ଅନାବନା କିଛି

ଅନାବନା କିଛି

ଗୋଟେ ବ୍ୟୂହ ରଚନାର 
ଅହଂକାର ନେଇ 
ତୁମେ କଣ ଏ ଅସମାପ୍ତ  ସମ୍ପର୍କକୁ 
ନାଁ ଟେ ଦେଇ ପାରିବ । 

ବିଜବିଜାଇ ଯାଇଥିବା ଗୋଟେ 
ଅଧା ଚୋପାଛଡା ଘା' ପରି ଏ ଋତୁ 
ମେଘଭର୍ତ୍ତି ଆକାଶ ପରି ଥମଥମ । 

ଆଉ ଗର୍ଭକଷ୍ଟର ଅକୁହା 
ଯନ୍ତ୍ରଣା ପରି ଏ ପ୍ରେମ,  
ଯାହାକୁ ମୁଁ  ପୁଞ୍ଜି କରି ଭୋଗୁଛି 
ଗଞ୍ଜେଇର ନିଶା ପରି ।   

ତୁମେ ମୋର ସ୍ମୃତିକୁ 
କୀଟଦଷ୍ଟ ପରି ଆଡେଇ ଦେଇ ଯାଇ ପାର 
ମନା ନାହିଁ  ; 
ତେବେ  କୁହ ଏ ଆକାଶଭର୍ତ୍ତି  ଭଲପାଇବା ନେଇ 
ମୁଁ ଯିବି  ଯଦି କୋଉ ଗାତକୁ । 

ମୁଁ ଜାଣେ ଉତ୍ତର ପାଇଁ ଅସମର୍ଥ 
ତୁମ କଣ୍ଠ , 
ସେଥିପାଇଁ ତ ଧାରେ ହସରେ 
ତୁମ ଅସହାୟତାକୁ କ୍ଷମା କରିଦେଲି । 

ଯାଅ 
ବାଟ ଲାଗି ମୁଣାଭର୍ତ୍ତି  ଭଲପାଇବା ଦଉଛି 
ପାରିବ ତ ସବୁ ଖର୍ଚ୍ଚ କରିଯାଅ ।