ବୁଲଡୋଜର ଶାସନ ଚାହୁଁଛି କି ରାଜ୍ୟ ବିଜେପି ନେତୃତ୍ଵ ?

ବୁଲଡୋଜର ଶାସନ ଚାହୁଁଛି କି ରାଜ୍ୟ ବିଜେପି ନେତୃତ୍ଵ ?

ଓଡିଶା ବାହାରେ ଯେଉଁଠି ବି ବିଜେପି ସରକାର ଅଛି ସେଠି ସରକାର ବିରୋଧୀ ସବୁ ଆନ୍ଦୋଳନକୁ ନିଷ୍ଠୁର ଭାବରେ ଦମନ କରିବାର ନୂଆ ନୂଆ ତରିକା ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିରୋଧୀ ଆନ୍ଦୋଳନକୁ ଦମନ କରିବାରେ “ବୁଲଡୋଜର” କୁ ଏକ ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି ଯିଏ ସରକାରକୁ ବିରୋଧ କରି ଆନ୍ଦୋଳନ କଲା ତାଙ୍କ ଘର ଓ ଦୋକାନକୁ ବୁଲ୍ଡ଼ୋଜର ଚଳାଇ ଉଡାଇଦେବାର ନୂଆ ତରିକାକୁ ବିଜେପି କଠୋର ଶାସନର ନମୁନା ଭାବରେ ପ୍ରଚାରିତ କରୁଛି ବିଜେପି ଶାସନରେ ବିରୋଧୀଙ୍କୁ ଉପଦ୍ରବୀ ବୋଲି କହି ସେମାନଙ୍କ ବିରୋଧରେ ନିଆ ଯାଇଥିବା ପଦକ୍ଷେପ ସବୁ ହେଉଛି –

  • ସେମାନଙ୍କ ଘର ଓ ଦୋକାନକୁ ବୁଲଡୋଜର ଲଗାଇ ଉଡାଇ ଦିଆଯାଉଛି ଓ ତାଙ୍କର ପୂରା ପରିବାରକୁ ରାସ୍ତାରେ ଫୋପାଡି ଦିଆ ଯାଉଛି
  • ସେମାନଙ୍କ ନାଁରେ ୟୁଏପିଏ ଏବଂ ଏନଏସଏ ଭଳି କଠୋର ଆଇନ ଲଗାଇ ଦୀର୍ଘ ବର୍ଷ ଧରି ଜେଲରେ ପୂରେଇ ଦିଆଯାଉଛି
  • ସେମାନଙ୍କ ନାମକୁ ଉପଦ୍ରବୀ ବୋଲି ଘୋଷଣା କରି ସହର ବଜାରରେ ପୋଷ୍ଟର ମରା ଯାଉଛି
  • ଆନ୍ଦୋଳନ ସମୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ତାହା ସେମାନଙ୍କ ସମ୍ପତ୍ତି କୋରଖ କରି ଭରଣା କରାଯାଉଛି
  • ଆନ୍ଦୋଳନକାରୀଙ୍କ ଉପରେ ସବୁପ୍ରକାର ହିଂସାତ୍ମକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ମୁକ୍ତ ଅଧିକାର ଦିଆଯାଇଛି
  • ପ୍ରଧାନମନ୍ତ୍ରୀଙ୍କ ନାମରେ କିଛି ଟୁଇଟ କଲେ ବିରୋଧୀ ନେତାମାନଙ୍କୁ ପୁଲିସ ବାନ୍ଧି ନେଉଛି ଆସାମର ବିଜେପି ସରକାର ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀ ଏବଂ କଂଗ୍ରେସ ମୁଖପାତ୍ର ପବନ ଖେରାଙ୍କୁ ଏମିତି ଗିରଫ କରିଥିଲା

ବିଜେପି ଶାସନରେ ବୁଲଡୋଜର ଚାଲିବା ଯଦି ସୁଶାସନର ନମୁନା ତାହେଲେ ଓଡିଶା ସରକାର ଏହି ନମୁନାକୁ ବିଜେପି ଆନ୍ଦୋଳନକାରୀଙ୍କ ପ୍ରତି ପ୍ରୟୋଗ କରିବା ଯଥାର୍ଥ ହେବ କି ? ଏ ପ୍ରଶ୍ନ ପଚାରିବାର ଏକମାତ୍ର ଆଧାର ହେଉଛି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ କରି ବିଜେପି ଯୁବ ମୋର୍ଚ୍ଚା ଆୟୋଜନ କରିଥିବା ବିକ୍ଷୋଭ ରାଲିରେ ଯେଉଁ ପ୍ରକାର ହିଂସାକାଣ୍ଡ ଘଟିଲା, ତାହା ଅନ୍ୟ ରାଜ୍ୟରେ ଘଟିଥିଲେ, ପୁଲିସର ଆଚରଣ ନିହାତି ଅଲଗା ପ୍ରକାର ହୋଇଥାନ୍ତା

  • ଗତକାଲି ବିଜେପି କର୍ମୀ ପୁଲିସ ଉପରକୁ ବ୍ୟାପକ ପଥର ଓ ଅଣ୍ଡାମାଡ କରିଥିଲେ
  • ଅନେକ ପୁଲିସକର୍ମୀଙ୍କୁ ବିଜେପି କର୍ମୀମାନେ ଲହୁଲୁହାଣ କରି ମାଡ ମାରିଥିଲେ ।
  • ରାଜଧାନୀର ମଝି ରାସ୍ତାରେ ଦୀର୍ଘ ସମୟ ଧରି ବିଜେପି କର୍ମୀମାନେ ସାଧାରଣ ଜନତାଙ୍କୁ ଭୀଷଣ ଅସୁବିଧାରେ ପକାଇ ରଖିଥିଲେ ।
  • ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଜଣେ ମହିଳା ପୁଲିସ ଅଧିକାରୀଙ୍କ ଉପରକୁ ହାତ ଉଠାଇଥିଲେ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଫାଇଭ ଟି ସଚିବ ଙ୍କ ବିରୋଧରେ ଅତ୍ୟନ୍ତ ଅରୁଚିକର ଅଭିଯୋଗ ଆଣିଥିଲେ

ବିଜେପିର ଏ ପ୍ରକାର ଉପଦ୍ରବୀ ଆଚରଣ ପାଇଁ ବୁଲ୍ଡ଼ୋଜର ମଡେଲ ଲାଗୁ ହେବ ନାହିଁ କାହିଁକି ? ବିଜେପି ନିଜ ଶାସିତ ରାଜ୍ୟରେ ଯାହାକୁ ସୁଶାସନର ପ୍ରତୀକ ବୋଲି ପ୍ରଚାର କରୁଛି, ତାର ସ୍ଵାଦ ସେମାନେ ଚାଖିଲେ ବୋଧେ ବୁଝିପାରନ୍ତେ, ବୁଲ୍ଡ଼ୋଜର ଶାସନର ଅର୍ଥ କଣ !!

ଆନ୍ଦୋଳନ ନାଁ ରେ ଉପଦ୍ରବ ଓ ହିଂସାକୁ ଯଥାର୍ଥ ବୋଲି କହିବା ତଥା ପୁଲିସ କର୍ମଚାରୀଙ୍କ ଉପରକୁ ପଥରମାଡ କରି ଯିଯକୁ ନିର୍ଦ୍ଦୋଷ ବୋଲି କହିଲେ, ଲୋକେ ବିଶ୍ଵାସ କରିବେ ନାଇଁ ଗତ ଚାରି ବର୍ଷ ଧରି ରାଜନୈତିକ ବିରୋଧୀ ଭାବରେ ନିଜର ଦାୟିତ୍ଵ ନିର୍ବାହ ନକରି ଏବେ ଆନ୍ଦୋଳନ ନାଁ ରେ ଉପଦ୍ରବ କଲେ ଲୋକଙ୍କ ଆସ୍ଥା ବା ସମ୍ମାନ ମିଳିବ ନାଇଁ ସଂସଦରେ ବିଜେଡ଼ିର ସମର୍ଥନ ପାଇ ସବୁ କଥାରେ ଚୁପ ବସିଥିବା ବିଜେପି ନେତାମାନେ ହଠାତ ଏବେ ଉଗ୍ର ରାଜନୈତିକ ପ୍ରଦର୍ଶନ କରିବା ଭୋଟ ପାଇଁ ନାଟକ ବୋଲି ଲୋକେ ଠିକ ଜାଣନ୍ତି

ତେବେ ଯୋଗୀ ମଡ଼େଲର ବୁଲଡୋଜର ଉପଦ୍ରବୀଙ୍କ ଘର ବା ଦୋକାନ ଉପରେ ଚାଲିଲେ ବା ସେମାନଙ୍କ ଘର କୋରଖ ହେଲେ କିମ୍ବା ସେମାନଙ୍କୁ ଉପଦ୍ରବୀ –ଅପରାଧୀ ବୋଲି ସେମାନଙ୍କ ପୋଷ୍ଟର ପୁଲିସ ମାରିଲେ, ବିଜେପିକୁ ତାହା ଭଲ ଲାଗିବ କି ?

ମୁଖ୍ୟମନ୍ତ୍ରୀ ଏବଂ ଶାସଦଳ ନେତାମାନଙ୍କ ବିରୋଧରେ ଅତ୍ୟନ୍ତ ଅରୁଚିକର ଏବଂ ଅଶାଳୀନ ମନ୍ତବ୍ୟ ଦେଉଥିବା ବିଜେପି ନେତାମାନଙ୍କୁ ପୁଲିସ ଗିରଫ କରିବା ଉଚିତ ହେବ କି ?   

( ଏଠି ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁ ଯେ ବୁଲଡୋଜର ଶାସନକୁ ଆମେ ସବୁବେଳେ ବିରୋଧ କରି ଆସିଛୁ ତେଣୁ ଏ ଲେଖା ବୁଲଡୋଜର  ଶାସନ ସପକ୍ଷରେ ଆଦୌ ନୁହେଁ ଯେଉଁ ବିଜେପି ନେତାମାନେ ବୁଲଡୋଜର  ଶାସନକୁ ସମର୍ଥନ କରନ୍ତି ସେମାନେ ତାର ବାସ୍ତବତା ବୁଝାନ୍ତୁ ବୋଲି, ଏହା ଏକ ସାଧାରଣ ଆଗ୍ରହ ମାତ୍ର !)