ଜଣେ ଥିଲେ କବି

ଜଣେ ଥିଲେ କବି

ସେ ସମୟର କଥା।
ସେତେବେଳେ କେହି ନଥିଲେ ।
ନା କୌଣସି ଲୋକବାକ କି କେଉଁ ପ୍ରେତଆତ୍ମା ?

କହିବାକୁ ଗଲେ ଥିଲେ ସେତେବେଳେ କେବଳ  ବାର୍ତ୍ତାଳାପ କରିପାରୁନଥିବା କିଛି  ମୂକ ପଥର; ଆଉ ସେହି ପଥରଖଣ୍ଡମାନ ଚିରକାଳର ବଂଦୀତ୍ବର ଏକ ଅସହାୟତାରୁ ବାହାରି ଆସୁଥିବା ଦୀର୍ଘଶ୍ବାସ ସହ ପରିବେଶଟିକୁ ଅଧିକତର କାରୁଣ୍ଯରେ ପରିମାର୍ଜିତ କରିଦେଇ ନିଜନିଜକୁ ନିଜ ଭିତରେ ସଜାଡି ନେବାର ଅସଫଳ ପ୍ରୟାସରେ ବ୍ୟସ୍ତ ରହୁଥିଲେ। 

ଏହା ବ୍ଯତୀତ ସେହି ଦୀର୍ଘ ଆଉ ପ୍ରଖର  ଶ୍ବାସ ସବୁକୁ ନିଜନିଜ ଦେହରେ ଆଚ୍ଛାଦିତ କରିବାର ଲୋମଶ ଅନୁଭବ ସହିତ ସେଠାରେ ଉପସ୍ଥିତ ଥିଲେ କେତୋଟି ଶାନ୍ତ ମେଷ ପ୍ରଜାତି ସେଇଠି।ସେହି ମେଷ ପ୍ରଜାତିଙ୍କର ଆଖିରେ ଜଡିରହିଥିଲା  ସେ ସମୟର ସମସ୍ତ  ଉପସ୍ଥିତ   କାରୁଣ୍ଯ। ସେମାନେ ଅବିରତ ଖୋଜୁଥିଲେ ଶ୍ୟାମଳ ତୃଣରାଜି,ନିଜର ଜୀବନ ଧାରଣ ନିମନ୍ତେ।

ଏହାପରେ ସେଇ ପଥର ଆଉ କେତୋଟି ମେଷ ପ୍ରଜାତିଙ୍କ ଅସହାୟତା ପାଖରେ ଆମ କାହାଣୀର ଅନ୍ତ ବି ହୋଇପାରିଥାନ୍ତା। ଅନ୍ତ ପାଇଁ ଏମିତିରେ ଦେଖିଲେ କୌଣସି ବିଶେଷ ନିର୍ଦ୍ଧିଷ୍ଟ ସମୟ ,ସେ ଈଶ୍ୱର ହୁଅନ୍ତୁ କି  ଅନଶ୍ୱର ,କାହାର  ଲୋଡା ପଡେ ନାହିଁ । ଯେ କୌଣସି ସମୟ ହେଉଛି ସବୁ ପ୍ରକାର  ଅନ୍ତ ର ସମୟ ,ଆଉ ସେମିତି ଠିକ୍ ଆରମ୍ଭର ବି।

ସବୁବେଳେ ସମଗ୍ର ସସାଗରା ଧରା ର ସମସ୍ତ ଚରିତ୍ରାବଳୀ ଲକ୍ଷଲକ୍ଷ ସ୍ଥିର ମୁହୂର୍ତ୍ତ ରେ ବଂଧାହୋଇ  ଅପେକ୍ଷାରତ ଅଛନ୍ତି କୌଣସି କବିକୁ।କବିଟିଏ  ହିଁ ସେମାନଙ୍କୁ  କେବଳ ମୁକ୍ତ କରି ପାରିବ। ଅବଶ୍ଯ କବିଟିକୁ ସେଇଥିପାଇଁ ସେମିତି ବେଶି କିଛି କାମ କରିବା ପାଇଁ ସେମାନେ ଆଦୌ ବରାଦ କରି ନାହାଁନ୍ତି। କେବଳ କବିଟି ସେମାନଙ୍କୁ ଥରଟିଏ ଚାହିଁ ଦେଲେ ହେଲା।ସେତିକିମାତ୍ର ଚାହାଁଣି  କବିଠାରୁ ସେମାନଙ୍କର  ପ୍ରୟୋଜନ। 

"ଶ୍ରୋଡିଙ୍ଗର ଙ୍କ ବିରାଡି"ଭଳି କଥାଟିଏ ଅଛି।ଦର୍ଶନର କଥା।ଅତି ସରଳ କଲେ ତାହା ଏହିପରି ହେବ,ତମେ ଯେତେବେଳେ ଯାଇ ଜଣକୁ ନିଜ ଆଖିରେ ପ୍ରତ୍ୟକ୍ଷ କରିବ ସେତେବେଳେ ହିଁ ଯାଇ ସେହି ବସ୍ତୁର ଅସଲ ଅସ୍ତିତ୍ୱ। ସେମାନେ ଏହାପରଠାରୁ ଅସଲ ଗତି ପ୍ରାପ୍ତ ହେବେ।ସେମାନଙ୍କର ସମୟ-ନ୍ଯାସ ହୋଇଯିବ।

କବି ଆସିଲେ।
ସେ ଦୃଷ୍ଟିହୀନ। 

ସେ ଦେଖିଲେ ଅସ୍ତିତ୍ବ ନଥିବା ଏକ ଉଜ୍ବଳ ବିରାଟ ନଗର। ମେଘନାଦ ପାଚେରି ଭିତରେ ସୁରକ୍ଷିତ ଏକ ନଗର।ନିକଟରେ ପର୍ବତମାଳା ଓ ପ୍ରସାରିତ ନୀଳ ସମୁଦ୍ର।

କବି ଶୁଣି ପାରିଲେ ହଠାତ୍  ଯୁଦ୍ଧୋଲ୍ଲାସ ଓ ରଣ ହୁଙ୍କାର ।

କବି ଏହାପରେ ଗୀତ ଗାଇବାକୁ ଆରଂଭ କଲେ। କବିଙ୍କ କଣ୍ଠସ୍ବର ଏମିତିରେ ଖୁବ୍ ମଧୁର କିନ୍ତୁ ସେଥିରେ ଭରି ରହିଥିଲା ଯୁଦ୍ଧ ଜନୀତ ନରସଂହାର ର ସମଷ୍ତ ବିଭିଷୀକା ଆଉ ସମସ୍ତ ରକ୍ତପାତର କର୍କଶତା।

ଏହା ଭିତରେ ପ୍ରାୟ ଚାରିଶହ ପଚାଶ ବର୍ଷ ତଳର ଗୋଟିଏ ରାଜ୍ୟ ପୁନର୍ଜୀବିତ ହେଲା।ନାଆଁଟି ତାହାର ଟ୍ରୟ । କାଳ କବଳିତ ସାଧାରଣ ଯୁଦ୍ଧଟିଏ ପୁଣି ଥରେ ପୁନର୍ବିନ୍ଯାସ ପାଇଲା ;ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା ପରବର୍ତ୍ତି କାଳର ଇତିହାସ ରେ । ଯୁଦ୍ଧଟି ହେଉଛି ଟ୍ରୋଜାନ୍ ଯୁଦ୍ଧ।

ବୈଜ୍ଞାନିକ କଥାକାର ମାନେ ତାଙ୍କର ଐତିହାସିକ ପ୍ରବଚନରେ ଯାହା କୁହନ୍ତୁ ପଛକେ ବିଜ୍ଞାନ-ଅଜ୍ଞାନୀ ଇତିହାସ ପଣ୍ଡିତ (ଇତିହାସରେ ପୁଣି ପଣ୍ଡିତ? ପୁଣି ଓଡିଶାରେ?)ମାନଙ୍କ ଦୃଷ୍ଟିରେ  ଇତିହାସରେ ସବୁ ଯୁଦ୍ଧର ମୂଖ୍ଯ କାରଣ ହେଉଛି  ଗୋଟିଏ ରାଜ୍ୟର ନିଷ୍କଣ୍ଟକ ବାଣିଜ୍ୟିକ ପ୍ରତିଷ୍ଠା ସ୍ଥାପନର ଉଦ୍ଦେଶ୍ଯ ।ଟ୍ରୋଜାନ୍ ମାନେ "ବ୍ଲାକ ସି" କୁ ନିଜର କରାୟତ୍ତ କରି ରଖିଥିଲେ ଏବଂ ସେଇ ବାଟ ଦେଇ ଯାଉଥିବା ଜାହାଜ ମାନଙ୍କ ରୁ ଯଥେଷ୍ଟ ଅଧିକ ମାହାସୁଲ ଆଦାୟ କରୁଥିଲେ। ତେଣୁ ଗ୍ରୀକ୍ ମାନଙ୍କର ପ୍ରାଚ୍ଯଦେଶ ଗୁଡିକ ସହିତ ଆକର୍ଷଣୀୟ କାର୍ପାସ ଓ ମସଲା ର ଲୋଭନୀୟ ବେପାର ବାଧାପ୍ରାପ୍ତ ହେଉଥିଲା। ଠିକ୍ ଯେପରି ଗଂଗା ଆଉ ଶୋଣ ନଦୀ ପରିବେଷ୍ଟିତ ଜଳଦୁର୍ଗ ବୋଲି କଥିତ ମୌର୍ଯ୍ଯ ରାଜ୍ଯ ପାଟଳିପୁତ୍ର ରୁ ବାଣିଜ୍ୟିକ ସରବରାହ ଗଂଗା ନଦୀରେ ଆସି ତାମ୍ରଲିପ୍ତି ବଂଦର ଦେଇ ବଂଗୋପସାଗର ରେ ଦକ୍ଷିଣ କୁ ଯାତ୍ରା କରୁଥିଲା। ଏହି ଲୋଭନୀୟ ଜଳପଥରେ ଗୋଟିଏ ସ୍ବାଧୀନ ରାଜ୍ୟ ତଥା କଳିଙ୍ଗ ର ସ୍ଥିତି କୁ ସେମାନେ ବାଣିଜ୍ୟିକ କାରଣରୁ ଠିକ୍ ରେ ଦେଖୁନଥିଲେ । ତେଣୁ କଳିଙ୍ଗ ଯୁଦ୍ଧ ହେଲା। କଳିଙ୍ଗ କୁ ଅଧିକାର କରାଗଲା।ଠିକ୍ ସେହିଭଳି ଗ୍ରୀକ୍ ମାନେ ଟ୍ରୟ ଅଧିକାର କରିଥିଲେ।

ଏହିଭଳି ଗୋଟିଏ ପାଠ୍ଯକ୍ରମ ଭିତ୍ତିକ ଯୁଦ୍ଧକୁ କେହି କାହିଁକି ମନେ ରଖିବ?ଯୁଦ୍ଧର କାରଣ ମାନ ପ୍ରାଥମିକ ଭାବରେ ରସାଳ ହେଲେ, ସେଥିରେ ଆମର ମନଲୋଭା ବିଚିତ୍ର ଘଟଣାର ଅବତାରଣା ଘଟିଲେ, ଯୁଦ୍ଧ ଠାରୁ ବହୁଦୂରରେ ରହି ଯୁଦ୍ଧ ସବୁକୁ କାହାଣୀ ଭଳି ପଢିବାକୁ ଇଚ୍ଛା କରୁଥିବା ଯୋଗୁ ଯୁଦ୍ଧ ଟିଏ ଆମ ମନରେ  କାହାଣୀ ଭଳି ବସା ବାଂଧି ରହିପାରେ।

ଏମିତି ରେ କହିବାକୁ ଗଲେ ଆମେ ଯୁଦ୍ଧ ସବୁକୁ ଯୁଦ୍ଧ କାହାଣୀରୁ ହିଁ ମନେ ରଖିଥାଉ।

ପଥର ସବୁ କେବଳ ପଥର ବୋଲି ଆମେ ଦେଖୁ କିନ୍ତୁ ସେମାନେ ନିୟତି ଦ୍ବାରା ଏମିତି ପଥର ହୋଇ ପଡିରହିଛନ୍ତି ବୋଲି କେବଳ କବିଟିଏ କହିପାରେ।

ସେଇଥି ପାଇଁ ପ୍ରତ୍ୟେକ ଯୁଦ୍ଧ ପଛରେ ଆମ ଆଖି ଖୋଜିବୁଲୁଥାଏ କବିଟିକୁ ,ତାହାର ଜାଦୁକରୀ ବର୍ଣ୍ଣନାକୁ।ଅତୀତର ସେଇ ଯୁଦ୍ଧର ରୋମାଂଚ କୁ ଉପଭୋଗ କରିବା ଆମର ଭାଗ୍ଯରେ ଜୁଟିନାହିଁ କିନ୍ତୁ ଆମେ କାହାଣୀରୁ ଅନ୍ତତଃ ପକ୍ଷେ ସେଇ ଆନଂଦ ତକ ନିଜ ନିଜ ବାଟରେ ତ ଉପଭୋଗ କରି ପାରିବା।

ସେଇଥି ପାଇଁ କଳିଙ୍ଗ ଯୁଦ୍ଧର ଏକମାତ୍ର  ଐତିହାସିକ ପ୍ରାମାଣ୍ଯ ଦଲିଲ୍ ପ୍ରସ୍ତର-ରାଜାଜ୍ଞା ସଂଖ୍ଯା-୧୩ ରେ ସାମାନ୍ଯତମ ସୂଚନା ନଥିବା  କଳିଙ୍ଗର କୌଣସି ସୌନ୍ଦର୍ଯ୍ଯମୟୀ ରାଣୀ କାରୁବାକୀ, କଳିଙ୍ଗ ଯୁଦ୍ଧର ମୂଖ୍ଯକାରଣ ହୋଇ ଆମର ଚିନ୍ତା ଜଗତରେ ଚିରକାଳ ଆସ୍ଥାନ ବିସ୍ତାର କରି ରହିଅଛି।

ସେଇଭଳି  "ଭାରତର ଶୁଆ"ବୋଲି ପ୍ରସିଦ୍ଧି ଲାଭ କରିଥିବା ଜଣେ ବିଶିଷ୍ଟ କବି ଅମିର୍ ଖୁସ୍ରୁ ଙ୍କ ସାହଚର୍ଯ୍ଯ ରେ ଜୀବନ ବିତାଉ ଥିବା ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜୀ ଙ୍କ ଜୀବନର ଗୋପନୀୟ ରାଜପୁତ୍ ରମଣୀ ପଦ୍ମିନୀ-ପ୍ରେମ ର ସାମାନ୍ଯତମ ସୂଚନା ସେହି ହିନ୍ଦଭୀ ଭାଷାର କବିର ଅଜ୍ଞାତ ଥିଲା। ଏହାକୁ ଆବିଷ୍କାର କରାଯାଇପାରିଲା ଘଟଣାର ପ୍ରାୟ ଅଢେଇଶହ ବର୍ଷ ପରେ।ଆବିଷ୍କାରକ ଜଣକ ପୁଣି ଜଣେ କବି,କୌଣସି ଐତିହାସିକ ନୁହଁନ୍ତି।ସେଇ କବିଙ୍କ ନାଁ ମାଲିକ୍ ମହମ୍ମଦ ଜୟସୀ ଆଉ କାବ୍ଯର ନାଁ "ପଦ୍ମାଭତ"।

ସେଇଥିପାଇଁ ଯେଉଁ କଥା ସେ ସମୟର ଦିଲ୍ଲୀର ପ୍ରତିପତ୍ତିଶାଳୀ ସମ୍ରାଟ ଆଲ୍ଲାଉଦ୍ଦିନ ଖଲଜୀ ଜାଣି ପାରି ନଥିଲେ ସେହି କ୍ଲୋଜ୍ ଗାର୍ଡେଡ୍ ସିକ୍ରେଟ୍ କୁ ସେହି ଘଟଣାର ବହୁବର୍ଷ ପରେ ପର୍ଯ୍ୟଟକ ହିସାବରେ ଚିତୋର ଦୁର୍ଗକୁ ଯାଇ ଆମେ ଆଜି ଖୁବ୍ ଅଳ୍ପ ସମୟରେ ଜାଣି ପାରୁଛୁ । ସେହି କ୍ଲୋଜ୍ ଗାର୍ଡେଡ୍ ସିକ୍ରେଟ୍ ଟି ହେଉଛି,ଆଲ୍ଲାଉଦ୍ଦୀନ ଦର୍ପଣରେ ଯାହାର ପ୍ରତିଛବି ଦେଖି ସଂତୁଷ୍ଠ ହୋଇ ଫେରିଯାଇଥିଲେ ତାହା ଅସଲରେ ରାଣୀ ପଦ୍ମିନୀଙ୍କର ନଥିଲା। ଥିଲା ଗୋଟିଏ ଦାସୀର।ଏହି ଭଳି ଜଣେ ନିର୍ବୋଧ ରୂପାନ୍ଧ ସମ୍ରାଟ୍ ଯେ ଅସଲରେ ଗୋଟିଏ ବିରାଟ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରେ ଆଉ ଆମର ବର୍ତ୍ତମାନର ଜିଏସଟି ଭଳି ତିନୋଟି ବଜାର ଓ ତିନି ରକମର କର ଆଦାୟର ବଜାରନିୟନ୍ତ୍ରଣ ନୀତିଟିଏ ନିର୍ଦ୍ଧାରଣ କରିପାରେ,ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ।

କବି,ଐତିହାସିକ ଏବଂ ଇତିହାସ-ପ୍ରବଚକ ମାନଙ୍କ ମଧ୍ଯରେ କୌଣସି ଘଟଣାର ପ୍ରାମାଣିକରଣ କୁ ନେଇ ପାର୍ଥକ୍ଯ ରହିଛି। ସୁନ୍ଦର ଭାବରେ କହି ପାରିଲେ ମିଛ ଟିଏ କିଛି ସମୟ ପର୍ଯ୍ୟନ୍ତ ସତ ହୋଇ ରହିପାରେ।ସବୁକାଳ ପାଇଁ ନୁହଁ। ଯେହେତୁ ଯାହା ଅତୀତରେ ଘଟିଯାଇଅଛି ତାହା ଅପରିବର୍ତ୍ତନୀୟ। ଅର୍ଥାତ୍ ଆମର ଜୀବନରେ ଗତକାଲି ଯାହା ଘଟିଯାଇଛି ତାହାକୁ ଯେତେଚେଷ୍ଟାକଲେ ବି ଆମେ ଆଜି ବଦଳାଇଦେଇ ପାରିବା ନାହିଁ । ଆମେ କେବଳ ଏତିକି କରିପାରିବା ଯେ ଗଲା କାଲି ଯାହା ଘଟିଯାଇଛି ଆମେ ତାହାକୁ ଆଜି  ଆମର ପକ୍ଷରେ ବା ଆମପ୍ରତି ଯେମିତି ତାହା ଅନୁକୂଳ ତଥା ଗୌରବାବହ ହେବ ସେଇଭଳି କିଛି ଭାଷ୍ୟ ବା କମେଣ୍ଟାରୀ ପ୍ରଦାନ କରିପାରିବା। ତାହା ଫଳରେ ଆମେ ଆମର ଅତୀତର ପରାଜୟ ବା କଳଙ୍କ ଆଦିକୁ କହିବାକୁ ଗଲେ ଏଡାଇ ପାରିବା ବା ଘୋଡାଇପାରିବା। କିନ୍ତୁ ଯାହା ଟିକିଏ ଆଗରୁ କୁହାଯାଇଛି ଅତୀତ ଯେ ସ୍ଥିର ,ଫିକ୍ସଡ୍,ଅନଚେଞ୍ଜେବଲ୍  ସେଇଭଳି ଅତୀତର ମୌଳିକ ବିଭାବକୁ ଆମେ ଆମର ଭାଷ୍ୟ ଦ୍ୱାରା ସାମୟିକ ଭାବରେ ଏଡାଇଯାଇ ପାରିବା । ମାତ୍ର ଏହା ଆମର କପବୋର୍ଡରେ କଂକାଳ ଭଳି ଲୁଚି ବସିରହିଥିବ। କୌଣସି ସମୟରେ ବାହାରି ଆମପାଇଁ ଅଶ୍ୱସ୍ତିର କାରଣ ହେବା ସମ୍ଭବ। 

ଏଇ ସଂକ୍ରାନ୍ତରେ ଆମର ଦୁଇଟି କଥା ପ୍ରତି ଲକ୍ଷ୍ୟ ରଖିବା ଉଚିତ। ପ୍ରଥମରେ ଅତୀତ ସଂପର୍କରେ ଆମର ସମସ୍ତ ଧାରାଭାଷ୍ୟ  ଅତୀତ କୁ ପରିଭାଷିତ କରିପାରିବନାହିଁ । ଅତୀତ ଏବଂ ଅତୀତ ସଂପର୍କରେ ଯାହା କୁହାଯାଏ ତାହା ଭିତରେ ପ୍ରାମାଣିକତାର ମାପଦଣ୍ଡ ରହିଥାଏ। ପ୍ରାମାଣିକ
ଧାରାଭାଷ୍ୟ ଦ୍ୱାରା ଅତୀତକୁ ପୁନର୍ସ୍ଥାପିତ କରାଯାଏ ଆଉ ସରଳ ଭାବରେ କହିଲେ ପ୍ରାମାଣିକ ଧାରାଭାଷ୍ୟ ଦ୍ୱାରା ପୁନର୍ସ୍ଥାପିତ ଅତୀତର ସେଇ ସତ୍ୟାର୍ଥ ହେଉଛି ଇତିହାସ । ଏହା ଆବେଗ ର ପରିପନ୍ଥୀ ଏବଂ ଏକ ନିଷ୍କରୁଣ ଆତ୍ମ ଆବିଷ୍କାରର ବିଦ୍ୟା। ଦ୍ୱିତୀୟ ରେ କାଳର ପ୍ରବାହ ଅର୍ଥାତ୍ ଘଟଣା ପ୍ରବାହର ଦୃଷ୍ଟିକୋଣରୁ ଦେଖିଲେ ବ୍ୟକ୍ତି ଆଉ ଦେଶ ଭିତରେ କୌଣସି ପ୍ରଭେଦ ନାହିଁ । ମଣିଷ ଯେମିତି ସର୍ବଦା ନିଜର ନାୟକତ୍ୱର ସଂଧାନ ତଥା ନାୟକତ୍ୱର ପ୍ରତିସ୍ଥାପନ କରିବାର ପ୍ରଚେଷ୍ଟାରେ ରହିଥାଏ ଠିକ୍ ସେହିଭଳି ପ୍ରତିଟି ଦେଶ ବି ନିଜର ଶ୍ରେଷ୍ଠତ୍ୱର କେନ୍ଦ୍ରବିନ୍ଦୁକୁ ଯଥାସମ୍ଭବ ଖୋଜିବାରେ ନିଜର ସମସ୍ତ ସମ୍ବଳର ବିନିଯୋଗ କରୁଥାଏ । ମଣିଷର ଯେମିତି ସୁଖଦୁଃଖ,ଜୟପରାଜୟ,ଯଶକଳଙ୍କ ରହିବା ସ୍ୱାଭାବିକ, ଦେଶର ଅବସ୍ଥାନ ବି ଠିକ୍ ସେହିଭଳି। କୌଣସି ଘଟଣାକ୍ରମର ଚର୍ଚ୍ଚାରେ ଶ୍ରେଷ୍ଠତ୍ଵ ଏକ ପ୍ରକାର ତୁଳନାବାଚକ ପ୍ରସ୍ତାବନା। ତେଣୁ ଦେଶ ଏବଂ ବ୍ୟକ୍ତି ସମୟକ୍ରମରେ ଶ୍ରେଷ୍ଠ ଆଉ ଅଶ୍ରେଷ୍ଠ ବି।

କିନ୍ତୁ ଯୁଦ୍ଧ କଥା ପଡିଲେ ଆମେ କବିକୁ ମନେ ପକାଉ । ଇତିହାସକାରକୁ ନୁହଁ ।  ଯୁଦ୍ଧ ର ଘଟଣାପ୍ରବାହକୁ ନେଇ ଆମର ସେତେ ଆଗ୍ରହ  ନଥାଏ । ଆମେ କବିକୁ ଏଇଥିପାଇଁ ଲୋଡୁ ଯେ, କବିଟିଏ ଯୁଦ୍ଧ ସହ ନାୟକତ୍ବ ଓ ସୌନ୍ଦର୍ଯ୍ୟ  କୁ ଯୋଡିପାରେ।ବୀରତ୍ବ ସହ ସବୁ ସମୟରେ ଆମର ନାୟକ ମାନେ ନିଜ ପ୍ରେମକୁ ପ୍ରତିଷ୍ଠିତ କରିଛନ୍ତି। 

(ନାୟକ ନଥିଲେ ଆମର କବିଟି ଅସାର । ଏବଂ କବିଟି ନଥିଲେ ନାୟକର ଜନ୍ମ ନାହିଁ।)

ସେଇଥିପାଇଁ ବାରଶହ ଜାହାଜ ପଂହଚିଗଲା ଅପୂର୍ବ ସୁଂଦରୀ ରାଣୀ ହେଲେନ୍ ଙ୍କୁ ଉଦ୍ଧାର କରିବା ପାଇଁ ,ଯାହାଙ୍କ ର ଜନ୍ମ କୌଣସି ମଣିଷଯୋନୀରୁ ନୁହଁ।ହେଲେନ୍ ଙ୍କ ଜନ୍ମ ହୋଇଛି ଗୋଟିଏ ହଂସର ଅଣ୍ଡାରୁ।

ସେଇଥି ପାଇଁ ବୀର ଆଚିଲାସ୍ ନିଜ ରଥର ପଛରେ ବାଂଧି ଘୋଷାଡି ନେଲା ପରାସ୍ତ ହେକ୍ଟରକୁ ।

ସେଇଥିପାଇଁ ସୁନ୍ଦରତା ଦେବୀ ଆଫ୍ରୋଡାଇଟ୍ ନିଜର ଜାଦୁକରୀ କୁହୁଡିର ସୃଜନ କଲେ  ବୀର ଆଚିଲାସ୍ ର ବିଜୟକୁ ସୁଗମ କରିବା ପାଇଁ।

ସେଇଥିପାଇଁ ଓଡିସିଅସ୍ ତିଆରି କଲା ଏକ କାଠର ସୁଉଚ୍ଚ ଘୋଡା,ଟ୍ରୋଜାନ୍ ମାନଙ୍କୁ ପ୍ରତାରିତ କରିବା ପାଇଁ।

ସେଇଥି ପାଇଁ ସମସ୍ତ ମଣିଷ,ନରନାରୀ ଦେବାଦେବୀ ଆମ ଭଳି ଦେଖାଗଲେ  ଏକାଠି ଏଇ ଯୁଦ୍ଧରେ , ସେମାନଙ୍କର ଦୃଶ୍ୟମାନ ଈର୍ଷାରେ,ପ୍ରତିହିଂସାରେ,
ବିଭିଷିକାରେ ।

କିଏ ଜାଣେ ସେମାନେ ସେକାଳରେ  ଥିଲେ କି ନଥିଲେ?କିନ୍ତୁ ଆମର ପ୍ରିୟ ଦୃଷ୍ଷିହୀନ କବି ହୋମର ସେ ସମସ୍ତଙ୍କୁ ଏକାଠି ଦେଖିଛନ୍ତି।ତାହା ଆମର ସୌଭାଗ୍ଯ ।

କବି ନାୟକ ରଚନା କରେ ଆଉ ଇତିହାସକାର ତାହାକୁ ପ୍ରଦାନ କରେ ପ୍ରାମାଣିକ ପ୍ରତିମାନ।