ଭାରତୀୟ ଗଣମାଧ୍ୟମର ବିଭତ୍ସ ଓ ଭୟଙ୍କର ସ୍ୱରୂପ

ଭାରତୀୟ ଗଣମାଧ୍ୟମର ବିଭତ୍ସ ଓ ଭୟଙ୍କର ସ୍ୱରୂପ

ଭାରତର ଜାତୀୟ ଗଣମାଧ୍ୟମଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ହିନ୍ଦୁତ୍ୱ ରାଜନୀତିରେ ଏପରି ଭାବେ ପ୍ରଭାବିତ ଯେ କୌଣସି ବିକଳ୍ପ ଚିନ୍ତାଧାରାକୁ ବା ଭିନ୍ନ ମତକୁ ସେମାନେ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ । ଏହି କାରଣରୁ ଗତ କୃଷକ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ କୃଷକମାନେ ଅଧିକାଂଶ ଜାତୀୟ ଗଣମାଧ୍ୟମକୁ ଗୋଦି ମିଡିଆ କହି ଆକ୍ଷେପ କରୁଥିଲେ । ଧୀରେଧୀରେ ଗୋଦି ମିଡିଆ ଭାରତୀୟ ଗଣମାଧ୍ୟମ ପାଇଁ ଏକ ବିଶେଷଣରେ ପରିଣତ ହୋଇଛି । ଯେଉଁଥିପାଇଁ ରାହୁଲ ଗାନ୍ଧି ଗତ ଭାରତଯୋଡ଼ ଯାତ୍ରା ସମୟରେ ଗଣମାଧ୍ୟମଗୁଡ଼ିକ କେବଳ ହିନ୍ଦୁ-ମୁସଲିମ୍ ରାଜନୀତିରେ ବା ବିତର୍କରେ ବ୍ୟସ୍ତ ରହି ଲୋକମାନଙ୍କ ସମସ୍ୟାକୁ ଆଖିବୁଜି ଦେଇଥିବା ସିଧାସଳଖ ଆକ୍ଷେପ କରିଥିଲେ ।

ବଡ଼ବଡ଼ କର୍ପୋରେଟ୍ ସହିତ ଗୋଦି ମିଡିଆଗୁଡ଼ିକୁ ସେ କ୍ରମାଗତ ଆକ୍ରମଣ କରିଥିଲେ । ଗୋଦି ମିଡିଆର ଏହି ଆଚରଣର ଏକ ନଗ୍ନ ରୂପ ପୂର୍ବତନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କ ଗତ ତିନିଦିନ ତଳେ ପ୍ରଖ୍ୟାତ ସାମ୍ବାଦିକ କରନ ଥାପ୍ପରଙ୍କୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକ୍ରାନ୍ତରେ ଏକ ବିସ୍ଫୋରକ ବୟାନ ଉପରେ ଗଣମାଧ୍ୟମଗୁଡ଼ିକ କୌଣସି ସ୍ଥାନ ନଦେବା ଓ ବିତର୍କ ନକରିବା ଘଟଣା ସଂପୂର୍ଣ୍ଣ ପଦାରେ ପଡ଼ିଯାଇଛି । ନରେନ୍ଦ୍ର ମୋଦି ସରକାରଙ୍କ ବିଶ୍ୱସ୍ତ ଭାବରେ ସତ୍ୟପାଲ୍ ମଲିକଙ୍କୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ କରାଯାଇଥିଲା । ତାଙ୍କରି ସମୟରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇ ବିଧାନସଭା ଭଙ୍ଗ କରାଯାଇଥିଲା । ତାଙ୍କର ରାଜ୍ୟପାଳ ସମୟରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ଫେବୃଆରୀରେ ପୁଲୁୱାମା ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ ଓ ସେହି ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ମୋଦି ସରକାର ବାଲାକୋଟ୍ ବିମାନ ଆକ୍ରମଣ କରି ସାରା ଦେଶରେ ଜାତୀୟତା ଓ ପାକିସ୍ତାନ ବିରୋଧୀ ଯେଉଁ ବାତାବରଣ ସୃଷ୍ଟି କଲେ । ସେଥିରେ ୫ବର୍ଷରେ ମୋଦି ସରକାର ଲୋକମାନଙ୍କ ପାଇଁ କ’ଣ କରିଛି ବା ଦରଦାମ୍ ବୃଦ୍ଧିଜନିତ ସମସ୍ୟାକୁ ଭୁଲି ଜନସାଧାରଣ ଜାତୀୟତା ସ୍ଲୋଗାନରେ ମୋଦି ସରକାରକୁ ଲୋକସଭାରେ ୩୦୦ରୁ ଊର୍ଦ୍ଧ୍ୱ ଆସନ ଦେଇ ବିଜୟୀ କରିଦେଇଥିଲେ ।

ଏହି ବିଜୟରେ ଉତ୍ସାହିତ ହୋଇ ବିଜେପିର ବହୁଦିନର ନିର୍ବାଚନ ପ୍ରତିଶ୍ରୁତି ସ୍ୱରୂପ ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ଉଚ୍ଛେଦ ସହିତ ସେହି ରାଜ୍ୟକୁ ଭାଗ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦିଆଗଲା । ଏହି ସମସ୍ତ ପ୍ରକ୍ରିୟା ସମୟରେ ସତ୍ୟପାଲ୍ ମଲିକ ହିଁ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଥିଲେ । କରନ୍ ଥାପ୍ପରଙ୍କୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ମଲିକ କହିଛନ୍ତି ଯେ ୨୦୧୯ ଫେବୃଆରୀରେ ଯେଉଁ ଭୟାବହ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ଜଣ ଯବାନଙ୍କ ମୃତ୍ୟୁ ହେଲା ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସ୍‌କଭରୀ ଚ୍ୟାନେଲ୍ ପାଇଁ ଏକ ଫଟୋ ସୁଟିଂରେ ବ୍ୟସ୍ତ ଥିବାରୁ ୪୦ଜଣ ଯବାନଙ୍କ ମୃତ୍ୟୁ ସଂପର୍କରେ ସେ ହଠାତ୍ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିପାରିନଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଫଟୋ ସୁଟିଂ ପରେ ଏକ ଢାବାରୁ ତାଙ୍କୁ ଟେଲିଫୋନ୍ କରି ବାସ୍ତବ କଥା ଜାଣିବାକୁ ଚାହିଁବାରୁ ସେ ୪୦ଜଣ ଯବାନଙ୍କ ଦୁଃଖଦ ଶହୀଦ ହେବା ଘଟଣା ବର୍ଣ୍ଣନା କରି ଏଥିପାଇଁ ସରକାରଙ୍କ ବିଫଳତା ମୁଖ୍ୟତଃ ଦାୟୀ ବୋଲି ଜଣାଇଥିଲେ । ତାଙ୍କର ଯୁକ୍ତି ଥିଲା ଯେ ପ୍ରାୟ ୧୦୦୦ ସିଆରପିଏଫ୍ ଯବାନମାନଙ୍କୁ ଜାମ୍ମୁରୁ କାଶ୍ମୀର ରାଜରାସ୍ତାରେ ନିଆନଯାଇ ବିମାନରେ ନିଆଯାଇପାରିଥାନ୍ତା । ଏଥିପାଇଁ ସିଆରପିଏଫ୍ ମାତ୍ର ୫ଟି ବିମାନ ଚାହିଁଥିଲେ ମଧ୍ୟ ତାହା ସେମାନଙ୍କୁ ମିଳିନଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଏ ବିଷୟରେ ଆଉକିଛି ନକହି ଚୁପ୍ ରହିବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କର ଅନ୍ୟ ଜଣେ ପୁରୁଣା ସହପାଠୀ ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ ଡୋଭାଲ୍ ମଧ୍ୟ ଟେଲିଫୋନ୍ କରି ସେହି ପରାମର୍ଶ ଦେଇ ଚୁପ୍ ରହିବାକୁ କହିଥିଲେ । ତାଙ୍କର ଯୁକ୍ତି ଥିଲା ଯେ ଏହି ବିସ୍ଫୋରଣର ସମସ୍ତ ଦାୟିତ୍ୱ ଓ ଅଭିଯୋଗ ପାକିସ୍ତାନ ବିରୋଧରେ ଉଦ୍ଦିଷ୍ଟ ଥିବାରୁ ଏହା ନିର୍ବାଚନରେ କାମରେ ଆସିବ ।

ସତ୍ୟପାଲ୍ ମଲିକ ଏକଥା ମଧ୍ୟ ସାକ୍ଷାତକାରରେ କହିଛନ୍ତି ଯେ ରାଜରାସ୍ତାରେ ଏହି ସିଆରପିଏଫ୍ ଯବାନମାନଙ୍କ ଗାଡ଼ିଗୁଡ଼ିକ ଯିବା ବେଳେ ସେହି ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୮ଟି ଗୁରୁତ୍ୱପୂର୍ଣ୍ଣ ଲେନ୍ ରହିଛି । ଏହି ଲେନ୍‌ଗୁଡ଼ିକର ପୂର୍ବରୁ ଯାଞ୍ଚ ହୋଇ ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବରେ ହୋଇନଥିଲା । ସେଥିପାଇଁ ପ୍ରାୟ ୩୦୦ କେଜିରୁ ଅଧିକ ବିସ୍ଫୋରକ ଦ୍ରବ୍ୟ ଥିବା କାର୍‌ଟି ଯେଉଁଟାକି ପାକିସ୍ତାନରୁ ଆସିଥିଲା ତାହା ୧୨ଦିନ କାଳ ସେହି ଅଞ୍ଚଳରେ ବୁଲିଥିଲେ ମଧ୍ୟ କୌଣସି ଯାଞ୍ଚ ଟିମ୍ ଏହାକୁ ଧରିପାରିନଥିଲେ । ଫଳରେ ଏହା ଏପରି ଏକ ବିସ୍ଫୋରଣ ଘଟାଇବା ସମ୍ଭବ ହେଲା । କେବଳ ପୁଲୁୱାମା ଘଟଣା ନୁହେଁ, ସେ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଥିବା ସମୟରେ ଦୁଇଟି ଘଟଣାରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ସହାୟତା କରିବା ପାଇଁ ଆରଏସ୍‌ଏସ୍ ପଦାଧିକାରୀ ଯିଏକି ଜାମ୍ମୁ-କାଶ୍ମୀର ସାଂଗଠନିକ ଇନ୍‌ଚାର୍ଜ ଭାବରେ କାମ କରୁଥିଲେ ସେ ଆସି ତାଙ୍କୁ ଭେଟିଥିଲେ । ଏଥିରେ ୩୦୦ କୋଟି ଟଙ୍କାର ଲାଞ୍ଚ କାରବାର ଥିଲେ ମଧ୍ୟ ସେ ପୂର୍ବରୁ ନିଷ୍ପତ୍ତି ନେଇସାରିଥିବା ସ୍ପଷ୍ଟ ଭାବେ କହିଥିଲେ । ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ନାଁ ନେଇ ଓ ବିଶେଷଭାବେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ରାଷ୍ଟ୍ରମନ୍ତ୍ରୀ ଥିବା ଜିତେନ୍ଦ୍ର ସିଂହଙ୍କ ନାମ ନେଇ ଦୁର୍ନୀତି ହୋଇଥିବାର କଥା ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜାମ୍ମୁ-କାଶ୍ମୀର ରାଜ୍ୟରୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ତାଙ୍କୁ ଗୋଆର ରାଜ୍ୟପାଳ ଭାବରେ ବଦଳି କରିଦିଆଯାଇଥିଲା । ଜାମ୍ମୁ-କାଶ୍ମୀର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୌଣସି ବିଶେଷ ଜ୍ଞାନ ନଥିବା ତାଙ୍କର ହୃଦବୋଧ ହୋଇଛି ବୋଲି ସାକ୍ଷାତକାରରେ ସେ କହିଛନ୍ତି । ଗୋଆର ରାଜ୍ୟପାଳ ଭାବରେ ସେଠାରେ ଚାଲିଥିବା ଦୁର୍ନୀତି ଯେଉଁଥିରେ ଗୋଆର ମୁଖ୍ୟମନ୍ତ୍ରୀ ଜଡ଼ିତ ଥିଲେ, ସେ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ସେ ଜଣାଇଲା ପରେ ତାଙ୍କୁ ଗୋଆର ରାଜ୍ୟପାଳ ପଦରୁ ରାତିଅଧିଆ ହଟାଇ ମେଘାଳୟକୁ ପଠାଇ ଦିଆଯାଇଥିଲା । ଏଥିରୁ ତାଙ୍କର ହୃଦବୋଧ ହୋଇଛି ଯେ ଭ୍ରଷ୍ଟାଚାର ସଂକ୍ରାନ୍ତରେ ମୋଦିଙ୍କର କୌଣସି ସମସ୍ୟା ନାହିଁ । ଅର୍ଥାତ୍ ସେ ବାସ୍ତବରେ ଭ୍ରଷ୍ଟାଚାର ବିରୋଧୀ ନୁହନ୍ତି ।


ସତ୍ୟପାଲ୍ ମଲିକଙ୍କ ଏହି ବିସ୍ଫୋରକ ବୟାନ କୌଣସି ଜାତୀୟ ଗଣମାଧ୍ୟମ ଓ ବିଶେଷଭାବେ ହିନ୍ଦି ଗଣମାଧ୍ୟମ ଆଦୌ ଗୁରୁତ୍ୱ ଦେଇନଥିଲେ ମଧ୍ୟ ଟ୍ୱିଟର୍‌ରେ ସତ୍ୟପାଲ୍ ମଲିକଙ୍କ ବୟାନ ୨୪ ଘଂଟା ଧରି କ୍ରମାଗତ ଚାଲିଥିଲା । ଜାତୀୟ ଗଣମାଧ୍ୟମ ମଧ୍ୟରୁ କେବଳ ‘ଟେଲିଗ୍ରାଫ୍‌’ ଶନିବାର ଦିନ ଓ ‘ହିନ୍ଦୁ’ ରବିବାର ଦିନ ପ୍ରଥମ ପୃଷ୍ଠାରେ ଏହି ସମ୍ବାଦ ପ୍ରକାଶ କରିଥିଲେ ମଧ୍ୟ ଜାତୀୟ ଟେଲିଭିଜନ୍ ଗଣମାଧ୍ୟମ ଏହା ଆଡକୁ ଆଦୌ ଦୃଷ୍ଟି ଦେଇନଥିଲେ । ଏହିକ୍ରମରେ ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ଏପରିକି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ‘ସମାଜ’ ଏହି ଖବରକୁ ଦେଇନଥିବା ସମୟରେ ‘ସମ୍ବାଦ’ ଖବରକାଗଜ ଏହାକୁ ପ୍ରଥମ ପୃଷ୍ଠାରେ ରବିବାର ଦିନ ସ୍ଥାନିତ କରିଛି । କିନ୍ତୁ ସେହି ଜାତୀୟ ଗଣମାଧ୍ୟମମାନେ କିଛିଦିନ ପୂର୍ବରୁ ଗୁଲାମନବୀ ଆଜାଦଙ୍କ ଏକ ପୁସ୍ତକକୁ ନେଇ ରାହୁଲ ଓ କଂଗ୍ରେସ ବିରୋଧୀ ତାଙ୍କ ବୟାନକୁ ବାରମ୍ବାର ପ୍ରଦର୍ଶନ କରିଥିଲେ । କିନ୍ତୁ ସତ୍ୟପାଲ୍ ମଲିକଙ୍କ ଘଟଣାଟି ଟ୍ୱିଟର୍ ଓ ସାମାଜିକ ଗଣମାଧ୍ୟମରେ ଅଗ୍ରାଧିକାର ଥିବା ସମୟରେ କେନ୍ଦ୍ର ସରକାର, ସ୍ୱରାଷ୍ଟ୍ର ବିଭାଗ, ପ୍ରଧାନମନ୍ତ୍ରୀ ଏହି ଘଟଣା ଉପରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କଲେ ମଧ୍ୟ ଜନସାଧାରଣଙ୍କ ଭିତରେ ମୋଦିଙ୍କ ବିରୋଧରେ ଏକ ବାତାବରଣ ସୃଷ୍ଟି ହେଉଥିବାରୁ ତାହାକୁ ଅଟକାଇବାର ଆବଶ୍ୟକତା ଅନୁଭବ କରାଗଲା । ପ୍ରୟାଗରାଜରେ ରବିବାର ସନ୍ଧ୍ୟାରେ ମାଫିଆ ବା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅସଦ ଅହମ୍ମଦଙ୍କୁ ପୂରା ପୋଲିସ ଘେରା ଭିତରେ ୩ଜଣ ଦୁର୍ବୃତ୍ତ ଆସି ସିଧାସଳଖ ନିକଟରୁ ସେମାନଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ସାରା ଦେଶକୁ ଚହଲାଇ ଦେଇଛି । କାରଣ ଅତିକ୍ ଅହମ୍ମଦଙ୍କ ପୁଅ ଓ ତାଙ୍କ ସାଥୀକୁ ଗୁରୁବାର ଦିନ ପୋଲିସ ଏନ୍‌କାଉଂଟର୍‌ରେ ଗୁଳିକରି ମରାଯାଇଥିଲା । ବାସ୍ତବରେ ଅତିକ୍ ଅହମ୍ମଦ ଗୁଜରାଟର ଜେଲ୍‌ରୁ ପ୍ରୟାଗରାଜ କୋର୍ଟକୁ ଆସି କୋର୍ଟରେ ହାଜର ହେବା ସମୟରେ ହିଁ ତାଙ୍କର ଜୀବନ ପ୍ରତି ବିପଦ ଥିବା ଓ ସେ ଏନ୍‌କାଉଂଟର୍‌ର ଶିକାର ହୋଇପାରନ୍ତି ବୋଲି କହିଥିଲେ । କିନ୍ତୁ ପୁଅର ମୃତ୍ୟୁ ପରେ ତାହାର କବର ନିମନ୍ତେ ତାଙ୍କୁ ସୁବିଧା ଦେବା ପାଇଁ କୋର୍ଟଙ୍କୁ ସେ ନିବେଦନ କରିଥିଲେ । ଯଦିଓ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇସାରିଛି ।

ସେହି କ୍ରମରେ ଅତିକ୍ ଅହମ୍ମଦ ଓ ତାଙ୍କ ସାନଭାଇ ଅସଦ ଅହମ୍ମଦଙ୍କୁ ଦୁଇହାତରେ କଡ଼ା ଦେଇ ପୋଲିସ ଡାକ୍ତରମାଇନା ପାଇଁ ଆଣି ହସ୍ପିଟାଲ ନିକଟରେ ପହଞ୍ôଚଥିଲା । ଏଥିପାଇଁ ପୂର୍ବରୁ ଗଣମାଧ୍ୟମଗୁଡ଼ିକୁ ଜଣାଇ ଦିଆଯାଇଥିବାରୁ ସବୁ ଗଣମାଧ୍ୟମ କ୍ୟାମେରା ସହିତ ସେଠାରେ ଉପସ୍ଥିତ ଥିଲେ ଓ ପାଦରେ ଚାଲି ସେମାନେ ହସ୍ପିଟାଲ୍‌କୁ ଯିବାବେଳକୁ ତାଙ୍କଠାରୁ ବୟାନ ଚାହିଁଥିଲେ । ସେ ବୟାନ ଦେବାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ପ୍ରସ୍ତୁତ ହେଉଥିବା ସମୟରେ ୩ଜଣ ଦୁର୍ବୃତ୍ତ ଆସି ନିକଟରୁ ଗୁଳି ଚଳାଇ ସେହି ଦୁଇଜଣଙ୍କୁ ହତ୍ୟା କରିଥିଲେ । ତେଣୁ କ୍ୟାମେରାରେ ସମସ୍ତ ଘଟଣା ଲିପିବଦ୍ଧ ଅଛି । ଏତେ ପୋଲିସ ଘେରରେ ଓ ସଂପୂର୍ଣ୍ଣ ପୋଲିସ ନିରାପତ୍ତାରେ ଥିବା ଗ୍ୟାଙ୍ଗଷ୍ଟର୍‌ଙ୍କୁ ଦୁର୍ବୃତ୍ତମାନେ ଆସି ହତ୍ୟା କରିବା ଓ ସଂଗେ ସଂଗେ ଆତ୍ମସମର୍ପଣ କରିବା ଘଟଣା ପରିଷ୍କାର କରିଦେଇଛି ଯେ ଏହିପରି ଏକ କାଣ୍ଡ ପାଇଁ ପୂର୍ବରୁ ପୋଲିସ ପ୍ରସ୍ତୁତ କରିଥିଲା । ପୁଲୁୱାମା ଘଟଣା ସହିତ ଯଦି ଏହାକୁ ଯୋଡ଼ାଯାଏ, ତେବେ ଏହି ହତ୍ୟାକାଣ୍ଡ ପଛରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିବା ବେଶ୍ ସ୍ପଷ୍ଟ । ଏହି ଘଟଣା ପରେ ଟ୍ୱିଟର୍ ଓ ସାମାଜିକ ଗଣମାଧ୍ୟମରେ ସତ୍ୟପାଲ୍ ମଲିକ ଟ୍ରେଣ୍ଡ ବଦଳି ଅତିକ ଅହମ୍ମଦଙ୍କୁ ଗୁଳି ଘଟଣା ପ୍ରଥମକୁ ଆସିଛି । ତା’ଛଡ଼ା ସତ୍ୟପାଲ୍ ମଲିକ ଘଟଣାରେ କେନ୍ଦ୍ର ସରକାର ଓ ଗଣମାଧ୍ୟମମାନେ ଯେଉଁ ଅସୁବିଧାରେ ପଡ଼ିଥିଲେ, ସେଥିରୁ ସେମାନେ ମୁକ୍ତି ପାଇଯାଇଛନ୍ତି । ଏହି ଦୁଇଜଣଙ୍କ ଗୁଳିକାଣ୍ଡ ଯୋଗୁ ପୂର୍ବରୁ ଅତିକ୍ ଅହମ୍ମଦଙ୍କ ପୁଅର ଏନ୍‌କାଉଂଟର ପରି ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଧୃବୀକରଣର ଏକ ମାହୋଲ୍ ସୃଷ୍ଟି ହୋଇଛି । ଯାହାକି ସେଠାରେ ଚାଲିଥିବା ପୌରାଞ୍ଚଳ ନିର୍ବାଚନରେ ବିଜେପି ବା ଯୋଗୀ ସରକାର ପାଇଁ ବେଶ୍ ସହାୟକ ହେବ । ଯାହାର ଫାଇଦା କର୍ଣ୍ଣାଟକ ନିର୍ବାଚନରେ କିଛି ମିଳିବ ବୋଲି ଧରି ନିଆଯାଇଛି । କିନ୍ତୁ ଏହି ସମସ୍ତ ଘଟଣାରେ ଗଣମାଧ୍ୟମଗୁଡ଼ିକର ନଗ୍ନ ରୂପ ସାରା ଦେଶବାସୀ ଦେଖିପାରିଛନ୍ତି ।