ଗୁଜରାଟ ମଡ଼େଲର ଅଦାଲତ ଓ ରାହୁଲ ଗାନ୍ଧୀ
ଗୁଜରାଟରୁ ଏବେ ଗୋଟେ ନୂଆ ତଥ୍ୟ ସାମନାକୁ ଆସୁଛି । ଯଦି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ବିରୋଧରେ କେହି କିଛି କହୁଛି ଓ ତାଙ୍କ ନାଁରେ ଗୁଜରାଟରେ ମାମଲା ହେଉଛି, ତାହେଲେ ସେଠିକାର କୌଣସି ଅଦାଲତରୁ ଅଭିଯୁକ୍ତଙ୍କୁ ଆଉ ସହଯୋଗ ମିଳୁନାଇଁ । ଅନ୍ତତଃ ଦୁଇଟି ରାଜନୈତିକ ମାମଲାରେ ଏହି କଥାକୁ ସତ୍ୟ ବୋଲି ବିଚାର କରାଯାଇପାରେ । ଆଜି ଯେତେବେଳେ ସୁରତର ସେସନ୍ସ ଜଜ ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ହୋଇଥିବା ଦଣ୍ଡକୁ ସ୍ଥଗିତ କାଲେ ନାଇଁ, ସେଥିରେ କେହି ଆଶ୍ଚର୍ୟ ହେଲେ ନାଇଁ । ଆଗରୁ ଗୋଟେ ତଥ୍ୟ ଜଣା ପଡିଥିଲା ଯେ ସମ୍ପୃକ୍ତ ବିଚାରପତି, ଏକଦା ଅମିତ ଶାହଙ୍କ ଓକିଲ ଥିଲେ । ବାସ, ସେଠୀ ଅଧିକ କିଛି ଆଶା କରିବା ବୃଥା । ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରି ବିଚାରପତି ଯାହା କହିଛନ୍ତି ସେଥିରେ କେବଳ ରାଜନୈତିକ କାରଣ ଇ ଦିଶୁଛି । ନ୍ୟାୟିକ ପ୍ରକ୍ରିୟା ଅପେକ୍ଷା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପ୍ରତିଷ୍ଠା ଉପରେ ବିଚାରପତି ଅଧିକ ମନ୍ତବ୍ୟ ଦେଇଛନ୍ତି ।
ପୃଥିବୀର କୌଣସି ତର୍କରେ ଏ କଥା ବୁଝି ହେବନାଇଁ ଯେ ନରେନ୍ଦ୍ର ମୋଦୀ, ଲଳିତ ମୋଦୀ, ନୀରବ ମୋଦୀ ଙ୍କ ସହିତ ପୂର୍ଣ୍ଣେଶ ମୋଦୀଙ୍କ ସମ୍ପର୍କ କଣ ? ତା ଠୁ ଆହୁରି ଆଶ୍ଚର୍ୟର କଥା ହେଉଛି କର୍ଣ୍ଣାଟକର ମନ୍ତବ୍ୟରେ ଗୁଜରାଟର ଅଦାଲତ ରାୟ ଦେଉଛନ୍ତି । ତେବେ ଏହା ହିଁ ଗୁଜରାଟ ମଡେଲ । ଅଦାଲତ ମଧ୍ୟ ଏହି ମଡ଼େଲର ଏକ ଅଂଶବିଶେଷ ।
ଜରୁରୀକାଳୀନ ପରିସ୍ଥିତିରେ ଗୁଜରାଟରେ ବିରୋଧୀ ଦଳର ସରକାର ରହିଥିଲା ଓ ସେତେବେଳେ ଗୁଜରାଟ ଥିଲା ସରକାର ବିରୋଧୀ ଆନ୍ଦୋଳନକାରୀଙ୍କର ଆଶ୍ରୟ ସ୍ଥଳ । ଆଜି ପରିସ୍ଥିତି ବଦଳି ଯାଇଛି । ଅଦାଲତ ଯେତେବେଳେ ରାଜନୀତି ଦ୍ଵାରା ପ୍ରଭାବିତ ହେବା ଆରମ୍ଭ କରେ, ସେଠି ଗଣତନ୍ତ୍ର ତିଷ୍ଠିବା ସମ୍ଭବ ନୁହେଁ ।
କେବଳ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ ନୁହେଁ, ଏହା ପୂର୍ବରୁ ତୃଣମୂଳକଂଗ୍ରେସ ମୁଖପାତ୍ର ସାକେତ ଗୋଖଲେ ଏବଂ ସମାଜସେବୀ ତିସ୍ତା ସିତଲବାଦଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଏମାନେ ଗୁଜରାଟର କୌଣସି ଅଦାଲତରୁ ନ୍ୟାୟ ପାଇନାହାନ୍ତି । ସୁପ୍ରିମକୋର୍ଟ ଆସିଲା ପରେ ଯାଇ ଏମାନଙ୍କୁ ଜାମିନ ମିଳିଛି ।
ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ଘଟିବାକୁ ଯାଉଛି । ସେସନ୍ସ କୋର୍ଟ ପରେ ଗୁଜରାଟ ହାଇକୋର୍ଟରେ ରାହୁଲ ଗାନ୍ଧୀଙ୍କୁ ଯେ ନ୍ୟାୟ ମିଳିବ ସେ ଆଶା କରା ଯାଇନପାରେ । ସୁପ୍ରିମକୋର୍ଟରେ ହୁଏତ ଏହି ମାମଲାରେ ସ୍ଥଗିତାଦେଶ ଆସିପାରେ ।
ଗୁଜରାଟ ମଡ଼େଲର ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥା କ୍ରମଶଃ ସାରା ଦେଶକୁ କବଳିତ କରୁଛି ଓ ସେଥିରେ ଅଦାଲତ ଅଲଗା ରହି ପାରିବ କେମିତି ??