ଝାରସୁଗୁଡ଼ା ଉପ-ନିର୍ବାଚନ ଫଳ: ବିଜେଡି ଖୁସି ହେଲେ ବିଜେପି ଦୁଃଖି ନୁହଁ !!

ଝାରସୁଗୁଡ଼ା ଉପ-ନିର୍ବାଚନ ଫଳ: ବିଜେଡି  ଖୁସି ହେଲେ ବିଜେପି ଦୁଃଖି ନୁହଁ !!

ଝାରସୁଗୁଡ଼ା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାୟ ୪୮ ହଜାରରୁ ଅଧିକ ଜନମତରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିବା ଘଟଣା ଅସ୍ୱାଭାବିକ ବା ଅପ୍ରତ୍ୟାଶିତ ନଥିଲା । ନବକିଶୋର ଦାସଙ୍କ ହତ୍ୟାଜନିତ କାରଣରୁ ଏହି ଉପ-ନିର୍ବାଚନ ହୋଇଥିଲେ ମଧ୍ୟ ବିଜେଡି ଆଗୁଆ ନବକିଶୋର ଦାସଙ୍କ କନ୍ୟା ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଏହି ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟକୁ ନେଇ ବିରୋଧୀ ପକ୍ଷ ଯେଉଁ ଅଭିଯୋଗ କରୁଥିଲେ, ସେଗୁଡ଼ିକର ଧାର ତୀକ୍ଷ୍ଣ ହେବା ପରିବର୍ତ୍ତେ ଦୁର୍ବଳ ହୋଇଗଲା । ଯଦିଓ ହତ୍ୟାକାରୀ ପୋଲିସ ଅଫିସର ଗିରଫ ହୋଇଥିଲେ ମଧ୍ୟ ସେ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାକୁ ଏକ ବଡ଼ ଆଇନ୍‌ଶୃଙ୍ଖଳା ପ୍ରସଂଗ ଭାବରେ ନେଇ ସରକାରୀ ବିରୋଧୀ ବାତାବରଣ ସୃଷ୍ଟି ପାଇଁ ବିଜେପିର ଉଦ୍ୟମ ବିଶେଷ ସଫଳ ହେଲା ନାହିଁ । ହେଲେ ରାଜ୍ୟରେ ଓ ଝାରସୁଗୁଡ଼ାରେ ଥିବା ସରକାରୀ ବିରୋଧୀ ମତ ପ୍ରମୁଖ ଭାବରେ ବିଜେପି ଆଡକୁ ଆକର୍ଷିତ ହେବା ଫଳରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପିର ମର୍ଯ୍ୟାଦା ନିର୍ବାଚନ ଫଳାଫଳରେ ରକ୍ଷା ହୋଇଗଲା । ରାଜ୍ୟରେ ଆଉ ଏକ ବିରୋଧୀ ଦଳ ଭାବେ ଥିବା କଂଗ୍ରେସ ଦଳ ଝାରସୁଗୁଡ଼ାରେ ମଧ୍ୟ ଶୋଚନୀୟ ଫଳ ପ୍ରକାଶ କରିବା ଫଳରେ ବିଜେପି ପ୍ରତି କଂଗ୍ରେସ ଆଡୁ ବିପଦ ନାହିଁ ବୋଲି ପ୍ରମାଣିତ ହେବାରୁ ବିଜେପିର ଶୋଚନୀୟ ପରାଜୟ ସତ୍ତ୍ୱେ ସେମାନେ ଦୁଃଖିତ ନୁହନ୍ତି । ଓଡ଼ିଶାରେ କଂଗ୍ରେସର କ୍ରମାଗତ ଅବକ୍ଷୟର ଧାରା ଗତ ୧୦ବର୍ଷ ଧରି ଯେପରି ରହିଛି ସେଥିରେ ରୋକ୍ ଲାଗିବାର ସମ୍ଭାବନା ଦେଖାଯାଉ ନାହିଁ । ତଥାପି ଯେଉଁଦିନ ଝାରସୁଗୁଡ଼ା ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି, ସେହିଦିନ ଦେଶର ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଭାରତ ରାଜ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି, ଯାହାକି ସବୁ ଦୃଷ୍ଟିରୁ ଦେଖିଲେ ଏକ ରେକର୍ଡ । ସେଠାରେ ସିଧାସଳଖ ମୋଦି ବିଜେପିର ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଥିଲେ ମଧ୍ୟ ରାହୁଲଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ଦଳର ବିପୁଳ ବିଜୟକୁ ଅଟକାଇ ପାରିନଥିଲେ ।

ଯଦିଓ ଅନେକ କହିପାରନ୍ତି ଯେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଦଳର ସ୍ଥାନୀୟ ନେତା ଯଥା- ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଓ ସର୍ବୋପରି ଏଆଇସିସିର ଅଧ୍ୟକ୍ଷ ହୋଇଥିବା କର୍ଣ୍ଣାଟକର ବରିଷ୍ଠ ଦଳିତ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମିଳିତ ଭାବରେ ନିର୍ବାଚନର ନେତୃତ୍ୱ ନେଇ ସମୁଦାୟ ପ୍ରସଂଗକୁ ରାଜ୍ୟ ଲୋକମାନଙ୍କ ଦାବି ଉପରେ କେନ୍ଦ୍ରୀଭୂତ କରିଥିଲେ, ତଥାପି କର୍ଣ୍ଣାଟକର ପରିବେଶକୁ ସଂପୂର୍ଣ୍ଣ ଭାବରେ କଂଗ୍ରେସ ସପକ୍ଷବାଦୀ କରିବାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ପୃଷ୍ଠଭୂମି ପକାଇଥିଲା । ଶେଷରେ ନିର୍ବାଚନ ପ୍ରଚାରରେ ମଧ୍ୟ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଶେଷରେ ସୋନିଆ ଗାନ୍ଧି ପ୍ରମୁଖ ଭୂମିକା ନେଇଥିଲେ । ବିଶେଷ ଭାବରେ ରାଜ୍ୟର ସବୁ ଜାତି, ଧର୍ମ ଓ ଅଞ୍ଚଳଗୁଡ଼ିକର ଗରିବ, ଅବହେଳିତ, ବେକାର ଓ ମହିଳାମାନଙ୍କୁ ଏକଜୁଟ୍ କରି ବିଜେପିର ସାମ୍ପ୍ରଦାୟିକ ବିଭାଜନବାଦୀ ନୀତି ବିରୋଧରେ ଏକଜୁଟ୍ କରିବାରେ ରାହୁଲ ଗାନ୍ଧିଙ୍କ ଆଦର୍ଶଗତ ଆଭିମୁଖ୍ୟ ବେଶ ସହାୟକ ହୋଇଥିଲା । ସମ୍ଭବତଃ ସେଥିପାଇଁ ନିର୍ବାଚନ ଫଳାଫଳ ପରେ ରାହୁଲ ଗାନ୍ଧି ପ୍ରତିକ୍ରିୟା ଦେଇ କହିଥିଲେ ଯେ ‘ନଫରତ କି ବାଜାର ମେଁ, ମୋହବତ କା ଦୁକାନ’ ଖୋଲିଲା । ଯେହେତୁ ଉଭୟ ବିଜେପି ଓ କଂଗ୍ରେସ ଜାତୀୟ ଦଳ, ସେହେତୁ ସେଠାରେ ଯଦି ବିଜେପିର ବିଜୟ ହୋଇଥାନ୍ତା, ତେବେ ସମସ୍ତ ଶ୍ରେୟ ମୋଦିଙ୍କୁ ଯାଇଥାନ୍ତା । ସେହିପରି ମଣିପୁରରେ ନିଆଁ ଲାଗିଥିବା ସମୟରେ ଗତ ଏକମାସ ଧରି ପ୍ରଧାନମନ୍ତ୍ରୀ ଯେପରି ଭାବରେ କର୍ଣ୍ଣାଟକ ନିର୍ବାଚନକୁ ସଂପୂର୍ଣ୍ଣ ଫୋକସ୍ କରି କାମ କରିଥିଲେ ଓ ଶେଷ ୮ଦିନ ସେଠାରେ ରହି ପ୍ରଚାର ଓ ରୋଡ୍ ଶୋ’ କରିଥିଲେ ସେଥିରେ ବିଜେପିର ପରାଜୟ ପ୍ରକୃତରେ ମୋଦିଙ୍କ ପରାଜୟ ବୋଲି ବିଚାର କରାଯିବ । ଠିକ୍ ସେହିପରି ଯଦି କଂଗ୍ରେସ ସେଠାରେ ପରାଜିତ ହୋଇଥାନ୍ତା, ତେବେ ସମସ୍ତ ଦୋଷ ରାହୁଲ ଗାନ୍ଧିଙ୍କୁ ଦିଆଯାଇଥାନ୍ତା । ତେଣୁ ସେଠାରେ କଂଗ୍ରେସର ବିଜୟରେ ଯଦି ଜଣେ ନେତା କଂଗ୍ରେସରୁ କାହାକୁ ଶ୍ରେୟ ଦେବାକୁ ପଡ଼ିବ, ତେବେ ରାହୁଲ ଗାନ୍ଧିଙ୍କ ନାଁ ନିଶ୍ଚିତ ନିଆଯିବ । ଏହି ପୃଷ୍ଠଭୂମିରେ ଦେଖିଲେ ଝାରସୁଗୁଡ଼ା ଉପ-ନିର୍ବାଚନରେ କଂଗ୍ରେସର ଶୋଚନୀୟ ସ୍ଥିତି ସତ୍ତ୍ୱେ କଂଗ୍ରେସ ଦଳ ଭବିଷ୍ୟତ ପାଇଁ ଆଶା ପୋଷଣ କରିପାରିବ । ବାସ୍ତବରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱର ଆକର୍ଷଣ ୧୦ବର୍ଷ ହେଲା କମି ଚାଲିଥିବାରୁ ଓ ରାଜ୍ୟ କଂଗ୍ରେସରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ କୌଣସି ଆକର୍ଷଣକାରୀ ରାଜ୍ୟ ନେତା ନଥିବାରୁ କଂଗ୍ରେସ ଦଳର ସ୍ଥିତି କ୍ରମାଗତ ଖରାପ ହୋଇ ଚାଲିଛି । ରାଜ୍ୟ କଂଗ୍ରେସ ନେତାମାନଙ୍କ ଭିତରେ ବିବାଦକୁ ଅନେକ ପ୍ରମୁଖ ପ୍ରସଂଗ ଭାବୁଥିଲେ ମଧ୍ୟ ପ୍ରକୃତରେ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱର ଆକର୍ଷଣକାରୀ ଶକ୍ତିର ଅଭାବ ଦଳକୁ ବିପନ୍ନ କରିଆସିଛି । ଯଦି କଂଗ୍ରେସ ନେତୃତ୍ୱ କେନ୍ଦ୍ରୀୟ ନେତୃତ୍ୱର ଆକର୍ଷଣକାରୀ ଶକ୍ତିକୁ ଏବେ ଠିକ୍ ଭାବରେ ଉପସ୍ଥାପିତ କରିପାରିବେ, ତେବେ ସାଧାରଣ ଲୋକଙ୍କ ଭିତରେ କଂଗ୍ରେସ ପ୍ରତି ଆସ୍ଥା ନିଶ୍ଚିତ ବଢ଼ିବ ।


ଝାରସୁଗୁଡ଼ା ଉପ-ନିର୍ବାଚନରେ ବିଜେପିକୁ ଯେପରି ଶୋଚନୀୟ ଭାବରେ ବିଜେଡି ପରାସ୍ତ କରିଛି, ସେଥିରେ ଦିଲ୍ଲୀରେ ମୋଦିଙ୍କ ବିରୋଧରେ ବିରୋଧୀ ଦଳମାନଙ୍କୁ ଏକଜୁଟ୍ କରିବା ନିମନ୍ତେ କଂଗ୍ରେସ ସମେତ ଯେଉଁ ଦଳମାନେ ଉଦ୍ୟମ କରୁଛନ୍ତି ସେମାନେ ଖୁସି ହେବେ । କାରଣ ବିଜେଡିର ଏହି ଶକ୍ତି ବଜାୟ ରହିଲେ ଓଡ଼ିଶାରୁ ୨୦୨୪ରେ ବିଜେପି ୨୦୧୯ ପରି ୮ଟି କିମ୍ବା ଅଧିକ ଲୋକସଭା ଆସନ ପାଇଯିବାର ସମ୍ଭାବନା କ୍ଷୀଣ ହୋଇଯିବ । ବିରୋଧୀ ଏକତା ପାଇଁ ଉଦ୍ୟମ କରୁଥିବା ନେତାମାନଙ୍କ ମୂଳ ଲକ୍ଷ୍ୟ ହେଉଛି ବିଜେପିର ଲୋକସଭାରେ ୨୦୨୪ରେ ଆସନ ସଂଖ୍ୟା ୨୦୦ରୁ ଦଳକୁ ନେଇଆସିବା । ବାସ୍ତବିକ ସେହି ଲକ୍ଷ୍ୟରେ ନିକଟରେ ନୀତିଶ କୁମାର ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଯଦିଓ ସେମାନଙ୍କ ଆଲୋଚନାରେ ରାଜନୈତକ ପ୍ରସଂଗ ଆଲୋଚିତ ହୋଇନଥିବା ସେମାନେ ସାମ୍ବାଦିକମାନଙ୍କୁ କହିଲେ, ସେଥିରେ କେହି ପ୍ରଭାବିତ ହେବେନାହିଁ । କାରଣ ନୀତିଶ କୁମାରଙ୍କ ପରି ଜଣେ ଅଭିଜ୍ଞ ରାଜନେତା, ଯିଏକି ବିରୋଧୀ ଏକତା ଅଭିଯାନର ମୁଖ୍ୟ ଦାୟିତ୍ୱ ନେଇଛନ୍ତି, ସେ ପଖାଳ ଖାଇବା ପାଇଁ ଭୁବନେଶ୍ୱର ଆସିନଥିଲେ । ଅବଶ୍ୟ ନବୀନ ମାତ୍ର ଦୁଇଦିନ ପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପରେ ସେଠାରେ ସାମ୍ବାଦିକମାନଙ୍କୁ ସ୍ପଷ୍ଟ ଭାବେ କହିଦେଲେ ଯେ ବିରୋଧୀ ଏକତା ଅଭିଯାନରେ ସେ ପକ୍ଷଭୁକ୍ତ ନୁହନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହିତ ତାଙ୍କର ଭଲ ସଂପର୍କ ଯୋଗୁ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟର ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଯେପରି ବ୍ୟବହୃତ ହୋଇଛି ତାହା ଓଡ଼ିଶାରେ ହୋଇନାହିଁ । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ଓ ବିଧେୟକରେ ନବୀନଙ୍କ ବିଜୁ ଜନତା ଦଳ ପାର୍ଲାମେଂଟରେ ସହଯୋଗ କରିଆସିଛି । କିନ୍ତୁ ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ଦିନ ନବୀନ ପଟ୍ଟନାୟକ ନୂତନ ଭାବେ ଉଦ୍‌ଘାଟିତ ଶଙ୍ଖ ଭବନରେ ଦଳର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ବିଜେପି ପକ୍ଷରୁ ବାରମ୍ବାର ‘ଡବଲ୍ ଇଞ୍ଜିନ୍‌’ ସରକାର ବିଷୟରେ ଯାହା କୁହାଯାଉଛି, ତାହାକୁ ଅଗ୍ରାହ୍ୟ କରି ‘ଭଲ ଶାସନ’ ପ୍ରକୃତ ପ୍ରସଂଗ ବୋଲି କହିଥିଲେ ।

ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀ ଘଟଣାରେ ଭାରତୀୟ ସଂଘୀୟ ବ୍ୟବସ୍ଥା ବିଷୟରେ ଯାହା କହିଛନ୍ତି ତାହା ନିଶ୍ଚିତ ଭାବରେ ନବୀନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଛି । କେବଳ ସେତିକି ନୁହେଁ, ରାଜ୍ୟରେ ବିଜେପି ପକ୍ଷରୁ ପଦ୍ମପୁର ଓ ଝାରସୁଗୁଡ଼ାରେ ବିଜେଡିର ମହିଳା ପ୍ରାର୍ଥୀଙ୍କ ବିରୋଧରେ ଦିଆଯାଇଥିବା କିଛି କଟୁ ମନ୍ତବ୍ୟ ଓ ମହିଳାମାନଙ୍କ ମିଶନ ଶକ୍ତି ବିଷୟରେ ବିଭିନ୍ନ ଅଭିଯୋଗକୁ ନେଇ ରାଜ୍ୟରେ ବିଜେପି ମହିଳା ବିରୋଧୀ ବୋଲି ଚିତ୍ରଣ କରିଛନ୍ତି । ବାସ୍ତବରେ ନବୀନ ପଟ୍ଟନାୟକ ଭଲ ଭାବରେ ଜାଣନ୍ତି ଯେ ତାଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ ମିଶନଶକ୍ତି ଜରିଆରେ ଏକ ଦୃଢ଼ ମହିଳା ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଛି । ଏହି ଭୋଟ୍ ବ୍ୟାଙ୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବିଜେପିକୁ ରାଜ୍ୟରେ ମହିଳା ବିରୋଧୀ ବୋଲି କହିବା ସହିତ ରାଜ୍ୟରେ ଆଇନ୍‌ଶୃଙ୍ଖଳା ନାହିଁ ବୋଲି ବାରମ୍ବାର ଯାହା କୁହାଯାଉଛି, ତାହା ରାଜ୍ୟ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି । ବାସ୍ତବରେ ନବୀନଙ୍କ ଏହି ଆଭିମୁଖ୍ୟ ଜରିଆରେ ବିଜେପି ପ୍ରତି ରାଜ୍ୟରେ ବିଜୁ ଜନତା ଦଳ କୌଣସି ସାଲିସ ମନୋଭାବ ନେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତେଣୁ ଦିଲ୍ଲୀ ସ୍ତରରେ ବସି ବିରୋଧୀ ଏକତା ପାଇଁ ପ୍ରୟାସ କରୁଥିବା କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ଆଶ୍ୱସ୍ତ ହେବେ ଯେ ଓଡ଼ିଶାରେ ବିଜେପିକୁ ନବୀନ ଅଟକାଇ ପାରିବେ । ତେଣୁ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ସ୍ଥିତି ସତ୍ତ୍ୱେ ଓଡ଼ିଶା ପାଇଁ ସେମାନେ ସେତିକି ଚିନ୍ତିତ ହେବେ ନାହିଁ । ବରଂ କଂଗ୍ରେସର ଜାତୀୟ ନେତୃତ୍ୱର ଆକର୍ଷଣକାରୀ ଶକ୍ତି ଯୋଗୁ ରାଜ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦ୍ୱିତା ହେଲେ ନବୀନ ଲାଭବାନ ହେବେ ।