ବାହାନଗା
ଫେରି ପାରିନଥିବା ସ୍ୱପ୍ନମାନେ
ଶୋଇପଡ଼ିଛନ୍ତି ଅପନ୍ତରାରେ
କେତେ ତ ପଚିସଢି ଗନ୍ଧେଇ ଗଲେଣି
କିନ୍ତୁ ସେମାନଙ୍କ ଲାଗି ଗୋଟିଏ ବି ଝରକା
ଖୋଲି ପାରିଲୁ ନାହିଁ ଆମେ ନିଜ ହୃଦୟରେ ।
ସେମାନଙ୍କ ଗୋଡ଼ ଗୋଟେ ପଟେ ତ
ହାତ ଆଉ କୁଆଡ଼େ
ଦେହ ଗୋଟିଏ ଯାଗାରେ ତ
ମୁଣ୍ଡ ଆଉ କୋଉଠି
ଦେହ ଅଛି ତ ରକ୍ତ ନାହିଁ
ହାତ ଅଛି ତ ଆଂଗୁଠି ନାହିଁ
ଗୋଟିଏ ଆଖିରେ ଜମାଟ ବାନ୍ଧିଛି
ଆତଙ୍କ ତ ଅନ୍ୟଟିରେ ରକ୍ତ
ଆମେ ଦେଇ ପାରିଲୁନି
ସେମାନଙ୍କ ଆଖିକୁ ଗୋଟିଏ ବି ଦୃଶ୍ୟ ।
କୁଆଡ଼େ ଯାଉଥିଲେ ସ୍ୱପ୍ନମାନେ
ବାହାନଗା ତ ମୋଟେ ନୁହେଁ
ସେ ସ୍ୱପ୍ନମାନଙ୍କୁ ଦେଖିବାକୁ ଆସିଥିବା
ଆତ୍ମୀୟମାନେ ଦେଖିପାରିଲେ
ନାହିଁ ତାଙ୍କ ଚେହେରା
ମୁଣ୍ଡ ବାଡ଼େଇ କାନ୍ଦିବା ଲାଗି
ପାଇଲେ ନାହିଁ ଛାତି
ଶେଷ ଚୁମା ଲାଗି
ପାଇଲେ ନାହିଁ ଓଠ ଅବା ଗାଲ
ଶେଷ ମୁଣ୍ଡିଆ ଲାଗି ପାଇଲେ ନାହିଁ ପାଦ ।
ଜାଣିପାରିଲେ ନାହିଁ
ଅତି ସରାଗରେ ଦେଇଥିବା
ରୁଟି ଭଜା ଚୁଡ଼ା ଖାଇଥିଲେ କି ନାହିଁ ସେମାନେ
ମୋବାଇଲ୍ରେ ପଠେଇଥିବା
ଶେଷ ମେସେଜ୍
ପଢିଲେ କି ନାହିଁ ସେମାନେ
କହିବାକୁ ଶୁଣିବାକୁ ଥିବା କଥା ସବୁ
ଅଣ୍ଡାଳିବାକୁ ଆସିଥିଲେ ଦୂରୁ ବହୁ ଦୂରୁ
ହେଲେ କଥା ସବୁ ହେଇସାରିଥିଲା ବାଷ୍ପ
ଚାଦର ପରେ ଚାଦର ଆଡ଼େଇ
ଅନେକେ ଖୋଜିପାଇଲେ ନାହିଁ
ସେମାନେ ଖୋଜୁଥିବା ସ୍ୱପ୍ନମାନଙ୍କର ଦେହ
ସେମାନଙ୍କ କୋହ ଲାଗି
ଆମେ ଦେଇ ପାରିଲୁ ନାହିଁ ଗୋଟିଏ ବି ଶବ୍ଦ ।
ଏତେ ସ୍ୱପ୍ନମାନଙ୍କୁ କିଏ କରିଦେଲା ଶବ?
ଭାଗ୍ୟ ନା ଈଶ୍ୱର
ନା ବାହାନଗାର ସେ ସ୍କୁଲ ଘର
ଯେଉଁଠି ଆମେ ସେମାନଙ୍କୁ କରିସାରିଲୁଣି ଭୁତ
ଦେଇପାରିବେକି ଉତ୍ତର
ଆହତଙ୍କ ଆର୍ତ୍ତଚିତ୍କାର,ଆକୁଳ ନିବେଦନ ଓ
ପାଣି ଟୋପାଏ ପାଇଁ ବ୍ୟାକୁଳତାକୁ
ସ୍ୱେଛାରେ ପହଁଚିଥିବା
ତମାମ ଉଦ୍ଧାରକାରୀ ମହାମାନବ
ଉତ୍ତର ଦେବକି
ସେ ରେଲ ଧାରଣା
ଲାଲ ସବୁଜ ସିଗ୍ନାଲ
ରକ୍ତାକ୍ତ ବଗି
ନା ଆମେ ପଚାରି ପାରିବା
ସେ ଏକାଅଶୀଟି ଠିକଣାହୀନ ସ୍ୱପ୍ନଙ୍କୁ
ଯେଉଁମାନଙ୍କର ପରିଚୟ
ଖୋଜିପାରିଲା ନାହିଁ ଏ ଦେଶ
ଆମେ ଜୁଟେଇ ପାରିଲେନି
ସେମାନଙ୍କର ଜଣେ ବି ଆତ୍ମୀୟ ।
ଯିଏ ଦେଇପାରିଥାନ୍ତା ଉତ୍ତର
ମାଇକ୍ ଧରି ରଡ଼ୁଛି ବନ୍ଦେ ମାତରମ
ଭାରତ ମାତାକି ଜୟ
ସେ ତୋଳି ଧରୁଛି
ଏମିତି ଏକ ମାଆର ମୁହଁ ଯେ
ନିଜ ଛୁଆଙ୍କୁ ଶବ ହେବାର ଦେଖି ବି
ତା ଆଖିରେ ଚିକ୍ ଚିକ୍ କରୁନାହିଁ ଲୁହ ।