ବିଜ୍ଞାପନ ଲୋଭରେ ଓଡ଼ିଶାର ଗଣମାଧ୍ୟମ ବେଦାନ୍ତ ବନ୍ଦନା କରୁ ନଥିଲେ କି?

ବିଜ୍ଞାପନ ଲୋଭରେ ଓଡ଼ିଶାର ଗଣମାଧ୍ୟମ ବେଦାନ୍ତ ବନ୍ଦନା କରୁ ନଥିଲେ କି?



ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଲା ପରେ, ଓଡ଼ିଶାର ଖବରକାଗଜ ଓ ଟେଲିଭିଜନ ଚ୍ୟାନେଲ ଗୁଡିକ ଏବେ ଏହି ପ୍ରକଳ୍ପ ବିରୋଧରେ ଅନେକ କଥା କହୁଛନ୍ତି। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇଲା ପରେ ବେଦାନ୍ତର ବେଆଇନ କାରବାର ସ୍ପଷ୍ଟ ହୋଇଯାଇଛି। ବେଦାନ୍ତକୁ ଓଡ଼ିଶା ସରକାର ଆଇନ ବାହାରକୁ ଯାଇ ସହଯୋଗ କରିବାର ପ୍ରମାଣ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଦେଇ ସାରିଛନ୍ତି। ତେବେ ବିଚାରପତି ୧୭ ବର୍ଷ ପରେ ଯାହା ରାୟରେ ଲେଖିଲେ, ସେ କଥା ୨୦୦୬ରୁ ଏହି ଆନ୍ଦୋଳନ ସହ ସମ୍ପୃକ୍ତ ସମାଜ କର୍ମୀମାନେ କହୁଥିଲେ। ସେମାନଙ୍କ କଥାକୁ ସରକାର ସେତେବେଳେ ଶୁଣୁ ନଥିଲେ କାରଣ ସରକାର ବେଦାନ୍ତର ବୋଲକରା ଭାବେ କାମ କରୁଥିଲେ। ସେତେବେଳେ ସରକାରରେ ଥିବା ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡ଼ି ବେଦାନ୍ତ ପାଇଁ ଓକିଲାତି କରିବା ସ୍ବାଭାବିକ। ହେଲେ ବେଦାନ୍ତକୁ ଓଡ଼ିଶା ଗଣମାଧ୍ୟମ ଯେଉଁ ପ୍ରକାର ସୁରକ୍ଷା ଦେଉଥିଲା, ତା ପଛରେ କି କାରଣ ରହିଥିଲା?

ସେତେବେଳେ ଓଡ଼ିଶାର ଏକ ନମ୍ବର ନ୍ୟୁଜ ଚ୍ୟାନେଲ ବୋଲି ନିଜକୁ ଦାବୀ କରୁଥିବା ଏକ ଟେଲିଭିଜନ ସଂସ୍ଥା ରୀତିମତ ବେଦାନ୍ତର ଲୋକସମ୍ପର୍କ ବିଭାଗ ଭଳି କାମ କରୁଥିବା କଥା ଆମେ ବୋଧହୁଏ ଭୁଲିନାହୁ। ତଥାକଥିତ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ବାହାନାରେ ୧୫ ହଜାର ଏକର ସମୁଦ୍ରକୂଳିଆ ଜମି ହାତେଇବାପାଇଁ ବେଦାନ୍ତର ଦୁରାଗ୍ରହ ପଛରେ କେବଳ ପ୍ରଶାସନ ଓ ରାଜନୀତିର ସମର୍ଥନ ନଥିଲା, ଏହା ପଛରେ ଓଡ଼ିଆ ଗଣମାଧ୍ୟମର ସହାୟତା କିଛି କମ୍ ନଥିଲା।

୨୦୦୬-୦୭ରେ ଅନୀଲ ଅଗ୍ରୱାଲଙ୍କ ସହିତ ଓଡ଼ିଆ ଗଣମାଧ୍ୟମର ସବୁ ବରିଷ୍ଠ ସମ୍ପାଦକ ଯେତେବେଳେ ଏକାଠି ବସିଥିଲେ, ସେତେବେଳେ ବେଦାନ୍ତର ଅନୈତିକ ଉଦ୍ଦେଶ୍ୟ ବିଷୟରେ କେହି ପ୍ରଶ୍ନ କରିଥିଲେ କି? ବେଦାନ୍ତର ବିଜ୍ଞାପନ ପଇସା ଓଡ଼ିଆ ଗଣମାଧ୍ୟମର ମୁହଁ ରେ ତୁଣ୍ଡି ବାନ୍ଧି ନଥିଲା କି? ଓଡ଼ିଆ ଟେଲିଭିଜନର ବରିଷ୍ଠ ଏବଂ ବିଶିଷ୍ଟ ଆଙ୍କର୍ ମାନେ ବେଦାନ୍ତ ବିଶ୍ବବିଦ୍ୟାଳୟର ଗୁଣଗାନ କଲାବେଳେ ଏହା ଯେ ସମ୍ପୂର୍ଣ୍ଣ ଭାବରେ ଏକ ବେଆଇନ ପ୍ରକଳ୍ପ, ତାହା ସେମାନେ ଜାଣି ନଥିଲେ କି?

ବେଦାନ୍ତ ଏବଂ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ସିଧାସଳଖ ଓଡ଼ିଶାର ପରିବେଶ ଉପରେ ଆକ୍ରମଣ - ଏକଥା ନିରାଟ ସତ୍ୟ। ହେଲେ ଏହି ସତ୍ୟକୁ ଗଣମାଧ୍ୟମ କର୍ପୋରେଟ ବିଜ୍ଞାପନ ଲୋଭରେ ବାରମ୍ବାର ଲୁଚାଇ ରଖିବାର ଅପରାଧ କରିଚାଲିଛନ୍ତି।

ଆଜି ବେଦାନ୍ତ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କଲା ବେଳେ ଗଣମାଧ୍ୟମ ନିଜକୁ ପ୍ରଶ୍ନ କରୁ - ଏହି ମାନବୀୟ ଅପରାଧ ପଛରେ ଆମର ଭୂମିକା କଣ ଥିଲା??