ଝାରସୁଗୁଡ଼ା ଉପ ନିର୍ବାଚନ : ଦ୍ବିତୀୟରେ ରହିବ କିଏ?

ଝାରସୁଗୁଡ଼ା ଉପ ନିର୍ବାଚନ : ଦ୍ବିତୀୟରେ ରହିବ କିଏ?

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଗାମୀ ୧୦ ତାରିଖ ସେଠାରେ ଭୋଟ ଗ୍ରହଣ ହେବ ‌। ଆଉ ମାତ୍ର ଗୋଟିଏ ସପ୍ତାହ ନିର୍ବାଚନ ପ୍ରଚାର ବାକିଥିବା ବେଳେ ଓଡ଼ିଶାର ଗଣମାଧ୍ୟମରେ ଏହି ଉପନିର୍ବାଚନକୁ ନେଇ ସେମିତି ବିଶେଷ ଉତ୍ସାହ ଦେଖାଯାଉନାହିଁ। ଗୋଟେ ପ୍ରକାର ସମସ୍ତେ ଗ୍ରହଣ କରି ନେଇଛନ୍ତି ଯେ, ସେଠି ବିଜେଡି ପ୍ରାର୍ଥୀ ତଥା ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ନିଶ୍ଚୟ ଜିତିବେ। ସହଜରେ ଦୀପାଳି ଙ୍କ ପ୍ରତି ଅନୁକମ୍ପା ରହିଛି ଓ ନିର୍ବାଚନ ପ୍ରଚାର ତଥା ପରିଚାଳନାରେ ବିଜେଡ଼ିର ରଣକୌଶଳ ସହିତ ଛିଡ଼ା ହେଲାଭଳି ସ୍ଥିତିରେ ବିରୋଧୀ ନାହାନ୍ତି। ତେଣୁ ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡ଼ି ହାରିବ‌ ବୋଲି କେହି କଳ୍ପନା ମଧ୍ୟ କରୁନାହାନ୍ତି ।‌

ଝାରସୁଗୁଡ଼ା ଉପ ନିର୍ବାଚନରେ ମୂଳ ପ୍ରଶ୍ନ ତା'ହେଲେ କଣ? ବ୍ରଜରାଜନଗର ଉପ ନିର୍ବାଚନରେ ଯେମିତି ବିଜେପି ତୃତୀୟ ସ୍ଥାନକୁ ଖସି ଆସିଥିଲା ଝାରସୁଗୁଡ଼ାରେ ମଧ୍ୟ ସେହି ସମାନ ସ୍ଥିତି ହେବ କି-ଏ ପ୍ରଶ୍ନ ଆଜି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏ ଯାଏଁ ଝାରସୁଗୁଡ଼ାରେ ବିଜେପିର ବଡ଼ ନେତାଙ୍କ ପ୍ରଚାର ଆରମ୍ଭ ହୋଇନାହିଁ। ମାତ୍ର ଗୋଟିଏ ସପ୍ତାହ ପ୍ରଚାର ବାକିଥିବା ବେଳେ ବିଜେପି ଏଯାଏଁ ନିଜ ପ୍ରଚାରକୁ ସ୍ଥାନୀୟ ନେତାଙ୍କ ଭିତରେ ସୀମିତ ରଖିଛି । ଆପାତତଃ ବିଜେପି ଏଠାରେ ନାମକୁ ମାତ୍ର ଲଢେ଼ଇ କରୁଛି‌ ।

 ସମ୍ମୁଖ ଯୁଦ୍ଧରେ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ଦେଖା ଯାଉଥିବା ବେଳେ କଂଗ୍ରେସର ସ୍ଥିତି ବିଜେପି ତୁଳନାରେ ବିଶେଷ ଖରାପ ନୁହେଁ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ବାପା ବୀରେନ ପାଣ୍ଡେ ଝାରସୁଗୁଡାରୁ ତିନି ଥର ବିଧାୟକ ଥିଲେ ନିକଟରେ ତାଙ୍କର ମଧ୍ୟ ପରଲୋକ ଘଟିଛି । ଦୀପାଳିଙ୍କ ଭଳି ତରୁଣଙ୍କୁ ମଧ୍ୟ କିଛିଟା ଅନୁକମ୍ପାମୂଳକ ଭୋଟ ମିଳିପାରେ ତେବେ କଂଗ୍ରେସର ସଂଗଠନ ଏତେ ଦୁର୍ବଳ ଯେ ସେଥିରେ ଦୀପାଳି ଦାସଙ୍କ ବିଜୟକୁ ରୋକିବା ଭଳି ଶକ୍ତି କଂଗ୍ରେସ ପାଖରେ ନାହିଁ ନିର୍ବାଚନ ସମୟରେ ଝାରସୁଗୁଡା ଜିଲା କଂଗ୍ରେସ ସଭାପତି ଇସ୍ତଫା ଦେବା, ଦଳ ପାଇଁ ମହଙ୍ଗା ପଡିପାରେ ।

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଓ ତାଙ୍କର ବିଶେଷ ସାଙ୍ଗଠନିକ ଦକ୍ଷତା ରହିଛି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନ ୫୨,୯୨୧ ଭୋଟ ପାଇଥିଲେ, ଯାହାକି ଝାରସୁଗୁଡାରେ ବିଜେପିର ସର୍ବାଧିକ ସଫଳତା ଥିଲା ଏଠାରେ ଏକ ବଡ ସଂଖ୍ୟକ ଅଣଓଡିଆଭୋଟର ଗୋଷ୍ଠୀ ଅଛନ୍ତି ଯାହାଙ୍କର ସମର୍ଥନ ଦିନେଶଙ୍କୁ ମିଳିଥିଲା ସେଇ ଭୋଟ ବ୍ୟାଙ୍କକୁ ଟଙ୍କଧର ଧରି ରଖିପାରିବାର ଦକ୍ଷତା ଟଙ୍କଧରଙ୍କର ନାହିଁ ବୋଲି ଅନେକ ବିଜେପି କର୍ମୀ କହୁଛନ୍ତି ଟଙ୍କଧରଙ୍କର ପ୍ରାର୍ଥିତ୍ଵକୁ ନେଇ ବିଜେପି ମଧ୍ୟରେ ଏକ ସନ୍ତୋଷ ମଧ୍ୟ ବାରି ହୋଇ ପଡୁଛି । ତେଣୁ ସେଠାରେ ବ୍ରଜରାଜନଗର ଭଳିଆ ସ୍ଥିତି ଉପୁଜିପାରେ ଓ ଆବଶ୍ୟକ ସ୍ଥଳେ ବିଜେପି କଂଗ୍ରେସ ତଳକୁ ଚାଲିଯାଇପାରେ ବୋଲି ଆଶଙ୍କା କରାଯାଉଛି । ବ୍ରଜରାଜନଗରରୁ ୨୦୧୪ରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ ଓ ୨୦୧୯ ରେ ସେ ୬୮,୧୫୩ ଭୋଟ ପାଇଥିଲେ ୨୦୨୨ ଉପ ନିର୍ବାଚନରେ ରାଧାରାଣୀଙ୍କର ଭୋଟ ୬୮ ହଜାରରୁ ୨୨ ହଜାରକୁ ଖସି ଆସିଥିଲା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ।

ଝାରସୁଗୁଡାରେ ହୁଏତ ଟଙ୍କଧର ତୃତୀୟ ସ୍ଥାନକୁ ଖସି ଯାଇପାରନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି