କାଫକାଙ୍କ ସହର -୩

କାଫକାଙ୍କ ସହର -୩

‘ଭଲପାଇବାରେ କ’ଣ ଲାଭ କ୍ଷତି ଥାଏ ?’ ମୁଁ ପଚାରିଲି । ମୋ ଆଡକୁ ଚାହିଁଲା ଜୁନ୍, କିଛି କହିଲାନି । ମୁଁ କିଛି ଗୋଟେ କହିବାକୁ ଚାହୁଁଥିଲି, କିନ୍ତୁ ନିରବ ରହିଲି । ସେ ପୁଣି କହିଲା, 'ମତେ ତ ଲାଗେ, ଏ ଲୋକମାନେ କାଫ୍କାଙ୍କ ବଦଳରେ ତାଙ୍କ ବନ୍ଧୁ ବ୍ରଡ଼ଙ୍କୁ ଭଲପାଇବା କଥା ! ସେ କଷ୍ଟ କରି କାଫ୍କା ଛାଡିଯାଇଥିବା ହାତଲେଖା ସବୁକୁ ପ୍ରକାଶିତ କରିନଥିଲେ, କିଏ ଚିହ୍ନିଥାନ୍ତା ତାଙ୍କୁ ?'

 'ମୁଁ ବି ବ୍ରଡ଼ଙ୍କ ବିଷୟରେ ବେଳେବେଳେ ଭାବେ । ସେ କାହିଁକି ଏତେ କଷ୍ଟ କରି କାଫ୍କାଙ୍କ ଲେଖାସବୁକୁ ପ୍ରକାଶିତ କଲେ ? କାଫ୍କା ତ ସ୍ପଷ୍ଟ କହିଯାଇଥିଲେ ମୃତ୍ୟୁ ବେଳେ, ଯେ ତାଙ୍କର ସବୁ ଡ଼ାଇରୀ, ସବୁ ପାଣ୍ଡୁଲିପି ଓ ସବୁ ଚିଠିକୁ ନ ପଢି ପୋଡିଦେବା ପାଇଁ ! ତଥାପି ବ୍ରଡ଼ ସେସବୁକୁ ଏକାଠି କଲେ, ଛପେଇଲେ । ଏଥିରୁ ତାଙ୍କୁ କି ଲାଭ ମିଳିଲା କେଜାଣି !'

 ‘ଏବେ ପରା କହିଲ ତୁମେ, ଯେ ଭଲପାଇବାରେ ଲାଭ କ୍ଷତି ନଥାଏ ବୋଲି ! ପୁଣି ନିଜେ ହିଁ ପଚାରୁଚ ?’

ମୋରି କଥାକୁ ଖୁବ ଚତୁରତାର ସହ ମୋରି ଆଡକୁ ଫେରେଇଦେଇ ଜୁନ୍ ମୁରୁକି ହସୁଥାଏ ସେତେବେଳକୁ । ତା’ ହସରେ ମିଶିଥାଏ କିଛି ପିଲାଳିଆ ଅହଂକାର । କାହିଁକି କେଜାଣି, ତା’ ଚେହେରାରେ ସେ ଚପଳତା ଭାରି ଭଲ ଲାଗିଲା ମତେ । ଖୁବ ନିରୀହ ଦିଶୁଥାଏ ସେ । ତା’ ଆଖିରେ ଆଖି ମିଶେଇଲି ମୁଁ, ଚାହିଁରହିଲି ଅପଲକ । ସେ ବି ଚାହିଁରହିଲା ଘଡ଼ିଏ । କିଛି ସମୟ ପରେ ତା’ ଓଠରୁ ଉଭେଇଗଲା ହସ, ଗମ୍ଭୀର ଦିଶିଲା ସେ, ଗମ୍ଭୀର, ଅଥଚ ଶାନ୍ତ । ମତେ ଦେଖିବାକୁ ସଂକୋଚ ଲାଗିଲା କି କ’ଣ, ମୁହଁ ବୁଲେଇ ଚାହିଁଲା ଅନ୍ୟ ଆଡେ, ଓ କହିଲା, 'ମୁଁ ଜାଣେ, ଆଜି ସକାଳେ ମତେ ଦେଖିବା ପରେ ଏ ପ୍ରଶ୍ନଟି ତୁମ ମନକୁ ନିହାତି ଆସିଥିବି, ଯେ ବର୍ଲିନ୍ ନ ଯାଇ ମୁଁ ଏଠି କଣ କରୁଛି ! କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ମତେ ଥରୁଟିଏ ବି ଏ କଥା ପଚାରିନ । ସେଥିପାଇଁ ମୁଁ ରିଏଲି ଗ୍ରେଟଫୁଲ । ଏ ପ୍ରଶ୍ନର ଉତ୍ତର ଯଦି ବି ମୁଁ ଏବେ ନଦିଏ, ତୁମେ ମତେ ଭୁଲ ବୁଝିବନି ମୁଁ ଜାଣେ ! ତଥାପି ମୁଁ କହିରଖିବାକୁ ଚାହେଁ, ଯେ ଆଜି ସକାଳୁ ଦାନିଏଲ୍ ମୋ ସହିତ ସବୁ ସମ୍ପର୍କ ଛିଡେଇ ଦେଇଛି । ମୁଁ କାଳେ ବହୁତ ଫ୍ରାଜାଇଲ ଓ ଅନରିଅଲିଷ୍ଟିକ । ମୋ ସହିତ ରହିଲେ ତା’କୁ ଅଣନିଃଶ୍ୱାସୀ ଲାଗୁଛି । ସେଇଥି ପାଇଁ ବର୍ଲିନ୍ ଗଲିନି ମୁଁ ।'

 'ଫ୍ରାଜାଇଲ କଥା ତ ଜାଣିନି, କିନ୍ତୁ ଅନରିଅଲିଷ୍ଟିକ ଝିଅମାନେ ମତେ ବହୁତ ଭଲ ଲାଗନ୍ତି…।’

'କାହିଁକି ?'

'କାରଣ ରିଅଲିଷ୍ଟିକ ଚିନ୍ତାଧାରା ରଖୁଥିବା କୌଣସି ଝିଅକୁ ମୋ ଭଳି ମଣିଷ ଭଲ ଲାଗିବା ଆଦୌ ସମ୍ଭବ ନୁହେଁ !'

ମୋ କଥା ଶୁଣି ସେ ହସିବାକୁ ଲାଗିଲା । ତା’ ହସରେ ଖିଏ ହସ ମୁଁ ବି ମିଶେଇଲି । ଆମ ଦୁହିଁଙ୍କୁ ପାଗଳ ଭଳି ହସିବାର ଦେଖି ଆଖପାଖର କିଛି ଲୋକ ବି ହସିବାକୁ ଲାଗିଲେ । ଏତେ ଲୋକଙ୍କୁ ଏକାଠି ହସିବାର ଦେଖି ଆକାଶ ବି ହସିବାକୁ ଲାଗିଲା ହୁଏତ । ହସୁ ହସୁ ହୁଏତ କାନ୍ଦିଲା ସେ, ତା' ଆଖିରୁ ଝରିପଡିଲା ଲୁହ - ଝରିପଡିଲା ବର୍ଷା । ବର୍ଷାରୁ ବଂଚିବା ପାଇଁ ଆମେ ଦୁହେଁ ନିକଟସ୍ଥ ଟ୍ରାମ୍ ଷ୍ଟେସନକୁ ଦୌଡ଼ିଗଲୁ । ଠିକ ସେତିକିବେଳେ ଆମ ସାମ୍ନାରେ ଆସି ଅଟକିଲା ବତିଶ ନମ୍ବର ଟ୍ରାମ୍ । କିଛି ନଭାବି ଦୁହେଁ ପଶିଗଲୁ ଟ୍ରାମ୍ ଭିତରେ । ଗୋଟେ ପରେ ଗୋଟେ ଷ୍ଟେସନ ଟପି ଆଗକୁ ଆଗକୁ ଗଡିଚାଲିଲା ଟ୍ରାମ୍ । ପ୍ରାୟ ସାତ ଆଠ ମିନିଟ ପରେ ଟ୍ରାମ୍ ରହିଲା ପୋହରେଲେଚ ଷ୍ଟେସନରେ । 'ଏଇଠି ଓହ୍ଲେଇବା' କହି ଅଚାନକ ବସିବା ଜାଗାରୁ ଉଠିଗଲା ଜୁନ୍, ତା’ ପଛେ ପଛେ ମୁଁ ବି ଗଲି । ସେତେବେଳକୁ ବର୍ଷା ଟିକେ କମି ଯାଇଥାଏ । ବାହାରକୁ ଆସି ମୁଁ ପଚାରିଲି, ‘କ’ଣ ହେଲା, ଏଠି ବି ତୁମ ପସନ୍ଦର କ୍ୟାଫେ ଗୋଟେ ଅଛି ନା କ’ଣ ?’ ସେ କହିଲା, ‘ନା, ଏଠି ଏମିତି ଜାଗାଟିଏ ଅଛି, ଯାହା ତୁମକୁ ଖୁବ୍ ଭଲ ଲାଗିବ । ଆଇ ଆମ ସିଓର ।’ ଏତିକି କହିଦେଇ ସେ ଚାଲିବାକୁ ଲାଗିଲା ଏକମୁହାଁ ହେଇ । ମୁଁ ବାଧ୍ୟ ଶିଶୁଟିଏ ଭଳି ତା'କୁ ଅନୁସରଣ କଲି । ଅଳ୍ପ କିଛି ବାଟ ଚାଲିବା ପରେ ଆମେ ପହଂଚିଲୁ ଷ୍ଟ୍ରାହୋଭ ଲାଇବ୍ରେରୀରେ । ‘ଏ ଜାଗା ସହିତ କାଫ୍କାଙ୍କର କ’ଣ ସମ୍ପର୍କ ?’ ମୁଁ ପଚାରିଲି । ‘ମୋ ଜାଣିବାରେ ତ କିଛି ନାହିଁ ! କିନ୍ତୁ ମୁଁ ଯେ ସବୁକିଛି ଜାଣିଚି କାଫ୍କାଙ୍କ ବିଷୟରେ, ସେକଥା ସତ ନୁହେଁ ! ହୁଏତ କିଛି ସମ୍ପର୍କ ଥିବ ମୋ ଜାଣିବା ବାହାରେ ! ସେମିତି ବି, ଇଏ କାଫ୍କାଙ୍କ ସହର । ଏଠି ଏମିତି ଜାଗାଟିଏ ଖୋଜିପାଇବା କଷ୍ଟ, ଯାହା ସହିତ ତାଙ୍କର କିଛି ସମ୍ପର୍କ ନାହିଁ !’  ଜୁନ୍ ଠିକ କହୁଥିଲା । ଏ ସାରା ସହର କାଫ୍କାଙ୍କର । ଏ ସହରର କୌଣସି ଜାଗା ସହିତ କାଫ୍କାଙ୍କ ସମ୍ପର୍କ ବିଷୟରେ ପଚାରିବା ମୂର୍ଖାମି ଛଡା ଆଉ କିଛି ନୁହେଁ ।

ଟିକେଟ ନେଇ ଲାଇବ୍ରେରୀ ଭିତରକୁ ପଶିଯାଉଯାଉ ମତେ ଦିଶିଲେ ହାତ ଗଣତି କିଛି ଲୋକ । ସେତେବେଳ ଯାଏଁ ଜୁନ୍ ମୋ ହାତ ଧରିଥିଲା । ହଠାତ ମୋ ହାତ ଛାଡ଼ିଦେଇ ସେ ପଶିଗଲା ଥିଓଲୋଜିକାଲ ୱିଙ୍ଗ ଭିତରକୁ, ସେମିତି, ଯେମିତି ଛୁଆଟିଏ ନିଜ ଗୁରୁଜନଠୁ ହାତଛଡେଇ ଦୌଡ଼ିଯାଏ ପାର୍କ ଭିତରକୁ । ବହିସବୁକୁ ସେ ଖୁବ ଅନ୍ତରଙ୍ଗତାର ସହ ନିରେଖି ଦେଖୁଥାଏ । ରହି ରହି, ବହିଥାକରୁ ଝାଡିଦେଉଥାଏ ଧୂଳି । ମଝିରେ ମଝିରେ, ଗୁଣୁଗୁଣୁ ହେଇ ସେ କିଛି କହୁଥାଏ ବହିମାନଙ୍କ କାନରେ । ବହିମାନେ ବି ତା' କଥା ଶୁଣୁଥା'ନ୍ତି ହୁଏତ । କିଛି ସମୟ ତା'କୁ ଅନୁଧ୍ୟାନ କଲା ପରେ ମୁଁ ଜାଣିଲି ସେ ଏବେ ମତେ ସମ୍ପୂର୍ଣ ପାଶୋରିଦେଇଛି ବୋଲି । ଏଥିରେ ମୋର ବିଶେଷ ଆଶ୍ଚର୍ଯ୍ୟ ହେବାର ନଥିଲା, କାରଣ ଏ ବହିସବୁ ଥିଲେ ତା'ର ବେଶୀ ଆପଣାର, ମୁଁ ତ ଅଚାନକ ପଶି ଆସିଥିଲି ଜୀବନକୁ ତା'ର ଅଦିନିଆ ବର୍ଷା ଭଳି ! ତା'କୁ ତେଣୁ ତା' ବହିମାନଙ୍କ ସହିତ କଥାହେବାକୁ ଛାଡ଼ିଦେଇ ମୁଁ ଏକା ଏକା ବୁଲିବାକୁ ଲାଗିଲି । ଲାଇବ୍ରେରୀର ଥିଓଲୋଜିକାଲ ଓ ଫିଲୋସାଫିକାଲ ୱିଙ୍ଗ ଦୁଇଟିର ଭବ୍ୟତା ଦେଖି ମୁଁ ଅଭିଭୁତ ହେଲି । ଦୁଇପାଖର ସୁଦୃଶ୍ୟ ଥାକରେ ହଜାର ହଜାର ସଂଖ୍ୟାରେ ଦୁର୍ଲଭ ବହି, ମୁଣ୍ଡ ଉପରେ ଫ୍ରେସ୍କୋ ଶୈଳୀର ଅଦ୍ଭୁତ ଚିତ୍ରକଳା, ପାଦତଳେ କାଠର ଚଟାଣ, ଓ କାନ ଲମ୍ବିଥିବା ଯାଏଁ ନିରବତା ଯେ ନିରବତା । ଏସବୁକୁ ବୁଲି ଦେଖିଲା ବେଳେ ମତେ ସ୍ବପ୍ନ ଦେଖିଲା ଭଳି ଲାଗୁଥାଏ । ଗୋଟେ ଗୋଟେ ବହିକୁ ଛୁଇଁଲା ବେଳେ ମତେ ଲାଗୁଥାଏ ମୁଁ ଯେମିତି ଶହ ଶହ ବର୍ଷ ପୁରୁଣା କୌଣସି ଏକ କାଳଖଣ୍ଡର ରହସ୍ୟକୁ ଛୁଉଁଛି । ମୋଠୁ ଅଳ୍ପ ଦୂରତାରେ ଲାଇବ୍ରେରୀ ବୁଲି ଦେଖୁଥିଲେ ଦଳେ ଚାଇନିଜ ପର୍ଯ୍ୟଟକ । ସେମାନଙ୍କୁ ଗାଇଡ଼ କରୁଥିଲା ସତର ଅଠର ବର୍ଷର ଝିଅଟିଏ, ଯିଏ ଖୁବ ସୁନ୍ଦର ଭାବରେ ଲାଇବ୍ରେରୀର ଇତିହାସ ବିଷୟରେ ବୁଝେଇ ଚାଲିଥିଲା ସେମାନଙ୍କୁ । ଜୁନ୍ ଆହୁରି ଫେରିନଥାଏ ତା' ପ୍ରିୟ ବହିମାନଙ୍କ ପାଖରୁ ! ଏତିକି ବେଳେ ମୋ ଆଖି ପଡିଲା ଲାଇବ୍ରେରୀର ଦୁଇ ବୟସ୍କ ଷ୍ଟାଫଙ୍କ ଉପରେ । ଦୁହିଁଙ୍କ ବୟସ ପାଖାପାଖି ସତୁରି କି ଅଶୀ ହେବ, ଉଚ୍ଚତା ସାଢେ ପାଞ୍ଚ ଫୁଟରୁ ଅଧିକ ନୁହେଁ, ଓ ଦୁହେଁ ଦେଖିବାକୁ ପ୍ରାୟ ଏକା ଭଳି । ଦୁହିଁଙ୍କ ଓଠରେ ଥିଲା ସଂକ୍ରାମକ ହସ, ଓ ଦୁହିଁଙ୍କ ଆଖିରେ ମୋର ସମସ୍ତ କ୍ଳାନ୍ତି ଦୂରେଇ ଦେଲାଭଳି ଚମକ । ଦୁହେଁ ଖୁବ ଧୀର ସ୍ୱରରେ କଥା କହୁଥିଲେ, ଏବଂ ବହୁ ଆଗ୍ରହରେ ଭିଜିଟରମାନଙ୍କୁ ପାଛୋଟି ନେଉଥିଲେ ବହିଦୁନିଆକୁ । ଲାଇବ୍ରେରୀ ଭିତରେ ମତେ ସବୁଠୁ ଅଧିକ ସୁନ୍ଦର, ପ୍ରାଚୀନ ଓ ରହସ୍ୟମୟ ଲାଗିଲେ ସେ ଦୁଇଜଣ । ମୁଁ କିଛି ସମୟ ମୁଗ୍ଧ ହେଇ ଚାହିଁ ରହିଲି ଦୁହିଁଙ୍କୁ, କାହିଁକି କେଜାଣି, ଉଭୟଙ୍କୁ ଖୁବ୍ ଈର୍ଷା କଲି ମନେ ମନେ ।

 ପ୍ରାୟ ଏକ ଘଣ୍ଟା କାଳ ଲାଇବ୍ରେରୀରେ ବିତେଇବା ପରେ, ଆମେ ପୁଣି ବତିଶ ନମ୍ବର ଟ୍ରାମ୍ ଧରି ଗଲୁ ଓଲଡ ଟାଉନ, ଯେଉଁଠି ଆମକୁ ଅପେକ୍ଷା କରିଥିଲା ଐତିହାସିକ ଚାର୍ଲସ ବ୍ରିଜ୍ । ବ୍ରିଜ୍ ଉପରେ ପହଂଚୁ ପହଂଚୁ ମୋ ହାତ ଧରି ଜୁନ୍ ମତେ ନେଇଗଲା 'ସେନ୍ଟ ଜନ ଅଫ ନେପୋମକ'ଙ୍କ ପ୍ରତିମୂର୍ତ୍ତି ପାଖକୁ । ତା’ ପାଖରେ ଠିଆ ହେଇ ପଚାରିଲା, 'ଏ ପ୍ରତିମୂର୍ତ୍ତି ପଛର କାହାଣୀ ଜାଣିଛ ?' ମୁଁ ଜାଣିଥିଲି, ତଥାପି ମନାକଲି ! ତା' ମୁହଁରୁ କାହାଣୀଟି ଶୁଣିବାର ସୁଯୋଗଟିକୁ ମୁଁ ହାତଛଡା କରିବାକୁ ଚାହୁଁ ନଥିଲି । ରାତି ପାହିଲେ ମତେ ଚାଲିଯିବାର ଥିଲା ପ୍ରାଗ୍ ଛାଡି । କିଏ ଜାଣେ, ଜୀବନରେ ଏ ସୁଯୋଗ ଆଉ କେବେ ମିଳିଥାନ୍ତା କି ନାହିଁ ! ଖୁବ ଉତ୍ସାହର ସହ ଜୁନ୍ ବର୍ଣନା କଲା ସେନ୍ଟ ଜନଙ୍କ ହତ୍ୟାର ରୋମାଂଚଭରା କାହାଣୀ, ଯେଉଁଥିରେ ତାଙ୍କୁ ରାଜା ୱେନ୍ସେସଲାସ ଚତୁର୍ଥଙ୍କ ନିର୍ଦ୍ଦେଶରେ ଚାର୍ଲସ ବ୍ରିଜ୍ ଉପରୁ ଭଲତଭା ନଦୀକୁ ଫିଙ୍ଗି ଦିଆଯାଇଥିଲା, ଓ ତାଙ୍କ ମୃତ୍ୟୁର ଠିକ ପରେ ନଦୀ ଉପରେ ଅଚାନକ ଆବିର୍ଭୁତ ହେଇଥିଲେ ପାଞ୍ଚୋଟି ତାରା । କାହାଣୀଟି କହିସାରି, ଜୁନ୍ ମତେ କହିଲା ପ୍ରତିମୂର୍ତ୍ତି ଉପରେ ଥିବା ବ୍ରୋଞ୍ଜ-କ୍ରସରେ ହାତରଖି କିଛି ଗୋଟେ ମନାସିବା ପାଇଁ । ମୁଁ ପଚାରିଲି, ‘କାହିଁକି ?’ ସେ କହିଲା, ‘ଏଠିକାର ଲୋକମାନେ ବିଶ୍ୱାସ କରନ୍ତି, ଏ ବ୍ରୋଞ୍ଜ-କ୍ରସ ଉପରେ ହାତରଖି କେହି କିଛି ବି ମାଗିଲେ, ତା'ର ମନସ୍କାମନା ପୂର୍ଣ ହୁଏ ବୋଲି !’ ମୁଁ କହିଲି, ‘ଏସବୁ ଅନ୍ଧବିଶ୍ୱାସ ।’ ସେ କହିଲା, 'ପ୍ରେମରେ ଆମେ ସମସ୍ତେ ଅନ୍ଧ, ନୁହେଁ ?' ମୁଁ ଆଉ କିଛି କହିଲିନି । ତା'କୁ ଖୁସି କରିବା ପାଇଁ ବ୍ରୋଞ୍ଜ-କ୍ରସ ଉପରେ ହାତ ରଖି ଆଖି ବୁଜି କିଛି ଗୋଟେ ମାଗିବାର ଅଭିନୟ କଲି । ସେତେବେଳକୁ ସନ୍ଧ୍ୟା ହେଇସାରିଥାଏ । ଆକାଶ ସାରା ବୁଣିଯାଇଥାଏ ଗୋଧୂଳିର ରଙ୍ଗ । ଭଲତଭା ନଦୀର ଜଳ ବି ରକ୍ତାଭ ଦିଶୁଥାଏ ମଲଡ଼ ୱାଇନ ଭଳି । ଆମେ ଦୁହେଁ ଠିଆ ହେଇଥାଉ ସେଣ୍ଟ ଜନଙ୍କ ପ୍ରତିମୂର୍ତ୍ତି ତଳେ, ଦୁଇଟି ପ୍ରହେଳିକା ପ୍ରାୟ । କ'ଣ ଭାବିଲା କେଜାଣି, ଧୀରେ, ଖୁବ ଧୀରେ, ଜୁନ୍ ନଇଁଆସିଲା ମୋ ମୁହଁ ପାଖକୁ । ମୋ ଓଠରେ ଓଠ ରଖିଦେଲା ସେ,  ଓ ପରସ୍ପରକୁ ଚୁମିବାକୁ ଲାଗିଲୁ ଆମେ । କିଛି ମୁହୂର୍ତ୍ତ ପରେ ଅଟକିଲା ସେ, ମୋ ଓଠରୁ ତା' ଓଠକୁ ଖୁବ୍ ସନ୍ତର୍ପଣରେ ଦୂରେଇ ନେଲା ।

ବ୍ରିଜ୍ ଉପରେ ଭିଡ଼ ବଢ଼ିବାରେ ଲାଗିଥାଏ । ରାସ୍ତା କଡରେ ଠିଆ ହେଇ ଗିଟାର ବଜେଇ ଗୀତ ଗାଉଥାଏ ପୁଅଟିଏ । ବୃଦ୍ଧ ଚିତ୍ରକର ଜଣେ ଚିତ୍ର ଆଙ୍କୁଥାନ୍ତି ଗୋଟିଏ ଝିଅର, ଯିଏ ତା'ଙ୍କ ସାମ୍ନାରେ ସ୍ଥାଣୁ ହେଇ ବସିଥାଏ ଚୌକିଟିଏ ଉପରେ । ଆକାଶରୁ ଲାଲ ରଙ୍ଗ ଲିଭିଯାଇଥାଏ ସେତେବେଳକୁ, ଜହ୍ନ ଉଇଁସାରିଥାଏ । ତାରାଭର୍ତ୍ତି ଚାନ୍ଦୁଆଟିଏ ତଳେ ପରସ୍ପରର ହାତ ଧରି ଜୁନ୍ ଓ ମୁଁ ଚାଲିଥାଉ ଓଲଡ଼ ଟାଉନ ଆଡକୁ । ଏତିକିବେଳେ, କୁନି ଝିଅଟିଏ ଦୌଡ଼ିଗଲା ଆମ ସାମ୍ନାରେ କଣ୍ଢେଇଟିଏ ଧରି । ଝିଅଟିକୁ ଦେଖି, ଚାଲୁ ଚାଲୁ ଅଟକିଗଲା ଜୁନ୍, ଓ କିଛି ସମୟ ଚାହିଁ ରହିଲା ତା' ଯିବା ବାଟକୁ । ଚାହୁଁ ଚାହୁଁ ଝିଅଟି ମିଳେଇଗଲା ଭିଡ଼ ଭିତରେ । ଜୁନ୍ ତଥାପି ଚାହିଁ ରହିଥାଏ ସେଇ ଦିଗରେ, ଅପଲକ ହେଇ । ମୁଁ ପଚାରିଲି, 'କଣ ହେଲା, ସେ ଝିଅଟିକୁ ତୁମେ ଜାଣିଛ ?'

 ‘ସେ ଝିଅଟି କଥା ମନେଅଛି ତୁମର, ଯାହାକୁ କାଫ୍କା ଭେଟିଥିଲେ ବର୍ଲିନର ଏକ ପାର୍କରେ,  ଯିଏ କାନ୍ଦୁଥିଲା ତା' ପ୍ରିୟ କଣ୍ଢେଇଟି ହଜିଯାଇଥିଲା ବୋଲି ! ମତେ ଲାଗୁଛି, ସେ ଝିଅଟି ହେଉଛି ମୁଁ ! ଆଉ ତୁମେ ସେ ଚିଠିସବୁ, ଯାହା ବର୍ଷ ବର୍ଷ ଧରି କାଫ୍କା ଲେଖୁଥିଲେ ତା' ପାଖକୁ, ତା' କଣ୍ଢେଇ ତରଫରୁ ! ଜାଣିଛ, ନିଜ ଶେଷ ଚିଠିରେ କ’ଣ କହିଥିଲେ କାଫ୍କା ସେ ଝିଅଟିକୁ ! ସେ କହିଥିଲେ, ଜୀବନରେ ଯାହାକିଛି ବି ତୁମକୁ ଭଲ ଲାଗେ, କେବେ ନା କେବେ ସେ ସବୁ ହଜିଯିବା ଥୟ । କିନ୍ତୁ ଏକଥା ନିଶ୍ଚିତ, ଯେ ସେସବୁ ରୂପ ବଦଳେଇ ଫେରିଆସିବେ ତୁମ ପାଖକୁ ଆଉ ଥରେ !’

‘ଅନେକ ଲୋକ କିନ୍ତୁ କୁହନ୍ତି ସେ କାହାଣୀଟି ମିଛ, ଓ କାଫ୍କା ଏମିତି କୌଣସି ଝିଅକୁ କେବେ ବି ଭେଟିନଥିଲେ ବୋଲି !’

‘ଆଉ ତୁମେ ?’

 ‘ମୁଁ ? ମୁଁ ନିଶ୍ଚିତ ଯେ ଏମିତି କହୁଥିବା ଲୋକମାନେ କେବେ ବି ସେ ଝିଅଟିର ହାତଧରି  କାଫ୍କାଙ୍କ ସହର ଦେଖିନାହାନ୍ତି ।’

 

କାଫକାଙ୍କ ସହର -୨