ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତ : ପି ସାଇନାଥଙ୍କ ମତ-୨
[କିଛି ଦିନ ପୁର୍ବେ ବିଶ୍ବ ଗଣମାଧ୍ୟମ ସ୍ବାଧୀନତା କ୍ରମାଙ୍କ ପ୍ରକାଶିତ ହେବା ପରେ, ୧୬୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୨ଠାରେ ରହିଥିବାର ଦେଖା ଯାଇଛି । ଏ ସମ୍ପର୍କରେ କହିବା ପାଇଁ ଦ ଓୟାର୍ ମିଡ଼ିଆ ସଂସ୍ଥା ତରଫରୁ ସାମ୍ବାଦିକ ଶ୍ରୀ କରଣ ଥାପର, ପ୍ରଖ୍ୟାତ ସାମ୍ବାଦିକ ପି ସାଇନାଥଙ୍କର ସାକ୍ଷାତକାର ନେଇଥିଲେ । ସେହି ସାକ୍ଷାତକାରର ବାକି ଅଂଶ ଆମେ ଏଠାରେ ପ୍ରକାଶ କରୁଛୁ । ]
ମୁଁ ଏପର୍ଯ୍ୟନ୍ତ ତିନୋଟି ଉଦାହରଣ ଦେଇ ସାରିଲାଣି। ଚାହିଁଲେ ଆଗକୁ ଏମିତି ଆହୁରି ଅନେକ ଉଦାହରଣ ଦେଇ ଚାଲିଥିବି । ତଥାପି ଆଉ ଗୋଟିଏ ଉଦାହରଣ ଦେଉଛି। ବାରାଣାସୀର ବିନିତ୍ ସୋସିଆଲ ମିଡିଆରେ ତାର ଗୋଟିଏ ଛୋଟ ଭିଡିଓ ଛାଡିଥିଲା । ସେହି ଭିଡିଓରେ ମୁସାହାରାରେ କେତେଟ ଛୋଟପିଲା ଏକ ପ୍ରକାରର ଘାସ ଖାଉଥିବାର ଦେଖା ଯାଇଥିଲା । ସେତିକିବେଳେ ସେ ଅଞ୍ଚଳର ଜିଲା ମାଜିଷ୍ଟ୍ରେଟ ଏମିତି ତାଙ୍କ ପଛରେ ପଡିଗଲେ ଯେ ସେ ନିଜ ପିଲା ମଧ୍ୟ ସେହି ଘାସ ଖାଉଛି ଦେଖାଇ ଏକ ଭିଡିଓ ଜାରି କଲେ । ଅବଶ୍ୟ ଯେତେବେଳେ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ଏଥିରେ ଆପତ୍ତି ଉଠାଇଲେ ସେ ତୁରନ୍ତ ସେହି ଭିଡିଓଟିକୁ କାଢିନେଲେ । ଏହାପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପଦୋନ୍ନତି ମିଳିଗଲା । କିନ୍ତୁ ବିନିତ୍ ଉପରେ ଏମିତି ଚାପ ପ୍ରୟୋଗ କରାଯାଇଥିଲା ଯେ ସେ ସାମ୍ବାଦିକତା ଛାଡିଦେଲା ।
ସାମ୍ବାଦିକଙ୍କ ଉପରେ ଆକ୍ରମଣର ଏମିତି ଅନ୍ତହୀନ ଉଦାହରଣ ରହିଛି। ଏବେ ଏଥିପାଇଁ ଆଉ କେବଳ ଦେଶ ଦ୍ରୋହ ମୋକଦ୍ଦମା ହେଉନାହିଁ। ଦେଶଦ୍ରୋହ ଧାରାରେ ଏମିତି ହାସ୍ୟରସ ଭାବେ ମୋକଦ୍ଦମା ହେଉଛି ଯେ ବେଳେବେଳେ ବିଚାରପତିମାନେ ମଧ୍ୟ ସେଥିରେ ହସୁଛନ୍ତି ଓ ସାମ୍ବାଦିକଙ୍କୁ ଜେଲରୁ ଛାଡି ଦେଉଛନ୍ତି। ଏଥର ଆକ୍ରମଣ ପୂର୍ବ ଅପେକ୍ଷା ଏବେ ଆହୁରି ତୀବ୍ର ହେଉଛି। ଏବେ ମନି ଲଣ୍ଡରିଂ ଧାରା ଆରମ୍ଭ ହୋଇଛି। ସାମ୍ବାଦିକଙ୍କ ବିରୁଦ୍ଧରେ ଆର୍ଥିକ ଅପରାଧର ମୋକଦ୍ଦମା ରୁଜୁ ହେଉଛି। ଏହା ଦ୍ବାରା ଜଣେ ସାମ୍ବାଦିକର ସବୁଠାରୁ ମୂଲ୍ୟବାନ ଜିନିଷକୁ ଶରବ୍ୟ କରା ଯାଉଛି । ତାହା ହେଲା ତାହାର ବିଶ୍ୱସନୀୟତା।
ଏବେ ଦେଶରେ ୪୦୦ରୁ ବେଶି ଟିଭି ଚ୍ୟାନେଲ ଅଛି । ୨୦୨୧ ଫେବୃଆରୀ (ଯେବେ ସାଇନାଥ ସରକାରଙ୍କ ଦ୍ଵାରା ନିଯୁକ୍ତ କମିଟିର ସଦସ୍ୟ ଥାଇ ଏହାର ରିପୋର୍ଟରେ ନିଜର ଭିନ୍ନମତ ଦେଇଥିଲେ) ଓ ବର୍ତ୍ତମାନ ମଧ୍ୟରେ ପରିସ୍ଥିତି ଆହୁରି ଖରାପ ହୋଇଛି । ଆମ ଭିତରୁ ଅନେକେ ସେତେବେଳେ ଭାବୁଥିଲୁ ଯେ ପରିସ୍ଥିତି ଏହାଠାରୁ ଆହୁରି ଖରାପ ହେବ ନାହିଁ । କିନ୍ତୁ ପ୍ରକୃତରେ ଏବେ ଆମେ ଦେଖୁଛୁ ପରିସ୍ଥିତି ସେବେଠାରୁ ଆହୁରି ଖରାପ ହୋଇଛି। ଗୋଟିଏ କଥା ଜାଣି ରଖନ୍ତୁ। ପ୍ରାୟ ସବୁ ମିଡିଆରେ କର୍ପୋରେଟ୍ ରାଜସ୍ବ ମଡେଲ ପ୍ରବେଶ କରିବା ପରେ ସେମାନଙ୍କ ଠାରେ ଗୋଟିଏ ପରିବର୍ତ୍ତନ ଆସିଥିବାର ଦେଖା ଯାଉଛି। ଆଜକୁ ୬୦ ବର୍ଷ ପୁର୍ବେ ଫ୍ରେଡ୍ କହିଥିଲେ, ସର୍ବୋତ୍କୃଷ୍ଟ ହେବା ପାଇଁ ଯେତେବେଳେ କୌଣସି ପ୍ରୋତ୍ସାହନ ରାଶି ନାହିଁ, ସବୁଠାରୁ ଖରାପ ହେବାପାଇଁ ସେତେବେଳେ ବହୁତ ଅର୍ଥ ମିଳୁଛି। ବର୍ତମାନ ଏହି ଚ୍ୟାନେଲଗୁଡିକ ମଧ୍ୟରୁ ଅନେକଙ୍କର ମାଲିକ ହେଉଛନ୍ତି ସେହିସବୁ କମ୍ପାନୀସମୂହ ଯେଉଁମାନଙ୍କର ଭାରତ ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ଆପଣ ସେମାନଙ୍କ ଷ୍ଟାଇଲରେ କୈାଣସି ପରିବର୍ତ୍ତନ ଓ ଭିନ୍ନମତ ଦେଖିବାକୁ ପାଇବେ ନାହିଁ।
ତଥାପି ମୁଁ ଭାବୁଛି, ଏବେ ମଧ୍ୟ ଅନେକ ଗୁଡ଼ିଏ ଖବରକାଗଜ ଓ ଅନଲାଇନ ପ୍ରକାଶନ ରହିଛନ୍ତି ଯେଉଁମାନେ ବହୁତ ସମ୍ମାନଯୋଗ୍ୟ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଦ ଓୟାର୍, ଫ୍ରଣ୍ଟଲାଇନ୍, କୋଲକାତାର ଦ ଟେଲିଗ୍ରାଫ୍ ଓ ଡେକାନ୍ ହେରାଲ୍ଡ। ମୁଁ ଭାବୁଛି ବର୍ତ୍ତମାନ ଥିବା ସବୁଠାରୁ ଅସାଧାରଣ ଭାବେ ସାହାସୀ ଦୈନିକ ହେଉଛି ଡେକାନ୍ହ ହେରାଲ୍ଗ । ଏମାନେ ବର୍ତ୍ତମାନ ବିଜେପି ସରକାରର ଶାସନ ସମୟରେ କାମ କରି ମଧ୍ୟ ଅସୀମ ସାହସ ଦେଖାଉଛନ୍ତି ଓ ସତ୍ୟ ସାମ୍ନାକୁ ଆଣିବାରେ ସାମାନ୍ୟ ଦ୍ବିଧା ଦେଖାଉ ନାହାନ୍ତି। କିନ୍ତୁ ଏଭଳି ହେବା ପାଇଁ ଓ ସେମାନଙ୍କର ଭିନ୍ନ ସ୍ବରପାଇଁ ସେମାନଙ୍କୁ ବହୁତ ମୂଲ୍ୟ ଦେବାକୁ ପଡ଼ୁଛି । ଦୈନିକ ଭାସ୍କର ଖବରକାଗଜ ସହିତ କଣ ହେଲା ଆପଣ ଦେଖନ୍ତୁ । ଆଦିତ୍ୟନାଥ ଯୋଗୀଙ୍କ ଉତ୍ତରପ୍ରଦେଶରେ ସେମାନେ ଆଗକୁ ଆସି ନଦୀକୂଳରେ ପଡ଼ିଥିବା କୋଭିଡ୍ ଯୋଗୁଁ ପ୍ରାଣ ହରାଇଥିବା ରୋଗୀଙ୍କ ଶବ ଦେଖାଇଲେ। ଏଥିପାଇଁ ଦୈନିକ ଭାସ୍କରକୁ ନର୍କତୁଲ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା । ଦୈନିକ ଭାସ୍କର ଠାରୁ ଅଧା ସାହସ ଦେଖାଇଥିବା ଅନେକ ଖବରକାଗଜଙ୍କୁ ମଧ୍ୟ ଏଭଳି ଦଶା ଭୋଗିବାକୁ ପଡ଼ିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ବିଜ୍ଞାପନ ଦେବା ବନ୍ଦ କରିଦେଲେ । କେବଳ କେନ୍ଦ୍ର ସରକାରଙ୍କ ବାର୍ଷିକ ବିଜ୍ଞାପନର ମୂଲ୍ୟ ହେଉଛି ପ୍ରାୟ ୧୩ ହଜାର କୋଟି ଟଙ୍କା। ମୋର ୪୩ ବର୍ଷର ସାମ୍ବାଦିକତା ମଧ୍ୟରୁ ୩୦ ବର୍ଷ ଧରି ମୁଁ କହି ଆସୁଛି ଯେ ଭାରତୀୟ ଗଣମାଧ୍ୟମ ରାଜନୈତିକ ଭାବେ ସ୍ବାଧୀନ, କିନ୍ତୁ ଲାଭ ଦ୍ବାରା ବନ୍ଦୀ ହୋଇ ରହିଛି। ଗତ ୧୦ ବର୍ଷ ହେଲା ମୁଁ କହୁଛି ଭାରତୀୟ ଗଣମାଧ୍ୟମ ଲାଭ ଦ୍ବାରା ବନ୍ଦୀ ହେବା ସଙ୍ଗେ ସଙ୍ଗେ ରାଜନୈତିକ ଭାବେ ମଧ୍ୟ ବନ୍ଦୀ ହୋଇଛି । ଟେଲିଭିଜନ ଚ୍ୟାନେଲ ମାନେ କ'ଣ ଦେଖାଇବେ ତାହାକୁ ସିଧାସଳଖ କର୍ପୋରେଟ ନିୟନ୍ତ୍ରଣ କରୁଛି । ମୋତେ ଏମିତି ଗୋଟିଏ ବି ଖବରକାଗଜ କିମ୍ବା ଚ୍ୟାନେଲ ଦେଖାଅ, ଯିଏ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଚାଲିଥିବା ସମୟରେ କହିଥିଲା ଯେ ମିଷ୍ଟର ଅମ୍ବାନୀଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପଞ୍ଜାବର ସକଳ ଘରୋଇ ଉତ୍ପାଦ ଠାରୁ ଅଧିକ କିମ୍ବା ମିଷ୍ଟର ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ହରିଆଣାର ସକଳ ଘରୋଇ ଉତ୍ପାଦ ଠାରୁ ଅଧିକ। ଅମ୍ବାନୀ ହେଉଛନ୍ତି ଭାରତୀୟ ମିଡ଼ିଆର ସବୁଠାରୁ ବଡ଼ ମାଲିକ।
ଏଥିସହିତ ମୁଁ ଏକଥା ବି କହିବି ଯେ ଗତ କେଇ ବର୍ଷରେ ଦ ହିନ୍ଦୁ ଖବରକାଗଜରେ ମଧ୍ୟ ବହୁତ ଭଲ ଓ ବଳିଷ୍ଠ ସମ୍ପାଦକୀୟ ପ୍ରକାଶ ପାଉଛି । ତେବେ କେତୋଟି ମିଡିଆକୁ ଛାଡ଼ିଦେଲେ ବା ଯେଉଁମାନଙ୍କର ନାଁ ମୁଁ ଏବେ ନେଲି ସେମାନଙ୍କ ବ୍ୟତୀତ ବାକି ମାନଙ୍କ କ୍ଷେତ୍ରରେ ଯେଉଁ ଚିତ୍ର ଦେଖା ଯାଉଛି ତାହା ହୃଦୟ ବିଦାରକ ଓ ଦୁଃଖଦାୟକ।
ଏନଡିଟିଭିର ସେହି ସାମ୍ବାଦିକ ଓ ସମ୍ବାଦଦାତାଙ୍କ ପାଇଁ ମୋ ହୃଦୟ କାନ୍ଦୁଛି, ଯେଉଁମାନଙ୍କୁ ଦୁଇ ଦଶକ ଧରି ଠାବ କରାଯାଇ ବହୁତ ବଢିଆ ସାମ୍ବାଦିକ ଭାବେ ତିଆରି କରାଯାଇଥିଲା । ଏହି ସଫଳତା ପାଇଁ ରୟ ମାନଙ୍କୁ ( ଶ୍ରୀ ପ୍ରଣବ ରୟ ଓ ରାଧିକା ରୟ) ଶ୍ରେୟ ଦିଆଯିବ, ଯେଉଁମାନେ କେବଳ ଏଭଳି ଏକ ପରିକଳ୍ପନା ତିଆରି କରି ନଥିଲେ, ତାହା ସହିତ ମିଡ଼ିଆ କଣ ଆଲୋଚନା କରିବ ତାହା ଯେପରି ଏନଡିଟିଭିର ନେତୃତ୍ବରେ ନିର୍ଣ୍ଣୟ ହେବ ସେଥିପାଇଁ ତାକୁ ସକ୍ଷମ କରିଥିଲେ ଏବଂ ତାହା ପାଇଁ ଏକ ବିଶ୍ୱସନୀୟତା ଗଢି ତୋଳିଥିଲେ।
ସବୁଠାରୁ ମଜାଦାର କଥା ହେଲା ମିଷ୍ଟର ଆଦାନୀ ଏନଡିଟିଭି ନିଜ ହାତକୁ ନେବାବେଳେ ଫାଇନାନ୍ସିଆଲ୍ ଟାଇମ୍ସ ଖବରକାଗଜକୁ କହିଥିଲେ ଏହା ଦ୍ବାରା ସେ କେବଳ ଏକ ଦାୟିତ୍ଵ ପାଳନ କରୁଛନ୍ତି । ସେ କହିଲେ ନାହିଁ ଯେ ଏଇଟା ତାଙ୍କର ଏକ ବ୍ୟବସାୟିକ ନିଷ୍ପତ୍ତି ଥିଲା କିମ୍ବା ଏହାକୁ ସେ ଏକ ଅର୍ଥନୈତିକ ସୁଯୋଗ ଭାବେ ଦେଖିଥିଲେ। ସେ କହିଲେ ଏହା ତାଙ୍କ ପାଇଁ ଏକ ଦାୟିତ୍ଵ ଥିଲା । କିଏ ତାଙ୍କୁ ଏହି ଦାୟିତ୍ବ ଦେଇଥିଲା ତାହାର ସଠିକ୍ ଉତ୍ତର ପାଇଁ କୈାଣସି ପୁରସ୍କାର ନାହିଁ। ଏହାର ସଠିକ୍ ଉତ୍ତର ପାଇଁ ମୁଁ ଏକ ଇସାରା ଦେଇ ପାରିବି । ତାଙ୍କ କହିବା ଅନୁସାରେ ତାଙ୍କ ଚ୍ୟାନେଲ ପାଇଁ ସ୍ବାଧୀନ ରହିବାର ଅର୍ଥ ହେଉଛି, ସରକାର ଯଦି କିଛି ଭୁଲ୍ କରୁଛି ତମେ ତାକୁ ଭୁଲ୍ କୁହ, କିନ୍ତୁ ତମର ମଧ୍ୟ ସେତିକି ସାହସ ରହିବା ଉଚିତ୍ ସରକାର ଯେଉଁ ସବୁଦିନ ଠିକ୍ କରୁଛି ତାକୁ ଠିକ୍ କହିବ ।
ଏନଡିଟିଭିର ବର୍ତ୍ତମାନ ମାଲିକାନାକୁ ମୁଁ ଏବେ ସମାଲୋଚନା କରୁଥିବା ବେଳେ ମୁଁ ମୋର ବ୍ୟକ୍ତିଗତ ପକ୍ଷପାତିତା ଓ ସ୍ବାର୍ଥ ବିଷୟରେ ପୂର୍ଣ୍ଣ ଘୋଷଣା କରିବାକୁ ଚାହେଁ । ମୋର ୪୩ ବର୍ଷର ସାମ୍ବାଦିକତାରେ ମୁଁ ଯାହା ସଞ୍ଚୟ କରିଛି ତାହାକୁ ଏଲଆଇସି ଓ ଏସବିଆଇ ପିପିଏଫ ଆକାଉଣ୍ଟରେ ସଞ୍ଚୟ କରିଛି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ମୁଁ ଯେତେବେଳେ ଦେଖୁଛି ଏହି ଦୁଇଟି ସୁଯୋଗ୍ୟ ସଂସ୍ଥା ଆଦାନୀ ଗୃପରେ ଟଙ୍କା ଲଗାଇଛନ୍ତି ମୋତେ ଲାଗୁଛି ମୁଁ ଟାଇଟାନିକରେ ଟଙ୍କା ଲଗାଇଛି ।
ମୁଁ ପୁଣି ଥରେ କହୁଛି, ମୋର ହୃଦୟ ସେହି ସାମ୍ବାଦିକମାନଙ୍କ ପାଇଁ ଏଥିଯୋଗୁଁ କାନ୍ଦୁଛି ଯେ ଯେଉଁ ମାନଙ୍କୁ ଏନଡିଟିଭି ଦିନେ ତିଆରି କରିଥିଲା ସେମାନେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ବେଳକୁ ସେମାନଙ୍କର ସମସ୍ତ ବିଶ୍ୱସନୀୟତା ହରାଇ ସାରିଥିଲେ ଓ ସେତେବେଳେ ସେ ବିଷୟରେ ଆଦୌ କହିଲେ ନାହିଁ । ଏମିତିରେ ବି ଅନ୍ୟମାନେ ଯେ କିଛି କହିଲେ ତାହା ନୁହେଁ । କିନ୍ତୁ ଏନଡିଟିଭି ଏଥିପାଇଁ କହିପାରିଲା ନାହିଁ କାରଣ ଆଦାନୀ ଏବେ ତାହାର ମାଲିକ ।
ହିନ୍ଦୁତ୍ୱ ବିଚାରଧାରାର ଚରମ ଦକ୍ଷିଣପନ୍ଥିମାନେ ଯେ ଏକ ସୁସଂଯୋଜିତ ଓ ଭୟଙ୍କର ଯୁଦ୍ଧ ଘୋଷଣା କରି ଘୃଣାର ପ୍ରଚାର କରୁଛନ୍ତି, ହତ୍ୟା ପାଇଁ ଧମକ ଦେଉଛନ୍ତି ଏବଂ ମିଳୁଥିବା ଆହୁରି ଭୟଙ୍କର ରିପୋର୍ଟ ଅନୁସାରେ, ସେମାନେ ମହିଳା ସାମ୍ବାଦିକଙ୍କୁ ଶରବ୍ୟ କରି ସେମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟରନେଟରେ ପ୍ରକାଶ କରୁଛନ୍ତି ଏବଂ ଲୋକଙ୍କୁ ହିଂସା ପାଇଁ ମତାଉଛନ୍ତି - ଏକଥା କହିବା ପ୍ରକୃତ ସ୍ଥିତିକୁ କମ୍ କରି କହିବା ଭଳି ହେବ । ଏହି ଘଟଣା ଗୁଡିକ ଆହୁରି ସଙ୍ଗୀନ ହୋଇ ଯାଉଛି - ଯାହାକୁ ଆମେ ଅଲଗା କରି ଦେଖିବା ଉଚିତ୍ ନୁହେଁ - ଯେତେବେଳେ ଆମେ ଦେଖୁଛୁ ଏହି ଧମକି ଦେବା କାର୍ଯ୍ୟର ଆଉଟସୋର୍ସିଂ ହେଉଛି ଏବଂ ସେହି ସମୟରେ ସରକାରଙ୍କ ବିଭିନ୍ନ ଏଜେନ୍ସି ସେମାନଙ୍କ ଉପରେ ଜୁଲୁମ କରୁଛନ୍ତି। ଅକ୍ସଫାମ୍ ଓ ବିବିସି ସହିତ କଣ ହେଲା ତାହା ତ ଆପଣ ଦେଖିଛନ୍ତି ।
ମୁଁ ଆପଣଙ୍କୁ ଆଉ ଗୋଟିଏ ଉଦାହରଣ ଦେଉଛି। ୨୦୨୦ ମସିହାରେ ମୁଁ ନରେନ୍ଦ୍ର ଦାଭୋଲକର ସ୍ମୂତି ଭାଷଣ ଦେଇଥିଲି । ଏଥିପାଇଁ ତାଙ୍କ ପରିବାରବର୍ଗ ମୋତେ ଅନୁରୋଧ କରିଥିଲେ । ଏହାର କିଛି ଦିନ ପୁର୍ବରୁ ଉଭୟ ଇଣ୍ଟରନେଟରେ ଓ ବାହାରେ ମୋ ଉପରେ ଧମକର ବୋମାବର୍ଷଣ ହୋଇଥିଲା । ସେମାନେ ମୋତେ ସେଠାକୁ ଯିବାକୁ ମନା କରିଥିଲେ । ପ୍ରକୃତରେ କିନ୍ତୁ ପ୍ରଥମରୁ ମୁଁ ଏହି ଭାଷଣ ଦେବା ପରିସ୍ଥିତିରେ ନଥିଲି । କିନ୍ତୁ ପରେ ମୁଁ ସ୍ଥିର କଲି ଏମାନେ ଯେତେବେଳେ ଏତେ ଉତକ୍ଷିପ୍ତ ହୋଇ ପଡିଛନ୍ତି ମୁଁ ଯେମିତି ହେଲେ ସେଠାକୁ ଯିବି । ମୋତେ ଧମକ ଦେଇ ସେହି ସବୁ ଆକାଉଣ୍ଟରୁ ଶହ ଶହ ଟୁଇଟ୍ ହୋଇଥିଲା, ଯେଉଁ ଗୁଡ଼ିକର ଫଲୋଅର ସଂଖ୍ୟା ୪ରୁ ୩୫୦୦୦ ପର୍ଯ୍ୟନ୍ତ ଥିଲା ଏବଂ ସେସବୁ ଲଗାତର ଭାବେ ହେଉଥିଲା। ଏହା ସହିତ ମୋ ପାଖକୁ ଗୋଟିଏ ଖୋଲା ଚିଠି ମଧ୍ୟ ଆସିଥିଲା ଯାହାର ପ୍ରଥମ ଦେଢ଼ ପୃଷ୍ଠାରେ ମୋର ପ୍ରଶଂସା ହୋଇଥିଲା ଏବଂ ଶେଷ ଅଧା ପୃଷ୍ଠାରେ ସେଠାକୁ ନ ଯିବା ପାଇଁ ମୋତେ ପରିଷ୍କାର ଭାବେ ଧମକ ଦିଆ ଯାଇ ଲେଖାଥିଲା ଯେ ସେଠାକୁ ଗଲେ ଆମେ ତୁମର କଣ କରିବୁ ତାହା ତମେ ଜାଣିଛ ।
ଦୁଇ ତିନି ମାସ ପୁର୍ବେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ଉପନିବେଶବାଦ ସମୟର ଅନେକଗୁଡ଼ିଏ ଆଇନ୍ ଖତମ କରିବା ଆବଶ୍ୟକ ହୋଇପଡିଛି। ତାଙ୍କ ସହିତ ମୁଁ ପୁରାପୁରି ସହମତ ଥିଲି । କିନ୍ତୁ ଏପରି କିଛି କରିବା ପରିବର୍ତ୍ତେ ତାଙ୍କ ସରକାର ସେହି ଆଇନଗୁଡିକ ଅନ୍ତର୍ଗତ କ୍ଷମତାକୁ ଏତେ ଅଧିକ ମାତ୍ରାରେ ପ୍ରୟୋଗ କରୁଛି, ଯେତିକି ମାତ୍ରାରେ ସ୍ବାଧୀନତା ପର ଠାରୁ ଆଉ କୈାଣସି ସରକାର କରିଥିବାର ମୋର ମନେ ପଡୁନି। ତାଙ୍କ ସରକାର ଉପନିବେଶବାଦ ସମୟର ସେହି ଆଇନଗୁଡିକୁ ସଂଶୋଧନ କରି ସେସବୁକୁ ଆହୁରି କଦର୍ଯ୍ୟ କରିଛି । ଉଦାହରଣ ସ୍ୱରୂପ ୧୮୯୭ ମସିହାର ଏପିଡେମିକ୍ ଡିଜିଜେସ୍ ଆକ୍ଟକୁ ନିଆଯାଉ ।
୧୯୪୭ ମସିହା ପୂର୍ବର ସାମ୍ବାଦିକମାନଙ୍କୁ ଯଦି ଆପଣ ଦେଖିବେ, ମୋ ଲିଖିତ 'ଦ ଲାଷ୍ଟ ହିରୋଜ୍' ବହିରେ ଗୋଟିଏ ଚରିତ୍ର ଆପଣ ପାଇବେ ଯାହାଙ୍କର ନାମ ହେଉଛି ଏଚ୍. ଏସ୍. ଦୋରେସ୍ବାମୀ । ସେତେବେଳର ସାମ୍ବାଦିକମାନଙ୍କ ଉତ୍ସାହ ଓ ମନୋଭାବକୁ ଦେଖନ୍ତୁ। ସ୍ବାଧୀନତା ପୁର୍ବରୁ ଦୋରେସ୍ବାମୀ ମହିଶୂର ରାଜାଙ୍କ ବିରୁଦ୍ଧ ସଂଗ୍ରାମରେ ଜଣେ ଯୋଦ୍ଧା ଥିଲେ । ସେ ଗୋଟିଏ ଖବରକାଗଜର ମାଲିକ ହୋଇ ତାକୁ ଚଳାଉଥିଲେ । ସେହି ଏକା ଖବରକାଗଜକୁ, ପିପୁଲସ୍ ଭଏସ୍ ଓ ପିପୁଲସ୍ ଚମ୍ପିୟାନ୍ ଭଳି ଏକା ଭଳି ଶୁଭୁଥିବା ନାଁରେ , ସେ ଭିନ୍ନ ଭିନ୍ନ ଜାଗାରେ ପଞ୍ଜିକରଣ କରିଥିଲେ । ଯଦି କର୍ତ୍ତୃପକ୍ଷ କେବେ ଗୋଟିଏ ଖବରକାଗଜର ପ୍ରକାଶନ ବନ୍ଦ କରୁଥିଲା, ସେହି ଦିନ ସେହି ଖବରକୁ ସାମାନ୍ୟ ଅନ୍ୟ ପ୍ରକାରରେ ଲେଖି ସେ ଅନ୍ୟ ଜାଗାରେ ଥିବା ଖବର କାଗଜରେ ଛାପୁଥିଲେ ।
ସେ ସମୟରେ କେଉଁମାନେ ବିଶିଷ୍ଟ ସାମ୍ବାଦିକ ଥିଲେ ? ଆମେ ସେମାନଙ୍କୁ ସାମ୍ବାଦିକ ବୋଲି ଜାଣୁନା । ସେମାନଙ୍କ ମଧ୍ୟରେ ଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ ଓ ବାବା ସାହେବ୍ ଆମ୍ବେଦକର । ଆମେ ସାମ୍ବାଦିକ ମାନଙ୍କ ମଧ୍ୟରୁ କେତେଜଣ ଜାଣିଛନ୍ତି ଯେ ଏହି ଦୁଇଜଣଙ୍କର ରଚନା ମିଶି ପ୍ରାୟ ୧୪୦ରୁ ୧୫୦ଟି ସଂକଳନ ପୁସ୍ତକ ଅଛି ? କେତେଜଣ ସାମ୍ବାଦିକ ଜାଣିଛନ୍ତି ଯେ ଭଗତ ସିଂ ଜଣେ ପେଶାଦାର ସାମ୍ବାଦିକ ଥିଲେ ଓ ସେହିଥିରୁ ସେ ନିଜର ଗୁଜୁରାଣ ମେଣ୍ଟାଉଥିଲେ ? ସେ ଚାରୋଟି ଭାଷାରେ ଲେଖୁଥିଲେ ଯେଉଁ ଗୁଡିକ ପରସ୍ପରର ଅନୁବାଦ ନଥିଲା। ସେ ବ୍ରେଲ୍ (ଅନ୍ଧ ଓ ବଧିରଙ୍କ ପାଇଁ ଉଦ୍ଦିଷ୍ଟ) ଭାଷା ଶିଖିଲେ । ମାତ୍ର ୨୩ ବର୍ଷରେ ଫାଶୀ ପାଇବା ପୂର୍ବରୁ ସେ ଏତେ ସବୁ କରି ପାରୁଥିଲେ।
ଆମେ ନିଜକୁ 'ମଦର ଅଫ୍ ଡେମୋକ୍ରାସି' ବା ଗଣତନ୍ତ୍ରର ଜନନୀ କହିବା କଥା ଛାଡ଼ନ୍ତୁ, ଆମେ ନିଜକୁ ବିଶ୍ବର ବୃହତମ ଗଣତନ୍ତ୍ର କହିବା ପାଇଁ ହେଲେ, ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୁଚକାଙ୍କରେ ଆମ ଗଣମାଧ୍ୟମର ସ୍ଥାନ ଉପରକୁ ଉଠାଇବା ନିମନ୍ତେ ଆମକୁ କେତେ ଗୁଡିଏ ପଦକ୍ଷେପ ନେବାକୁ ପଡିବ । ପ୍ରଥମେ ଆମକୁ ସେହିସବୁ ପଦକ୍ଷେପକୁ ଅନେକ ପରିପ୍ରେକ୍ଷୀରେ ଦେଖିବାକୁ ହେବ - ଗୋଟିଏ ଦେଶ ଭାବରେ ଆମେ ଏବେ କେଉଁ ସ୍ଥିତିରେ ଅଛୁ, ଦେଶକୁ ଏବେ କିଏ ଚଳାଉଛି ଏବଂ କେଉମାନେ ଏବେ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛନ୍ତି। ମୁଁ ବିଶ୍ବାସ କରେ ଭାରତକୁ ବର୍ତ୍ତମାନ ସାମାଜିକ-ଧର୍ମୀୟ ମୈାଳବାଦୀ ଓ ଆର୍ଥିକ- ବଜାର ମୈାଳବାଦୀମାନଙ୍କର ଏକ ମିଳିତ ଶକ୍ତି ଶାସନ କରୁଛି । ଏହି ମିଳିତ ଓ ସୁଖୀ ଗଠବନ୍ଧନ ଏବେ ଗଣମାଧ୍ୟମର ଜାଗାକୁ ମାଡ଼ି ବସିଛନ୍ତି। ମିଡିଆରେ ବହୁସ୍ୱର ଓ ସ୍ବରରେ ବିବିଧତା ଆଣିବା ନିମନ୍ତେ ଏକ ବାଧ୍ୟତା ସୃଷ୍ଟି କରିବା ପାଇଁ, ଦରକାର ପଡିଲେ ଆମକୁ ଆଇନ୍ ଆଣିବାକୁ ପଡ଼ିବ । ଭାରତର ଲୋକସଂଖ୍ୟାର ୬୯% ଗ୍ରାମାଞ୍ଚଳରେ ରୁହନ୍ତି । ମିଡିଆ ଷ୍ଟଡିଜ୍ ଓ ଅନ୍ୟାନ୍ୟଙ୍କ ଦ୍ବାରା ସ୍ଥାପିତ ସିଏମଏସ୍ ନାମକ ଏକ ସଙ୍ଗଠନ କରିଥିବା ଏକ ଅଧ୍ୟୟନରୁ ଜଣାପଡେ ଯେ ଆମର ଜାତୀୟ ଦୈନିକ ଖବରକାଗଜମାନେ ଗ୍ରାମାଞ୍ଚଳ ସମ୍ବନ୍ଧୀୟ ଖବର ପାଇଁ ସେମାନଙ୍କ ପ୍ରଥମ ପୃଷ୍ଠାରେ ହାରାହାରି ମାତ୍ର ୦.୬୭% ଜାଗା ଦେଇଥାନ୍ତି । କେତୋଟି ଜାତୀୟ ଖବରକାଗଜର ଗ୍ରାମାଞ୍ଚଳ ସମ୍ବାଦଦାତା ଅଛନ୍ତି ? ଗୋଟିଏ ସ୍ବାଧୀନ ଗଣମାଧ୍ୟମର ସର୍ବନିମ୍ନ କର୍ତ୍ତବ୍ୟ ହେଉଛି ସେମାନଙ୍କ ଖବର ପ୍ରକାଶନରେ ବହୁଗୋଷ୍ଠି ଓ ବିବିଧତା ରହିବାକୁ ସୁନିଶ୍ଚିତ କରିବା, ଯେଉଁଥିରେ ନ୍ୟାୟ ମନୋଭାବ, ସାମାଜିକ ଦାୟିତ୍ଵ ଓ ସାମାଜିକ କର୍ତ୍ତବ୍ୟର ଭାବନା ରହିଥିବ ଏବଂ ଯାହା ଆମ ସମାଜ ଓ ସାମାଜିକ ପ୍ରବୃତ୍ତିରେ ଥିବା ଦୁର୍ବଳତାକୁ ସୁଚାଇ ପାରୁଥିବ । ଆଜି କେଉଁ ବି ଖବରକାଗଜ ଖୋଲି ଦେଖନ୍ତୁ, କେଉଁ ବି ଟିଭି ଚ୍ୟାନେଲ ଖୋଲି ଦେଖନ୍ତୁ, ଆଇଆଇଟି ଓ ଆଇଆଇଏମ୍ ଭଳି ଆମର ପ୍ରମୁଖ ଅନୁଷ୍ଠାନଗୁଡିକରେ ଦଳିତ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିବା ଭଳି ଅତିଶୟ ବିଚଳିତ ଘଟଣାକୁ ସେମାନେ କିଭଳି ଖବର ଭାବେ ଦେଖାଉଛନ୍ତି । ଅବଶ୍ୟ ଆମେ ଏ ଖବର ଦେଖାଉଛୁ ଓ ଛାପୁଛୁ ମଧ୍ୟ, କିନ୍ତୁ ସେଥିରେ କହୁଛୁ ଯେ ସେମାନେ ପରୀକ୍ଷାର ଚାପ ସମ୍ଭାଳି ନପାରିବା ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଆମେ କେଉଁଠାରେ ବି ଏକଥା କହୁନାହୁଁ ଯେ ସମାଜରେ ଦ୍ରୂତଗତିରେ ବଢୁଥିବା ଜାତିଗତ ଅସମାନତା ବା ସାମାଜିକ ପକ୍ଷପାତିତା ଯୋଗୁଁ ଏପରି ହେଉଛି । ତା ସହିତ ଦେଖନ୍ତୁ କୃଷି କ୍ଷେତ୍ରରେ ଦେଖା ଦେଇଥିବା ସଙ୍କଟ ବିଷୟରେ ଆମେ କିଭଳି ଖବର ଛାପୁଛୁ କିମ୍ବା ଆଦୌ ଛାପୁଛୁ କି ନାହିଁ। ତୃତୀୟରେ, ଆମକୁ ଆମ ଗଣମାଧ୍ୟମ ମଧ୍ୟରେ ଥିବା ସାମ୍ବାଦିକମାନଙ୍କ ପାଇଁ ଅସମାନତା ଓ ପକ୍ଷପାତିତା ବିଷୟରେ ସତର୍କ ଘଣ୍ଟି ଵଜାଇବାକୁ ପଡିବ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମେ ଯେଉଁ ସ୍ତରର ଅସମାନତା ଦେଖୁଛୁ ତାହା ବ୍ରିଟିଶ ସମୟ ସହିତ ତୁଳନୀୟ ।
ମାତ୍ର ଗୋଟିଏ ବାକ୍ୟରେ ମୁଁ କହିବାକୁ ଚାହିଁବି, ଏଣିକି ଏହି ଘିଷାପିଟା କଥା କହିବା ବନ୍ଦ କରନ୍ତୁ ଯେ ଆମେ କ୍ଷମତାଧାରୀକୁ ବାସ୍ତବିକତା ଓ ସତ୍ୟ ବିଷୟରେ ସାବଧାନ କରୁଛୁ , ସତେ ଯେପରି କ୍ଷମତାଧାରୀମାନେ ଏତେ ନିରୀହ ଯେ ସେମାନେ କିଛି ଜାଣି ନାହାନ୍ତି ଓ ସେମାନଙ୍କୁ ଆମେ ବାସ୍ତବତା ବିଷୟରେ କହିବା ପରେ ଯାଇ ସେମାନେ ତାହା ଜାଣୁଛନ୍ତି । ସେମାନେ କିନ୍ତୁ ବାସ୍ତବତା ବିଷୟରେ ଆମ ଠାରୁ ଢେର ଅଧିକ ଜାଣିଛନ୍ତି । ପ୍ରକୃତରେ ଯାହା ଆମେ କରିବା ଉଚିତ୍ ତାହା ହେଉଛି ଆମେ କ୍ଷମତାଧାରୀକୁ କହିବା ପରିବର୍ତ୍ତେ କ୍ଷମତାଧାରୀ ବିଷୟରେ ଅସଲ କଥା କହିବାକୁ ଆରମ୍ଭ କରିବା ।
ସମ୍ପାଦନା ଏବଂ ଅନୁବାଦ - ରଙ୍ଗାଚରଣ ପ୍ରଧାନ