ସୁନାରୀ ଫୁଲର ବାସ୍ନା

ସୁନାରୀ ଫୁଲର ବାସ୍ନା

ପଚସ୍ତରି ବର୍ଷର ବଦଳୁଥିବା ନୂଆ ରାଜଧାନୀ,

ଆଉ ତାରି ଚୌଡା ଛାତି ପରି ରାଜରାସ୍ତାରେ…

ସୁନେଲି, ସୁନେଲି ଫୁଲରେ ଫୁଲେଇ ରୁପସୀ, ସୁନାରୀ

ଫୁଲେ ଫୁଲେ ଭର୍ତି ଯେତକ ଯୌବନ-ଦୀପ୍ତା ତରୁଣୀ ପରି

ତରୁ ମାନେ ଠିଆ ହୋଇ ରହିଥାନ୍ତି ସକାଳୁ ସଞ୍ଜ, ରାତିରେ, ସହର ଛାତିରେ  II
 

ଗ୍ରୀଷ୍ମ ପ୍ରବାହ ନାମାନି ସେମିତି ସଜ ହୋଇ ଉଦୁଉଦିଆ ଖରାରେ

ଷ୍ଟ୍ରୀଟ ଲାଇଟରେ ବି ଜଳିବା ପାଇଁ ଏମିତି ରୂପର ରଙ୍ଗରେ…   

ସୁନାର ପେନ୍ଥା ପେନ୍ଥା ସହରୀ ଲାବଣ୍ୟରେ ଲାଜବତୀ ହୋଇ

ହସି ହସି ଆଦରି ନେବାକୁ ସଭିଙ୍କୁ ବିମାନର ପରିଚାରିକା ପ୍ରାୟ

ପ୍ରକୃତି ଯେମିତି ସତେ ପ୍ରାଣଦେଇ ସଜେଇ ଦେଉଛି ମନ୍ଦିର ମାଳିନୀ ନଗରୀ

ସୁନାରୀ ଫୁଲର ତରୁ ଭର୍ତି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରାଣ ଭରି II


ଫୋଟୋ ଉତ୍ତୋଳନ କରିବା ସଉକ/ ନିଶାରେ ଦିନେ ମୁଁ ଟାଣି ହୋଇ ଗଲି

ରବିବାରର ଫାଙ୍କା ଫାଙ୍କା ଶିଖରଚଣ୍ଡୀ ରାସ୍ତାରେ ସକାଳ ବର୍ଷାରେ...

ଦେବଦାସ ପରି ଚାଲିଲି ସୁନାରୀ ଫୁଲ ପେନ୍ଥାରେ ଭାରୀ ଭାରୀ

ହୋଇପଡିଥିବା ସୁନେଲି-ଯୌବନା ହସକୁରି ଯୌବନ-ଦୀପ୍ତା ତରୁ ଆଡକୁ

ସକାଳର ହାଲକା ଖରାରେ ଚିକ ମିକ କରୁଥିଲା ତାର ଫୁଲ ଭର୍ତି ଶାଖା

ତରୁଣୀର ସଦ୍ୟସ୍ନାତା ତନୁ ପରି ଅବା ପୂଜା ଘର-ମୁଖୀ ପକ୍କା ଘରଣୀଟେ ପରି…

ଫୋଟୋ ତୋଳିବାର ଆଶା, ଆକାଂକ୍ଷାର ଝୁଙ୍କରେ ଜାଣିପାରିଲିଣି ବୋଧେ

ସୁନାରୀ ଫୁଲର ମୋହ ଖାଲି ସୁନେଲି ସୁନେଲି ପେନ୍ଥା ମୟ ଶୋଭା ନୁହଁ,

ତରୁ ଚାରି ପାଖେ ସୁନେଲି ଫୁଲ ସାଥିରେବି ମହ ମହ ବାସ୍ନାର ମଦିରା….ଅପୂର୍ବ ମହକ II

ସୁନାରୀ, ସୁନେଲି-ସୁନେଲି ପ୍ରିୟତମା ପରି ରୂପାର ସହରକୁ ମୋର  

ମତୁଆଲା କରି ରଖିଥିବା ସୁନ୍ଦରୀ ନାୟିକାଟେ ଯେମିତି…

ରୂପର ଲାବଣ୍ୟ ସହ ଗୁଣର ଫଲ୍ଗୁରେ ଏମିତି ଆଚମ୍ବିତ କରେ

ଖାଲି ମୋତେ ନୁହଁ, ସମଗ୍ର ଭୁବନେଶ୍ଵରୀଆଙ୍କୁ, ପ୍ରକୃତି ପ୍ରେମୀଙ୍କୁ,

ମାନବୀୟ ଆତ୍ମାକୁ -- ସୁନାରୀର ସୁନେଲି ଫୁଲ ରଙ୍ଗର ସାମ୍ରାଜ୍ୟ ନୁହଁ ...

ଅଥବା ବସ୍ତୁବାଦୀ ରୂପର ପସରା ମେଲି -- ସ୍ବାର୍ଥାନ୍ବେଷୀ ରୁପସୀ ପରି...

ସୁନାରୀ ଫୁଲ ବାସ୍ନା ସତରେ ସ୍ବର୍ଗୀୟ -- ଅପରୂପ ଲାବଣ୍ୟIତୀତ ଅନୁଭବ

ରୂପର ଏମିତି ଏ ମହାର୍ଘ୍ୟ ଫରୁଆ ଭିତରେ ବି ସୁନାରୀ ତରୁ ତଳେ ବାସ୍ନାର ଜୀବନ୍ତ ମହଲ II