କୁମାର ହାସନଙ୍କର ଦୁଇଟି କବିତା
ୱରୱରା ରାଓ
ତମର ଘିଅର ସହରରେ
ମୁଁ ଗାଆଁର ଭୋକର ଡିବିରି ନେଇ ଆସିଛି
ଦା’ହାତୁଡି଼ର ଦାଢୁ଼ଆ ମୂନର ଜୀବନ
ପତାକା ପରି ଫରଫର
ମୋର ମୁଂଡ ମୋର ବିଚାର
ତୁମ ସ୍ବପ୍ନର ଆକାଶରେ ଝଳୁଥିବା
ଦିଗ୍ ବାରେଣି ତାରାଟିଏ ମୁଁ
ଭୋର ପ୍ରହରର ପ୍ରଭାତୀ
ତମ ସ୍ବୀକୃତି ଅସ୍ବୀକୃତିର କିଛି ମାନେ ନାହିଁ
ମୁଁ ତୁମ ଭିତରେ ଖୋଳି ସାରିଛି
ମୋର ଭିଟାର ନିଅଁ ।
ଆରୋହଣ
ଦେ
ଦେ ବୋଲି ମାଗିବି ନାହିଁ
ନେ
ନେ ବୋଲି ଦେବି
ମାଗିବାରେ ନୁହେଁ ଦେବାରେ ମୋର ଆନନ୍ଦ ।
ନେଇ ଯା’
ଦେଲି
ଏ ଧନୁ ବି ତୋର, ଏ ତିର ବି ତୋର
ଏ ତୁଣିର ବି ତୋର, ଏ ଲାଖ ବି ତୋର
ମୁଁ ଦ୍ରୋଣ ନୁହେଁ
ଏ ବୃଦ୍ଧାଂଗୁଳି ବି ତୋର, ଏ ହାତ ବି ତୋର
ଏ ଯୁଦ୍ଧ ବି ତୋର, ଜିତିବାକୁ ହେବ ।
ଜିତିବାକୁ ହେବ ଏ ଯୁଦ୍ଧ ତୋର
ଯିଏ ଯେତେ ପାରୁଛ ଲୁଟି ନିଅ
ମୁଁ ଲୁଟି ଯିବାକୁ ତୟାର ।
ମୁଁ ଆକାଶଟିଏ ହେଇଯାଏ
ତୁ ତାରାଟିଏ ହ’
ମୁଁ ଅଂଧାରଟିଏ ହୁଏ
ତୁ ଜୁଲୁଜୁଳିଆ ପୋକ
ମୋ କାଦୁଅ ପଂକରେ ଫୁଟୁ ତୋର କଇଁ
ମୋ ଚଲାପଥର ଧୂଳିରେ ରହୁ
ଚିହ୍ନ ତୋ ପାଆର ।
ମୁଁ ଗୋପୀଟିଏ ହୁଏ ତୁ ବଂଶୀଟେ ହୋଇଯା
ମୁଁ ଛୁଆଟିଏ ହୁଏ ତୁ ମାଆଟେ ହୋଇଯା
ତୋ କଲିଜା ତୋର, ତୋଠି ଥାଉ
ତୋ କଲିଜା କାଟିବାରେ ଲୋଭ ନାଇଁ ମୋର ।
ନା
ନା, ମୁଁ ତୋ ରକ୍ତ ଜରଜର କଟା ବୁଢ଼ା ଆଂଗୁଳିର
ଭୁଖା ନୁହେଁ
ମୋତେ ଟିପେ ଭଲପାଇବାର ଲୁଣ ଦରକାର
ନେ, ନେ ମୋ କଲମର ହତିଆର, ତୋର ।