ନଈକୂଳର ଝିଅ ଓ ପାହାଡିଆ ପୁଅ

ନଈକୂଳର ଝିଅ ଓ ପାହାଡିଆ ପୁଅ

ନଈକୂଳର ଝିଅ ସୁନ୍ଦରୀ । ହସୁଥାଏ, ଗପୁଥାଏ, ଗୁଣୁଗୁଣୁ ଗୀତ ଗାଉଥାଏ । ତା ହସ ଶୁଭୁଥାଏ ନଦୀ ଭଳି କଳକଳ । ଆଖି, ନଦୀର ପାଣି ପରି ଚକ୍ ଚକ୍ । କେଶ ନଦୀ ର ପ୍ରବାହ ପରି ଦୀର୍ଘ ।

ପାହାଡିଆ ପୁଅ ଗମ୍ଭୀର । ସୁନ୍ଦର କିନ୍ତୁ ଚୁପ୍ ଚାପ୍ । ତା' ହସ ବି ସୁନ୍ଦର କିନ୍ତୁ ସେ କମ୍ ହସେ । ସେ ବି ଗୀତ ଗାଏ, ହେଲେ ସେ ଗୀତ ତା' ଛଡା ଅନ୍ୟ କେହି ଶୁଣିନାହାନ୍ତି । ତା ଆଖିର ଚମକ୍ କୁ କେହି ଦେଖିନାହାନ୍ତି । ସେ କ'ଣ କାହାକୁ ଦେଖିବା ସୁଯୋଗ ଦିଏ ଯେ । ହଁ, ତା କେଶ ପାହାଡିଆ ଜଙ୍ଗଲ ଭଳି ଘଞ୍ଚ ।

       ଦିନେ ଦିହେଁ ଦିହିଁଙ୍କି ଦେଖନ୍ତି । ଝିଅଟି ହସି ଦେଖେ, ପୁଅ ସେମିତି ଗମ୍ଭୀର ଥାଏ । ଝିଅ ତା' ମୁହଁରୁ କିଛି ପଢିପାରେନା । ବାଟ ଭାଙ୍ଗି ଚାଲିଯାଏ । ପୁଅଟି ପୁଣି ହଜିଯାଏ ତା ଜଙ୍ଗଲରେ ।

****

 ମିନି ପାଖେ ବସି ଦିଶା ଧିମା ସ୍ବରରେ ପଢୁଥିଲା ଗପଟି-  ' ଏଇ ପୁଅଟି କ'ଣ ମାଧବ କି? ' ହସି ହସି ଖୁବ୍ ବଡ ପାଟିରେ କହିଲା ମିନି।

     ' ଚୁପ୍ ଏକଦମ୍ ଚୁପ୍ । ସବୁବେଳେ ତୋ ମନ ଏମିତି ଦୋଳି ଖେଳୁଥାଏ । ଗପ ଟା ଶୁଣଉଚି, ଚିଲ୍ଲେଇ ଏତେ ବଡ ପାଟିରେ ହସୁଛି ଏ ଟୋକି । ହଁ ସେ ଟୋକା ମାଧବ ଆଉ ସେଇ ଝିଅ ତୁ....' ଦିଶା ବିରକ୍ତ ହେଇ ଯାଉଯାଉ କହିଲା ।

      ' ହଉ ହେଲା । ଗପ ସେତିକି ଥାଉ । ଚାଲ କେଣ୍ଟିନ୍ କୁ ଯିବା।' ମିନି ଦିଶା ହାତଧରି ଟାଣିକି ନେଇଗଲା ।

     ' ତତେ ଲାଗେନି ତୁ ଟିକିଏ ବଡ ହେବା ଦରକାର । ସବୁବେଳେ ହସ ଖୁସି, କେବେ କିଛି ବଡ ମାନଙ୍କ ଭଳି ଭାବିବା ଚିନ୍ତିବା ମୁଁ ଦେଖିନି ତତେ।'  ଦିଶା କହିଲା।

' ଯୋଉଦିନ ମୁଁ ଭାବିବାରେ ଲାଗିବି, ସେ ଦିନ ତୁ ମୋ ହସକୁ ଝୁରିବୁ।'  କହି ହାତ ହଲାଇ କାହାକୁ ଗୋଟିଏ ଡାକିବାକୁ ଲାଗିଲା ମିନି ।

ମିନି ଅଛି ଯଦି ତା ସାଥିରେ ଦଶ ବାର ଜଣ ନିଶ୍ଚେ ଥିବେ । ହସ ଓ ଖୁସିକୁ ସତେ ମୁଣିରେ ଧରି ଚାଲେ ସେ । ଆଞ୍ଜୁଳାଏ ଆଞ୍ଜୁଳାଏ ସମସ୍ତଙ୍କ ଉପରେ ଅଜାଡି ଦିଏ । ଘରେ ବାହାରେ ସବୁଠି ଖୁସି । ପାଠ ପଢିବା, କିଛି ବଡ କାମ କରିବା ତା' ଦୁନିଆ ବାହାର କାମ । ହସଖୁସିରେ ଜୀବନ କଟିଗଲେ ବାସ୍ । ମିନିର କହିବା ହେଲା, ଏଇ ଯୋଉ ଜୀବନ ବୋଲି ଜିନିଷ ତାକୁ ଏତେ ଗମ୍ଭୀରତାର ସହ ନେବା ହେଉଛି ମୁର୍ଖାମୀ । ନିଜକୁ ଜୀବନ ସ୍ରୋତରେ ଭସେଇ ଦେଲେ ଯୋଉ ମଜା, ଭାସିବା ଲୋକ ହିଁ ଜାଣେ । ହଁ, ତା ପ୍ରାଣ ଅଟକି ଥାଏ ମାଧବ ପାଖରେ । ମାଧବ ଯେ, କି ପାଠ ପଢା ଠୁ ପରିବାର ଓ ସମାଜ ସବୁଠି ସଚେତନ ଥାଏ । ପ୍ରତି କଥାକୁ ଗୁରୁତ୍ବ ଦିଏ । କମ୍ କଥା କହୁଥିବା, ନିଜ କାମରେ ମନ ଦେଉଥିବା ସୁଦର୍ଶନ ଯୁବକଟିଏ ମାଧବ । କଲେଜ ପରେ ବାପାଙ୍କୁ ବ୍ୟବସାୟରେ ବି ସାହାଯ୍ୟ କରେ । ମିନି ର କୌଣସି କାର୍ଯ୍ୟକଳାପ ତା' ଆଖିରେ ବି ପଡୁନଥାଏ ।

 ଋଷି ଭଳି ଗମ୍ଭୀର ପିଲାଟିଏ ମାଧବ। କଲେଜରେ ସମସ୍ତଙ୍କ ଆଖି ତା'ରି ଉପରେ । କହିବାକୁ ଗଲେ ସେ କଲେଜର ଗର୍ବ ।

 ମିନି ପାଠରେ ମନ ନ ଦେଲେ ବି ଭାରି ଭଲ ଝିଅଟିଏ । ସମସ୍ତଙ୍କ ସୁଖ, ଦୁଃଖ ରେ ଏମିତି ଭାଗ ବସେ, ସତେ ଯେମିତି ସେ ସବୁ ତା' ନିଜର ।

 କଲେଜ ତ ବାସ୍ ତିନି ବର୍ଷର ।  କେମିତି କଟିଯିବାକୁ ବସିଲାଣି ଜଣାପଡିନି। ମିନି ତଥାପି କହିପାରିନି ମାଧବ କୁ ନିଜ ମନ କଥା । ମାଧବ ବି କୋଉଠି କିଛି ଜାଣି ପାରିଛି ।

ଦିଶା ମିନିର ମନ କଥା ମାଧବ କୁ ଜଣାଏ । ମାଧବ କିଛି କହେନି । ସେମିତି ଚୁପ୍ ରହେ । କଲେଜ ପରେ ଯେ, ଝା ବାଟରେ । ମିନି ବହୁତ ମନ ଦୁଃଖ ରେ ରହେ । ରାତି ଦିନ ମାଧବକୁ ଝୁରି  ହୁଏ । ସମସ୍ତଙ୍କୁ ଲୁଚି କାନ୍ଦେ। ହସହସ ମୁହଁଟି, ଭାରି ଉଦା ଲାଗେ । ନା' ସେ ସରସତା ଅଛି, ନା' ସେ ସତେଜତା ଅଛି । ମିନିର ଦୁନିଆ ବର୍ତ୍ତମାନ ଦୁଃଖ ବାଦଲର ଘର ।

ମାଧବ ର ଦୁନିଆରେ ମିନି କେବେ ନଥିଲା । ସେ ବଞ୍ଚିବା ପାଇଁ ଭଲପାଇବା ଦରକାର କରେନି । ଯଦି କରେ ବି' କାହାକୁ ଜଣେଇ ଦିଏନି। ମିନି ବୋଲି ଝିଅଟି ତାକୁ ଭଲପାଏ ଜାଣି, ମନ ଭିତରେ  ଗୋଟିଏ ଅଜଣା ଉତ୍କଣ୍ଠା ସୃଷ୍ଟି ହୁଏ ମାଧବର । ନିଜକଥା ଛଡା ତା' କଥା ଭାବିବାକୁ ଇଛ୍ଛାହୁଏ । କିନ୍ତୁ ଭାବିବ ବା କ'ଣ ? ସେ ତ ମିନିକୁ ଠିକ ଭାବେ ଦେଖି  ବି ପାରିନି। ମନ ଭିତର ଖାଲି ଘାଣ୍ଟି ଚକଟି ହୁଏ । ମିନିକୁ ଦେଖିବାକୁ ମାଧବ ର  ବହୁତ ଇଚ୍ଛା ହୁଏ । ମାଧବ ଅନ୍ୟ କୋଣସି କାମ ଧୈର୍ଯ୍ୟର ସହ କରିପାରେନି। ସେ ମିନି କଥା ଭାବିହୁଏ । ସେ ମିନି ସାଥିରେ କଥା ହେବାକୁ ଚାହେଁ । ପଚାରିବାକୁ ଚାହେଁ ଯେ, ସେ କାହିଁକି ମାଧବକୁ ଭଲପାଏ । କେବେଠୁ ଭଲ ପାଏ....ଏମିତି ଅସରନ୍ତି କଥା ।

ମାଧବ ବହୁତ ଗପେ । ମିନି ଭଳି । ଭଡଭଡ ହୁଏ ଓ ପ୍ରେର ଜୀବନଟା ତାକୁ ହାଲକା ମନେହୁଏ । ସେ ସବୁବେଳେ ହସେ । ଏଇଥିପାଇଁ ହସେ ଯେ,କେହି ଜଣେ ତାକୁ ଖୁବ୍ ଭଲପାଏ । ମାଧବ ସାଙ୍ଗ ସାଥୀଙ୍କ ସାଥିରେ ଗୁଲିଖଟି ବି କରେ । ମାଧବ ଅଛି ମାନେ, କିଛି ସାଙ୍ଗ ନିଶ୍ଚୟ ଅଛନ୍ତି । ଠିକ୍ ମିନି ଭଳି । ସେ ଭାବେ ପ୍ରେମ ଅଛି ଯଦି ଜୀବନରେ ସବୁ ଅଛି । ଜୀବନକୁ ସେ ଗମ୍ଭୀର ଭାବେ ଆଉ ନିଏନି ।

ମିନି ତା' ଦୁଃଖକୁ ଆଉ କାହାକୁ ଦେଖାଉ ନାହିଁ ।  ସେ ଗମ୍ଭୀର। କେବଳ ତା ପାଠ ଓ କାମ ଏବଂ ସେ ନିଜେ ବାସ୍ ।

ମିନି ଜୀବନକୁ ନିଜ ଅକ୍ତିଆର ରେ କରିବାକୁ ଚେଷ୍ଟାକରେ । ଠିକ୍ ମାଧବ ଭଳି ।

 କ'ଣ ପ୍ରେମରେ ପର୍ବତ ଓ ନଦୀ ବି ସେମାନଙ୍କ ସତ୍ତା ହରାଇ ଦିଅନ୍ତି ? ଅସ୍ତିତ୍ବ ବି ? ପାଲଟି ଯାଆନ୍ତି ଅଲଗା ଅଲଗା  ଜୀବ ?

ପାହାଡ ସେମିତି ଗମ୍ଭୀର ଥାଏ । ନଦୀ କୁଳୁକୁଳୁ ବହିଯାଉଥାଏ । ସେମାନେ କି କେବେ ମିଶିବେ.....?

****

ସେ ନଦୀକୂଳିଆ ଝିଅଟି ବାଟ ଭାଙ୍ଗି ଚାଲିଯାଇଥିଲା । କେତେ ବାଟ ବା ଯାଇ ପାରିଲା ? ପାହାଡିଆ ପୁଅଟି ବହୁତ ମନେପଡିଲା । କ'ଣ କରିବ କିଛି ଭାବିପାରୁ ନ ଥାଏ। ଅଟକି ରହିବ? ଅପେକ୍ଷା କରିବ?  କିନ୍ତୁ ପାହାଡିଆ ପୁଅଟି କ'ଣ ପୁଣି ଆସିବ? କାଇଁ ତା' ଆଖିରେ ତ' ସେଇ ଚମକ୍ ନଥିଲା । ତା' ଓଠରେ ସେଇ ଶୋଷ ନଥିଲା । ନିର୍ବାକ ଥିଲା ପୁଅଟିର ଆଖି । କାହାପାଇଁ ଅପେକ୍ଷା କରିବ ତେବେ ଝିଅଟି ? ସେ ତ' ଆସିବା କଥା କହିନି । ଦ୍ଵନ୍ଦ୍ଵରେ ଆଗକୁ ବଢିଗଲା ଝିଅଟି । ଆଗକୁ ବଢିବା ତା' ଧର୍ମ ।

ନିର୍ବିକାର ଭଳି ଦେଖାଗଲେ ବି, ପୁଅଟି ମନେମନେ ଖୋଜେ ପୁଣି ସେହି ନଈକୂଳିଆ ଝିଅକୁ । ତା' କଥାକୁହା ଆଖିକୁ । ପଢିବାକୁ ଚାହେଁ ସେ ଅକୁହା ଭାଷାକୁ । ତା ହସ ରେ ବିମୋହିତ ହୁଏ । ଜଙ୍ଗଲ ସାରା ତା' ଛାଇ, ତା' ବାସ୍ନା । କିନ୍ତୁ ସେ କାହିଁ ? ବହୁତ ଖୋଜେ । ପାଗଳ ଭଳି ଖୋଜେ ପାହାଡିଆ ପୁଅ ।

ନଈକୂଳିଆ ଝିଅ ଆଗକୁ ବଢୁଥାଏ । ପାହାଡ ପରି ପାହାଡିଆ ପୁଅ ସ୍ଥିର ଥାଏ