ଛୋଟ ପୃଥିବୀର ଦୁଇଟି ଜୀବ
'ରିତେଶ୍ ବାବୁ, ଆପଣଙ୍କ ବାପା ଆସିଛନ୍ତି'।
ପିଅନ ଠାରୁ ଖବର ପାଇ ମୁଁ ଆଶ୍ଚର୍ଯ୍ୟ ସହିତ ବିରକ୍ତ ବି ହେଇଗଲି।
'ବାପା?' ମୁଁ ଏତକ କହିଛି, ବାପା ଆସି ମୋ ସାମ୍ନାରେ।
ଏହି ବ୍ୟାଙ୍କ୍ ର ମ୍ୟାନେଜର ହେଇଥିବାରୁ ରୁମଟିଏ ମିଳିଛି ।
ଏତେଦିନ ପରେ ବି ବାପାଙ୍କୁ ଦେଖି ନା ନମସ୍କାର କଲି, ନା କିଛି ପଚାରିଲି ।
' କେତେ ଖୋଜିଲି ତତେ। ପାଞ୍ଚ ବର୍ଷ ଲାଗିଗଲା ତୋ ଖବର ପାଇବାକୁ।'
ମୁଁ ଏକଦମ୍ ଚୁପ୍।
'ତତେ କ'ଣ ଆମେ କେହି ମନେପଡୁନୁ।' ବାପା କାନ୍ଦ କାନ୍ଦ ହେଇ ପଚାରିଲେ।
' ଅଫିସ୍ ମୋର। କନ୍ଦାକନ୍ଦି କରନି।' ମୋ କାନକୁ ବି ମୋ ସ୍ବର କଠୋର ଶୁଭୁଥାଏ।
'ତୁ ଚାକିରି ପାଇଲୁ। ଏତିକି ବି କହିଲୁନି।'
ମୁଁ କେବଳ ଚାହିଁଥାଏ।
'ଘରକୁ ଚାଲେ। ମା କହିଛି।' ବାପା କହିଲେ।
' ନାଇଁ' ପୁଣି ସେଇ କଠୋର ସ୍ବର।
ବାପା ମନ ଦୁଃଖ ରେ ସେଦିନ ଫେରିଗଲେ। ମତେ କିଛି କଷ୍ଟ ହେଲାନି। ଭାବିଲି ସେଇ ବିଷୟରେ । ମୁଁ ଅମଣିଷ ତ ନୁହଁ । ତାହେଲେ ମୁଁ ଏମିତି କାହିଁକି?
ବାପାଙ୍କୁ ଦେଖି ପିଲାଦିନ ପୁଣି ଉଖୁରି ହେଲା ମନରେ।
'ପୁଅ କହିଲୁ ସାତ ରେ ପାଞ୍ଚ ମିଶିଲେ କେତେ।'
'ବା ଆ ଆ ର ।'
ପାଟିରୁ ଏତିକି ବାହାରିବା ଆଗରୁ ମୁଣ୍ଡ ରେ ମାଡ ଗୋଟିଏ ବସି ସାରିଥାଏ।
' ଖେଳିବା ବେଳେ ତ ମୁହଁ ଖୁସିରେ ଉଜ୍ଜ୍ବଳ ହେଇଯାଉଛି। ଏତିକି ପଚାରିଲେ ଭାବିବାକୁ କାହିଁକି ପଡୁଛି?'
ସେତିକିରେ ସରେନି ବାପାଙ୍କ ଦାଦାଗିରି।
' ଆରେ ଅମୁକ କହିଲୁ ପାଞ୍ଚ ରେ ସାତ ମିଶିଲେ କେତେ?'
' ବାର ପା'....'
' ଶୁଣୁ ଦେଖେ, ମୋ ପାଟିରୁ ପ୍ରଶ୍ନ ସରିନି ଉତ୍ତର ରେଡି।'
ପୁଣି ମୋ କାନ ମୋଡିଦିଅନ୍ତି।
ଏଇ ସବୁ ସେତେବେଳେ ହୁଏ, ଯେତେବେଳେ ମୁଁ ସାଙ୍ଗ ମାନଙ୍କ ସହିତ ଖେଳୁଥାଏ ଘର ସାମ୍ନାରେ ଓ ବାପା ଘର କବାଟ ପାଖ ପାହାଚରେ ବସି ଦେଖୁଥାଆନ୍ତି।
ନା' ଭଲ ପିଲା ନୁହଁ ମୁଁ । କେହି ମୋ ଉଦାହରଣ ଦିଅନ୍ତି ନାହିଁ । ବାପାଙ୍କ ବ୍ଲଡପ୍ରେସର୍, ସୁଗର ସବୁ ବଢିଯାଏ ମୋ ପାଇଁ। ମା' କାନ୍ଦି କାନ୍ଦି ତା' ଆଖି ଖରାପ ହେଇଗଲାଣି। ସେମାନଙ୍କ ହସ ହସ ମୁହଁ ମତେ ଦେଖିଲେ ମଉଳି ଯାଏ।
ମୁଁ କିନ୍ତୁ ଡରୁଆ ପିଲା ଜଣେ । ମୁଁ ମୋ ମନ କଥା କହିପାରେନି। ମୁଁ କେବେ ବି କହିନି ଯେ ମତେ ମେଥ୍ ଭଲଲାଗେନି । ମୁଁ କରିବାକୁ ଚାହେଁନି । ମତେ ସାହିତ୍ୟ ଭଲ ଲାଗେ । ମୁଁ ଇତିହାସ ବି ପଢିବାକୁ ଚାହେଁ । ବିଜ୍ଞାନ ବି ଭଲ ପାଏ ମୁଁ । ମତେ ମେଥ୍ ଦେଖିଲେ ବାପାଙ୍କ ଆଖି ଦେଖାଯାଏ । ମା' ଙ୍କ ଦଃଖ ମନେପଡେ । ପିଲାବେଳେ ମେଥ୍ ପାଇଁ ଖାଇଥିବା ମାଡ ମନେପଡେ । ଉପର ମୁଣ୍ଡରେ ଧକ୍ ଧକ୍ ହେଇ ଶୁନ୍ ହେଇଆସେ। ଆଉ ମତେ କିଛି ଶୁଭାଯାଏନି।
ମତେ ଅପମାନ ଦିଆଯାଉଥାଏ । ସମସ୍ତଙ୍କ ସାମ୍ନାରେ ।
ମୁଁ ମୁଣ୍ଡ ତଳକୁ କରି ଠିଆ ହୁଏ।
ଭୟା, ଭୀଷଣ ଭୟ।
କହିପାରେନି ଯେ, ମୁଁ ପଚାରୁଚି ତମେ କୁହ ଅଠର ରେ ପାଞ୍ଚ ମିଶିଲେ କେତେ।
ତମେ କୁହ ତେର ଶତାଁ କେତେ।
ମୁଁ ଅପରାଧୀ।
ମୋ ଅପରାଧ ହେଲା ମୁଁ ଜନ୍ମ ନେଇଛି।
ବାପା ଯେବେ ମତେ 'ପୁଅ' ଡାକନ୍ତି ମୁଁ ଡରିଯାଏ।
ରେବିଟ ସ୍ପେଲିଙ୍ଗ ଟା କହିଲୁ
ମୁଁ ଲହରେଇକି କହେ, ' ହଁ, ରେବିଟ୍? ... ଛେପ ଢୋକି, ଆର୍, ଏ,ବି..ହଠାତ ଆଉ କିଛି ମନେପଡେନି।
ବାପାଙ୍କ ଦୀର୍ଘ ନିଃଶ୍ବାସ ଶୁଣାଯାଏ ।
'ମୋ ପୁଅ ଏତେ ମୂର୍ଖ ହେବ ଭାବିନଥିଲି।'
ମା' କହେ , ' ରୁହ, ତମେ ଏତେ ବ୍ୟସ୍ତ ହେଲେ କ'ଣ ହବ?'
ତମ ଦେହକୁ ଦେଖ। ଛାଡ ତା' କଥା। ଦିନସାରା ତା କଥା କାହିଁକି ଭାବୁଛ?'
ପୁଣି ମତେ କହେ ,' ତୁ ଯାଆ, ଟିକେ ପଢ୍। ଦେଖ୍ ତୋ ବାପା ତୋ ଚିନ୍ତାରେ କ'ଣ ହେଲେଣି।"
ମନ ହଉଥାଏ କହିବାକୁ, ଯିଏ ଯାହା କାମ କରୁନ। ମତେ କାହିଁକି ଦିନରାତି ସ୍ପେଲିଙ୍ଗ, ମେଥ୍ ସବୁ ପଚାର ? ମୁଁ କ'ଣ ତମକୁ ତମ ଅଫିସ୍ କାମ ପଚାରେ?
ମା' ଙ୍କୁ ପଚାରେ କି' ମୁଁ ଯେ ତରକାରିରେ କେତେ ଲୁଣ ପକେଇଲ?
ମୋର ବି ଇଛ୍ଛା ହୁଏ, ବାପାଙ୍କ ସାଥିରେ ବୁଲିଯିବି। ଅଳି କରିବି ମୋ ପାଇଁ କିଛି କିଣେଇଦେବାକୁ। ମା' ଙ୍କ କୋଳରେ ବିନା ଚିନ୍ତାରେ ଗଡିଯିବି। ଘରେ ମୋ ମନ ହିସାବରେ, ଉଚ୍ଚ ସ୍ବରରେ କଥାହେବି। ଗୀତ ଗାଇବି। ମତେ ପାଟିକଲେ ମୁଁ ବି ପାଟି କରିବି। ମୋରବି ରାଗିବା ଅଧିକାର ଅଛି। ଖୁସି ହେବା ଅଧିକାର ଅଛି।
ମୁଁ ଯେ ଧସିଯାଉଛି, ବାପାଙ୍କ ଦୀର୍ଘ ନିଃଶ୍ବାସ ଓ ମା'ଙ୍କ ଲୁହ ତଳେ। କ'ଣ ତମେ ଦି'ଜଣ ଯାଣି ପାରୁଛ?
ବାପାଙ୍କ ଲାଗି ମୋ ସାଙ୍ଗ ମାନେ ବି ମତେ ମୁର୍ଖ ବୋଲି ଭାବନ୍ତି।
ମୋ ସହ ସାଙ୍ଗ ହୁଅନ୍ତି ନାହିଁ।
ଆଜି କେତେ ମାଡ ଖାଇଚୁ ପଚାରନ୍ତି।
ଦୁଇ ରେ ଦୁଇ ମିଶିଲେ କେତେ ପଚାରନ୍ତି।
କେବଳ ମୋ ରାଜା ପଚାରେନି।
ମୋ ଡଗି। ବୁଝିପାରିଲନି?
ମୋ ପୋଷା କୁକୁର।
ମୁଁ ମାଡ ଖାଇଲେ ସେ ଜଣେ ଯିଏ ଖୁସି ହୁଏନି।
ମୋ ଗୋଡରେ ଆସି ଘଶି ହୁଏ।
ପରିକ୍ଷା ପେପର୍ ପାଇବା ଦିନ ମୋ ମରଣ ଦିନ ଭଳି ଲାଗେ ମତେ।
ମୁଁ ଜାଣେ ମାଡ ଖାଇବି। ହେଲେ କେବେ ପେପର୍ ଲୁଚାଏନି।
ଭିଷଣ ମାଡ ଖାଏ। କେବେ କେମିତି ବେଲ୍ଟ ରେ ବି ବାପା ବାଡେଇଚନ୍ତି।
ସେ ଦିନ ରାଜା ଖାଏନି। ତା' ଆଖିରୁ ଲୁହ ବାହାରି ଶୁଖି ଆସିଥାଏ।
ଏହି ସବୁ ଦିନ ସମୟ କ୍ରମେ ସରିଗଲାଣି ମୋ ଜୀବନ ରୁ। ବାପା, ମା' ବୁଝିଗଲେଣି ମୁଁ ଗୋଟିଏ ଦୁର୍ଭାଗ୍ଯ ସଦୃଶ ସେମାନଙ୍କ ପାଇଁ। ମୁଁ ବି ଜାଣେ ଯେ ମୁଁ ଜନ୍ମ ହେଇଥିଲି ଭଲ ପାଠ ପଢିବା ପାଇଁ ଯାହା ମୋ ଦ୍ବାରା ସମ୍ଭବ ହେଲା ନାହିଁ। ଦଶମ ସରିଲାଣି। ଭଲ ମାର୍କ୍ ନାହିଁ ବୋଲି ମୁଁ କଳା ର ଛାତ୍ର। ବର୍ତ୍ତମାନ ଅଲଗା ସମୟ ଚାଲିଛି। ବାପାଙ୍କ ସାଙ୍ଗସାଥୀଙ୍କ ପିଲା ସବୁ ମେଡିକାଲ, ଜେଇଇ ଭଲ ରେଙ୍କ୍ ସହିତ ଭଲ ଯାଗାରେ ପାଉଛନ୍ତି। ବାପା , ମା' ସେଇ କଥାବାର୍ତ୍ତା ହେଲେ ମୁଁ ରାଜା ସାଥିରେ ଖେଳିବା ଆରମ୍ଭ କରିଦିଏ। ରାଜା ବି ମୋ କଥା ଠିକ୍ ବୁଝେ। ସେ ଆହୁରି ଉତ୍ସାହିତ ହେଇ ଖେଳେ।
ଯେହେତୁ ମୋ ସାଙ୍ଗ ସାଥୀ ବିଶେଷ ନଥାନ୍ତି, ମୁଁ କୁକୁର, ବିଲେଇ ଏହି ମାନଙ୍କ ସହିତ ଅଧିକ ଜଡିତ। ରାଜା ମୋ ଘରପାଖ ରାସ୍ତାର କୁକୁର ଛୁଆଟି। ତା ଅନେକ ଭାଇଭଉଣୀ ଭିତରୁ ଏଇଟି ଦୁର୍ବଳ। ଗୋଟିଏ ଗୋଡ ବି ଛୋଟେଇ ଚାଲେ। ସବଳଙ୍କ ଭିଡରେ ଦୁର୍ବଳ ର ସ୍ଥିତି ସବୁବେଳେ ନିରାଶାଜନକ। ମୁଁ ମୋ ସହିତ ହେଇ ଆସିଥିବା ଅନ୍ଯାୟ ପାଇଁ କିଛି କହିପାରେନି। ତେଣୁ ସବୁ ରାଗ ଶୁଝେଇ ଦିଏ, ଏହି ଦୁର୍ବଳ କୁକୁର ଛୁଆଟି କୁ ଅସୁବିଧା କରୁଥିବା ପ୍ରତି କୁକୁର ସହିତ। ତା' ମୋ ଭିତରେ ବନ୍ଧୁତ୍ବ ବଡ ଟାଣୁଆ। ସେ ଛୋଟେଇ ଛୋଟେଇ ମୋ ପଛରେ ଧାଇଁ ଥାଏ। ମୁଁ ତା' ସହିତ ଖେଳେ। ଗେଲକରେ।ଖାଇବାକୁ ଦିଏ।
ଥରେ ମୁଁ ସ୍କୁଲ ରୁ ଫେରିବା ବେଳେ ଦେଖେ, ଏହି କୁକୁର ଛୁଆଟିର ଅବସ୍ଥା ଖରାପ। ତାକୁ ଅନ୍ୟ କୁକୁର ମାନେ କାମୁଡା କାମୁଡି କରି ରକ୍ତାକ୍ତ କରିଛନ୍ତି। ମୋ ଛୋଟ ହୃଦୟଟି ମନ୍ଥି ହେଇଗଲା। ଉଠେଇ ଆଣିଲି ତା'କୁ ଘରକୁ। ବାପାଙ୍କ ସହିତ ଡାକ୍ତରଖାନା ନେଇ ଯତ୍ନର ସହିତ ବନ୍ଚେଇଦେଇ ପାରିଲି। ମୋ ଜୀବନର ଏହା ଏକ ଉପଲବ୍ଧି ଭଳି ଲାଗିଲା। ସେହି ଦିନଠୁ ତା ନାଁ ରାଜା ଦେଲି ଓ ସେ ମୋ ପାଖେ ରହିଲା। ଅନ୍ୟ କୁକୁର ଭଳି ଅଧିକ ଯତ୍ନ ନେବା ଦରକାର ହୁଏନି ରାଜା ପାଇଁ। ମୁଁ ଯାହା ଖାଏ ସେ ବି ସେୟା ଖାଏ। ମୋ ପାଖେ ରହେ। ରାତିରେ କେବଳ ବାହାରେ ଶୋଏ।
ଆଜିକାଲି ମୁଁ ଆଉ ଗାଳି ଶୁଣୁନି। ମୋର ଓ ମୋ ବାପା,ମା' ଙ୍କ ଦୁନିଆ ଅଲଗା ହେଇ ଗଲାଣି। ମୁଁ କ'ଣ ପଢୁଛି ସେମାନେ ଜାଣିବା ପାଇଁ ଆଗ୍ରହୀ ନୁହଁନ୍ତି। ମୁଁ ବି କହିବାକୁ ଚାହେଁନି ଯେ ଇତିହାସ (ସମ୍ମାନ) ନେଇ ଡିସ୍ଟିଙ୍ଗସନ୍ ସହିତ ମୁଁ ମୋ ସ୍ନାତକ ସାରିଲିଣି। ମୁଁ ପିଲାଙ୍କୁ ପଢାଏ। ଭଲ ଭାବେ ମୋ ଖର୍ଚ୍ଚ ଉଠିଯାଏ। ଘରେ କେବଳ ଥରେ ଖାଏ। କିଛି କିଛି ଜିନିଷ ଘର ପାଇଁ ନେଇଆସେ। ବାପା ପଚାରନ୍ତି ପଇସା କଥା। ମୁଁ କିଛି ଉତ୍ତର ଦିଏନି।
ମୋ ରାଜା, ଆଉ ମୁଁ। ମୋ ପଢା ଓ ପଢେଇବା କାମ। ତା ଛଡା ମୋର କିଛି ଇଛ୍ଛା ନଥାଏ। ଦରକାର ବି।
ମୁଁ ବେଙ୍କ୍ ରେ ଚାକିରି ପାଇଗଲି। ଘରେ କିଛି କହିନି। ହଠାତ୍ ଦିନେ ମୋ ବେଗ୍ ଓ ରାଜାକୁ ଧରି ବାହାରି ଆସିଲି। ମା' ପଛରେ ଦଉଡି ଆସିଲେ। ମତେ ତାଙ୍କୁ କିଛି ବି କହିବାକୁ ଇଛା ହେଲାନି। ମୋ ପୋଷ୍ଟିଙ୍ଗ୍ ଜାଗାକୁ ଚାଲିଲି।
କୋଉଠି କ'ଣ ଗୋଟିଏ ବିଗିଡ଼ିଗଲା କେଜାଣି? ବଡ ହେଉ ହେଉ ମୁଁ ଏତେ ବଡ ହେଇଗଲି ଯେ, ମୋ ମନରୁ ସୁକ୍ଷ୍ମ ଭାବନା ସବୁ ଦୁରେଇଗଲା। ବାପା ଆଜି ଅତି ଦୟନୀୟ ଦେଖାଯାଉଥିଲେ। କିନ୍ତୁ ମୋ ହୃଦୟକୁ ବାଧୁନି କାହିଁକି? ମା'ଙ୍କ ମୁହଁ କାହିଁକି ମନେପଡୁନି? ମୋ ଛାତି ଭିତରେ ଶିରା , ଧମନୀ ମାନେ କ'ଣ ସକ୍ରୀୟ ନାହାନ୍ତି? ମୁଁ କାଇଁ କାନ୍ଦୁନି ତ? ମନ ଖୋଲିକି କେବେ ହସିଥିଲି ବି ମନେନାଇଁ।
ଘରେ ପହଞ୍ଚିବା ବେଳେ ସବୁଦିନ ଭଳି।