ଅସରପାଙ୍କୁ ଡରୁଥିବା ଛେରୁଆ ସରକାର

ଅସରପାଙ୍କୁ ଡରୁଥିବା ଛେରୁଆ ସରକାର

ନରେନ୍ଦ୍ର ମୋଦି ସରକାର ପରିଶେଷରେ ଅସରପାମାନଙ୍କୁ ଡରିଗଲେ। ଭାରତ ସରକାରଙ୍କ ଚାପ ଯୋଗୁଁ ଗତ ସପ୍ତାହରେ ତିଆରି ହୋଇଥିବା ଭାରତୀୟ ଅସରପାମାନଙ୍କର ଏକ ଦଳ “ଇଣ୍ଡିଆନ କକରୋଚ ପାର୍ଟି” ର ସୋସିଆଲ ମିଡିଆ ଏକ୍ସ ଏକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ଏ ଖବର ଶୁଣି ଆପଣ ହସିବେ ନା କାନ୍ଦିବେ, ସେ ନିଷ୍ପତ୍ତି ଆପଣମାନଙ୍କର ।

 ସରକାରୀ ପ୍ରେମରେ ଉବୁଟୁବୁ ଓଡ଼ିଶାର ଟେଲିଭିଜନ ଚ୍ୟାନେଲରେ ଖବର ଆସୁଛି – “ବ୍ୟାନ ହେଲା ଇଣ୍ଡିଆନ କକରୋଚ ପାର୍ଟି ସରକାରୀ ଚଷମା ପିନ୍ଧି ଅନ୍ଧତ୍ଵ ସ୍ଵୀକାର କରିଥିବା ଆମ ସାମ୍ବାଦିକମାନଙ୍କୁ କିଏ ବୁଝେଇବ ଯେ  ଇଣ୍ଡିଆନ କକରୋଚ ପାର୍ଟି ବୋଲି ସତରେ କୌଣସି ଦଳ ନଥିଲା, ଯାହାକୁ ସରକାର ବ୍ୟାନ କରିପାରିବେହଁ,  ଇଣ୍ଡିଆନ କକରୋଚ ପାର୍ଟି କ୍ରୋଧ ଏବଂ ହତାଶାରୁ ଜନ୍ମ ନେଇଥିବା ଏକ ପ୍ରତିବାଦ ଯାହାକୁ ଭାରତ ସରକାର ଡରିବା ଆରମ୍ଭ କରିଛନ୍ତି ଆପଣ ଗତ ଚବିଶ ଘଣ୍ଟା ଭିତରେ ବିଜେପି ଆଇଟି ସେଲର ଅନେକ ଛବି ଦେଖିଥିବେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟେ ସ୍ପ୍ରେୟର ଧରି ଅସରପାମାନଙ୍କୁ ମାରୁଛନ୍ତି ଠିକ ସମାନ ସମୟରେ ଭାରତ ସରକାର ଇଣ୍ଡିଆନ କକରୋଚ ପାର୍ଟି ନାଁରେ ଥିବା ଏକ୍ସ ଆକାଉଣ୍ଟକୁ ବନ୍ଦ କରିଦେଉଛନ୍ତି

ଏଠି ପ୍ରଶ୍ନ ଉଠୁଛି, ଏତେ ବଡ ଗୋଟେ ଗଣତାନ୍ତ୍ରିକ ଦେଶର ସରକାର ଇଣ୍ଡିଆନ କକରୋଚ ପାର୍ଟି ଭଳି ଏକ ବିଦ୍ରୁପାତ୍ମକ ଚିନ୍ତାକୁ ଡରି ମରୁଛି କଣ ପାଇଁ ? ଏହା କଣ ସତରେ ଭାରତର ଯୁବକମାନଙ୍କ କ୍ରୋଧ, ହତାଶା ଏବଂ ପ୍ରତିବାଦର ଏକ ସ୍ଵାଭାବିକ ଉଦ୍ଗୀରଣ ? ଯେତେବେଳେ ଦେଶର ମୁଖ୍ୟ ବିଚାରପତି ଯୁବକମାନଙ୍କୁ ପରାଙପୁଷ୍ଟ ଏବଂ ଅସରପା ବୋଲି କହିଲେ (ଯଦିଓ ପରେ ସେ ଏହା କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ବୋଲି ସ୍ପଷ୍ଟୀକରଣ ଦେଲେ ) ତାହା ଦେଶ ଭିତରେ ଏକ ପ୍ରକାର କ୍ରୋଧର ବାତାବରଣ ତିଆରି କଲା

ଭାରତର ମୁଖ୍ୟ ବିଚାରପତି ଦେଶର ସମ୍ବିଧାନ ଓ ନାଗରିକଙ୍କ ମୌଳିକ ଅଧିକାର ସୁରକ୍ଷା ପାଇଁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏକ ସାମ୍ବିଧାନିକ ଆବଶ୍ୟକତା ତାହା ନକରି ଜଷ୍ଟିସ ସୂର୍ୟକାନ୍ତ ସରକାର ବା ସିଷ୍ଟମକୁ ସମାଲୋଚନା କରୁଥିବା ଲୋକଙ୍କ ଉପରେ  କାହିଁକି ଉତକ୍ଷିପ୍ତ ହେଉଛନ୍ତି, ତାହାର କାରଣ ବୁଝା ପଡୁନାହିଁ । ତେବେ ମୁଖ୍ୟ ବିଚାରପତିଙ୍କ ଗୋଟେ କଥାର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ଏତେବାଦ ପ୍ରତିକ୍ରିୟା ଦେଖି ସରକାର କାହିଁକି ଡରୁଛନ୍ତି, ତାର କାରଣ ମଧ୍ୟ ପିଲାଳିଆ ଲାଗୁଛି

ପୃଥିବୀର ରାଜନୀତିରେ ହିଟଲର ନେତୃତ୍ବରେ ଜର୍ମାନୀର ଫାଶୀବାଦୀ ସରକାର ପ୍ରଥମେ ସରକାର ବିରୋଧୀଙ୍କୁ କୀଟ ଜାତୀୟ ପ୍ରାଣୀ ବୋଲି କହିବା ସହିତ ସେମାନଙ୍କ ନିପାତ ପାଇଁ କୀଟନାଶକ ବା ପେଷ୍ଟ କଣ୍ଟ୍ରୋଲ ବ୍ୟବହାର କରିବା କଥା କହିଥିଲା ଆଜିର ଗଣତାନ୍ତ୍ରିକ ଭାରତରେ ଆମେ ସେହି ସମାନ କଥା ଶୁଣିବା ଦୁର୍ଭାଗ୍ୟଜନକ ନୁହେଁ କି ?  

ଆଜି କେବଳ ଏତିକି କହିହେବା ଯେ - ଭାରତ ସରକାର ଅସରପାଙ୍କ ଫଟୋ ଦେଖି ଡରରେ ଛାନିଆ ହୋଇପଡୁଛି ଓ ସେମାନଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ୍ ବନ୍ଦ କରି ଦେଉଛି। ଅସଲ ଅସରପାଙ୍କୁ ଦେଖିଲେ ୟାଙ୍କ ପିଳେହି ପାଣି ହେବା ଥୟ। ଗୋଟେ କଥା ମନେ ରଖନ୍ତୁ, କଂସକୁ ନିପାତ କରିବାକୁ କୃଷ୍ଣଙ୍କୁ ଯୁଦ୍ଧ କରିବାକୁ ପଡ଼ିନଥିଲା। କୃଷ୍ଣଙ୍କ ଭୟରେ କଂସ ମଞ୍ଚାରୁ ଗଡ଼ି ପଡ଼ିଲା।

ବୋଧହୁଏ  ଅସରପା ଏବେ କୃଷ୍ଣ ହୋଇ କଂସକୁ ଡରେଇବା ଆରମ୍ଭ କଲେଣି ।