ଅସୁନ୍ଦରୀ ଝିଅର ହସ
ଏତେ ହସିବା କ'ଣ ଦରକାର ?
ଏମିତି କାଇଁ ହସୁ ସତେ,
ଯେମିତି :
ସୁନେଲି ଜଳରାଶିର ଝରଣା,
ନୂଆବୋହୁ ର ଅମାନିଆ ଗହଣା,
ଅଭିଆଡ଼ି ଝିଅ ର ଅନଭ୍ୟସ୍ତ ଓଢଣା।
କେମିତି.....
କୋଉଠୁ ପାଉ ଏଇ ହସ ?
ତୋ ଜୀବନ ରେ,
ତୋ ପାଇଁ କେହି ଆଶା କରିନାହିଁ,
ତୁ କାହାର ସପନ ରେ ଆସୁନାହିଁ,
ତୋ କଥା କେହି ତ' ବୁଝେନାହିଁ ।
କେଜାଣି.......
ତଥାପି ତୁ କାହିଁକି
ପରିବାର ପାଇଁ ଭଲ ମନାସୁ,
କେତେ ବ୍ରତ, ଓପାସ କରି ବସୁ,
ଆଖି କୋଣରୁ ଲୁହକୁ ପି' ପୁଣି ହସୁ ।
କେବେ ବୁଝିବୁ....
ତୁ ପରା କାଳି ଅସୁନ୍ଦରୀ ଝିଅ,
ତୋତେ ଦେଖି କେହି ଫେରି ଚାହିଁନି,
ତୋ ସପନରେ କେହି ବିଭୋର ହେଇନି,
ଅନ୍ଧାର ଭିତରେ ତୋ ଦେହଭୋଗି
ସକାଳେ ସରାଗ ଦେଖାଏନି।
ତଥାପି....
ତୁ ହସୁ,
ହସି ହସି
ଏହି ସୁନ୍ଦର ମଣିଷ ଗୁଡିକୁ କ'ଣ କହୁ?
ଏତେ କ୍ଷମା ତୋ ଭିତରେ ଆସେ କାହୁଁ?
ତୁ କ'ଣ ସମସ୍ତଙ୍କୁ ଭଲପାଉ?
କହ ନା'
ଏତେ ହସିବା କ'ଣ ଦରକାର?