେ ଆମ ମନକୁ ପ୍ରଥମ ପ୍ରଶ୍ନ ଆସିଲା-ଓଡ଼ିଶା ବିଧାନସଭାରେ ବିଜେଡ଼ି ସଦସ୍ୟଙ୍କ ସଂଖ୍ୟା ୧୧୪, ଯାହାଙ୍କ ଭିତରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରହିଛନ୍ତି । ବିଜେଡିର ଆଉ ତିନି ନୂଆ ବିଧାୟକ ଆସିଲେ କେଉଁଠୁ? ତେବେ ବିଜେଡିର ଭିତିରିଆ ଭାବରେ ବିଜେପିରେ ଅତି କମରେ ତିନିଜଣ ବିଧାୟକ ରହିଛନ୍ତି, ଯେଉଁ ମାନଙ୍କୁ ରାଜ୍ୟ ବିଜେପି ସଭାପତି ବିଜେଡି ବିଧାୟକ ବୋଲି  ବୋଧହୁଏ ଧରି ନେଇଛନ୍ତି ! ନବୀନ ପଟ୍ଟନାୟକଙ୍କ ନିଜ ଉପରେ ମଧ୍ୟ ଅସନ୍ତୋଷ ରହିଛି, ତେଣୁ ସେ ବୋଧହୁଏ ମନମୋହନ ସାମଲଙ୍କ ସହିତ ଏହି ବିଷୟରେ କଥାବାର୍ତ୍ତା କରୁଛନ୍ତି ଓ ସେ ସ୍ବୟଂ ବିଜେଡି ଛାଡି ବିଜେପିରେ ଯୋଗ ଦେଇପାରନ୍ତି !! ଆହୁରି ମଧ୍ୟ ହୋଇପାରେ ଯେ ବିଜେଡି ବିଧାୟକମାନେ ନିଜେ ଆସି ମନମୋହନ ସାମଲଙ୍କୁ ନିଜ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି!!

ବିଜେପି ରାଜ୍ୟ ସଭାପତିଙ୍କ ବକ୍ତବ୍ୟ ଯେତେବେଳେ ପିଲାଳିଆମୀର ଶେଷ ସୀମା ଟପିଯାଏ, ସେଠି ଆମକୁ ବୁଝିଯିବାକୁ ହୁଏ ଯେ, ଏଠି ଗାଲୁଆଙ୍କ ବାରବାଟି ଚାଷ ଚାଲିଛି। କିମ୍ବା ନଦୀରେ ଅଫିମ ଖାଇ ଯେମିତି ସବୁ ପଥର ଅଫିମ ଓ ସବୁ ବାଲି ଉଖୁଡା ହୋଇଯାଉ ବୋଲି ଅଫିମିଆ ଲୋକଟି କଳ୍ପନା କରୁଥାଏ, ମନମୋହନ ସାମଲ ବୋଧେ ସେମିତି ଅତିକଳ୍ପନାର ରାଜ୍ୟରେ ଅଛନ୍ତି । ତେବେ ଏହା ବିଜେପିର ପୁରୁଣା କୌଶଳ ଓ ଏହାର ପ୍ରବକ୍ତା ସ୍ଵୟଂ ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହ ସବୁ ନିର୍ବାଚନରେ ଗୋଟେ ନମ୍ବର କହନ୍ତି ଆଉ ସେ ନମ୍ବର ପଛରେ ଗଣମାଧ୍ୟମକୁ ଲଗେଇ ଦିଅନ୍ତି । ବାବୁ ମନମୋହନ ସାମଲ ଟିକେ ମାତ୍ରାଧିକ ଉତ୍ସାହୀ ହୋଇ ଏଠି ସେହି ତତ୍ତ୍ଵର ପ୍ରୟୋଗ କରୁଛନ୍ତି ।  

ଅସଲ କଥା ହେଲା, ବିଜେପି ନିଜ ଦମ୍ଭରେ ଓଡ଼ିଶାର ଶାସନ ଦାୟିତ୍ୱ କେବେ ମଧ୍ୟ ପାଇବ ନାହିଁ, ତେଣୁ ଏହା ମୁଖ୍ୟତଃ ବିଜେଡି ପିଠିରେ ଲାଉ ହୋଇ ସରକାର ଗଢ଼ିବାକୁ ସ୍ବପ୍ନ ଦେଖୁଛି। ବିଜେଡିରୁ ନେତା ଆମଦାନୀ କରି ନିଜ ସଙ୍ଗଠନ ଗଢ଼ିବାକୁ ବିଜେପି ବାରମ୍ବାର ଉଦ୍ୟମ କରିଛି, ହେଲେ ବିଜେଡି ନେତାମାନେ ବିଜେପିକୁ ଗଲା ପରେ ଦଳ ଉପରେ ବୋଝ ହିଁ ହୋଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ଡଜନ ଡଜନ ବଡ଼ ନେତା ବିଜେପି ଟୋପି ପିନ୍ଧିବାକୁ ରାମ ମନ୍ଦିର ପାଖ ଅଫିସକୁ ଯାଇଥିଲେ। ସେମାନଙ୍କ ଭିତରୁ ଅଧିକାଂଶ ଥିଲେ ନବୀନ ପଟ୍ଟନାୟକଙ୍କର ଏକାନ୍ତ ବିଶ୍ବସ୍ତ ସହଯୋଗୀ। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଅର୍ଜୁନ ଚରଣ ସେଠୀ, ବ୍ରଜକିଶୋର ତ୍ରିପାଠୀ, ଦିଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକଙ୍କ ଭଳି ବିଜେଡିର ଅତ୍ୟନ୍ତ ଶକ୍ତିଶାଳୀ ନେତା ବିଜେପିକୁ ଆସି ରାଜନୀତିରେ ହଜି ଯାଇଛନ୍ତି। ଆମଦାନୀ କରା ନେତାଙ୍କୁ ନେଇ ରାଜ୍ୟ ବିଜେପିର କିଛି ଲାଭ ହୋଇନାହିଁ। ତଥାପି ରାଜ୍ୟ ବିଜେପି ସଭାପତି ବିଜେଡିର ସବୁ ବିଧାୟକ ଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିବାର କାରଣ କ‌‌ଣ?

ମନମୋହନ ସାମଲଙ୍କ ଏହି ବକ୍ତବ୍ୟ ପଛରେ ବିଜେଡ଼ିର ମନୋବଳ ଭାଙ୍ଗିବାର ଉଦ୍ଦେଶ୍ୟ ଯଦି ଥାଏ, ତାହା ଆହୁରି ହାସ୍ୟାସ୍ପଦ। କେନ୍ଦ୍ରରେ ଏବେ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀଙ୍କର ସଙ୍କଟ ମୋଚନ ଭୂମିକା ନିର୍ବାହ କରୁଛନ୍ତି। ମୋଦୀ ସରକାରକୁ ବିରୋଧୀ ଦଳ ଷଣ୍ଢୁଆସି ଆକ୍ରମଣ କରୁଥିବା ବେଳେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ନିଜ ଶଙ୍ଖ ଭିତରେ ସୁରକ୍ଷିତ ରଖୁଛନ୍ତି। କେନ୍ଦ୍ରରେ ବିଜେପି -ବିଜେଡି ମଧୁଚନ୍ଦ୍ରିକାର ସମ୍ପୂର୍ଣ୍ଣ ପ୍ରଭାବ ରାଜ୍ୟ ବିଜେପି ଉପରେ ପଡୁଛି।‌ବିଜେପି ସମର୍ଥନରେ ବିଜେଡିର ଲାଭ ବହୁ ଗୁଣିତ ହେଉଛି।‌ ଏପଟେ ରାଜ୍ୟ ବିଜେପି ବିଜେଡି ଆଗରେ ବାମନ ହୋଇ ହୋଇ ଚାଲିଛି କେନ୍ଦ୍ରରେ ନିଜ ସରକାରକୁ ସୁରକ୍ଷିତ ରଖିବାକୁ ମୋଦୀ-ଶାହ ନବୀନଙ୍କ ସହଯୋଗ ଲୋଡି ନିଜ ଦଳର ରାଜ୍ୟ ଶାଖାକୁ ବଳି ପକେଇ ଦେଇଛନ୍ତି।

 

ଏହାର ପରିଣତି ସ୍ଵରୂପ ରାଜ୍ୟ ବିଜେପି କେବଳ ପ୍ରଳାପ କିମ୍ବା ବିଳାପ କରିଆସୁଛି । 

ବାବୁ ମନମୋହନ ସାମଲ ବିଜେଡ଼ିର ୧୧୭ ଜଣ ବିଧାୟକଙ୍କ ସହିତ ଏତେ ସମୟ କଥା ହୋଇ ବ୍ୟସ୍ତ ରହୁଛନ୍ତି ଯେ ନିଜ ଟିମ ଏଯାଏ ଗଢି ପାରିନାହାନ୍ତି !!