ଏଥର ଏକେଲା
ଏଥର ଭାରି ଏକେଲା,
ଭାରି ଏକେଲା ଏଥରକ।
ସାତ ସିଆଁ ଅତୀତକୁ ଫିଙ୍ଗି ଦେଲି ଯେ
ଘୋଡାଇ ହୋଇ ପଡ଼ିଲା ଥୁରୁ ଥୁରୁ ଜୀବନ।
ମୋ ବର୍ତ୍ତମାନରେ କେତେ ଧୂଳି ଓ ଅଳନ୍ଧୁ
ପବନର ମୁହଁ ଆଜି କି କାନ୍ଦ କାନ୍ଦ।
ଏ ମୃତ୍ତିକା ରେ ଆଉ ଆଶା ନାହିଁ
ଅଙ୍ଗୀକାର ନାହିଁ,
ଅଂକୁର ର କି ପ୍ରସ୍ଫୁଟନର।
ଆମୋଦକୁ ନୁହେଁ କି ଅବସାଦକୁ ନୁହେଁ
ଅପମାନ କୁ ନୁହେଁ କି ଅସ୍ବୀକାର କୁ ନୁହେଁ,
ଆପଣାର କି ସାତପର
କାହାରିକୁ ମୁଁ ଡାକେନା ଆଉ ମୋ ପାଖକୁ।,
ସତରେ ,
ଭାରି ଏକେଲା ଏଥରକ।
ଖୁବ୍ ଜବରଦସ୍ତ ଜଟିଳ ଥିଲା ସେ ଗଣ୍ଠି
ଫିଟି ଯାଉଛି, ଅଡ଼ୁଆ ତଡୁଆ
ଏଠି ସେଠି।
ଶୁଖିଲା ରକ୍ତ ଟୋପାଏ ବି ଲାଗିନି କେଉଁଠି,
ଠିକ୍ ଅଛି।
ବର ଓହଳ ସବୁ ଅଜାଡି ପଡିଲେ ସେଦିନ
ଝଞ୍ଜା ପବନରେ ଯେ
ବର ଗଛ ସେମିତି ଠିଆ ହୋଇଥିଲା
ହାତ ବଢ଼ାଇ ଥିଲା ପରା ସୁର୍ଯ୍ୟ ଆଡେ!
ଏକେଲା ଆସେ ମଣିଷ
ଯାଏ ଏକେଲା ବୋଲି ସଦାବେଳେ
କହୁଥିଲା ପିଲାଦିନେ ଆମଘରେ
ବାସନ ମାଜୁଥିବା ଉଜଳି ମାଆ।
ଦୁର୍ଭିକ୍ଷ ବେଳେ ଛତ୍ରରେ ଖାଇଥିଲା
ତାର ଜେଜେ ବୋଲି ସେ ଥିଲା ଅଜାତି।
ଶବ ତାର ଉଠାଇ ନଥିଲେଯେ କେହି ,
ମୋ ବାପା ଡାକି ଆଣିଥିଲେ
ଆର ଗାଁ ରୁ ଚାରିଜଣଙ୍କୁ,
ମଦ ଅଫିମ ଦେଇ।
କିଏ ଏକେଲା ଆସେ
କିଏ ପୁଣି ଯାଏ ଏକେଲା
ଉଜଳି ମାଆ,ଆଜି କହିବୁ କି?
ନିତ୍ୟ କାଳ ଭିତରେ
ଘସର ଘସର, ନିଠେଇ
ବାସନ ମାଜୁଥିବା ଉଜଳି ମାଆ
ଗୁଣୁ ଗୁଣଉଛି,
"ଯିଏ ଆସେ ସିଏ ଯାଏ
ଯିଏ ଯାଏ ସେଇ ପୁଣି ଆସେ,
ସେଥିରେ ଉଜଳି ମାଆର କି
ଦାୟ ପରବାୟ ଥାଏ?"
ଏଥର ଏକେଲା,
ଭାରି ଏକେଲା ଏଥରକ,
ମୁଁ ତ ଆଉ ଉଜଳି ମାଆ ନୁହେଁ।