ଜଣେ ବିଦେଶୀ ବୈଜ୍ଞାନିକ ଓ କଳାହାଣ୍ଡିର କଲେକ୍ଟର ମହୋଦୟ

ଜଣେ ବିଦେଶୀ ବୈଜ୍ଞାନିକ ଓ  କଳାହାଣ୍ଡିର କଲେକ୍ଟର ମହୋଦୟ

 

ଜଗନ୍ନାଥ ପ୍ରସାଦ ଦାସ, ଯାହାଙ୍କୁ ସାରା ଦେଶରେ ଲୋକେ ଜେ.ପି. ଭାବରେ ଜାଣନ୍ତି, ତାଙ୍କୁ ବିଭିନ୍ନ ସମୟରେ, ବିଭିନ୍ନ ଲୋକଙ୍କ ଦ୍ବାରା ଲେଖା ଯାଇଥିବା ଚିଠି ମାନଙ୍କୁ ଏକାଠି କରି "ପ୍ରିୟ ଜେ.ପି." ନାଁରେ ଏକ ସୁନ୍ଦର ପୁସ୍ତକ  ସଂପାଦନା କରିଛନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୁର୍ବତନ ଇଂରାଜୀ ବିଭାଗର ମୁଖ୍ୟ  ପ୍ରଫେସର ସୁମନ୍ୟୁ ଶତପଥି । ଏ ପୁସ୍ତକରେ ଭାରତବର୍ଷର ବିଶିଷ୍ଟ ବ୍ୟକ୍ତିଗଣ ଜେ.ପି. ଙ୍କୁ ଦେଇଥିବା କିଛି ଗ୍ରହଣୀୟ ତଥା ବିରଳ ଚିଠିମାନଙ୍କୁ ପ୍ରଫେସର ଶତପଥି ସଂକଳନରେ ସ୍ଥାନିତ କରିଛନ୍ତି । ଏ ପୁସ୍ତକକୁ ପଢିଲେ ଜେ.ପି.ଙ୍କ ଲୋକପ୍ରିୟତା ଯେ କେତେ ବିଶାଳ ପରିସରକୁ କ୍ଷେପି ଯାଇ ଥିଲା, ତାହାକୁ ଅନୁମାନ କରିହେବ । 

 

ଜେ.ପି. ଯେମିତି କବି, ନାଟ୍ୟକାର, ଔପନ୍ୟାସିକ, ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ସଂଗଠକ,ଅନୁବାଦକ, ତ୍ୟାଦି ବହୁମୁଖି ପ୍ରତିଭାର ଶିଖରକୁ ପହଂଚି ପାରିଛନ୍ତି ଠିକ ସେମିତି  ଏକ ସୁଦକ୍ଷ ପ୍ରଶାସକ ଭାବରେ ନିଜର କର୍ମଠ ଗୁଣ ଓ ଉତ୍ସର୍ଗୀକୃତ ମନୋଭାବ ସହ ସାଧାରଣ ଲୋକଙ୍କ ହୃଦୟକୁ ଜିଣିପାରିଥିଲେ । ଏ କଥା ସେତେବେଳେ ଜଣାଗଲା ଯେତେବେଳେ ଡି. ଡୋଉଗ୍ଲାସ ସ୍ନେଇଦର ( D. Douglas Schneider ) ଙ୍କ ଜୀବନୀ ପୁସ୍ତକରୁ ଗୋଟିଏ ପୃଷ୍ଠା ପାଇ, ପଢିବାର ସୁଯୋଗ ମିଳିଲା ।

 

ଏୟା ବି ହଠାତ ମନରେ ପ୍ରଶ୍ନ ହେଲା,  ସ୍ନେଇଦରଙ୍କ ବହିର ଏଇ ପୃଷ୍ଠାର ଲେଖାକୁ ଉଦ୍ଧାର ନ କରିବା ଫଳରେ "ପ୍ରିୟ ଜେ.ପି." ପୁସ୍ତକଟି ସ୍ବୟଂ ସଂପୂର୍ଣ ହୋଇ ପାରିଲା କି ?

 

ଜେ.ପି. କଳାହାଣ୍ଡି ଜିଲ୍ଲାରେ କଲେକ୍ଟର ପଦବୀରେ କାର୍ୟରତ ଥିଲେ ୧୯୬୩ ରୁ ୧୯୬୬ ମଧ୍ୟରେ, ତିନିବର୍ଷ କାଳ । ସେତେବେଳେ ଭୟଙ୍କର ମରୁଡି ଗ୍ରାସିଥିଲା କଳାହାଣ୍ଡି ଜିଲ୍ଲାକୁ । ଅନେକ ଲୋକ ଖାଇବାକୁ ନ ପାଇ ମୃତ୍ୟୁ ବରଣ କରିଥିଲେ । ମରୁଡିର ଭୟାବହତା ପରଖିବା ପାଇଁ ତତ୍କାଳୀନ ପ୍ରଧାନମନ୍ତୀ ଶ୍ରୀମତି ଇଂଦିରା ଗାନ୍ଧୀ ୧୯୬୫ ମସିହାରେ କଳାହାଣ୍ଡି ପରିଦର୍ଶନରେ ଆସି ଖରିଆରରେ ପହଂଚିଥିଲେ ।

ଆଜି ହଠାତ ଏତେ କଥା ଜେ.ପି. ଙ୍କୁ ନେଇ ଲେଖିବା ଉଦ୍ଦେଶ୍ୟ ଯେ ଡି. ଡୋଉଗ୍ଲାସ ସ୍ନେଇଦର ଲେଖିଥିବା ବହି Deep The Roots Of Hope ର କେଇ ପୃଷ୍ଠା ମୋର ହସ୍ତଗତ ହେଲା । ତହିଁରୁ ଜଣା ପଡିଲା ଯେ, ସ୍ନେଇଦର ଜଣେ ମିନାରୀ ଥିଲେ । ଭାରତବର୍ଷକୁ ଆସୁଥିବା ମିନାରୀମାନେ ମୁଖ୍ୟତଃ ଦୁଇଟି କ୍ଷେତ୍ରରେ ନିଜକୁ ନିୟୋଜିତ କରି ରଖୁଥିଲେ ଯଥା ଶିକ୍ଷା ଓ ସ୍ବାସ୍ଥ୍ୟ । ସ୍ନେଇଦରଙ୍କ ଲକ୍ଷ୍ୟ କିନ୍ତୁ ଅଲଗା ଥିଲା । ସିଏ ୧୯୬୦ ମସିହାରେ United Church Board ଦ୍ବାରା କୃଷି ମିନାରୀ ଭାବରେ ଭାରତରେ ନିୟୋଜିତ  ହୋଇଥିଲେ । ତାଙ୍କର ରହଣି କାଳରେ ସିଏ କୃଷି ଓ ପଶୁପାଳନ ସମ୍ବନ୍ଧୀୟ କାମ ଯଥା: ଧାନ ଉତ୍ପାଦନ, କୁକୁଡା ପାଳନ, ମହୁମାଛି ଚାଷ, ତ୍ୟାଦି  ଉପରେ ଅନେକ କାମ କରିଯାଇଛନ୍ତି । ସ୍ନେଇଦର ତାଙ୍କ ପୁସ୍ତକ Deep The Roots Of Hope ରେ ଜେ.ପି. ଙ୍କୁ ପ୍ରଶଂସା କରି ଗୋଟିଏ ପୃଷ୍ଠାରେ ଯାହା ଲେଖିଛନ୍ତି, ତାହା ଏଇପରି :

"କଳାହାଣ୍ଡିବାସୀ ଅତ୍ୟନ୍ତ ଭାଗ୍ୟବାନ ଯେ ଜେ.ପି.ଙ୍କ ଭଳି  କଲେକ୍ଟରଟିଏ ୧୯୬୫ ମସିହାରେ ପାଇଥିଲେ । ସେ ଜଣେ ପୁର୍ଣ୍ଣ ଭାବରେ ନ୍ୟାୟବନ୍ତ, ନ୍ୟର ଦୁଃଖ ବୁଝୁଥିବା ଏବଂ କରୁଣାରେ ଭରପୁର କର୍ମତତ୍ପର ମଣିଷଟିଏ । ସିଏ କଳାହାଣ୍ଡିର ଏମିତି ଦୁର୍ଭେଦ୍ୟ ଅଞ୍ଚଳକୁ ହାତୀର ପିଠିରେ ସବାର ହୋଇ ପରିଦର୍ଶନ କରି ଯାଇଥିଲେ ଯେଉଁଠିକି ତାଙ୍କ ପୁର୍ବର କୌଣସି ଅଫିସର ସାହସ କରି ନାହାନ୍ତି ସେଇ ଅଞ୍ଚଳକୁ ପାଦ ପକେଇବାକୁ । ସିଏ ସପ୍ତାହରେ ସାତ ଦିନ କାମ କରୁଥିଲେ । ଯେଉଁ କାମରେ ହାତ ଦେଇଥାନ୍ତି ତାହା ନ ସରିଲା ପର୍ଯନ୍ତ ସିଏ ଶାନ୍ତିରେ ନିଃଶ୍ବାସ ମାରୁ ନ ଥିଲେ ।......................" ।   

 

ଏମିତି ଅନେକ କଥା ଲେଖିଛନ୍ତି ସ୍ନେଇଦର ତାଙ୍କ ପୁସ୍ତକରେ।

ଏ ଲେଖା ପଢି, ମୋର ଟିକିଏ ଉତ୍ସାହ ହେଲା ଜେ.ପି.ଙ୍କ ସହ କଥା ହେବାକୁ । ସିଏ କଥା ଛଳରେ କହିଲେ " ଏ ଭଳି କିଛି ଲେଖା ଯାଇଛି ବୋଲି ସିଏ ଜାଣି ନାହାନ୍ତି । ଓଲଟା ପ୍ରଶ୍ନ କଲେ " ଏ ବହିର କପି ମିଳିପାରିବ ?

ପୁଣି କହିଲେ "ଆମେ ବହୁତ କଷ୍ଟରେ କାମ କରୁଥିଲୁ.." ।

ମୋତେ ଲାଗିଲା, ଜଣେ ଲୋକର ଅଜ୍ଞାତରେ ଏତେ ଉଚ୍ଚ ପ୍ରଶଂସନୀୟ କଥା  ଜଣେ  ବିଦେଶୀ  ବୈଜ୍ଞାନିକ ଲେଖୁଛନ୍ତି ତେବେ ସେଇ ବ୍ଯକ୍ତିର ନିଷ୍ଠା ଏବଂ ଉତ୍ସର୍ଗିକୃତ କାର୍ୟ ଶୈଳୀକୁ ଆମେ ସଲାମ କରିବା କଥା, ଏବଂ ଖାସ କରି ଆଜିର  IAS ଅଧିକାରୀ ମାନେ ବି ତାଙ୍କ ଠାରୁ ଶିଖିବା କଥା ।

ଜେ.ପି., ସାହିତ୍ୟରେ ଶିଖରକୁ ପହଂଚି ପାରିଛନ୍ତି ନିଶ୍ଚୟ, ତେବେ ପ୍ରଶାସନରେ ମଧ୍ୟ ଏତେ ଉଚ୍ଚ ସ୍ଥାନଟିଏ ନିଜ ପାଇଁ ସଂଗ୍ରହ କରିପାରିଛନ୍ତ ତାହା ସ୍ନେଇଦରଙ୍କ ପୁସ୍ତକରୁ ସୁଚନା ମିଳିଲା ।

ମୋର ଜନ୍ମ ୧୯୬୩ ମସିହାରେ ଯେଉଁ ବର୍ଷ  ଜେ.ପି. କଳାହାଣ୍ଡିରେ କଲେକ୍ଟର ହେଇ ଆସିଲେ । ମୁଁ ମରୁଡି ବାବଦରେ ବାପା, ମାଁ, କାକା, ତଥା ଅନ୍ୟ ମାନଙ୍କଠାରୁ, ତାର ଭୟାବହତା ନେଇ, ପରେ ପରେ ଅନେକ କଥା ଶୁଣିଛି । ଆପାତତଃ ସେଇ ଭଳି ମରୁଡିକୁ ମୁଁ ବି ୧୯୮୫ -୮୬ ରେ ଦେଖିଲି । ଏଇ ସମୟରେ ଖାଦ୍ୟାଭାବର ଏତେ ଭୟାବହତା ଦେଖାଗଲା ଯେ ଫାନସ ପୁଂଜି ନାମକ ଜଣେ ସ୍ତ୍ରୀଲୋକ ତାର ନଣଂଦ ବନିତାକୁ ବିକ୍ରି କରିଦେବା ଫଳରେ,ଏଇ ଖବର ଦେଶକୁ ବ୍ୟାପୀ ଗଲା । ୧୯୮୯ ମସିହାରେ ତତକାଳୀନ ପ୍ରଧାନ ମନ୍ତୀ ରାଜୀବ ଗାନ୍ଧୀ ଆସି ଥିଲେ କଳାହାଣ୍ଡି ପରିଦର୍ଶନରେ । ସେତେବେଳେ ମୁଁ ପ୍ରଥମକରି ଚାକିରି ପାଇଥିଲି ଓ ଖଇରା ନାମକ ଗାଁରେ ରାଜୀବ ଗାନ୍ଧୀଙ୍କ ରାଲିରେ ଠିଆ ହୋଇଥିଲି ।

ଜେ.ପି.ଙ୍କ "କଳାହାଣ୍ଡି" ଶିରୋନାମାରେ ଲିଖିତ କବିତାର ପ୍ରଥମ ପାଞ୍ଚ ଧାଡିଇଁ କଳାହାଣ୍ଡି ମାଟି ସହ ତାଙ୍କର ସଂଶ୍ଲିଷ୍ଠତାର ସୁଚନା ମିଳେ ଯେ ସେ କେମିତି ବୁଝିଛନ୍ତି ଚିର ମରୁଡି ପ୍ରପିଡିତ କଳାହାଣ୍ଡିକୁ :

 

"ମାନଚିତ୍ରକୁ ଏଥର ଅଲଗା ରଖିଦିଅ

ସେଠାକୁ ଯିବା ପାଇଁ ଆଉ

ହେଲିକପ୍ଟରର ପ୍ରୟୋଜନ ନାହିଁ

ଯେଉଁଠାରେ ଅନାହାର ସେଠାରେ ହିଁ କଳାହାଣ୍ଡି "

 

ସବୁ ଦିଗରୁ ପରିପୁର୍ଣ୍ଣ ଜେ.ପି.  ଓଡିଶାର ଉଦାହରଣ ଦିଆ "ପ୍ରଥମ ପୁରୁଷ" ଅଟନ୍ତି । ଆମେ ଯୋଉଭଳି ତାଙ୍କୁ ସମ୍ମାନ ଦେବା କଥା,  ବୋଧହୁଏ ଦେଇ ପାରି ନାହୁଁ ।

ବିଦେଶରୁ ଆସି, ଜେ.ପି.ଙ୍କୁ ଭଲଭାବରେ ବୁଝି, ଆମେ ଯେଉଁ କାମ କରିବା କଥା, ସେଇ କାମକୁ ସ୍ନେଇଦର କରିଦେଇଛନ୍ତି । ଉଚିତ ଲୋକଙ୍କୁ   ଉଚିତ ସମ୍ମାନ ଦେଇଥିବାରୁ  ମୁଁ ମାନନୀୟ ଡି. ଡୋଉଗ୍ଲାସ ସ୍ନେଇଦରଙ୍କୁ ଗଭୀର ସମ୍ମାନ ଜଣାଉଛି ।

(ଡି. ଡୋଉଗ୍ଲାସ ସ୍ନେଇଦରଙ୍କ ବହିର ସୂଚନା ପାଇଁ  ଅନୁଜ ପ୍ରତିମ ଶ୍ରୀ ସାମୁଏଲ ଦାନୀକୁ ଧନ୍ୟବାଦ)