ବାଧିଲା ଜାଣି
ଅଭିଳାଷର ସୀମାବାହାରେ ବଡ଼ ଖୁବ୍ ବଡ଼ ଗାତ -
ଏଇଟା ଜାଣି ବି ଭୁଲିଗଲା କେମିତି ପବିତ୍ର!
ଖାଲି ନାଁ ଧରିଲେ ବି ଭୁଲ୍ ହେଇପାରେ
ଆଗରେ ନଇଲେ ପଛରେ ଯୋଡ଼ିବାକୁ ହବ ସାର୍ !
ବେଳେଅଧେ ଭ୍ରମହଏ ପଂଡିତଂକର,
କେଡ଼େ ନିକମ୍ମା ଆମ୍ଭେ !
ଆମ୍ଭେ ତାଂକର ପରିସରରେ ବଢ଼ି ଜାଣିଲୁନି ସଂସ୍କାର !!
ଦିନଥିଲା ସାର୍ ସିଗାରେଟ୍ ଲଗେଇ ବସୁଥିଲେ
'ନୁକଡ୍' କି ଗୁଂଡିଚାଘର ଖଟିରେ
କବିତାରୁ କବିତା ଆଲୋଚନା ଗପ ଉପନ୍ୟାସ ସମାଲୋଚନା
କେବେ ଅଖିଲ୍ କେବେ ଜ୍ଯୋତି କେବେ ସୁରେଶ ଭାରତ କେଦାର
କେବେ ସମୁଦ୍ର ସିଦ୍ଧମହାବୀର ବିଶ୍ବନାଥ ସମୁଦ୍ର-
ରୋଷେଇ ଯେ ରୋଷେଇ
କେତେ ଚା' ପୁଣି ବେଳେଅଧେ ନେଳିନାଲି ପାଣି ସ' ଗୀତ,
ଦିନଥିଲା,
ସେତେବେଳେ ଅବଶ୍ୟ ସେ ସାର୍ ନୁହଁ ଥିଲା ପବିତ୍ର!
ଅନେକଂକ ପରି ମୋର ବି ଦେଖାହେଇଥିଲା ଅକସ୍ମାତ।
ଆମର ଘର ହେଇଲା ଗୋଟାଏ
ବସିବା ଖାଇବା ଗୋଟାଏ
ପରିବାର ଯେମିତି ଗୋଟାଏ !
ଲୋକେ ସବୁବେଳେ ଯେମିତି କହିବା ଅଭ୍ଯାସହେତୁ କହଂତି
ଫାଳକୁଫାଳ ଦୁଶୁଚି ସିନା ଛାଚି ଗୋଟାଏ
ଆହା!
ସାରଂକ ନନା କି ସୁଂଦର ଗାଆଂତି ମ ଅକ୍ଷୟ ମହାଂତି
କୁହୁ କୁହୁ ବନେ କୁହୁକୁହୁ..
ଭଉଣୀ ଧରଂତି ସୁର ,ତାଂକ ସ' ଗଂଧିଆ ଜେନା ଯାଏ ମିଶି
ଆଃ! କେମିତି ଦିନ କେମିତି ଥିଲା ସେ ରାତି!
ଗୋଟେଇପାଟେଇ ରଖିଚି ସବୁ ରକ୍ତେରକ୍ତେ;
ମୁଁ ଯୋଉଠି ଥାଏ ସେଇଠୁ ଆଣେ କବିତାର ଚାରା ଓ ମାଟି !!
ଯେତେବେଳେ ଯାଏ ନୂଆମଠ ଫେରେ କିଛି ପକେଟରେ ଧରି
ଦେଇଆସେ ଚକୋଲେଟ୍
ପବିତ୍ର ସେମିତି ହସନଥିବା ବୁଦ୍ଧମୂର୍ତ୍ତି !
ସବୁରେ ସେ ଏମିତି
ଚାହେ ସେ ଭୋଜି,ଚାହେ ଗୀତ କି କବିତାର ପଙ୍'କ୍ତି;
ଟ୍ୟୁସନ୍ ସାରି ଫେରୁଥିବ ମୋତେ ଖୋଜି
ଚାହିଁଥିବ ରାସ୍ତାକୁ ମୋ ଦୁଇଆଖି
ପାଦ ଜାଣେ ରାସ୍ତା ବୋଲି ମୁଁ ଜାଣେ ପାଦ ତା' ଦେଖି।
ମାଟିକୁ ମୂର୍ତ୍ତି କରିବା ସହଜ ହୋଇପାରେ
ମୂର୍ତ୍ତିକୁ ମାଟି କରିବା ଆଉରି ହେଇପାରେ ସରଳ
ସହଜରେ କିଂତୁ ରଗେଇପାରିବନି କି ଟୋପାଏ ଲୁହ
ଖସେଇପାରିବନି ଆଖିରୁ ପବିତ୍ରର,
ବଡ ଆଶ୍ଚର୍ଯ୍ୟ କିଂତୁ ସେ ମୋହନ ବଂଶୀ ନଧରି ବି
ଖସେଇଦେଇପାରେ ପଥରପୁରୀରୁ ପଥର !
ଥିଲାସବୁଏମିତି କେତେ ବର୍ଷମାସଦିନ !
ଆଁ'ଟା କରି ଅନେଇଚ କ'ଣ ମ!
ଭାବନି ଏଗୁଡ଼ା, ବାସି ହେଇଗଲାଣି ସେକାଳପଖାଳ।
ହେଇ,ସାରେ ଆଇଲେଣି ଭାରି ଗଂଭୀର !
ସିଏ ନୁହଁ ଭଡଭଡ଼ିଆ, ଭାରି ମାପଚୁପ;
ଗୋଡ଼ ଖସିବନାଇଁ ବାଡ଼ଭାଂଗିବ ନାଇଁ ରହିବ ମାନ
ହେଇଟି,ସୁବିଧାପାଉଚ ଯଦି ଜୋତାଭିତରେ ଥିବା ତାଂକପାଦ ଆଗେ
ବସିପଡ଼ ଆଂଠୁମାଡ଼ି ଧରି ନିଜ ଦି'କାନ !
ସେ ପବିତ୍ର ଭଳି ପବିତ୍ର
ମାଫ୍ କରିଦେବେ ଆଉ ହସିବେ ସାମାନ୍ୟ !
ନହସିଲେ ଜାଣିବ,ଆଡ଼େଇଗଲେ ଭାବି କଂଟା କି ତା ସମାନ
ବା,ପାଦ ଥିଲେ ବି ମାଟି ସ' ନାହାଂତି ସଂଲଗ୍ନ:
ବ୍ଯସ୍ତ ଖୁବ୍'ବ୍ଯସ୍ତ ଭାରିବ୍ୟସ୍ତ- ବାଜୁଥିବ ହଏତ ସେବେଳେ ସ୍ମାର୍ଟଫୋନ !!
ଅପେକ୍ଷା, କେବଳ ଏତିକି କରାଯାଇପାରେ ଯେତେପାରେ ସେତେ ଦିନ,
ଯେହେତୁ କାମ କିଛିନାଇଁ ଡିମିରିଫୁଲକୁ ଅନେଇବସିବାରେ କ୍ଷତି କ'ଣ?