ଦୁଇଶହ ବର୍ଷ ତଳର ରଥଯାତ୍ରା
୧୮୨୪ ଖ୍ରୀଷ୍ଟାବ୍ଦର କଥା।
ଜଣେ ସାମ୍ବାଦିକର ରଥଯାତ୍ରା ସଂପର୍କୀତ ଏପରି ଏକ ପ୍ରତିବେଦନକୁ ଆଗ ପାଠ କରାଯାଉ ।
"ଚାନ୍ଦ ଯାତ୍ରା ର ପନ୍ଦରଦିନ ପରେ ଅଥବା ଆଷାଢମାସର ଶୁକ୍ଳ ପକ୍ଷରେ ସୁମହାନ ରଥଯାତ୍ରାକୁ ପାଳନ କରାଯାଏ । ଜଗନ୍ନାଥଙ୍କ ମୂର୍ତ୍ତୀକୁ ଯେଉଁ ସ୍ଥାନକୁ ଅଣାଯାଏ ତାହା ୨୩ ବର୍ଗଫୁଟ ବିଶିଷ୍ଟ ଆଉ ପୂରା ରଥଟି ଭୂଇଁରୁ ୩୮ ଫୁଟ ଉଚ୍ଚତାରେ ଥାଏ । ଏଇ କାଠର ରଥକୁ ନାନାବିଧ ମୂର୍ତ୍ତି ଏବଂ ରଙ୍ଗରେ ଅଳଙ୍କରଣ କରାଯାଇଥିଲା। ରଥର ଗୋଟିଏ ବିଶାଳ ଗମ୍ବୁଜାକୃତି ରହିଛି ଯାହାକୁ ଅତି ଉଜ୍ଜଳ ରଂଗର ଇଙ୍ଗ୍ଲିଶ ଉଲେନ୍ କପଡାରେ ଆବୃତ କରାଯାଇଥିଲା, ରଥରେ ସାରଥି ଆକାରରେ ଗୋଟିଏ ବଡ କାଠର ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା:ସେଇଠେ ରଥର ଆଗରେ କେତୋଟି କାଠର ଘୋଡାକୁ ରଖାଯାଇଥିଲା ଯାହାର ଗୋଡମାନ ଥିଲା ଶୂନ୍ୟରେ। ରଥକୁ ତାହାର ଲକ୍ଷ୍ୟସ୍ଥଳକୁ ଟାଣି ନେବା ପାଇଁ ଛଅଟି ବଡ ଦଉଡି ସେଥିରେ ବନ୍ଧା ଯାଇଥିଲା ।"
"୧୪ ଜୁନ୍ ୧୮୨୪ ଦିନ ଜଗନ୍ନାଥଙ୍କ ଅନବସର ପରେ ତାଙ୍କର ପୂଜା ପାଇଁ ମନ୍ଦିରକୁ ପ୍ରଥମଥର ଖୋଲାଯାଇଥିଲା । ତୀର୍ଥଯାତ୍ରୀମାନଙ୍କର ଜନଗହଳି ସବୁବେଳେ ଏଠାରେ ଅଧିକ ଏବଂ ବ୍ରିଟିଶ ଅଧିକାରୀମାନେ ଯେମିତି କୌଣସି ପ୍ରକାରର ଦୁର୍ଘଟଣା ନଘଟିବ ସେଥିପ୍ରତି ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିଥିଲେ; ମାତ୍ର ଯେହେତୁ ମନ୍ଦିର ପରିସରକୁ କେବଳ ହିନ୍ଦୁମାନଙ୍କର ଯିବାର ବ୍ୟବସ୍ଥା ରହିଛି ,ତେଣୁ ସଂପୃକ୍ତ ପୂଜକ ମାନଙ୍କ ଉପରେ ବିଶ୍ୱାସ କରିବାର ପ୍ରୟୋଜନ ଥିଲା ଯେ ସେମାନେ ଯେମିତି ଥରକରେ ଯଥେଷ୍ଟ ଅଧିକ ତୀର୍ଥଯାତ୍ରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନ କରାନ୍ତି। ଦୁର୍ଭାଗ୍ୟର କଥା ସେମାନେ ଏହି ସତର୍କତାକୁ ପାଳନ କରିନଥିଲେ।ଦ୍ୱାର ଖୋଲିବା ମାତ୍ରକେ ନାରୀ,ପୁରୁଷ,ଶିଶୁ ସଭିଏଁ ଏକାବେଳେକେ ଭିତରକୁ ପଶିବାକୁ ଲାଗିଲେ। ସେମାନେ ବିରାଟ ସ୍ତମ୍ଭ ନିକଟସ୍ଥ ବର୍ଗାକାର ଗୃହରେ ପ୍ରବେଶ କଲାପରେ ସେମାନଙ୍କୁ ତିନୋଟି ପାହାଚ ତଳକୁ ଓହ୍ଲାଇବାକୁ ହେଉଥିଲା ଯାହା କିଛି ପବିତ୍ର ଖାଦ୍ୟ ଛିଟିକି ପଡିଯାଇଥିବା କାରଣରୁ ଅତ୍ୟନ୍ତ ପିଚ୍ଛିଳ ଥିଲା; ପାହାଚର ଆରମ୍ଭରେ ଅଠରଜଣ ମହିଳା ସେଇଠି ପାଦଖସି ତଳେ ପଡିଯାଇଥିଲେ,ଅନ୍ୟ କୌଣସି ସୁବିଧା ମିଳିବା ଆଗରୁ ଉପସ୍ଥିତ ଭୀଡର ଦଳାଚକଟା ରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ।"
" ଶେଷରେ ବହୁତ କଷ୍ଟରେ ଦ୍ୱାରକୁ ଆଉ ଥରେ ବନ୍ଦ କରାଯାଇଥିଲା ଆଉ ଲାଶ୍ ଗୁଡିକର ପରୀକ୍ଷା କରାଯାଇଥିଲା ମାତ୍ର ସେତେବେଳକୁ ଅନେକ ଡେରି ହୋଇଯାଇଥିଲା। ଗୋଟିଏ ପ୍ରକାର ବିଶେଷ ଅସୁବଧା ଉପୁଜି ଥିଲା । ଲାଶ୍ ଗୁଡିକୁ ଅତ୍ୟନ୍ତ ନୀଚ ଜାତିର ଲୋକମାନେ ଉଠାଇଥାନ୍ତି ଏବଂ ଏହି ପ୍ରକାରର ବର୍ଣ୍ଣିତ ଜାତିମାନଙ୍କୁ ମନ୍ଦିରର ଭିତରକୁ ଯିବାକୁ ଦିଆଯାଏ ନାହିଁ। ଯଦି କୌଣସି ଦ୍ୱାର ଦେଇ ଗୋଟିଏ ଶବକୁ ଅଣାଯାଏ ,ତାହାହେଲେ ସଂପୃକ୍ତ ଦ୍ୱାର ଦେଇ ପରେ ଯିଏ ଭିତରକୁ ଯିବ ତାହା ପାଇଁ ଏହା ଏକ ଅଶୁଭ ସଂକେତ ହେବ ବୋଲି ବିଚାର କରାଯାଏ। ଏଇ ସବୁ ସମସ୍ୟାକୁ ଦୂର କରିବା ପାଇଁ ମନ୍ଦିରକୁ ଖାଲି କରାଯିବା ପରେ ସେଇ ଲାଶ ଗୁଡିକୁ ବାଡି ଆଉ ଆଙ୍କୁଡି ଦ୍ୱାରା ପାଚେରୀ ଉପର ଦେଇ ଉଠାଇ ବାହାରକୁ ଅଣାଯାଇଥିଲା।"
"ରଥଯାତ୍ରାକୁ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ୨୧ ଜୁନ୍ ୧୮୨୪ ଦିନ ପୁରୀ ସହର ତୀର୍ଥଯାତ୍ରୀରେ ଭରପୁର। ସମସ୍ତ ଇଉରୋପୀୟ ଲେଡି ଆଉ ଜେଣ୍ଟଲମ୍ୟାନ ମାନେ ରଥର ନିକଟରେ ହାତୀର ପିଠିରେ ବସି ଏଇ ଉତ୍ସବକୁ ଦେଖିଥିଲେ। ଛଅ ଜଣ ତୀର୍ଥଯାତ୍ରୀ ଜଗନ୍ନାଥଙ୍କ ରଥର ଅତି ନିକଟରେ ରହି ରଥ ଦଉଡି ଟାଣୁଥିଲେ । ରଥ ଦଉଡି ଛିଣ୍ଡିଗଲା । ଦୁଇଜଣ ତଳେ ପଡିଯାଇଥିଲେ। ଭୀଡର ଶବ୍ଦ ଯୋଗୁ ସେମାନଙ୍କର ସେଥିପ୍ରତି ନିଘା ନଥିଲା। ଚାରିଜଣ ପୁରାପୁରି ଚକଟି ହୋଇଗଲେ; ପଞ୍ଚମ ଜଣଙ୍କର ଗୋଡ ଚୁନଚୁନା ହୋଇଯାଇଥିଲା ଏବଂ ଷଷ୍ଠ ଜଣକ ରଥଚକା ମଝିରେ ପଡିଯାଇଥିଲା ଆଉ ଅଦ୍ଭୁତ ଭାବରେ ବଞ୍ଚିଯାଇଥିଲା ।"

କଟକରେ ଅବସ୍ଥାପିତ ଜଣେ ସାମ୍ବାଦିକ ପୁରୀର ମହାନ ରଥଯାତ୍ରା ସଂପର୍କୀତ ଏପରି ଏକ ପ୍ରତିବେଦନକୁ "ଏସିଆଟିକ୍ ଜର୍ଣ୍ଣାଲ" କୁ ପ୍ରେରଣ କରିଥିଲେ। ଏହା ସଂପୃକ୍ତ କାଗଜର "ଜାନୁଆରୀ-ଜୁନ ୧୮୨୪" ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।
ଏସିଆଟିକ୍ ଜର୍ଣ୍ଣାଲ୍ ଲଣ୍ଡନରୁ ପ୍ରକାଶିତ ହେଉଥିଲା ଏବଂ ଏହାର "ମଂଥଲି ଜର୍ଣ୍ଣାଲ୍" ବୋଲି ଏକ ଉପନାମ ରହିଥିଲା । ଭାରତ,ଚାଇନା ପ୍ରଭୃତି ଏସୀୟ ଦେଶ ସଂପର୍କରେ ଏହା ସବିଶେଷ ସମ୍ବାଦ ଆଉ ଆଲୋଚନାମାନ ପ୍ରକାଶ କରୁଥିଲା ।
ବ୍ରିଟିଶ୍ ପ୍ରେସ ଆଉ ପୁରୀର ରଥଯାତ୍ରା ସଂପର୍କରେ ସ୍ୱତନ୍ତ୍ର ଭାବରେ ଆଲୋଚନା କରାଯାଇପାରେ ।
ମାତ୍ର ସଂକ୍ଷେପରେ ଏଇଠି ଏତିକି କୁହାଯାଇପାରିବ ଯେ ଜଗନ୍ନାଥଙ୍କୁ ନେଇ ବ୍ରିଟିଶ ଉଚ୍ଚବର୍ଗ ,ବିଶେଷରେ ଯେଉଁମାନେ ବ୍ରିଟିଶମାନଙ୍କର ଭାରତ ଶାସନକୁ ନେଇ ଖବରାଖବର ରଖନ୍ତି ଆଉ ଉତ୍ସାହିତ ରହିଥାନ୍ତି,ସେମାନେ ବସ୍ତୁତଃ ଦୁଇଟି ଗୋଷ୍ଠୀରେ ବିଭାଜିତ ଥିଲେ । ଗୋଟିଏ ଉଦାରବାଦୀ ପକ୍ଷ ଯାହା ସ୍ଥିତାବସ୍ଥା ରହିଛି ସେଥିରେ କୌଣସି ପ୍ରକାର ହସ୍ତକ୍ଷେପ ନକରି ସ୍ଥାନୀୟ ସଂସ୍କୃତି ଆଉ ପରଂପରାକୁ ତାହାର ନିଜ ବାଟରେ ପରିଚାଳିତ ହେବାକୁ ଛାଡିଦେବା ଆଉ ତାହାଦ୍ୱାରା ସ୍ଥାନୀୟ ଜନସମଗ୍ରର ଅକୁଣ୍ଠ ସମର୍ଥନ ହାସଲ କରିବା ସହଜ ହେବ ବୋଲି ବିଚାର କରୁଥିଲେ । ଏବଂ ଅନ୍ୟପକ୍ଷରେ ଆଉ ଗୋଟିଏ ଉଚ୍ଚଶିକ୍ଷିତ ବ୍ରିଟିଶ ବର୍ଗ ମନେ କରୁଥିଲେ ଯେ ଖ୍ରୀଷ୍ଟ ଧର୍ମର ବହୁଳ ପ୍ରସାର ଫଳରେ ସ୍ଥାନୀୟ ବୃହତ ସମାଜକୁ ନିଜର ଔପନିବେଶିକ ଧର୍ମଧାରା ଦ୍ୱାରା ଅଭିମନ୍ତ୍ରୀତ କରିପାରିଲେ ବ୍ରିଟିଶ ଶାସନ ନିରଙ୍କୁଶ ହୋଇପାରିବ । ସମସ୍ତ ମିଶନାରୀମାନେ ଏଇ ଦ୍ୱିତୀୟ ଗୋଷ୍ଠୀର । ସେମାନଙ୍କ ଦୃଷ୍ଟିରେ ଓଡିଶାରେ ଖ୍ରୀଷ୍ଟଧର୍ମର ପ୍ରସାରକୁ ବ୍ୟାହତ କରିବାରେ ଏକମାତ୍ର ଉପସ୍ଥିତ ପ୍ରମୁଖ କାରକ ହେଉଛନ୍ତି ଶ୍ରୀଶ୍ରୀଜଗନ୍ନାଥ ଏବଂ ତାଙ୍କର ସ୍ଥାନୀୟ ପ୍ରତିମାନକୁ ଭୁଲୁଣ୍ଠିତ କରିବା ପାଇଁ ସେମାନେ ଅଧିକରୁ ଅଧିକ ଚେଷ୍ଠିତ ଥିଲେ । ଏଇଠି କେବଳ ଏତିକି କୁହାଯାଇପାରେ ଯେ ବ୍ରିଟିଶ ଜନମତକୁ ପ୍ରଭାବିତ କରିବା ପାଇଁ ସେମାନେ ଶ୍ରୀଶ୍ରୀ ଜଗନ୍ନାଥଙ୍କୁ ଏକ "ଦୁଷ୍କୃତକାରୀ,ବର୍ବର ଜଗର୍ଣ୍ଣଟ୍" ଦେବତା ବୋଲି ତାଙ୍କର ଗଣମାଧ୍ୟମରେ ଉପସ୍ଥାପିତ କରାଉଥିଲେ। ରଥଯାତ୍ରା ସମୟର ଅଘଟଣମାନ ପ୍ରମୁଖତାର ସହ ଅତିରଞ୍ଜିତ ସଂବାଦ ଆକାରରେ ସେଠାରୁ ବାହାରୁଥିଲା ।
କିନ୍ତୁ ବ୍ରିଟିଶ ସରକାର ଶ୍ରୀଶ୍ରୀଜଗନ୍ନାଥଙ୍କୁ ନେଇ ସେମାନଙ୍କର ସାଥୀ ମିଶନାରୀଙ୍କ ପକ୍ଷକୁ ନିଜର ବିଚାରକୁ ସେମିତି ନେଉନଥିଲେ। ଆମର ଏଇଠି ମନେ ରଖିବା ଉଚିତ ଯେ,୧୮୦୩ ଖ୍ରୀଅ ରେ ବ୍ରିଟିଶ ମାନଙ୍କର ଓଡିଶା ଅଧିକାର ପରେ ପୁରୀର
ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ନିଜର ହାତକୁ ନେବା ପୂର୍ବରୁ ବ୍ରିଟିଶ ଗଭର୍ଣ୍ଣର-ଜେନେରାଲ୍ ଲର୍ଡ ୱେଲେସଲି ଏକଥା ତାଙ୍କର ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଦେଇଥିଲେ ଯେ ଜଗନ୍ନାଥ ମନ୍ଦିରର ଆଭ୍ୟନ୍ତରୀଣ ପରିଚାଳନାରେ ବ୍ରିଟିଶ ଶାସନ ସାମାନ୍ୟ ଭାବରେ ହସ୍ତକ୍ଷେପ କରିବ ନାହିଁ। ଏହି କଥାକୁ ଆଉ ଟିକିଏ ସ୍ପଷ୍ଟ ଆଉ ବିସ୍ତୃତ କରିବାକୁ ଯାଇ ଲର୍ଡ ୱେଲେସଲି କଲିକତାର ପ୍ରବୁଦ୍ଧ ବଙ୍ଗଭାଷୀ ପଣ୍ଡିତ ତଥା ପୁରୋହିତ ମାନଙ୍କ ଦ୍ୱାରା ଅନେକ ପତ୍ରରେ ସେଇକଥାକୁ ବଙ୍ଗଳାରେ ଲେଖାଇ ପୁରୀର ଜଗନ୍ନାଥ ମନ୍ଦିର ତଥା ପୂଜାବିଧି ସହିତ ସଂପୃକ୍ତ ବ୍ୟକ୍ତିବିଶେଷମାନଙ୍କ ନିକଟକୁ ପ୍ରେରଣ କରାଇଥିଲେ । ସମ୍ଭବତଃ ବ୍ରିଟିଶମାନେ ୧୮୦୩ରେ ଓଡିଶା ଅଧିକାର କରିବାର ଠିକ୍ ପରେ ପରେ ସେମାନଙ୍କୁ ପୁରୀ ମନ୍ଦିରର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେବା ପାଇଁ ଏଠିକାର ଦାବୀ ପଛରେ ସେଇ ସବୁ ବଂଗଭାଷାରେ ଲିଖିତ ଚିଠି ଏକ "କନଫିଡେନ୍ସ ବିଲଡିଂ ଏକ୍ସରସାଇଜ୍" ଆକାରରେ କାମ କରିଥାଇପାରେ ।
ବ୍ରିଟିଶ୍ ମାନେ ଶ୍ରୀମନ୍ଦିରକୁ ନେଇ ଯେଉଁ ଶାସନନୀତି ର ପ୍ରୟୋଗ କରୁଥଲେ ତାହାକୁ ବସ୍ତୁତଃ ଏକ ଦ୍ୱୈତ-ଶାସନ ବା ଡାୟାର୍କି ବୋଲି କୁହାଯାଇପାରିବ। ସଂକ୍ଷେପରେ କହିଲେ,ଏହା ଏକ ସ୍ପଷ୍ଟ ବିଭାଜନ ଯେଉଁଠି ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ଶାସନ ର ଦାୟିତ୍ୱ ସ୍ଥାନୀୟ ଭାବରେ ଗଜପତି ତଥା ମନ୍ଦିରର ଅନ୍ୟାନ୍ୟ ଷ୍ଟେକହୋଲଡର୍ ଙ୍କ ହାତରେ ରହିଥିଲା ଆଉ ବାହାରର ଯାହା ଯାହା ଶାସକୀୟ ଦାୟିତ୍ୱ ତାହା ରହିଥିଲା ବ୍ରିଟିଶମାନଙ୍କ ହାତରେ ।
ଏଇଠି ଆମକୁ ଗୋଟିଏ କଥା ଦେଖିବାର ଅଛି ଯେ ଓଡିଶା ଅଧିକାର କରିବାର ଠିକ୍ ପରେ ପରେ ଏକ ଉପନିବେଶବାଦୀ ଶକ୍ତି,ବିଜାତୀୟ,ଜଣେ ଫିରିଙ୍ଗିର ସାମ୍ନାରେ ନିଜର ପ୍ରିୟ ଶ୍ରୀମନ୍ଦିର ର ସମସ୍ତ ରତ୍ନଭଣ୍ଡାରର ସଂଗ୍ରହକୁ ଗଣତି-ମଣତି କରି ତାହାର ବିସ୍ତୃତ ତାଲିକାକୁ ଜଗନ୍ନାଥ ମନ୍ଦିର ର ଯେଉଁ କର୍ତ୍ତାବ୍ୟକ୍ତି ମାନେ ରଖିଥିଲେ ସେମାନଙ୍କର ଏପରି ବିଶ୍ୱାସକୁ ପ୍ରଶଂସା କରିବାକୁ ହେବ । ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସମେତ ସମସ୍ତ ବିସ୍ତୃତ ଚିଠାକୁ ସର୍ବପ୍ରଥମେ ନଥିବଦ୍ଧ କରିବାର ଦାୟିତ୍ୱ ଯାହାଙ୍କ ହାତରେ ଥିଲା ସେଇ ଚାର୍ଲସ ଗ୍ରୁମସ୍ ତାଙ୍କର "ଚାର୍ଲସ ଗ୍ରୁମସ୍ ରିପୋର୍ଟ ଅନ୍ ଦି ଟେମ୍ପଲ୍ ଅଫ ଜଗନ୍ନାଥ,୧୦ ଜୁନ୍ ୧୮୦୫" ରେ ତାଙ୍କ ପ୍ରତି ପ୍ରଦାନ କରାଯାଇଥିବା ସମସ୍ତ ପ୍ରକାର ସୂଚନା ର ପଛରେ ରହିଥିବା ସ୍ଥାନୀୟ ଅକୁଣ୍ଠିତ ବିଶ୍ୱାସକୁ କୃତଜ୍ଞତା ଜଣାଇଛନ୍ତି। ସେହି କାରଣରୁ ଜଗନ୍ନାଥ-ଅଧ୍ୟୟନ କ୍ଷେତ୍ରରେ ଚାର୍ଲସ ଗ୍ରୁମସ୍ ଙ୍କ ରିପୋର୍ଟ ଏକ ବିଶ୍ୱସ୍ତ ପ୍ରାମାଣିକ ଆଧାର ।
ଶେଷରେ ଦୁଇଶହ ବର୍ଷ ତଳର ଅର୍ଥାତ୍ ୧୮୨୪ ଖ୍ରୀଅର ଏଇ ରଥଯାତ୍ରା ସଂପର୍କୀତ ବିଦେଶରୁ ପ୍ରକାଶିତ ସଂବାଦକୁ ଲକ୍ଷ୍ୟକଲେ ଚାରୋଟି କଥା ପ୍ରମୁଖ ଭାବରେ ଆମର ସାମ୍ନାକୁ ଆସିବ । ପ୍ରଥମରେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଇଉରୋପୀୟ ସଂଭ୍ରାନ୍ତ ମାନେ ବି ବେଶ୍ ଉପଭୋଗ କରୁଥିଲେ,ଦ୍ୱିତୀୟରେ ବ୍ରିଟିଶ ଶାସନ ରଥଯାତ୍ରାରେ ଉପଗତ ଭୀଡକୁ ପରିଚାଳନା କରିବାରେ ସେମିତି ସଫଳ ନଥିଲା । ଅବଶ୍ୟ ସେମାନେ ରଥଯାତ୍ରାଜନୀତ ସମସ୍ତ ଅଘଟଣକୁ ସ୍ଥାନୀୟତାର ଦ୍ୱାହି ଦେଇ ଖସିଯିବାର ଚେଷ୍ଠା କରୁଥିଲେ,ସେସମୟରେ ପୁରୀରେ ତୀର୍ଥଯାତ୍ରୀଙ୍କ ବସବାସ ତଥା ପରିମଳ ଆଦିକୁ ନେଇ ନିଜର ସାମର୍ଥ୍ୟର ବଖାଣ କରୁଥିଲେ। ତୃତୀୟରେ ଭାରତୀୟ ସମାଜର ଉତ୍କଟ ଜାତିଭିତ୍ତିକ ବର୍ଗୀକରଣ ।
ଏଇ ପ୍ରତିବେଦନରେ ଯେଉଁ ଚତୁର୍ଥ କଥାଟି ଦେଖାଯାଏ ତାହା ହେଉଛି ଯେ ରଥଗୁଡିକ
" ଉଜ୍ଜଳ ଇଂଗ୍ଲିଶ୍ ଉଲେନ କପଡା" ଦ୍ୱାରା ଆବୃତ କରାଯାଉଥିଲା ।
ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଲୁଗା ର ଐତିହାସିକ ବିଚାରଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।
ଏଠାରେ ବ୍ୟବହୃତ ଲୁଗାକୁ ନେଇ ପରେ ଗୋପବନ୍ଧୁ ଏବଂ ଗାନ୍ଧୀ ସ୍ଥାନୀୟତା ବନାମ ବିଦେଶୀର ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।