ୟୁପିଏ କଥା କହି ଆଜି ବି ଅମିତ ଶାହା ଛାତି ପିଟୁଛନ୍ତି କାହିଁକି ?

ୟୁପିଏ କଥା କହି ଆଜି ବି ଅମିତ ଶାହା ଛାତି ପିଟୁଛନ୍ତି କାହିଁକି ?

' ବର୍ଷ ନିରଙ୍କୁଶ କ୍ଷମତା ଭୋଗି ସାରିଲା ପରେ ଅମିତ ଶାହାଂକର ମନେ ପଡ଼ିଲା ଯେ ଦିନେ ସିବିଆଇ ତାଂକୁ ବି ଜେରା କରୁଥିଲା । ସେତେବେଳେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନେବାକୁ ସିବିଆଇ ତାଙ୍କ ଉପରେ କୁଆଡେ ଚାପ ପକାଉଥିଲା ବୋଲି ଅମିତ ଶାହା ଆଜି କହିଛନ୍ତି । ତେବେ ଏ ପ୍ରସଙ୍ଗ ଆଜି କହିବା ପଛରେ ଅମିତ ଶାହାଂକ ଉଦ୍ଦେଶ୍ୟ କଣ ? ସେତେବେଳେ ଯେଉଁ ସିବିଆଇ ଅଧିକାରୀମାନେ ତାଙ୍କୁ ମିଛ କହିବାକୁ ଚାପ ପକାଉଥିଲେ ସେମାନେ ସବୁ ଏବେ ବି ଅଛନ୍ତି ନା ଦେଶ ଛାଡି ଚାଲିଗଲେଣି? ଶାହାଙ୍କ ବିରୋଧରେ ମକଦ୍ଦମା ଚାଲିଥିବା ବେଳେ ସେ ଏ କଥା କହିଥିଲେ କି ? ମୋଦୀ - ଶାହା ସେତେବେଳେ ମନମୋହନ ସିଂହ ସରକାର ବିରୋଧରେ ପାଣି ପିଇ ପିଇ ଗାଳି କରୁଥିବା ବେଳେ ଏ ପ୍ରସଙ୍ଗରେ କେବେ କିଛି କହୁନଥିଲେ କାହିଁକି? ଆଜି ବିରୋଧୀ ଦଳର ସବୁ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କଥା ସ୍ପଷ୍ଟ ହେଲା ବେଳକୁ ହଠାତ୍ ପୁରୁଣା କଥା ମନେ ପଡ଼ିଲା କେମିତି?

ଅସଲ କଥା ହେଉଛି ସ୍ବାଧୀନ ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ନିଜ ପଦବୀର ସର୍ବାଧିକ ଦୁରୁପଯୋଗ କରି ଚାଲିଛନ୍ତି । ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜରିଆରେ ବିଭିନ୍ନ ଅନୁଷ୍ଠାନ ଉପରେ ଚାପ ପକାଇ ସେମାନଙ୍କୁ ନିଜ ଅଧୀନରେ ରଖିବାର ଅଗଣତାନ୍ତ୍ରିକ ପ୍ରକ୍ରିୟା ଖୋଲା ଖୋଲି ଆମ ଦେଶରେ ଚାଲିଛି । କେନ୍ଦ୍ର ସରକାର ନିଜ ଏଜେନ୍ସି ଲଗାଇ ଏକାଧିକ ନିର୍ବାଚିତ ସରକାରକୁ ଭାଙ୍ଗି ସାରିଛନ୍ତି । ଇଡି, ସିବିଆଇ ଓ ଆୟକର ବିଭାଗର ଚାପ ପ୍ରୟୋଗ କରି ମୋଦୀ ସରକାର ତାଙ୍କର ପ୍ରିୟ କର୍ପୋରେଟ ଆଦାନୀକୁ ପ୍ରଚୁର ଲାଭ ଦେଇଛନ୍ତି ।

ଯେଉଁ ସଂସ୍ଥା ଉପରେ କେନ୍ଦ୍ରର ଛାପା ପଡ଼ିଲା, ସେ ସଂସ୍ଥା ଆପେ ଆପେ ଆଦାନୀ ହାତକୁ ଚାଲିଗଲା । ଏନଡିଟିଭି, କୁଇଣ୍ଟ, ଅମ୍ବୁଜା ସିମେଣ୍ଟ, ମୁମ୍ବାଇ ଏଆରପୋର୍ଟ ଇତ୍ୟାଦି ଏହାର ଉଦାହରଣ । ଆଦାନୀ ଏହି ସବୁ ସଂସ୍ଥା କୁ ଅଧିଗ୍ରହଣ କଲା ପରେ ଏ‌ମାନଙ୍କ ବିରୋଧରେ ତଦନ୍ତ ବନ୍ଦ ହୋଇଯାଇଛି । ଅପରପକ୍ଷରେ ଆଦାନୀ ବିପକ୍ଷରେ ମାଳ ମାଳ ଅଭିଯୋଗ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଏଜେନ୍ସି ହାତ ବାନ୍ଧି ବସିଛନ୍ତି । କୌଣସି ତଦନ୍ତ ନ କରି ନିଜେ ନିଜକୁ ଦୁର୍ନୀତିମୁକ୍ତ ବୋଲି କହିବାବିଚିତ୍ର ଉଦାହରଣ କେବଳ ଆମ ଦେଶରେ ଇ ଦେଖିବାକୁ ମିଳିଛି। ସରକାର ସପକ୍ଷରେ ରାୟ ଦେଉଥିବା ବିଚାରପତି ମାନଙ୍କୁ ରାଜ୍ୟପାଳ ଓ ରାଜ୍ୟସଭା ସଦସ୍ୟ ପଦ ନିର୍ଲଜ ଭାବରେ ବଣ୍ଟନ କରାଯାଇଛି ଓ ସରକାର ବିରୋଧରେ କହୁଥିବା ବିଚାରପତି ମାନଙ୍କୁ ଦେଶଦ୍ରୋହୀ ବୋଲି ବଦନାମ କରାଯାଉଛି ।

ଏହି ସ୍ଥିତିରେ ଆଜି ହଠାତ ନିଜକୁ କାଠଗଡାରେ ଠିଆ କରାଇ ଦେଶର ସବୁଠୁ କ୍ଷମତାଶାଳୀ ଗୃହମନ୍ତ୍ରୀ ଏମିତି ପୁରୁଣା ଦିନକୁ ମନେପକାଇ ବିଷାଦଯୋଗ ଦେଖାଇବା ପଛରେ କି କାରଣ ଥାଇପାରେ ?

ଯେଉଁ ଢଙ୍ଗରେ ସୁରତର ଏକ ଅଦାଲତରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରି ତାଙ୍କୁ ଦଣ୍ଡିତ କରାଗଲା, ତାହା ସରକାରର ଗଣତନ୍ତ୍ର ବିରୋଧୀ ଚେହେରାକୁ ଅଧିକ ଲଙ୍ଗଳା କରିଦେଇଛି । ଏହି ଘଟନା ପରେ ଭାରତର ଗଣତନ୍ତ୍ରକୁ ନେଇ ବିଭିନ୍ନ ବିଦେଶୀ ଦେଶ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ଆରମ୍ଭ କଲେଣି ନିଜର ଏକଛତ୍ରବାଦୀ ଉଦ୍ଦେଶ୍ୟ ପୂରଣ ଏବଂ ନୀଚ ରାଜନୈତିକ ସ୍ଵାର୍ଥ ସାଧନ ଉଦ୍ଦେଶ୍ୟରେ ଆଇନ ଓ ଅଦାଲତର ଅପବ୍ୟବହାର ମୋଦୀ ସରକାରକୁ ଅଧିକ ନିନ୍ଦିତ କରୁଛି

ଏବେ ଏହି ନିନ୍ଦା ଓ ଅପମାନରୁ ବଞ୍ଚିବା ଲାଗି ବିଜେପିର ସବୁ ବଡ ନେତା ଛାତି ବାଡେଇ ନିଜକୁ ନିର୍ଦ୍ଦୋଷ ବୋଲି କହି ଚାଲିଛନ୍ତି ୯ ବର୍ଷ କ୍ଷମତାରେ ରହି ସାରିଲାପରେ ମଧ୍ୟ ମନମୋହନ ସିଂ ସରକାରକୁ ଗାଳି କରି ଭୋଟ ପାଇବାକୁ ଅମିତ ଶାହ ସ୍ଵପ୍ନ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରି ସବୁ ବିରୋଧୀଙ୍କୁ ଭ୍ରଷ୍ଟାଚାରୀ କହିବା ବେଳେ ଭୁଲି ଯାଉଛନ୍ତି ଯେ ବିଜେପିରେ ଯୋଗ ଦେଲେ କେମିତି ବଡ ରୁ ବଡ ଭ୍ରଷ୍ଟାଚାରୀଙ୍କ ବିରୋଧରେ ମାମଲା ଦବି ଯାଉଛି  

ଆଜି ନିଜ କାମର ହିସାବ ଦେଇ ଭୋଟ ମାଗିବାକୁ ବୋଧହୁଏ ବିଜେପି ପାଖରେ ସାହସ ନାଇଁ ତେଣୁ ଆଜି ମଧ୍ୟ ସେଇ ପୁରୁଣା ପାଠର ଆଲୋଚନା କରି ଅମିତ ଶାହ ନିଜ ଦୁର୍ବଳତାକୁ ନିଜେ ଦେଖାଇ ଚାଲିଛନ୍ତି ।