ଓମର ଖୟାମ୍ ଙ୍କ ରୁବାୟତ

ଓମର ଖୟାମ୍ ଙ୍କ ରୁବାୟତ

ରାତିର ଧନୁରେ ପ୍ରଭାତ ବିନ୍ଧଇ ରକ୍ତ-ଆଲୁଅର ତୀର,
ଆକାଶବାସରେ କଉତୁକରତ ତାରକା ଥାନ୍ତି ଅସ୍ଥିର।
ଲାଜର କୁଣ୍ଠାକୁ ନେଇ ପଳାତକ ଛୁଟଇ ଦୂରଦେଶରେ,
ଅଟକି ଯାଇଛି ପ୍ରମତ୍ତ ସୁଖ ସେ ନିଶୀଥର ମଂଜିରରେ।

ଶାହାନ ଶାହାର ମିନାର ଶୀର୍ଷକୁ  ଆଲୁଅ ଜଳରେ ଧୋଇ
ସୂର୍ଯ୍ୟଶିକାରୀ ର ମୁଖର କଂଠ ସେ ପୂର୍ବ-ଦିଗନ୍ତେ ଶୁଭଇ।
ପକ୍ଷୀ ଡାକି କହେ,ସମୟ ହୋଇଛି ନିଦୁ ଉଠ ମଧୁମୁଖୀ,
ସୁପ୍ତିରେ ଏବେ କଜଳ ଆଲୁଏ ଲୁଚାଅ ତମ ଦୁଇ ଆଖି।

ଏ ଯାଏଁ ଜଗିଛି  ବରକନ୍ଦାଜ ସେ ଖୋଲିନାହିଁ ସିଂହଦ୍ୱାର,
ଏ ଯାଏଁ ଭୋରର ଆକାଶରେ ଦେଖ ପତଳା ଅଂଧକାର।
ଉଦୟଶିଖରୁ  ଉଇଁଯିବ ରବି  ଟିକିଏ ନେଉଛି ତ ଡେରି,
ନିଶି ରେ ମଗନ ପ୍ରକୃତିର ଘରେ  କବାଟ ବଂଦ ଆହୁରି।

ସରାଇଖାନାର ଦୁଆରେ ଜଣେକେ ସହସା ଉଠିଲା ଡାକି,
ଶୁଣ ମୁସାଫିର୍ ଦୁର୍ଲଭର ଡାକ, ରଖ ଏ ମନରେ ହେଜି।
ଚଂଚଳ ଆସ ରେ ଭୋଗର ପାତ୍ରକୁ ଭରିନିଅ ଅନୁରାଗେ,
ଦେହର ଆଧାରେ ଜୀବନ ସୁରାର ପିପାସା ରହିଛି ଆଗେ।

ଆସିବେ ଅତିଥି ମୁଖର କଂଠ ଏଠି ଚଂଚଳ କଳରବ,
ରୁଦ୍ଧଦୁଆରେ,କବାଟ ଖୋଲ ଏବେ, ଏଇ ଡାକ ଶୁଭୁଥିବ।
ଆକାଶୁ କାକଳୀ କହିତ ଗଲାଣି ନିଦ ତେଜିବାର ପାଇଁ,
ନବଜୀବନର  ଆରମ୍ଭର ଡେରି ଆଉ ସହିହେବ ନାହିଁ।

ଘଡିଏ ନଯାଉଁ କାନରେ ଶୁଭିବ କରୁଣ ବିଦାୟର ବାଣୀ,
ଆମେ ଯେତେ ସବୁ ଦୁଇଦଣ୍ଡ ଅତିଥି ସେକଥା ଅଛୁ ଜାଣି।
ତାହାହେଲେ ମିଛ ସେ ଶୁଭଲଗ୍ନର  ଏଇ ସବୁ ଅପଚୟ,
ମରଣର ଯାତ୍ରାପଥର ଯାତ୍ରୀ ଆମେ ସବୁ ଚିର ଅକ୍ଷୟ।

ବିଗତ ବରଷ ବେଦନା ମଳିନ ସପନ ଭାରାରେ ଧରି
ନୂତନ ବରଷ ନୂତନ କଂଠରେ ଦୁଆର ଦେଶରେ ଥିରି।
ଗଲାସନ ଥିଲା ଯେଉଁ ପ୍ରାଣଧନ ଅଧିର କ୍ଷତବିକ୍ଷତ
ଭାଙ୍ଗି ଭାଙ୍ଗି ଯାଏ ଚିର ଅକରୁଣ ହାହାକାରରେ ସେ ମୃତ।

ମାଳାର ଶୋଭାରୁ ଝରିଗଲା ଫୁଲ ମାଟିରେ ଶୋଇଲା ଯାଇ
ଥମିଗଲା ତହିଁ ଶାଖାପ୍ରଶାଖାର ନିବିଡ ପ୍ରାଣର ଛାଇ।
ସେ ମାଟି କୋଳରେ ଜନମ ନେଇଛି ନୂତନ ଆଶାର ଫୁଲ
ନୂତନ ଦିନର ଜୀବନ ଫସଲ ନୂତନର ତୃଣାଙ୍କୁର।

ଝରାଗୋଲାପର ପଥେ ଲିଭିଯାଏ ଇରାମ ର ଧନରାଶି
ପ୍ରାଣଉଲ୍ଲାସର ଛନ୍ଦରେ ମାତାଲ ଦୁରନ୍ତ ଦୁର୍ମଦ ବେଶୀ।
ନାହିଁ ଜାମଶିଦ,ଜୀବନ ମଦିରା ପୂରିଛି ପିଆଲା ତାର,
ସାଧ କିଛି ନାହିଁ,ଭାଙ୍ଗି ଚୁରମାର,ଏଯେ ପ୍ରହାର କାଳର।

ତଥାପି ଦେଖୁଛି ସବୁଜ ପତ୍ରର ମମତାରେ ଭିଜା ଭୂଇଁ,
ଅଙ୍ଗୁରଲତାର ପ୍ରତି ମଉସୁମେ ଫଳଭାରେ ପଡେ ନଇଁ।
ଯେତେକ ପ୍ରାନ୍ତରେ ଆଜି ଦେଖେ ନେତ୍ରେ ତୃଣ-ଫସଲର ହସ,
ମାଳଞ୍ଚ ଜାଗିଛି ଛାଇ ନିରିଜନ ନଦୀ ତୀର ପରଦେଶ।

ଦାଉଦର ସୁଧାକଣ୍ଠ ନିଥର ଏଥର ମୃତ୍ୟୁର ବନ୍ଧନେ,
ଚିର ନିମଗନ ଅଜଣା କାହାର ବାଣୀହରା ସେ କ୍ରନ୍ଦନେ।
ତଥାପି କେଉଁଠି ପ୍ରାଚୀନ ଲୁପ୍ତ ସ୍ୱର୍ଗଲୋକର ସୁରକାର,
ବିହଗ-କାକଳୀ କାନରୁ କାନକୁ କହିଯାଏ  ଗୋଲାପର।

ନବଜୀବନର ଜଲସାରେ ବସି ଢାଳଢାଳ ବନ୍ଧୁବର,
ଅତୃପ୍ତ ରହିଛି  ପୂର୍ଣ୍ଣ ପିଆଲା ସେ ଅଙ୍ଗୁର ସୁରାରେ ଲାଲ୍।
କ୍ଲାନ୍ତି ମଳିନ ହତାଶାରୁ ଯେତେ ହରିତ୍ ବର୍ଣ୍ଣ ପୋଛିନେଇ,
ଯାଦୁର ବିହଗ ଯାଦୁ ସ୍ୱରଲିପି ଯୌବନ ଉଠିବ ଚେଇଁ।

ଆସ ମୁସାଫିର ହୁଅରେ ଉଦ୍ଦାମ ଜୀବନର ରୂପରଂଗ,
ଭୋଗର ପିଆଲା ଭରିନେଇ ଯାଅ ସ୍ୱପ୍ନର ଗୋପନ ସଂଗ।
ଗତ ବରଷର ତିକ୍ତ ସ୍ମୃତିର କ୍ରନ୍ଦନ ଲେଖା ଯେତେ ଥିଲା,
ଭୂଇଁରେ ଥାପି ଦିବସରଜନୀ ଆକାଶମୁଖି ହେବ ପରା।

ଏଇମିତି ଦୁଃଖ ରହିନାହିଁ ଯାକୁ ମଦିରା ଭିଜାଇ ଦେଇନି,
ଏଇମିତି ପାପ ନାହିଁ ଧରଣୀରେ ମଦିରା ଯାହା ଧୋଇନି।
ଏମିତି ପହେଳି ନାହିଁ ଆମଆଗେ ଯାହାର ଗଂଠି ଖୋଲିନି,
ମଦିରାର କଥା ଏ ପୃଥିବୀରେ ଆଉ କିବା ଋଣ ଶୁଝିନି ?

ହଜାର ନୂତନ ମଞ୍ଜରୀ ଆସିଛି ଶାଖାପ୍ରଶାଖାର କୋଳେ,
ନୀରବର କୁଞ୍ଜ ସେ ମୁଖରିତ ହେବ ସଂଗୀତ କଳରୋଳେ।
ପୁରୁଣା ପତ୍ରର ଥିଲା ସବୁଜିମା  ଝରିଗଲା ଧରଣୀରେ ,
ନୂତନ ଦିନଟି ହଜାର ବୃନ୍ତରେ ନବପଲ୍ଲବରେ ଖେଳେ।

ଯଦି ପ୍ରିୟ ସଖୀ ଶିରେ ମୋ ଭରିବ ରକ୍ତର  ମଧୁର ସୁରା,
ସସାଗରା ଧରା ତମର ରାଜୁତି ମାନିନେବି ଜୀବ ସାରା।
ଧୂସର ଦିଶୁଛି ଯେତେକ ରାଇଜ ରାଜା ଦେହସାରା ଧୂଳି,
ରକ୍ତ ମଦିରା ପାନରେ ଦେଖମୋ ରାଇଜ ସବୁଠୁ ବଳି।

ବୟସ ଭାରାରେ କବି ଅବନତ ଆସ ଚାଲି ତାହା ସାଥେ
ସଂସାର ଯାକର ଜରଜର ଚିନ୍ତା ଉଜାଡି ଦିଅନା ମାଥେ
ଆଉ ଯିଏ ଯେତେ ବଳକା ଅଛନ୍ତି ତାଙ୍କ ରୂପ ଝଟଝଟ
ବିସ୍ମରଣର ଉଜାଣି ଯମୁନା ବୁଡିଯିବ ସବୁ ଥାଟ।

ବିକ୍ରମଶାଳୀ କେ ରହିଥିବ ସେଠି ଅଳସରେ କିଛି କ୍ଷଣ
ଦରଦୀ କବିର ଆଦ୍ୟସ୍ୱରରେ ଅତିଥିର ଅନ୍ୱେଷଣ।

୧୦

ଆମେମାନେ ସବୁ ଚାଲି ଯିବୁ ଦୂରେ ଅଜ୍ଞାତ କେଉଁ ପଥ
ନୂତନ ଜୀବନ ଅଚିହ୍ନା ମୁଲକ କେଉଁ ଜୀର୍ଣ୍ଣ ସଇକତ।
ନିଆଁରେ ବଘରା ମରୁ ପାର ହୋଇ କେଉଁ ସେ ଶ୍ୟାମଳ ଦେଶ
ଆଉ ଥରେ ଆମେ ଯେଉଁପରି ହେଉ ନିର୍ମାଣିବୁ ସୁଖବାସ।

ଦେବତା ଦୁର୍ଦ୍ଦଣ୍ଡ ପ୍ରତାପୀ ପୁରୁଷ ଅଥବା  କିଏ ଗୋଲାମ
ଲାଞ୍ଛନା ତାଡିତ ପ୍ରକୋପ ନଥିବ ଶୁନ ହେବ
ଦୁର୍ଭାବନ।
ସୁବର୍ଣ୍ଣ ଖଚିତ କେଉଁ ମସନଦ କିଏ ତହିଁ ସୁଲତାନ
ଜାଣିବାର ନାହିଁ  ମାମୁଦ କିଏ ସେ  ଆଉ ତା'ର ଅଭିଯାନ।

•••••

ଓମର ଖୟାମଙ୍କ ରୁବାୟତ ରୁ କିଛି  ଅନୁସୃଜନ।

ଓମର ଖୟାମ ଖ୍ରୀଷ୍ଟୀୟ ଏଗାର ଶହ ଶତାବ୍ଦୀର ଜଣେ ପ୍ରଖ୍ୟାତ ଇରାନୀ ବହୁବିଦ୍ ବା ପଲିମାଥ୍।

ତାଙ୍କ ସଂପର୍କରେ ସବୁଠାରୁ ଚର୍ଚ୍ଚିତ ଅଭିମତ ଟି  ହେଉଛି ଯେ "ସେ ଈଶ-ନିନ୍ଦା ଅର୍ଥାତ୍ ବ୍ଲାଶଫେମି ର ଉଦ୍ଭାବକ "।