ସାପକାତିର ଜୀବନ
ମାୟା ପରି କିଛି
ଏମିତି ଲାଗିଛି ଯେ
ଛାଡିବାର ନାଁ ନେଉ ନାହିଂ ।
ବଦଳିଲିଣି ଘର ଠିକଣା
ସହର , ଚାକିରି , ବନ୍ଧୁ ସହୋଦର
ହେଲିଣି ନିଜ ପାଇଁ ନିଜେ ବାଟବଣା
ତଥାପି ଏମିତି ଲାଗିଛି ଯେ
ଛାଡିବାର ନାଁ ନେଉ ନାହିଂ ।
ମୋହ ବୋଲି ଜାଣିଥିଲି
ତଥାପି ଫସିଲି
ଗଳାରେ ଲଗେଇଲି , ଆଲିଙ୍ଗନ କଲି
ଆପଣାର ଭାବିଲି
ତମେ ଯାହା କହୁଛ ପଛେ କୁହ
କିଛି ମାୟା ପରି ଘାରି ହେଉଛି
ଏବେ ନିଜ ଛାଇ ଛାଡିଦେବାର ବେଳ
ତଥାପି ଏମିତି ଲାଗିଛି ଯେ
ଛାଡିବାର ନାଁ ନେଉ ନାହିଂ ।
ଆଉ ପାରିହେବନି ।
ବୁଝିହେବନି । ଉତ୍ତର ଲେଖିହେବନି ।
ଦୃଶ୍ୟ ଆଙ୍କି ହେବନି ।
କୁହୁଡି ପରି ପାଚେରୀଟିଏ ଥାଇ ବି
ହୃଦୟ ଉପରେ ଆସୁନି ଭରସା
ଏବେ ଘାଟରୁ ଘଟ ଛାଡିବାକୁ ହେବ
ସାପକାତିର ଜୀବନଟିଏ ବଞ୍ଚିବାର ପ୍ରସ୍ତୁତି
ଆରମ୍ଭ କରିବାକୁ ହେବ ।
ହେଲେ ସାପ କାତି ଛାଡିଦେଲେ
ସାପ କି ହୋଇ ରହେନା, ଅବା
ସାପ କାତି ହରାଏ ପରିଚୟ ?
ଜୀବନର ମାୟାରେ ଠିକ ଏମିତି
କିଛି ଛାଡିବାକୁ ହେବ
ବାରମ୍ବାର ଛାଡିବାକୁ ହେବ ।
ନ ହେଲେ ସାପ କେମିତି ଜୀଇଁବ ।
ସମ୍ପାଦକ –ଗଞ୍ଜାମର କବିତାଘର
ପଶ୍ଚିମେଶ୍ଵର ମନ୍ଦିର ବାରିବନ୍ଧ
ଆଙ୍କୁଲି, ବ୍ରହ୍ମପୁର ସହର
ଗଞ୍ଜାମ -୭୬୦୦୧୦