ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ
ମହାତ୍ମା ଗାନ୍ଧୀଙ୍କ ପ୍ରିୟ ବହିମାନଙ୍କ ତାଲିକାରେ ଗୋଟେ ବହିର ନାମ ଆପଣ ନିଶ୍ଚୟ ପାଇବେ- "ଶକ୍ତି ଆଣ୍ଡ ଶାକ୍ତ"। ଲେଖକ ସାର ଜନ ଉଡ୍ରଫ ଓରଫ ଆର୍ଥର ଆଭାଲନ। ମହାଯୋଗୀ ଶ୍ରୀ ଅରବିନ୍ଦ ତାଙ୍କର ପ୍ରସିଦ୍ଧ ବହି "ଦ ଫାଉଣ୍ଡେସନସ ଅଫ ଇଣ୍ଡିଆନ କଲ୍ଚର" ରେ ଜନ ଉଡ୍ରଫଙ୍କ ଉକ୍ତିକୁ ଉଦ୍ଧାର କରି ତାଙ୍କର ଭାରତୀୟ ଦର୍ଶନ ଓ ଚିନ୍ତନ ଉପରେ ରହିଥିବା ଅବଧାରଣାକୁ ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି। ୟୁରୋପୀୟ ବୁଦ୍ଧିଜୀବୀମାନେ ଯେତେବେଳେ ଭାରତୀୟ ଜୀବନ, ଧର୍ମ ଓ ଦର୍ଶନର ନକାରାତ୍ମକ ଆଲୋଚନା କରୁଥିଲେ ସେହି ସମୟରେ ଜନ ଉଡ୍ରଫ ଗୋଟେ ବହି ଲେଖିଥିଲେ, "ଇଜ ଇଣ୍ଡିଆ ସିଭିଲାଇଜ୍ଦ" । ବହିଟିରେ ଭାରତର ମୌଳିକ ଦାର୍ଶନିକ ତତ୍ତ୍ଵର ସକାରାତ୍ମକ ବ୍ୟାଖ୍ୟା ପ୍ରକାଶିତ ହୋଇଥିଲା। ତେବେ କିଏ ଏହି ଜନ ଉଡ୍ରଫ? କଣ ତାଙ୍କର ପରିଚୟ? ବ୍ରିଟିଶ ଶାସନାଧୀନ ଭାରତର ଅନ୍ୟାନ୍ୟ ସାହେବଙ୍କ ପରି ସେ ମଧ୍ୟ ଭାରତକୁ ଆସିଥିଲେ ଜଣେ ଶାସକ ଭାବରେ, ଅଥଚ ସେ ଭାରତରୁ ଫେରିଲେ ଜଣେ ସାଧକ ଭାବରେ। ଭାରତୀୟ ତନ୍ତ୍ର ଦର୍ଶନ ଉପରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଦେଖି ତାଙ୍କୁ ୟୁରୋପୀୟ ଋଷି ବୋଲି କୁହା ଯାଉଥିଲା।
ବଡ ଅଦ୍ଭୁତ ଜୀବନ ତାଙ୍କର। ବୃତ୍ତିରେ ଆଇନଜୀବୀ। ୧୫, ଡିସେମ୍ବର,୧୮୬୫ ରେ ଗ୍ରେଟ ବ୍ରିଟେନରେ ଜନ୍ମ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ନ୍ୟାୟ ତତ୍ତ୍ଵ ଓ ଆଇନରେ ସ୍ନାତକ। ୧୮୮୯ ରେ ସେ ଆଇନଜୀବୀ ଭାବରେ ନିଜର କାମ ଆରମ୍ଭ କରନ୍ତି। ୧୮୯୦ ରେ ଭାରତ ଆସନ୍ତି କଲିକତା ସହରରେ ଆଇନ ବ୍ୟବସାୟ କରିବାକୁ। ମାତ୍ର ୨୫ ବର୍ଷ ବୟସର ଏହି ବ୍ରିଟିଶ ଓକିଲ ଜଣକ ଭାରତ ଆସିଲା ପରେ ଗୋଟେ ଅଦ୍ଭୁତ ଶିହରଣ ଅନୁଭବ କରନ୍ତି। ତାଙ୍କୁ କିଛି ଗୋଟାଏ ଅଦୃଷ୍ଟ ଓ ରହସ୍ୟମୟ ଶକ୍ତି ନିଜ ଆଡକୁ ଆକର୍ଷିତ କରୁଥାଏ। ଭାରତର ଏକ ଗୋପନ ଓ ଗୁହ୍ୟ ବିଦ୍ୟାକୁ ବୁଝିବା ଲାଗି ସେ ବ୍ୟାକୁଳ ହୋଇ ପଡନ୍ତି। ଅଦାଲତ ଓ ଅଘୋର ବିଦ୍ୟା, ଏ ଦୁହି ପରଷ୍ପର ବିରୋଧୀ ବିଦ୍ୟା ପ୍ରତି ସେ ସମାନ ଭାବରେ ଆକର୍ଷିତ ହୁଅନ୍ତି। ଭାରତର ଆତ୍ମାକୁ ବୁଝିବାକୁ ହେଲେ ଭାରତୀୟ ତନ୍ତ୍ରର ମାତୃ ତତ୍ତ୍ଵକୁ ବୁଝିବା ଦରକାର ବୋଲି ସେ ଅନୁଭବ କରନ୍ତି। ଉଡ୍ରଫ ସଂସ୍କୃତ ସାହିତ୍ୟର ବହୁ ଭୟାନକ ଓ ଅସ୍ପୃଶ୍ୟ ପୋଥିର ଇଂରାଜୀ ଅନୁବାଦ କରିବା ଆରମ୍ଭ କଲାବେଳେ କେହି କେବେ ଭାବି ନଥିଲେ ଯେ ତନ୍ତ୍ରରେ ଏତେ ଉଦାର, ସମାନତାଧର୍ମୀ ଓ ନ୍ୟାୟବାଦୀ ଦର୍ଶନ ରହିଛି। ସେ ଯାଏ ତନ୍ତ୍ର କେବଳ ରହସ୍ୟମୟ, ଭୟାନକ, ବିଭତ୍ସ ଓ ଅପହଞ୍ଚ ଏକ ଦର୍ଶନ ହୋଇ ରହିଥିଲା।
ଉଡ୍ରଫ ତନ୍ତ୍ର ଦର୍ଶନକୁ ଭାରତ ଧର୍ମର ମୌଳିକ ବୀଜ ବୋଲି କହିଛନ୍ତି। ଏହା ପୂର୍ବରୁ ୟୁରୋପୀୟ ବିଦ୍ଵାନମାନେ ଭାରତୀୟ ଧର୍ମ ଓ ପରମ୍ପରାର ଆଲୋଚନା ବେଳେ "ହିନ୍ଦୁ" ଶବ୍ଦର ବହୁଳ ପ୍ରୟୋଗ କରୁଥିବା ବେଳେ ଉଡ୍ରଫ "ଭାରତ ଧର୍ମ' ଭଳି ଏକ ଉଦାର ଓ ସମନ୍ବୟବାଦୀ ପଦର ବ୍ୟବହାର କରିଛନ୍ତି। ତାଙ୍କର ପ୍ରସିଦ୍ଧ ପୁସ୍ତକ "ଶକ୍ତି ଆଣ୍ଡ ଶାକ୍ତ'' ର ପ୍ରଥମ ଅଧ୍ୟାୟରେ ଭାରତ ଧର୍ମର ବ୍ୟାପକ ଆଲୋଚନା କରି କେମିତି ଉଭୟ ଦେଶୀ ଓ ବିଦେଶୀ ଧର୍ମ ଭାରତକୁ ଆସିବା ପରେ ଭାରତର ନିଜସ୍ଵ ଉଦାରତାରେ ନିଜକୁ ଏକୀଭୂତ କରି ଦେଇଛନ୍ତି, ସେ କଥା ଆଲୋଚନା କରିଛନ୍ତି। ଭାରତରୁ ଜନ୍ମ ନେଇଥିବା ସବୁ ଧର୍ମ- ବ୍ରାହ୍ମଣ୍ୟ, ଜୈନ, ବୌଦ୍ଧ ସମେତ ବିଦେଶରୁ ଆସିଥିବା ମୁସ୍ଲିମ, ଇହୂଦି, ଖ୍ରୀଷ୍ଟିୟାନ ଧର୍ମ ଇତ୍ୟାଦି ସହିତ ସମନ୍ବୟର ଏକ ସୂତ୍ର କେବଳ ଭାରତ ଧର୍ମ ମାଧ୍ୟମରେ ହିଁ ସମ୍ଭବ ହୋଇଥିଲା। ଉଡ୍ରଫ ସୁଫି ଧର୍ମକୁ ବେଦାନ୍ତ ଓ ମୁସଲମାନ ରହସ୍ୟବାଦର ଏକ ମିଶ୍ର ଧର୍ମ ବୋଲି କହିଛନ୍ତି।
ତାଙ୍କ ସମୟରେ ସେ ଥିଲେ କଲିକତା ହାଇକୋର୍ଟର ଏମିତି ବିଚାରପତି ଯିଏ ଦିନ ସାରା ଆଇନ ଓ ନ୍ୟାୟ ବ୍ୟବସ୍ଥାର ତର୍ଜମା କରୁଥିବା ବେଳେ ରାତିରେ ସଂସ୍କୃତ ଓ ତନ୍ତ୍ର ସାଧନା କରୁଥିଲେ। ପ୍ରସିଦ୍ଧ ତନ୍ତ୍ର ସୂତ୍ର "ମହାନିର୍ବାଣୀ ତନ୍ତ୍ର" କୁ "ଦ ଗ୍ରେଟ ଲିବରେସନ" ନାମରେ ସେ ଇଂରାଜୀରେ ଅନୁବାଦ କରିଥିଲେ। ତନ୍ତ୍ର ମତ ଅନ୍ଧ ବିଶ୍ଵାସ ନୁହେଁ ବା ଏହାର କେବଳ ମାରକ ଶକ୍ତି ନାହିଁ, ବରଂ ଏହାକୁ ଏକ ଉଚ୍ଚାଙ୍ଗ ମାନବୀୟ ଦର୍ଶନର ଅଂଶ ବିଶେଷ ଭାବରେ ସେ ବୁଝିଥିଲେ ଓ ବୁଝାଇଥିଲେ।
ଭୁତ, ପ୍ରେତ, ଡାହାଣୀ ଓ ଚିର୍ଗୁଣିଙ୍କ ସଂକୀର୍ଣ୍ଣ ବନ୍ଧନୀରୁ ଅଲଗା ତନ୍ତ୍ରର ବିଶାଳ ଦାର୍ଶନିକ ଜଗତ କେବଳ ଉଡ୍ରଫଙ୍କ ଯୋଗୁଁ ମାନ୍ୟତା ପାଇଥିଲା। ମାତୃ ସଂସ୍କୃତିରେ ଜୀବନର ସମନ୍ଵୟ ଓ ବ୍ରାହ୍ମଣ ପରମ୍ପରା ପ୍ରତି ପ୍ରତିବାଦର ଏକ ଧାରା ସେ ଖୋଜିଥିଲେ। ତାଙ୍କର ଅନୁଶୀଳନ ଥିଲା ଶୁଦ୍ଧ ମାନବୀୟ। ବହୁ ତନ୍ତ୍ର ଶାସ୍ତ୍ରକୁ ସେ ଇଂରାଜୀରେ ଅନୁବାଦ କରିଛନ୍ତି। ବୋଧହୁଏ ଜନ ଉଡ୍ରଫ ଯଦି ନଥାନ୍ତେ, ତନ୍ତ୍ର ସାହିତ୍ୟର ଏକ ବିଶାଳ ଭଣ୍ଡାର କୁ ଆମେ ଜାଣି ବି ନଥାନ୍ତେ। ତେବେ କେବଳ ତନ୍ତ୍ର ଦର୍ଶନର ସେ ଯେ ଜଣେ ମହାନ ପ୍ରବକ୍ତା ଥିଲେ ତା ନୁହେଁ, ଆଧୁନିକ ଭାରତର ନ୍ୟାୟତତ୍ତ୍ଵ ବା ଜୁରିସ୍ପୃଡେନ୍ସ ନିର୍ମାଣରେ ତାଙ୍କର ବହୁମୂଲ୍ୟ ଅବଦାନ ରହିଥିଲା। କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଏବଂ ଉପନିବେଶବାଦୀ ଭାରତରେ ଭାରତ ଓ ଭାରତ ଧର୍ମକୁ ବୁଝୁଥିବା ଜଣେ ବିରଳ ବିଚାରପତି ଭାବରେ, ସେ ବହୁ କ୍ରାନ୍ତିକାରୀଙ୍କୁ ପ୍ରଭାବିତ କରିଛନ୍ତି। ଗାନ୍ଧୀ ଓ ଶ୍ରୀ ଅରବିନ୍ଦ ସେଥିପାଇଁ ତାଙ୍କୁ ଗୁରୁ ଭଳି ସ୍ୱୀକୃତି ଦେଇଛନ୍ତି।
ସାର ଜନ ଉଡ୍ରଫଙ୍କର ଗୋଟେ ଚମତ୍କାର ଫଟୋଗ୍ରାଫ ରହିଛି। କୋଣାର୍କ ମନ୍ଦିର ଆଗରେ ଧୋତି ଓ ଗାମୁଛା ପିନ୍ଧା ଏଇ ସାହେବ ଜଣକ ସତେକି ଆମକୁ ଆମର ଭୁଲି ଯାଇଥିବା ଦର୍ଶନ ବିଷୟରେ ସଚେତନ କରେଇ ଦେବାକୁ ଉଭା ହୋଇଛନ୍ତି।