ଆନ୍ତର୍ଜାତିକ ନାରୀ ଦିବସ: ଆବେଗ ଓ ଅଧିକାର

ଆନ୍ତର୍ଜାତିକ ନାରୀ ଦିବସ:  ଆବେଗ ଓ ଅଧିକାର

ଏକ

ମାର୍ଚ୍ଚମାସ ଆଠ ତାରିଖ ହେଉଛି ଆନ୍ତର୍ଜାତିକ ନାରୀ ଦିବସ। ନାରୀର ମୌଳିକ ଅଧିକାର କୁ ନେଇ ଚର୍ଚ୍ଚା କରିବା ପାଇଁ  ଏଇ ଦିବସ ଟିର ପରିକଳ୍ପନା।

ନାରୀର ଅଧିକାର ର ସ୍ୱରୂପ କେମିତି ତାହାକୁ ବୁଝିବା ପାଇଁ ତଥା ଆମର ସାଧାରଣତଃ ନାରୀବିଚାର ର ପୃଷ୍ଠବନ୍ଧକୁ ବୁଝିବା ପାଇଁ କେତୋଟି ବିଶେଷ ଉଦ୍ଧୃତି ର ସହାୟତା ରେ ପ୍ରଥମରେ ଏକ ଉପକ୍ରମଣିକାକୁ ଦେଖାଯାଉ।

ନାରୀଟିଏ ସାଧାରଣତଃ ବେଶି ଉଦ୍ଧୃତି ଦେଇଥାଏ ବୋଲି ଆମେ ପୁରୁଷମାନେ ସଚରାଚର କହୁଥିଲେ ବି (ଏଇ ଉଦ୍ଧୃତି କଥା କୁ ନେଇ ମୋ ଭଳି ଆପଣଙ୍କର ସକାଳଟି ଦାମ୍ପତ୍ୟକଳହରେ ମେଘାଡଂବର ନହେଉ ବୋଲି ଅନୁରୋଧ କରୁକି )ହଜାର ହଜାର ବର୍ଷ ଧରି ବିଶିଷ୍ଟ ଚିନ୍ତକ ମାନେ ନାରୀ ବିଷୟରେ ହିଁ ଉଦ୍ଧୃତିମାନ ଦେଇ ଆସିଛନ୍ତି।ସେମାନେ ସବୁ ହେଉଛନ୍ତି ପୁରୁଷ।ତେଣୁ କହିବାକୁ ଗଲେ ପୁରୁଷମାନଙ୍କୁ ନାରୀଚିନ୍ତା ସବୁ ବାଇମୁଣ୍ଡିଙ୍କର ସାମଗ୍ରିକ କଟକ ଚିନ୍ତାଠୁ ଅଧିକ। ଆଜିକାଲି ଆମେ ଯେଉଁମାନେ ବିଶେଷତଃ ହ୍ୱାଟସ୍ ଆପ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଅଛୁ ସେମାନେ ଯେତିକି ଉତ୍ସାହର ସହ ଆମ ବଂଧୁପରିଜନକୁ ଉଦ୍ଧୃତିମାଳାରେ ଦୀପାବଳି କରିଦେବା ପାଇଁ ବଦ୍ଧ ପରିକର ରହିଛୁ  ସମାନୁରୂପରେ ଆମେ ନାରୀ ସଂପର୍କରେ ପୁରୁଷଚିନ୍ତକ ଙ୍କ ଉଦ୍ଧୃତି କୁ ସବୁବେଳେ ସଠିକ୍ ବୋଲି ଏକ ପରିବେଶ ତିଆରି କରିବାରେ ବି ଲାଗିପଡିଛୁ।

ଅଳ୍ପ କେତୋଟି ମହାନ୍ ପୁରୁଷବାଦୀ ଉଦ୍ଧୃତି ରଖୁଛି।

ଦାର୍ଶନିକ ଆରିଷ୍ଟୋଟଲ୍ ଙ୍କ ମତରେ " ନାରୀ ହେଉଛି ଏକ ଅସଂପୂର୍ଣ୍ଣ ପୁରୁଷ"।

ସନ୍ଥ ଥମାସ୍ ଆକ୍ୱିନାସ୍ ଙ୍କ ମତରେ "ନାରୀ ହେଉଛି ପୁରୁଷ ବୀଜର ଏକ ତ୍ରୁଟିଭାଗର ନିନ୍ଦନୀୟ ପରିପ୍ରକାଶ।"

ମାର୍ଟିନ୍ ଲୁଥର ଙ୍କ ମତରେ "ପୁରୁଷର ଚଉଡା କାନ୍ଧ ଆଉ ସରୁ ଅଂଟା ଥାଏ ଆଉ ସେଇଥିପାଇଁ ସେମାନେ ବୁଦ୍ଧିମାନ।ନାରୀର ସରୁ କାନ୍ଧ ଓ ଚଉଡା ଅଂଟା ଥାଏ,ସେଇଥି ପାଇଁ ସେମାନେ ଘରକରଣା କାମ କରନ୍ତି ଓ ସନ୍ତାନ ଜନ୍ମ ଦିଅନ୍ତି।

ଏଇ ଉଦ୍ଧୃତି କୁ ଆଜି ଆପଣ କେମିତି ଦେଖିବେ ଆଜି ?

ସକ୍ରେଟିସ୍ ଯାହାଙ୍କୁ ଆମେ ବିଶ୍ୱର ସବୁଠାରୁ ଉଦ୍ଧୃତିଯୋଗ୍ୟ ଚିନ୍ତାନାୟକ ବୋଲି ସ୍ୱୀକାର କରୁ ତାଙ୍କ ଭିତରର ପୁରୁଷାକାର ଟି ବି କହିପାରିଥିଲା ଯେ ନାରୀର ବୁଦ୍ଧିବୃତ୍ତି ସାଧାରଣତଃ କମ୍।ତାହାର କାରଣ ଦେବାକୁ ଯାଇ ଆମର ଏଇ ଚିନ୍ତାରାଜ୍ୟର ବିଶ୍ୱସମ୍ରାଟ ଜଣକ ଯେଉଁ ହାସ୍ୟକର ତର୍କଟି ଦେଇଥିଲା ତାହା ଏହିପରି,ନାରୀର ପୁରୁଷ ତୁଳନାରେ ପାଟିରେ ଥିବା ଦାନ୍ତ ସଂଖ୍ୟା କମ୍ ତେଣୁ ବୁଦ୍ଧି ସେମାନଙ୍କର କମ୍।ପରିଣତ ବୟସରେ ବିବାହ କରିଥିବା ତରୁଣୀ ପତ୍ନୀ ଜାନଥିପି ଙ୍କ ନିକଟରୁ ନାରୀର ଦନ୍ତ-ସୁମାରି କରି ବୁଦ୍ଧିର ଏହି ଦନ୍ତ-ତତ୍ତ୍ୱକୁ ପରୀକ୍ଷା କରିନେବାର ସିଦ୍ଧାନ୍ତକୁ ସକ୍ରେଟିସ୍ ଉଚିତ ମଣି ନାହାଁନ୍ତି।ଯଦିଓ ହେମଲକ୍ ବୋଲି ବିଶ୍ୱବିଦିତ ବିଷ ପାନ କରିବାର କିଛି ସମୟ ପୂର୍ବରୁ ସତୁରୀ ବୟସର ସକ୍ରେଟିସ୍ ଙ୍କ ତୃତୀୟ ତଥା କୋଳପୋଛା ପୁଅଟି ଜାନଥିପିଙ୍କ କୋଳରେ ମାଆ ସହ କାନ୍ଦୁଥିଲା।କାରାଗାର ର ପ୍ରକୋଷ୍ଠ ଭିତରେ ହେମଲକ୍ ର ଯଥାଯଥ ମିଶ୍ରଣର ପାନୀୟ ପାତ୍ରଟିର  ପ୍ରସ୍ତୁତି ଚାଲିଥିଲା ସମସ୍ତଙ୍କ ସାମ୍ନାରେ।ସକ୍ରେଟିସ୍ ଙ୍କୁ ବଂଧନମୁକ୍ତ କରାଗଲା।ଜାନଥିପି ଜଣେ କଳିହୁଡୀ ସ୍ତ୍ରୀ  ବୋଲି ଅପଖ୍ୟାତି ପାଇଛନ୍ତି ଇତିହାସରେ,ହୁଏତ ତାଙ୍କର ସ୍ୱାମୀ ବିଶିଷ୍ଟ ଚିନ୍ତାନାୟକ ବୋଲି।ନିଜର କଳିହୁଡୀ ବୋଲି ଅପଖ୍ୟାତି ଟିକୁ ଘୋଡାଇ ରଖିବା ଭଳି ରୂପ କି କ୍ଷମତା କି ଜ୍ଞାନ ର ଆଭରଣ ଟିଏ ଜାନଥିପିଙ୍କ ପାଖରେ ନଥିଲା।ତେଣୁ ସେ ଇତିହାସରେ ଅନ୍ୟାନ୍ୟ ଗୌଣ ଚରିତ୍ର ମାନଙ୍କ ଭଳି କେବଳ ସକ୍ରେଟିସ୍ ଙ୍କ ପତ୍ନୀ ହୋଇ ରହିଗଲେ ଯେଉଁଠୁ ତାଙ୍କୁ ସେମିତି ମୁଣ୍ଡ ଟେକି ଚାହିଁବାର ଅବକାଶ ନାହିଁ।ଅନ୍ୟ ପକ୍ଷରେ ସ୍ୱାମୀ ସକ୍ରେଟିସ୍ ସବୁକାଳ ପରିବେଷ୍ଟିତ ହୋଇ ରହିଛନ୍ତି ନିଜର ଜ୍ଞାନର ପ୍ରଭାମଣ୍ଡଳରେ ଯାହା ତାଙ୍କର ଛୋଟ ଛୋଟ ତ୍ରୁଟିର ଅଂଧାରକୁ ରହିବାକୁ ଦେବନାହିଁ।ସାମ୍ନାରେ ପ୍ରସ୍ତୁତ ହେମଲକ୍,ବଂଧନମୁକ୍ତ ସକ୍ରେଟିସ୍ ଓ ସମବେତ ତାଙ୍କର କିଛି ଅନୁଗାମୀ ଙ୍କୁ ଦେଖି କୋଳରେ କାନ୍ଦୁଥିବା ପିଲାଟି ସହ କାନ୍ଦକାନ୍ଦ ଗଳାରେ ଏକଦା ସେଇ କଳିହୁଡୀ ପତ୍ନୀ ଜାନଥିପି କହିଥିଲେ,ଶେଷ ବେଳ ହେଲା,କିଛି କହିବ ?

ସକ୍ରେଟିସ୍ ତାଙ୍କର ଅନୁଗାମୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜାନଥିପି ଆଉ ଶିଶୁପୁତ୍ରକୁ କାରାଗାର ଗୃହରୁ ବାହାରକୁ ନେଇଯିବାପାଇଁ।ସକ୍ରେଟିସ୍ ଙ୍କ ଏହି କାର୍ଯ୍ୟର ପୁରୁଷୋଚିତ ତର୍ଜମା ଆମର ରହିଛି ଯାହା ଅନୁସାରେ ସେ ନିଜର ପ୍ରିୟତମା ପତ୍ନୀଙ୍କ ଦୁଃଖ କୁ ବହନ କରି ନିଜର ଶେଷ ଯାଏଁ ଯିବାକୁ ଚାହୁଁନଥିଲେ।କିନ୍ତୁ ପ୍ରକୃତ କଥାଟି ହେଲା ସେ ତାଙ୍କର ଯେଉଁ  ଶେଷ ଦାର୍ଶନିକ ସୁସମାଚାର କୁ ଦେବାର ପ୍ରସ୍ତୁତ କରିଥିଲେ ସେଥିରେ କୌଣସି ବିଘ୍ନ ଚାହୁଁନଥିଲେ।

ଆଜି ଆନ୍ତର୍ଜାତିକ ନାରୀ ଦିବସରେ ନାରୀ କୁ ନିଜର ଏକ କବିତାରେ ଗୋଟିଏ ସୁନ୍ଦର ସଂଜ୍ଞା ଦେଇଥିବା କବିଗୁରୁ ରବୀନ୍ଦ୍ରନାଥ ଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି। ସେହି କବିତାଂଶର ସୁନ୍ଦର ଉଦ୍ଧୃତିଯୋଗ୍ୟ ଅନୁବାଦଟି ନିମ୍ନରେ:

"ଖାଲି ବିଧାତାର ସୃଷ୍ଟି ନୁହଁ ତୁମେ ନାରୀ,
ପୁରୁଷ ଗଢେ ତୁମକୁ ସୌନ୍ଦର୍ଯ୍ୟ ସଂଚାରି
ଆପଣା ଅନ୍ତର ମଧ୍ୟେ ବସି କବିଗଣ,
ଉପମା ସୁବର୍ଣ୍ଣ ସୂତା ବୁଣନ୍ତି ବସନ।
ଅର୍ପିଣ ତୁମ ଶରୀରେ ନୂତନ ମହିମା
ଅମର କରିଛି ଶିଳ୍ପୀ ତୁମରି ପ୍ରତିମା।
ସମସ୍ତ ଭୂଷଣ ଆଉ ଗଂଧ ଯେତେ ବର୍ଣ୍ଣ
ସିଂଧୁ ଦିଏ ମୁକ୍ତା ଖଣି ଗରଭୁ ସୁବର୍ଣ୍ଣ ,
ବସନ୍ତର ଉପବନୁ ଆସେ ପୁଷ୍ପ ଭାର,
ଚରଣ ରଂଜନେ କୀଟ ବିସର୍ଜେ ଶରୀର।
ଲଜ୍ଜା ଦାନ,ସଜ୍ଜା ଦାନ,ଦାନେ ଆବରଣ,
ତୁମକୁ ଦୁର୍ଲ୍ଲଭ ବେଶେ କରେ ସଂଗୋପନ।
ଆରୋପି ଶରୀରେ ତୁମ ପ୍ରଦୀପ୍ତ ବାସନା,
ଅର୍ଦ୍ଧେକ ମାନବୀ ତୁମେ ଅର୍ଦ୍ଧେକ କଳ୍ପନା।"

କବିଗୁରୁଙ୍କ ନାରୀକୁ "ଅର୍ଦ୍ଧେକ ମାନବୀ ଆଉ ଅର୍ଦ୍ଧେକ କଳ୍ପନା"ବୋଲି ବ୍ୟାଖ୍ୟାନ ଟି ଆଜିବି ବହୁଳ ଭାବରେ ଉଦ୍ଧୃତ।ଏହା ଭିତରେ ଆମର ନାରୀବୋଧ ଟି ଅତି ଯତ୍ନରେ ସୁରକ୍ଷିତ ହୋଇ ରହିଛି ବୋଲି ମୋର ବିଚାର।

ଆଜିର ନାରୀଦିବସରେ ଆଉ ଜଣେ କବିଙ୍କୁ ସ୍ମରଣ କରୁଛି। ପ୍ରତିବେଶୀ କବି ଜଣକ ହେଲେ ଜୀବନାନନ୍ଦ ଦାସ ଆଉ କବିତାଂଶଟି ଆମର ଅତିପ୍ରିୟ ପ୍ରେମାନୁଭବର କବିତା "ବନଲତା ସେନ୍"ରୁ ଗୃହୀତ।ଅନୁବାଦ ଟି ଏହିଭଳି :

" କେଶ ତା'ର କେବେକାର ଅନ୍ଧକାର ବିଦିଶାର ନିଶା,
ମୁଖ ତା'ର ଶ୍ରାବସ୍ତୀର କାରୁକାର୍ଯ୍ୟ,ଅତି ଦୂର ସମୁଦ୍ର ରେ
ହାଲ୍ ଭଙ୍ଗା  ନାବିକ ସେ ହରାଇଛି ଦିଗ
ସବୁଜଘାସର ଦେଶ ଦେଖେ  ଯେତେବେଳେ 
ଦାରୁଚିନି ଦ୍ୱୀପର ଭିତରେ;
ସେମିତି ଦେଖିଛି ତା'କୁ ଅଂଧାରରେ,କହିଛି ସେ,
"ଏତେ ଦିନ କେଉଁଠି ଥିଲ ମ"
ପକ୍ଷୀର ନୀଡର ଭଳି ଆଖି ମେଲି ନାଟୋର୍ ର 
ବନଲତା ସେନ୍।"

ଆମର ପ୍ରିୟ ନାରୀ ବନଲତା ସେନ୍ ଆମର କଳ୍ପିତ ପୃଥିବୀ ଯାହାକୁ ନାଟୋର ବୋଲି ନାମକରଣ ରେ ଚିହ୍ନିତ କରାଯାଇ ପାରିବ ସେଇଠେ ସେ ରହୁଛି।ବିଦିଶାର ନିଶା ଆଉ ଶ୍ରାବସ୍ତୀ ର କାରୁକାର୍ଯ୍ୟର ଐତିହାସିକତାରୁ କ୍ରମଶଃ ଦୃଶ୍ୟମାନ ହେବାରେ ଲାଗିଛି ସେ।ଆମେ ଯେତେ ଯେତେ ଦିଗହଜା ନାବିକ ଯାହାର ବୋଇତର ହାଲ୍ ସବୁ ଭାଂଗିଯାଇଛି ସୁଦୂର ସମୁଦ୍ରରେ ଯେତେବେଳେ ହଠାତ୍ ଆଶାର ଦାରୁଚିନଦ୍ୱୀପର ବାସ୍ନା ସହ ସବୁଜଘାସର ଦେଶରେ ସେ ଉଭା ହୋଇଛି।ଅଂଧାରରେ ତାହା ସହ ଆମର ଚିରକାଳ ଦେଖା। ସବୁ ହଠାତ୍।ସେଇ ହଠାତ୍ ଭିତରେ ଆମର ସଂଗୁପ୍ତ ଚିରକାଳ, "ଏତେ ଦିନ କେଉଁଠି ଥିଲ ମ", ଆମର ସମସ୍ତ ଅପେକ୍ଷାର ମଧୁରତମ ପଦାବଳୀ।

ନାରୀ ର ଆଖିରେ ପକ୍ଷୀବସା ଆଉ ପକ୍ଷୀବସା ଠୁ ଅଧିକ ଶାନ୍ତ ସମ୍ମୋହନ ଅଧିକ କିଛି ଉପସ୍ଥିତ ଲେଖକର ବିଚାରରେ ନାହିଁ।ସେଇଥିପାଇଁ ତ ଜୀବନାନନ୍ଦଙ୍କ ଏ ଉଦ୍ଧୃତି।

ଦୁଇ

ଇତିହାସ ଦୃଷ୍ଟିରୁ ଦେଖିଲେ ନାରୀ ର ଅଧିକାର ଦିବସର ଟାଇମଲାଇନ୍ ଟି ଏହିଭଳି ।


ଏହା ଆମର ଜାଣିବା ଉଚିତ ଏଇଥିପାଇଁ ଯେ ଯେତେବେଳେ ଆମେ ନାରୀକୁ ସର୍ବଂସହା କହି ସମାଜକୁ ପୁରୁଷତାନ୍ତ୍ରିକ କରି ଦେଇଛୁ ଅର୍ଥାତ୍ ଯିଏ ସବୁକଥାକୁ ସହିଯାଏ ଆଉ କୋମଳାଙ୍ଗୀ ହୋଇ ଦେହରେ ଆଉ ମନରେ  ରହିଥାଏ ବୋଲି ଆମର ବିଚାର କୁ ପ୍ରକାଶ କରିବାକୁ ଅତି ଆଗ୍ରହରେ ନିଜର ପୁରୁଷକୃତ ଔଦାର୍ଯ୍ୟ ବୋଲି ଡେଙ୍ଗୁରା ପିଟୁ,ସେତେବେଳେ ସେହି ସର୍ବଂସହା କୋମଳାଙ୍ଗୀ ମାନଙ୍କର କୌଣସି ଅଧିକାରରେ ପ୍ରୟୋଜନ ନାହିଁ ବୋଲି ଚତୁର ମୃଗୁଣୀ ଫାଶ ଚାରିଆଡେ ଆମେ ବିଛାଇ ଥାଉ।

ଆମ ଭିତରୁ କେହିକେହ ନିଜର ପୌରୁଷର ଉଦ୍ଦାମତା କୁ ନିଜର ଅସ୍ତିତ୍ବର ଚୁମ୍ବକୀୟ ମାପକାଠି ବୋଲି ବିଚାରକରିଥାନ୍ତି।ଆଉ  ସେମାନଙ୍କର ସେଇମିତି ଯେଉଁ ପୌରୁଷ  ସବୁ ନାରୀର ଯେମିତି ନଈର ସମୁଦ୍ରରେ ଝାସ ଦେବା ସଦୃଶ ଅଲଂଘ୍ୟ ଆକର୍ଷଣ ଓ ସେମାନେ ଏହି ଆକର୍ଷଣ ଟି ନାରୀର ଏକମାତ୍ର ନିୟତି ବୋଲି କହିବାରେ ସଂସାରଯାକର କାବ୍ୟସୁଖ ଭୋଗୁଥାନ୍ତି। ଏହି ଭଳି ପୌରୁଷକୁ ଯେଉଁମାନେ ଈଶ୍ୱରକରଣ କରିଥାଆନ୍ତି ସେଇଠି ନାରୀ ଚିରକାଳ ଅସହାୟା ଦୁର୍ବଳା।ଏହା ଆଦ୍ୟନ୍ତ ଏକ ପୁରୁଷ-ପୁରୁଷ ଖେଳ ଯେଉଁଠି ନାରୀ ପୁରୁଷ-ଖେଳର ବଳି ଏକ ଛାଗ ଶିଶୁ।

ନିଜର କ୍ଷମତା ତଥା ଅସ୍ତିତ୍ବର ଅଧିକାରକୁ ନାରୀ ଯେତିକି ପ୍ରାପ୍ତ ହୁଏ ସେ ସେତିକି ସେତିକି ପୁରୁଷକୃତ ଶାରୀରିକ ପଂଜୁରୀରୁ ମୁକ୍ତ ହେଉଥାଏ।

ସ୍ୱୟଂସଂପୂର୍ଣ୍ଣା ନାରୀ ପୁରୁଷକୃତ ଈଶ୍ୱରକୁ ପ୍ରତ୍ୟାଖ୍ୟାନ କରିବାର ସାମର୍ଥ୍ୟ ରଖେ।

ଆଉ ଥରେ କହିଲେ ନିଜର ସ୍ୱାଭାବିକ ଅଧିକାର ପାଇଁ ନାରୀକୁ ଯଥେଷ୍ଟ ସଂଘର୍ଷ କରିବାକୁ ପଡିଛି ଆଉ ଏବେବି କୌଣସି କୌଣସି ଘର କୋଣରୁ କରିବାକୁ ପଡୁଛି।

ଏବେ ନାରୀର ଅଧିକାର ସଂଗ୍ରାମର ଇତିହାସକୁ ଦେଖାଯାଉ।

୧୮୫୭ମସିହା ମାର୍ଚ୍ଚ ୮ ତାରିଖରେ ଆମେରିକାର ସିଲେଇ କାରଖାନାର ନାରୀ ଶ୍ରମିକ ମାନେ ନିଜର କାର୍ଯ୍ୟରେ ସମାନ ଅଧିକାର ଆଉ ସୁସ୍ଥ ବ୍ୟବହାର ଦାବୀରେ ରାସ୍ତାକୁ ପ୍ରଥମ କରି ଓହ୍ଲାଇ ଥିଲେ।

୧୮୬୦ ମସିହା ମାର୍ଚ୍ଚ ୮ ତାରିଖରେ ନାରୀ ଶ୍ରମିକ ମାନେ ସେମାନଙ୍କର ଦାବୀ ଆଦାୟ ପାଇଁ ସଂଘବଦ୍ଧ ହୋଇ ନିଜର ଏକ ୟୁନିଅନ୍ ଗଢିବାକୁ ଯାଇ ବ୍ୟର୍ଥ ହୋଇଥିଲେ।

୧୮୮୯ ମସିହାରେ ପ୍ୟାରିସ୍ ରେ ପ୍ରଥମ ଆନ୍ତର୍ଜାତିକ ନାରୀ ସମ୍ମିଳନୀର ନେତୃତ୍ୱ ନେଇ ଜର୍ମାନୀର ସମାଜତାନ୍ତ୍ରୀକ ନେତ୍ରୀ କ୍ଲାରା ଜେଟକିନ୍ ପୁରୁଷର ସହ ନାରୀର ସମାନ ଅଧିକାର କଥାଟିକୁ ଦୃଢ ଭାବରେ ଉପସ୍ଥାପନା କରନ୍ତି।

୧୯୧୦ ମସିହାରେ ଦ୍ୱିତିୟ ସମାଜତାନ୍ତ୍ରୀକ ଆନ୍ତର୍ଜାତିକ ସମ୍ମିଳନୀ କୋପେନହେଗେନ୍ ରେ ହୁଏ।ଏଥିରେ ପୃଥିବୀର ସତରଟି ଦେଶର ପ୍ରାୟ ଶହେଜଣ ପ୍ରତିନିଧି ଯୋଗ ଦିଅନ୍ତି।ସେଇଠି ଗୋଟିଏ ଆନ୍ତର୍ଜାତିକ ନାରୀ ଦିବସ ପାଳନର ସିଦ୍ଧାନ୍ତ ନିଆଯାଏ।

୧୯୧୧ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ପ୍ରଥମ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରାଯାଏ।ଏଥିରେ ସୁଇଜରଲାଣ୍ଡ,ଡେନମାର୍କ,ଅଷ୍ଟ୍ରିଆ ଓ ଜର୍ମାନୀର ଲକ୍ଷାଧିକ ନାରୀ ଯୋଗ ଦିଅନ୍ତି।ଏଇ ଘଟଣାର କିଛିଦିନ ପରେ "ଟ୍ରାଇଏଙ୍ଗେଲ୍ ଫାୟାର୍"ନାମରେ ପ୍ରସିଦ୍ଧ ନ୍ୟୁୟର୍କର ସେହି ଭୟାବହ ଅଗ୍ନିକାଣ୍ଡରେ ୧୪୦ ଜଣ ନାରୀ ଶ୍ରମିକଙ୍କର ପ୍ରାଣହାନୀ ଘଟେ।ଏହି ଅଗ୍ନିକାଣ୍ଡ ନାରୀ ଦିବସ ତଥା ଆନ୍ତର୍ଜାତିକ ଶ୍ରମିକ ଆଇନ ର ମୋଡକୁ ବଦଳାଇ ଦିଏ।

୧୯୧୩-୧୪ ରେ ନାରୀମାନଙ୍କର ଅଧିକାର ଆଦାୟ କ୍ଷେତ୍ରରେ କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟେ।ପ୍ରଥମ ବିଶ୍ୱଯୁଦ୍ଧ ଆରଂଭର ସମୟ ଏ।୧୯୧୩  ଫେବୃୟାରୀ ଶେଷ ରବିବାର ଦିନ ଋଷିଆର ନାରୀମାନେ ଯୁଦ୍ଧର ବିପକ୍ଷରେ ଓ ସାର୍ବଜନୀନ ଶାନ୍ତି କାମନା ପାଇଁ ଏହି ଦିନକୁ ଆନ୍ତର୍ଜାତିକ ନାରୀ ଦିବସ  ହିସାବରେ ପାଳନ କରନ୍ତି।ଆଉ ଠିକ୍ ତାହାପରେ ମାର୍ଚ୍ଚ ମାସ ଆଠତାରିଖରେ ଇଉରୋପ୍ ର ଅନେକ ଅଂଚଳରେ ଯୁଦ୍ଧର ବିରୋଧୀତା ଏବଂ ଯୁଦ୍ଧରେ ଲିପ୍ତ ଦେଶଗୁଡିକ ର ନାରୀ ମାନଙ୍କ ସହ ସମର୍ଥନ ଓ ସମବେଦନା ପାଇଁ ନାରୀ ଦିବସ ପାଳନ କରାଯାଇଥିଲା।

୧୯୧୭ ମସିହା ମାର୍ଚ୍ଚ ମାସର ଆଠ ତାରିଖ ,ପରେ ଯେଉଁ ତାରିଖକୁ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ସ୍ୱୀକୃତି ଦିଆଯାଇଛି,
ସେଇଦିନ ବିଶ୍ୱ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବାର ପ୍ରାରମ୍ଭ ହୋଇଥିଲା। ବିଶ୍ୱ ପରିପ୍ରେକ୍ଷୀରେ ସେହି  ଆଲୋଡନକାରୀ ଘଟଣାଟି ହେଉଛି ୧୯୧୭ ମସିହାର ଋଷିଆର ବିପ୍ଳବ ର ଚୂଡାନ୍ତ ରୂପ ଧାରଣ କରିବାର  ଆଦ୍ୟ ପ୍ରକ୍ରିୟା । ଋଷିଆର ପେଟ୍ରୋଗାର୍ଡ ଯାହା ପରେ ସେଣ୍ଟ ପିଟର୍ସବର୍ଗ ସେଇଠି ଏହି ଦିନ ଏହି ବିପ୍ଳବର ଆରମ୍ଭ । ଋଷିଆ ଦୀର୍ଘକାଳ ଧରି ସାମାଜିକ ଆଉ ଅର୍ଥନୈତିକ ଦୁଃସ୍ଥିତି ଭୋଗୁଥିଲା । ୧୯୧୪ ମସିହାର  ପ୍ରଥମ ବିଶ୍ୱଯୁଦ୍ଧ ପରେ ତାହାର ଅବସ୍ଥା ଆହୁରି ସଂଗୀନ୍ ହୋଇପଡିଥିଲା । ୧୯୧୭ ବେଳକୁ ଅବସ୍ଥା ଏପରି ଖରାପ ହୋଇଯାଇଥିଲା ଯେ,ଅଧିକାଂଶ ଋଷୀୟମାନେ ଦିମୁଠା ଖାଇବାକୁ ପାଉନଥିଲେ । ବ୍ରେଡ୍ ପାଇଁ ଲମ୍ବା ଧାଡି ଯାହାକୁ "ବ୍ରେଡ୍ କ୍ୟୁ" ବୋଲି କୁହାଯାଉଥିଲା ସେଇଠି ଖଣ୍ଡିଏ ବ୍ରେଡ୍ ସଂଗ୍ରହ କରିବା ପାଇଁ ଲୋକମାନଙ୍କୁ ଚାଳିଶଘଣ୍ଟାରୁ ଅଧିକ ସମୟ ଧାଡିବାନ୍ଧି ରହିବାକୁ ହେଉଥିଲା । ଧାଡିରେ ରହି ସେମାନଙ୍କୁ ଶୋଇବାକୁ ହେଉଥିଲା । ଧାଡି ଛାଡିଦେଲେ ଆଉ ବ୍ରେଡ୍ ମିଳିବ ନାହିଁ । ସେମିତି ଏକ
 " ବ୍ରେଡ୍  କ୍ୟୁ " ରୁ କ୍ଷୁଧାର୍ତ୍ତ ଲୋକମାନଙ୍କର କ୍ରୋଧ ହଠାତ୍ ଉଦଗୀରଣ ହୋଇଥିଲା । ବିଶେଷରେ ନାରୀ ମାନେ ସେଇଠୁ ତତ୍କାଳୀନ ଜାର୍ ଶାସନ ବିରୁଦ୍ଧରେ ପ୍ରତିବାଦ କରିବାକୁ ଆରମ୍ଭ କରିଥିଲେ ସେଦିନ ଅର୍ଥାତ୍ ୮ ମାର୍ଚ୍ଚ ୧୯୧୭ ଦିନ । ନାରୀମାନେ ଠିଆ ହୋଇଥିବା ଧାଡିକୁ ଛାଡି ଏହାର ପ୍ରତିବାଦରେ ଦଳଦଳ ହୋଇ ସିଟି ସେଣ୍ଟର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଖୁବ୍ ସମୟ ଭିତରେ ନାରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରତିବାଦ ରେ ସମସ୍ତେ ଯୋଗଦେଲେ । ଖାଦ୍ୟ ପାଇଁ ଏଇ ପ୍ରତିବାଦୀ ଦଳ ର ସଂଖ୍ୟା ଚାହୁଁଚାହୁଁ ଦଶହଜାରରୁ ଉର୍ଦ୍ଧ୍ୱ ହୋଇଯାଇଥିଲା। ଏହାକୁ ଦମନ କରିବା ପାଇଁ ସେନାବାହିନୀକୁ ଡକାଗଲା ମାତ୍ର ସେମାନଙ୍କର ପ୍ରତିବାଦର ସମର୍ଥନରେ ସେନାବାହିନୀରୁ ଅନେକେ ନିଜର ପଦ ତ୍ୟାଗ କରିଥିଲେ ଆଉ ଏହି ପ୍ରତିବାଦୀ ଦଳରେ ଯୋଗ ଦେଇଥିଲେ । ଏହାର ଫଳସ୍ୱରୂପ ୧୨ ମାର୍ଚ୍ଚ ୧୯୧୭ ରେ ଏକ ପ୍ରୋଭିନସିଆଲ୍ ଗଠନ କରାଯାଇଥିଲା ଆଉ ତାହାର ତିନିଦିନ ପରେ ଅର୍ଥାତ୍ ୧୫ ମାର୍ଚ୍ଚ ୧୯୧୭ ରେ ଋଷିଆର ଶାସକ ଜାର୍ ନିକୋଲାସ୍ ଦ୍ୱିତୀୟ ନିଜର ରାଜଗାଦୀକୁ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ । ସେଦୃଷ୍ଟିରୁ ଅର୍ଥାତ୍ ଋଷିଆର ସେହି ବିପ୍ଳବ ପରିପ୍ରେକ୍ଷୀରେ ସଂଘଟିତ ଜନପ୍ରତିବାଦ ର ପ୍ରଥମ ସଫଳ କାରକ- ପ୍ରତିବାଦ ହୋଇଥିବା କାରଣରୁ ନାରୀର ପ୍ରଚ୍ଛନ୍ନ ଅଧିକାର ବୋଧକୁ 
ଆମର ମନେ ରଖିବା ଉଚିତ୍ ।

୧୯୪୫ ରେ ସାନଫ୍ରାନସିସକୋ ଠାରେ ରାଷ୍ଟ୍ରସଂଘ "ଜେଣ୍ଡର ଇକ୍ୟୁଆଲିଟି"ଚୁକ୍ତିରେ ନାରୀ ଅଧିକାରର ଯୌକ୍ତିକ ଦାବୀଗୁଡିକ ରଖି ସେଥିରେ ସନ୍ତକ କରେ।

୧୯୪୭ ମସିହାରେ ରାଷ୍ଟ୍ରସଂଘ ମାର୍ଚ୍ଚମାସ ଆଠତାରିଖକୁ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରିବା ପାଇଁ ସ୍ୱୀକୃତି ଦିଏ।

ଏବେ ଏଇ ଆନ୍ତର୍ଜାତିକ ନାରୀ ଦିବସ ଉପଲକ୍ଷେ ଆନୁଷ୍ଠାନିକ ଭାବେ ମାର୍ଚ୍ଚ ମାସ ଆଠ ତାରିଖ ଦିନ ଛୁଟି ଘୋଷଣା କରାଯାଏ।ଯେଉଁ ଦେଶ ଗୁଡିକ ଏଇଦିନଟିକୁ ଛୁଟି ଘୋଷଣା କରନ୍ତି ସେମାନେ:- ଆଫଗାନିସ୍ଥାନ,ଆର୍ମେନିଆ,ଆଜାରବୈଜାନ୍,ବେଲାରୁଷ୍,କମ୍ବୋଡିଆ,କିଉବା,ଜର୍ଜିଆ,କାଜାଖସ୍ତାନ୍,ଲାଓସ୍,ମଂଗୋଲିଆ,ମଣ୍ଟେନିଗ୍ରୋ, 
ଋଷିଆ,ତାଜାକିସ୍ଥାନ,ତୁର୍ମେନିସ୍ଥାନ,ଉଗାଣ୍ଡା, ଋଷିଆ,ତାଜାକିସ୍ଥାନ,ତୁର୍ମେନିସ୍ଥାନ,ଉଗାଣ୍ଡା,ଉଜବେକିସ୍ତାନ,ଭିଏତନାମ୍ ଓ ଜାମ୍ବିଆ।ଚିନ୍,ନେପାଳ ମେସିଡୋନିଆ ଓ ମାଡାଗାସ୍କାର ରେ କେବଳ ନାରୀମାନେ ଏଇ ଦିନଟି ଛୁଟି ପାଇଥାନ୍ତି।   

ଆନ୍ତର୍ଜାତିକ ନାରୀ ଦିବସରେ  ଆମର ସମସ୍ତ ସୁନ୍ଦର  ଆବେଗ ର ଫଳଶ୍ରୁତି ଆଉ ତାହାର  ଯଥାଯଥ ନାରୀସମ ଅଧିକାରର ସୁରକ୍ଷା ଏଇ ଦୁଇଟି ଆଧାରଶୀଳାରେ ନାରୀକୁ ବିବେଚନା କରିବା ଭଳି ଆବଶ୍ୟକତା ଆମର  ସବୁବେଳେ ରହିଅଛି ।