ବିଜେପି ସଭାପତି ହଠାତ୍ ବଦଳିବାର କାରଣ କ'ଣ?

ବିଜେପି ସଭାପତି ହଠାତ୍ ବଦଳିବାର କାରଣ କ'ଣ?

 ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତିଙ୍କୁ ତାଙ୍କ ପଦରୁ ବିତାଡିତ କରିଛନ୍ତି ଓ ତାଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ନୂଆ ସଭାପତି ଦାୟିତ୍ୱ ଦେଇଛନ୍ତି । ସମୀର ମହାନ୍ତି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରଠୁଁ ବିଜେପିର ସାଙ୍ଗଠନିକ ଶକ୍ତି ତଳମୁହାଁ ହେବା ଆରମ୍ଭ କରିଥିଲା । ବିଜେପି ଓଡ଼ିଶାରେ ୨୦୧୭ ବେଳକୁ ଯେଉଁ ସ୍ଥିତିରେ ଥିଲା, ଅବିକା ଅଧିକ ଖରାପ ଅବସ୍ଥାରେ ରହିବା କାରଣରୁ ସମୀର ମହାନ୍ତିଙ୍କୁ ଦଳ ସଭାପତି ପଦରୁ ବିଦା କଲା କି ? ସମୀର ସଭାପତି ଦାୟିତ୍ଵ ନେବା ପରଠୁ ସବୁ ନିର୍ବାଚନରେ (କେବଳ ଧାମନଗର ଉପ ନିର୍ବାଚନକୁ ବାଦ ଦେଇ) ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଧାମନଗର ଉପ ନିର୍ବାଚନ ବିଜୟରେ ମନମୋହନ ସାମଲଙ୍କର ଏକ ବିଶେଷ ଭୂମିକା ରହିଥିଲା ସେଥିପାଇଁ ତାଙ୍କୁ ବିଜେପି ପୁରସ୍କୃତ କରିଛି । ତେବେ ବିଜେପିର ସାଙ୍ଗଠନିକ ବିଫଳତା ଲାଗି ସମୀର ମହାନ୍ତି ସତରେ ଦାୟୀ କି ?

ଯେତେବେଳେ ସମୀର ମହାନ୍ତିଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ ଦିଆ ଯାଇଥିଲା ସେତେବେଳେ ସମସ୍ତେ ଜାଣିଥିଲେ ଯେ ସମୀର ବାବୁ କେବଳ ରବର ଷ୍ଟାମ୍ପ ଭାବରେ ଇ କାମ କରିବେ ବିଜେପି ସଂଗଠନର ଅସଲ ମଙ୍ଗୁଆଳ ଯେ ରାଜ୍ୟ ବିଜେପି ସଭାପତି ନୁହନ୍ତି, ଏକଥା ବାରମ୍ବାର ପ୍ରମାଣିତ ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଆଗରେ ରାଜ୍ୟ ସଭାପତିଙ୍କ ଭୂମିକା ନାମକୁ ମାତ୍ର ଦଳର ସବୁ ପ୍ରମୁଖ ନିଷ୍ପତ୍ତି ଧର୍ମେନ୍ଦ୍ର ନେଉଛନ୍ତି ଓ ଆଗକୁ ମଧ୍ୟ ନେବେ ସେହି ମର୍ମରେ ସମୀର ହୁଅନ୍ତୁ ବା ମନମୋହନ, ସେ ଧର୍ମେନ୍ଦ୍ରଙ୍କ କଥା ମାନି ଚାଲିବାକୁ ବାଧ୍ୟ ଯଦି ବିଜେପିର ସାଙ୍ଗଠନିକ ବିଫଳତା ବା ପରାଜୟ ପାଇଁ କିଏ ଦାୟୀ ରହିବା କଥା, ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ହିଁ ରାଜ୍ୟ ବିଜେପିର ନିର୍ଣ୍ଣାୟକ ତାଙ୍କୁ ନ ପଚାରି ରାଜ୍ୟ ବିଜେପିରେ ପତ୍ରଟିଏ ମଧ୍ୟ ହଲିବାର ନାଇଁ । ତେଣୁ ସମୀରଙ୍କୁ ଏ କ୍ଷେତ୍ରରେ ବଳିର ଛେଳି ଭାବରେ ବ୍ୟବହାର କରାଯାଉଛି ମାତ୍ର

ନିର୍ବାଚନ ବର୍ଷରେ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ ଦେଇ ହୁଏତ ରାଜ୍ୟରେ ଓବିସି ଭୋଟର ବର୍ଗଙ୍କୁ ବିଜେପି ଆକୃଷ୍ଟ କରିବାକୁ ଚାହୁଁଛି ତେବେ ରାଜନେତା ଭାବରେ ମନମୋହନ ସାମଲଙ୍କ ପ୍ରଭାବ ଭଦ୍ରଖ ଏବଂ ଯାଜପୁର ଜିଲା ଭିତରେ ସୀମିତ ତେବେ ସମୀର ମହାନ୍ତିଙ୍କ ତୁଳନାରେ ମନମୋହନ ସାମଲଙ୍କ ପ୍ରୋଫାଇଲ ଟିକେ ପ୍ରଭାବଶାଳୀ ସେ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଥିଲେ ଏବଂ ନବୀନ ପଟ୍ଟନାୟକ ସରକାରରେ ରାଜସ୍ୱ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ରହିଥିଲେ ତେବେ ଏକ ବିବାଦୀୟ ପରିସ୍ଥିତିରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡିଥିଲା ନୂଆ ଦାୟିତ୍ଵ ପାଇଲା ପରେ  ପୁରୁଣା ବିବାଦ ହୁଏତ ମନମୋହନଙ୍କୁ ଅସୁବିଧାରେ ପକାଇପାରେ

ତେବେ ରାଜ୍ୟ ବିଜେପିର ଏକମାତ୍ର ସତ୍ୟ ହେଉଛି, ଏଠି ଯିଏ ସଭାପତି ହେଲେ ମଧ୍ୟ ଅସଲ କ୍ଷମତା ଧର୍ମେନ୍ଦ୍ରଙ୍କ ହାତରେ ରହିବ ଓ ରାଜ୍ୟ ବିଜେପି ସଭାପତି ତାଙ୍କର ପ୍ରକ୍ସି ଭାବରେ  କାମ କରିବାକୁ ବାଧ୍ୟ ହେବେ ।