ଦ ପିଙ୍କ୍ ଷ୍ଟୋରୀ: ୨୦୦୦ ଟଙ୍କିଆ ନୋଟ ବଦଳି
୮ ନଭେମ୍ବର, ୨୦୧୬ ରାତି ୮:୨୦ ହେବ ମୁଁ ନାଇଟ ଡ୍ୟୁଟିରେ ଅଳ୍ପ ସମୟ ହେବ ପହଞ୍ଚି ଥାଏ, ମୋର ଜଣେ ବନ୍ଧୁ ଫୋନ କରି ଗଦଗଦ୍ ହୋଇ କହିଲେ: ଦେଶର ପ୍ରଧାନମନ୍ତ୍ରୀ ଟିଭି ପରଦା ଜରିଆରେ ସମ୍ପୂର୍ଣ୍ଣ ଦେଶର ଜନତାଙ୍କୁ କହିଗଲେ "ଆଜି ରାତିରୁ ପ୍ରଚଳନରେ ଥିବା ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅବୈଧ ହୋଇଗଲା। ତା' ବଦଳରେ ନୂତନ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବଜାରକୁ ଛଡା ଯିବ। ଲୋକଙ୍କ ପାଖରେ ମହଜୁଦ ଥିବା ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ସେମାନେ ବ୍ୟାଙ୍କରେ ୩୦ ଡିସେମ୍ବର ସୁଦ୍ଧା ଜମା କିମ୍ବା ବଦଳ କରି ପାରିବେ।" ସକାଳୁ ଘରକୁ ଫେରି ଅଣ୍ଡାଳିବାରୁ ୭ -୮ ହଜାର ଭିତରେ କ୍ୟାସ ମିଳିଲା। ଘରେ ଆମେ ନିଶ୍ଚିନ୍ତ ହେଲୁ ଯେ, ଯା' ହେଉ ଝିଞ୍ଜଟ ହେବାକୁ ପଡିବନି। ପୁଣି ଏଇ ଚଳିତ ମାସ ୧୯ ତାରିଖରେ, ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (RBI) ତରଫରୁ ଘୋଷଣା କରାଗଲା ଯେ, "ଛ' ବର୍ଷ ତଳେ, ମାନେ ନଭେମ୍ବର ୨୦୧୬ରେ ଜାରି କରା ଯାଇଥିବା ୨୦୦୦ ଟଙ୍କିଆ ନୋଟକୁ ରିଜର୍ଭ ବ୍ୟାଙ୍କ ପ୍ରଚଳନରୁ କାଢିନେବ। ଲୋକଙ୍କ ପାଖରେ ମହଜୁଦ ଥିବା ୨୦୦୦ ଟଙ୍କିଆ ନୋଟକୁ ସେମାନେ ନିଜ ନିଜ ବ୍ୟାଙ୍କ ଶାଖାରେ ୩୦ ସେପ୍ଟେମ୍ବର ସୁଧା ବଦଳ ବିମ୍ବା ଜମା କରି ପାରିବେ।" ଆଉ ଏଥର ବି ମୋ ଆଉ ଆପଣଙ୍କ ପରି ଲୋକ ନିହାତି ଶାନ୍ତିରେ ନିଶ୍ବାସ ମାରିଥିବେ ଯେ ଘରେ ୨୦୦୦ ଟଙ୍କିଆ ନୋଟ୍ ହିଁ ନାହିଁ (ଗତ ସାତ- ଆଠ ମାସ ହେଲାଣି କୌଣସି ଏଟିମରୁ ହିଁ ବାହାରୁନି)। ଆଉ ଯଦି ବି କେହି ତକିଆ ତଳେ, ଚାଉଳ ଡବାରେ, ବହି ପୃଷ୍ଠାରେ ଲୁଚାଇ ରଖିଥା'ନ୍ତି ସେ ଏମିତି ଗଣି ଗଣି କେତେ ହେବକି? ଗତ ଥର ପରି ଏଥରବି ଆମେ ଆନନ୍ଦରେ ଆଉ ସହଜରେ ଭାବିନେଲେ ଯେ, "ହେ, ଯାହାର ସିନା ପୁଳା ପୁଳା ଟଙ୍କା ଜମା ଥିବ କି ବ୍ଲାକ୍ ମନି ଥିବ, ସେମାନେ ଚିନ୍ତା କରିବେ, ଆମ ପରି ଲୋକଙ୍କର କ'ଣ ଅଛି?" କିନ୍ତୁ ପ୍ରକୃତରେ କ'ଣ କେବଳ ଯାହା ପାଖରେ ବ୍ଲାକ୍-ମନି କି କାଲା-ଧନ୍ ଥିବ ସେ ହିଁ ହଇରାଣ ହେବ? ବା ସେ ସତରେ ହଇରାଣ ହେବ? ଆଉ ଆପଣଙ୍କ-ଆମ ପରି ସାଧାରଣ ଲୋକର ଜୀବନ ଉପରେ ଏ ହଠାତ୍ କରି ନୋଟବନ୍ଦୀ କିମ୍ବା ନୋଟବଦଳିର କୌଣସି ପ୍ରଭାବ ରହିବ କି ନାଇଁ? ଅବଶ୍ୟ ମୋର ଏ ପ୍ରଶ୍ନରେ ଆପଣଙ୍କ "ହଁ" କି "ନାଇଁ" କହିବେ, ସେଇଟା ଆପଣଙ୍କ ୨୦୦୦ ଟଙ୍କିଆ ନୋଟରୁ ନାନୋ- ଜିପିଏସ୍-ଚିପ ପାଇଛନ୍ତି କି ନାହିଁ ତା' ଉପରେ ନିର୍ଭର କରେ! (୨୦୧୬ର ନୋଟବନ୍ଦୀକୁ ଛାଡିଦେଲେ ୨୦୨୩ର ନୋଟବଦଳି ବିଷୟରେ ଆଦୌ ଆଲୋଚନା କରିହେବ ନାହିଁ; ତେଣୁ ଆମକୁ ବାରମ୍ବାର ୨୦୧୬କୁ ଫେରିବାକୁ ପଡିବ)।
୨୦୧୬ ନୋଟବନ୍ଦୀ ଏବଂ କୋଭିଡ୍-୧୯ ର ଲକଡାଉନ୍ ପରେ ଡିଜିଟାଲ ଦେଣ-ନେଣ ବଢିବା ଦ୍ବାରା ଏବଂ ଗତ କିଛି ମାସରୁ ଏଟିଏମରୁ ୨୦୦୦ଟଙ୍କିଆ ନୋଟର ବିତରଣ ପାଖାପାଖି ବନ୍ଦ ହୋଇଯିବା ଦ୍ବାରା ଆମ ପରି ଲୋକଙ୍କ ପାଖରେ କ୍ୟାସ ବା ନଗଦ ଟଙ୍କା ରହିବା ନିଶ୍ଚୟ କମିଛି। ବଡ ବଡ କର୍ପୋରେଟ ସ°ସ୍ଥା ମାନଙ୍କ କାରବାର ମଧ୍ୟ ଏମିତି କ୍ୟାସ/ନଗଦରେ ଚାଲେ ନାହିଁ, ତେଣୁ ସେମାନଙ୍କର ମଧ୍ୟ ଅସୁବିଧା ହୁଏ ନାହିଁ। ଆଉ ଏଣିକି ତ ରାଜନୈତିକ ଦଳ ଗୁଡିକ ମଧ୍ୟ ଇଲୋକ୍ଟ୍ରାଲ୍ ବଣ୍ଡ୍ ଦ୍ବାରା ଚାନ୍ଦା ପାଇ ଯାଇ ପାରୁଛନ୍ତି। କିନ୍ତୁ ଦେଶରେ ଆଉ କିଛି ସ°ସ୍ଥା ଅଛି ଯେଉଁଠି ଏବେବି କ୍ୟାସ/ନଗଦ ଟଙ୍କାରେ କାମ ଚାଲେ, ଯେମିତିକି କୃଷିକ୍ଷେତ୍ର, ଲଘୁ ଉଦ୍ୟୋଗ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାନ ଏବଂ ରିଅଲ-ଇଷ୍ଟେଟ୍ ବ୍ୟବସାୟ ମଧ୍ୟ ବା ଦେଶର ଅଣସ°ଗଠିତ କ୍ଷେତ୍ର। ନୋଟବନ୍ଦୀ କିମ୍ବା ନୋଟବଦଳି ହେଲେ ଏହି ଇଣ୍ଡଷ୍ଟ୍ରି ଗୁଡିକ ହିଁ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି, ମାନ୍ଦାବସ୍ଥା ସହନ୍ତି ଆଉ ଦେଶର ଅଧିକାଂଶ ଅଣସ°ଗଠିତ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକ ଏହି ସ°ସ୍ଥା ଗୁଡିକ ଦ୍ଵାରା ହିଁ ରୋଜଗାର ପାଇଥାନ୍ତି। ରିପୋର୍ଟ ଅନୁସାରେ ୨୦୧୬ରେ ନୋଟବନ୍ଦୀ କାରଣରୁ ଦେଶରେ ୧୫,୦୦,୦୦୦ ଲୋକ ରୋଜଗାର ହରାଇ ଥିଲେ। ନୋଟବନ୍ଦୀ ଘୋଷଣା ହେବାର ପରଦିନ *BSE SENSEX ଏବଂ *NIFTY 50 indices ୬% ଅଧିକା ତଳକୁ ଖସି ଆସିଥିଲା। ଆହୁରି ମଧ୍ୟ ଦେଶର industrial production ଓ GDP ତଳକୁ ଖସି ଆସିଥିଲା। ନୋଟବନ୍ଦୀର ତିନିବର୍ଷ ବେଳକୁ ଆମ ଦେଶର ଅର୍ଥନୀତିର ଗତି ୬ ବର୍ଷ ପଛକୁ ଚାଲିଯାଇଥିଲା। ଆଉ ଏସବୁ ଜଣେ ସାଧାରଣ ନାଗରିକର ଜୀବନକୁ କେମିତି ପ୍ରଭାବିତ କରିପାରେ ଆପଣ ଠିକ୍ ଅନୁମାନ ଲଗାଇ ପାରୁଥିବେ।
୧୯ ତାରିଖରେ RBI ଦ୍ବାରା ନୋଟବଦଳିର ଘୋଷଣା ପରେ, ନ୍ୟୁଜଚ୍ୟାନେଲ୍ ଗୁଡିକ ପ୍ରଚାର କଲେ, ଏହା ଭ୍ରଷ୍ଟାଚାର ଏବଂ କଳାଧନ ବିରୋଧରେ ଆମ ପ୍ରଧାନମନ୍ତ୍ରୀଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ବା ମାଷ୍ଟରଷ୍ଟ୍ରୋକ୍! ମନେ ପକାଇଲେ ୨୦୧୬ ନୋଟବନ୍ଦୀ ସମୟରେ କ'ଣ ଆପଣ ସମାନ ବାକ୍ୟ ଶୁଣି ନଥିଲେ (ମନେ ନାହିଁ ଯଦି youtube ରୁ ସେଇ ସମୟର ନ୍ୟୁଜ୍ ସର୍ଚ୍ଚ କରି ଭିଡିଓ ଦେଖି ପାରନ୍ତି)? କିନ୍ତୁ ସେତେବେଳେ ସତରେ କ'ଣ କଳାଧନ ପଦାକୁ ଆସିଥିଲା? ୨୦୧୮ରେ RBI ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ନୋଟବନ୍ଦୀ ପରେ ପ୍ରଚଳନ ବା circulationରେ ଥିବା ସମସ୍ତ (୫୦୦ ଓ ୧୦୦୦ ଟଙ୍କିଆ ନୋଟ୍) ୧୫.୪୧ ଲକ୍ଷ କୋଟି ଟଙ୍କା ଭିତରୁ ହାରାହାରି ୯୯.୩% ବା ୧୫.୩ ଲକ୍ଷ କୋଟି ଟଙ୍କା ଫେରି ଆସିଥିଲା। ଅର୍ଥଶାସ୍ତ୍ରୀ ଏବଂ ବିଶେଷଜ୍ଞଙ୍କ ମତରେ ନୋଟବନ୍ଦୀ ମାଧ୍ୟମରେ କଳାଧନକୁ ଧରିବା ଗୋଟିଏ ଭୁଲ୍ ଫର୍ମୁଲା ସାବ୍ୟସ୍ତ ହୋଇଥିଲା। ୨୦୧୬ରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ଜାରୀ କଲାବେଳେ ଜୋର୍ ଦିଆଯାଇ କୁହାଯାଇଥିଲା ଯେ ଏହା ଭ୍ରଷ୍ଟାଚାର ଓ ଜମାଖୋରୀ ରୋକିବ। କିନ୍ତୁ ଆଜି ପ୍ରଚଳନରୁ ଓହରେଇ ନେଲାବେଳେ ମଧ୍ୟ ସମାନ ବୟାନ ଓ କାହାଣୀ ଶୁଣିବାକୁ ମିଳୁଛି। EDର analysis ରିପୋର୍ଟ ଅନୁସାରେ ଛାପାମାରୀ ସମୟରେ ମିଳୁଥିବା ଅଧିକାଂଶ ନଗଦ ଟଙ୍କା ୨୦୦୦ ଟଙ୍କିଆ ଅଟେ। ତା' ହେଲେ ସେତେବେଳେ ଯେଉଁ ଆକଳନ ଆଉ ସନ୍ଦେଶ ଦିଆଯାଇଥିଲା ତାହା କ'ଣ ଭୁଲ୍? ଭୁଲ୍ କି ଠିକ୍ ବିଚାର କରିବା ଆଗରୁ ଗୋଟିଏ ଛୋଟିଆ ହିସାବ ଦେଖିନେବା। ନୋଟବନ୍ଦୀ ସମୟରେ ଜାରୀ କରାଯାଇଥିବା ସମସ୍ତ ନୋଟ୍ ମଧ୍ୟରୁ ପ୍ରଚଳିତ ନୋଟର ୫୦% ଏହି ୨୦୦୦ଟଙ୍କିଆ ନୋଟ୍ ଥିଲା ଯାହାକି ବର୍ଷ ୨୦୨୩ ବେଳକୁ ୧୩.୮% ହୋଇଯାଇଛି। ବର୍ଷ ୨୦୧୬-୧୭ ରେ ୩୫୦କୋଟି ଖଣ୍ଡ, ୨୦୧୭-୧୮ରେ ୧୫କୋଟି ୧୦ଲକ୍ଷ ଖଣ୍ଡ, ୨୦୧୮-୧୯ରେ ୪କୋଟି ୭୦ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇଥିଲା। ଅର୍ଥାତ୍ RBI ଦ୍ଵାରା ସମୁଦାୟ ୩୭୦କୋଟି ଖଣ୍ଡ ୨୦୦୦ଟଙ୍କିଆ ନୋଟ୍ ଛପା ଯାଇଛି (୨୦୧୯ ପରେ ଏହି ନୋଟ୍ ଛପିବା ବନ୍ଦ କରି ଦିଆଯାଇଥିଲା)। ସେଥିରୁ ୧୦୨ କୋଟି ଖଣ୍ଡ ନୋଟକୁ ବ୍ୟବହାର ଯୋଗ୍ୟ ନୁହେଁ ବା ନଷ୍ଟ ତାଲିକା ଭୁକ୍ତ କରା ଯାଇଥିଲା। ବାକି ୨୬୮କୋଟି ଖଣ୍ଡ ନୋଟ୍ ପ୍ରଚଳନ ବା circulationକୁ ବା ବଜାରକୁ ବ୍ୟବହାର ପାଇଁ ଆସିଥିଲା, ଯାହାର ମୂଲ୍ୟ ହେଉଛି ୫ ଲକ୍ଷ ୩୬ ହଜାର କୋଟି ଟଙ୍କା। କିନ୍ତୁ ହିସାବ ଅନୁସାରେ ଏବେ ସେଥିରୁ ୫୪ କୋଟି ଖଣ୍ଡ ନୋଟର ହିସାବ ନାହିଁ ବା missing ଅଛି, ଅର୍ଥାତ୍ ୧ ଲକ୍ଷ ୮ ହଜାର କୋଟି ଟଙ୍କା ମୂଲ୍ୟର ନୋଟ୍। ସେଇଠି ଯଦି ଆମେ ୫୦୦ ଟଙ୍କିଆ ନୋଟ୍ ବିଷୟରେ ବିଚାର କରିବା, ବର୍ଷ ୨୦୧୬-୧୭ରେ ୭୨୬କୋଟି ଖଣ୍ଡ, ୨୦୧୭-୧୮ରେ ୯୫୯କୋଟି ଖଣ୍ଡ, ୨୦୧୮-୧୯ରେ ୧୧୪୭କୋଟି ଖଣ୍ଡ, ୨୦୧୯-୨୦ରେ ୧୨୦୦କୋଟି ଖଣ୍ଡ, ୨୦୨୦-୨୧ରେ ୧୧୫୭କୋଟି ଖଣ୍ଡ ଏବଂ ୨୦୨୨-୨୩ରେ ୧୨୮୦କୋଟି ଖଣ୍ଡ ନୋଟ୍ ଛପାଯାଇଥିଲା। ଛପାଯାଇଥିବା ସମୁଦାୟ ୫୦୦ଟଙ୍କିଆ ନୋଟର ସ°ଖ୍ୟା ୬୪୬୯ - ୬୪୭୫ କୋଟି ଖଣ୍ଡ ଥିଲା। ସେଥିରୁ ୨୯୮କୋଟି ଖଣ୍ଡ ବ୍ୟବହାର ଯୋଗ୍ୟ ନଥିଲା ଏବଂ ସମୁଦାୟ ୬୧୮୧କୋଟି ଖଣ୍ଡ ନୋଟ୍ ପ୍ରଚଳନରେ ଥିଲା। ରିପୋର୍ଟ ଅନୁଯାୟୀ ସେଥିରୁ ୧୬୨୬ କୋଟି ଖଣ୍ଡ ନୋଟ୍ missing ଅଛି। ଆଉ ହିସାବ କଲେ ଏହାର ମୂଲ୍ୟ ୮ ଲକ୍ଷ ୧୩ ହଜାର କୋଟି ଟଙ୍କା ହୁଏ। ତା' ହେଲେ ଏଥର ବିଚାର କରନ୍ତୁ ତ ୨୦୦୦ ଟଙ୍କିଆ ନୋଟ୍ ଅଧିକ ଜମାଖୋରୀ ହୋଇଛି ନା' ୫୦୦ ଟଙ୍କିଆ ନୋଟ୍? ଆଉ ରିପୋର୍ଟ ଅନୁସାରେ ସ୍ବିସ୍ ବ୍ୟାଙ୍କରେ ଭାରତର କଳାଧନ ୨୦୧୬ ତୁଳନାରେ ୨୦୨୩ ବେଳକୁ ଡବଲ୍ ବା ଦୁଇଗୁଣ ହୋଇଛି! ଦେଖିବେ, ଗତ ଥର ପରି ଏଥର ମଧ୍ୟ କଳାଧନ ଆଉ ଭ୍ରଷ୍ଟାଚାର କରିଥିବା ଲୋକେ ଦିନମଜୁରିଆଙ୍କୁ ଧାଡିରେ ଠିଆ କରି ନୋଟବଦଳି କରେଇ ନେବେ ନିହାତି (ଏଥରତ ଲିମିଟ୍ ଥରକୁ ୨୦,୦୦୦/- ରହିଛି) ଆଉ ୯୯% ଟଙ୍କା ଫେରି ଆସିବ ନିହାତି! ଏହା ସରକାରଙ୍କର ସତରେ କଳାଧନ ଜବତ କରିବାର ନୀତି ନା' କଳାଧନକୁ ଧଳା କରିବାର ନୀତି, ସମୟ ପାଇଲେ ଭାବିବେ ନିହାତି!
୨୦୧୬ରେ ନୂଆ ନୋଟ୍ ଜାରୀ କଲା ବେଳେ ଆହୁରି ମଧ୍ୟ ଦାବି କରା ଯାଇଥିଲା ଯେ ଏହି ନୂତନ ଗାନ୍ଧୀ-ସିରିଜର ନୋଟ୍ ଗୁଡିକ ଏତେ ହାଇ ସିକ୍ବିରିଟି ବ୍ୟବସ୍ଥାକୁ ଧ୍ୟାନରେ ରଖି କରା ଯାଇଛି ଯେ, ଜାଲ ନୋଟ୍ ପ୍ରସ୍ତୁତ କରାଇବା ଉପରେ ରୋକ୍ ଲାଗିବ। କିନ୍ତୁ ଡିସେମ୍ବର ୨୦୨୦ ସୁଦ୍ଧା ସମୁଦାୟ ୮୦,୦୦୦ (୭୯୮୩୬) ଟି ଜାଲ୍ ୨୦୦୦ ଟଙ୍କିଆ ନୋଟ୍ ଯାହାର ମୂଲ୍ୟ ୧୫ କୋଟି ୯୬ ଲକ୍ଷ ୭୨ ହଜାର ଟଙ୍କା ଏବଂ ୧ ଲକ୍ଷ ୮୧ ହଜାରଟି ଜାଲ୍ ୫୦୦ ଟଙ୍କିଆ ନୋଟ୍ ଯାହାର ମୂଲ୍ୟ ୯ କୋଟି ଟଙ୍କାରୁ ଅଧିକ ହେବ ଜବତ କରା ଯାଇ ଥିଲା।
୨୦୧୬ରେ ନୋଟବନ୍ଦୀ ସମୟରେ ଆହୁରି ମଧ୍ୟ ଦାବି କରା ଯାଇଥିଲା ଯେ ଏହା, ଟେରରିଷ୍ଟ ଫଣ୍ଡି° ବା ଆତଙ୍କବାଦୀ ମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇବ, ଯାହା ଦ୍ୱାରା ଆମ ଦେଶରେ ଆତଙ୍କବାଦୀ ଆକ୍ରମଣ କମିବ। କିନ୍ତୁ ରିପୋର୍ଟ ଅନୁସାରେ ୨୯ ନଭେମ୍ବର ୨୦୧୬ରୁ ଏପ୍ରିଲ ୨୦୨୩ ମଧ୍ୟରେ ବଡବଡ ୧୫ଟି ଆତଙ୍କବାଦୀ ଆକ୍ରମଣ/ ହି°ସା ଘଟିବା ସହ ସେଥିରେ ୧୮୧ ଜଣ ପ୍ରାଣ ହରାଇଛନ୍ତି। ତା'ରି ଭିତରେ ଫେବୃଆରୀ ୨୦୧୯ର ପୁଲଓ୍ବାମା ଆଟାକରେ ପ୍ରାଣ ହରାଇଥିବା ୪୬ ଜଣ ଏବଂ ଏପ୍ରିଲ ୨୦୨୩ରେ ପୁଞ୍ଚ୍-ରାଜୌରୀରେ ପ୍ରାଣହରାଇଥିବା ୫ ଜଣ ଜବାନ୍ ମଧ୍ୟ ଅଛନ୍ତି। ମେ' ୨୦୨୩ରେ ଜାରି କରାଯାଇଥିବା *Global Terrorism Indexରେ ୨୦୨୧ରେ ଭାରତ ପାଇଁ ଏହା ୭.୪୩ ରହିଛି।
ତା' ହେଲେ ୨୦୧୬ରେ ନୋଟବନ୍ଦୀ ସପକ୍ଷରେ ରଖା ଯାଇଥିବା କୌଣସି ଗୋଟିଏ ବି ଲକ୍ଷ୍ୟ ଫଳପ୍ରଦ ହୋଇନାହିଁ। ତା' ହେଲେ ପୁଣି କାହିଁକି ଛ' ବର୍ଷ ପରେ ନୋଟବଦଳି କରାଗଲା? RBI ଅନୁସାରେ ଏହା *Clean Note Policy ଅନୁସାରେ କରାଯାଇଛି। ଏହି ନିୟମ ଅନୁସାରେ ଆମ ଦେଶରେ ଆଗରୁ ଜାନୁଆରୀ ୨୦୧୪ରେ ନୋଟ ବଦଳି ହୋଇଥିଲା। ସେତେବେଳେ ୨୦୦୫ ପୂର୍ବରୁ ଛପା ଯାଇଥିବା ସମସ୍ତ ନୋଟକୁ ପ୍ରଚଳନରୁ ସିକ୍ବିରିଟି କାରଣରୁ (୨୦୦୫ ପୂର୍ବରୁ ଛପା ଯାଇଥିବା ନୋଟ୍ ଗୁଡିକ ସୁରକ୍ଷା ଦୃଷ୍ଟିରୁ କମଜୋର ଥିଲେ ଏବଂ ଜାଲ୍ କରିବା ସୁବିଧା ହେଉଥିଲା) କାଢି ନିଆ ଯାଇଥିଲା। ତା' ହେଲେ ଏଥର ୨୦୨୩ରେ ଏହି ନୋଟ ବଦଳିକୁ ନେଇ ଏତେ ତାମଝାମ୍ ଏବଂ ବିତର୍କ କାହିଁକି ସୃଷ୍ଟି କରା ଯାଉଛି ଏବଂ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କାହିଁକି ପ୍ରଚାର କରାଯାଉଛି? ଥରେ ଭାବି ଦେଖିଲେ, ପ୍ରତିଥର ପରି ଏହା ବି ଖାଲି "ଖବରର କୁହୁଡି" ନୁହେଁ ତ? ଏଇ ନୋଟବଦଳିର ଖବର ଭିତରେ ଜନତାକୁ ଭ୍ରମିତ କରି ରଖି ଅନ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଖବର ଉପରୁ ସେମାନଙ୍କ ଧ୍ୟାନ ହଟେଇବାର ଉପାୟ ନୁହେଁ ତ? ରାଜନୈତିକ ବିଶେଷଜ୍ଞଙ୍କ ମତରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହାରିବା ପରେ କ°ଗ୍ରେସ୍ ଦଳର ବିଜୟକୁ ନେଇ ଯେଉଁ ପ୍ରକାର ଆଲୋଚନା ଓ ଚର୍ଚ୍ଚା ଚାଲିଥିଲା, ସତ୍ତାରେ ଥିବା ଦଳ ଜନତାଙ୍କ ଧ୍ୟାନ କ°ଗ୍ରେସର ବିଜୟ ଉପରୁ ହଟାଇବା ପାଇଁ ମଧ୍ୟ ଏପରି କରାଯାଇଥାଇ ପାରେ! ୟା ଛଡା ଏହି ନୋଟବଦଳି ଖବର, ବିରୋଧୀ ଦଳର ସମାଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ ଖବରର ଚାକଚକ୍ୟ ଭିତରେ କେତେ ଯେ ଜରୁରୀ ଖବର ଅସ୍ତିତ୍ୱ ହରାଇଛନ୍ତି ଥରେ ଭାବି ଦେଖନ୍ତୁ ତ! କୌଣସି ନ୍ୟୁଜଚ୍ୟାନେଲ୍ ଜମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଥିବା G-20 meetରେ ଚୀନ୍, ତୁର୍କୀ, ଇଜିପ୍ଟ ଏବଂ ସାଉଦି ଦେଶ ଗୁଡିକ କାଶ୍ମୀରକୁ ଏକ "ବିବାଦପୂର୍ଣ୍ଣ ଅଞ୍ଚଳ" କହି ସାମିଲ ନହେବାକୁ ହାଇଲାଇଟ୍ କରି ନାହାଁନ୍ତି! ନିକଟରେ ସୁପ୍ରିମକୋର୍ଟ ଦ୍ଵାରା ଦିଲ୍ଲୀ ସରକାରଙ୍କ ଅଧିକାରକୁ ନେଇ ଦିଆଯାଇଥିବା ଫଇସଲା ପରେ କେନ୍ଦ୍ରସରକାର ଦ୍ଵାରା ଜାରି କରାଯାଇଥିବା ଅଧ୍ୟାଦେଶ ବିଷୟରେ କୌଣସି ଆଲୋଚନା ନାହିଁ। ଏପ୍ରିଲ ଶେଷ ସପ୍ତାହରୁ ଜନ୍ତରମନ୍ତରରେ ଧାରଣାରେ ବସିଥିବା ମହିଳା କୁସ୍ତି ଖେଳାଳୀ ଏବଂ FIR ଦାୟର ପରେ ସା°ସଦ ବ୍ରିଜଭୂଷଣ ଶରଣ ସି°କୁ ନେଇ ଏପର୍ଯ୍ୟନ୍ତ କ'ଣ ତଦନ୍ତ ରିପୋର୍ଟ ଆସିଲା ଏପର୍ଯ୍ୟନ୍ତ କାହା ପାଖରେ କୌଣସି ଖବର ନାହିଁ। ଦେଶର ଗୋଟିଏ ରାଜ୍ୟରେ ହି°ସା, ଆତଙ୍କ, ଅଗ୍ନିକାଣ୍ଡ ଏବଂ ନାଗରିକ ମାନେ ପ୍ରାଣ ହରାଉଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ କେଉଁ ଦେଶରେ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ କିମ୍ବା ଦେଶର ନୂତନ ସ°ସଦ ଭବନର ଉଦ୍ଘାଟନ ହେବ ଏ ବିଷୟରେ ମଧ୍ୟ ସମସ୍ତେ ଚୁପ୍ ରହୁଛନ୍ତି! ଏହା ଛଡା ପ୍ରତିଦିନ ଦେଶରୁ କେତେ ଲୋକ ନାଗରିକତ୍ବ ତ୍ୟାଗ କରି କାହିଁକି ବିଦେଶକୁ ଚାଲି ଯାଉଛନ୍ତି ଏବଂ କେବଳ ଆମ ପ୍ରଧାନମନ୍ତ୍ରୀଙ୍କ ଗୃହ ଜିଲ୍ଲା ମେହସାନାରୁ ଗତ ତିନି ମାସ ମଧ୍ୟରେ ୨୬୦୦ ଜଣ ଦେଶ ଛାଡି ଚାଲିଯିବା ବିଷୟରେ କୌଣସି ଆଲୋଚନା ଶୁଣିଛନ୍ତି?
ଏ ସବୁ ଭିତରେ ପୁଣି କିଛି ନେତାଙ୍କର ନୋଟ ବଦଳିକୁ ନେଇ ବୟାନ ଆସୁଛି ଯେ, "ଯଦି ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ୧୦୦ ଡଲାରର ନୋଟ୍ ପ୍ରଚଳନରେ ଅଛି ତା' ହେଲେ ଭାରତରେ କାହିଁକି ୨୦୦୦ଟଙ୍କିଆ ନୋଟ୍ ରହିବ?" କିନ୍ତୁ ପ୍ରଶ୍ନ ପଚାରିବା ପୂର୍ବରୁ ନେତା ମହାଶୟ ବୋଧେ ଭୁଲି ଯାଉଛନ୍ତି ଯେ ମୁଦ୍ରା ପ୍ରଣୟନ ବା କେତେ ଟଙ୍କିଆ ଏବଂ କେଉଁ ପ୍ରକାରର ନୋଟ୍ ଛପା ଯିବ ତାହା ଆମ ପରି ସାଧାରଣ ଜନତା ନୁହେଁ ସରକାରୀ କଳ ଏବଂ RBIର ନିର୍ଣ୍ଣୟ ଉପରେ ନିର୍ଭର କରେ! ଆହୁରି ମଧ୍ୟ ଏବେ କୁହାଯାଇଛି ଯେ "ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୦୦ ଟଙ୍କିଆ ନୋଟକୁ ଆଦୌ ପସନ୍ଦ କରୁ ନଥିଲେ।" କିନ୍ତୁ ଏଠି ପ୍ରଶ୍ନ ଉଠେ, ନୋଟ୍ ଛାପିବା କାର୍ଯ୍ୟକ୍ରମଟି ଦେଶର ଅର୍ଥବ୍ୟବସ୍ଥାର ଆବଶ୍ୟକତା ଅନୁସାରେ ହୁଏ ନା' ପସନ୍ଦ ନାପସନ୍ଦ ଉପରେ? କାରଣ ପ୍ରତ୍ୟେକ ନୋଟ୍ ଛପା ହେବା ପାଇଁ ମଧ୍ୟ ଦେଶର କୋଷରୁ ଅର୍ଥ ଖର୍ଚ୍ଚ ହୋଇଥାଏ। ଆଉ ରିପୋର୍ଟ ଅନୁସାରେ ପ୍ରତ୍ୟେକ ୨୦୦ ଟଙ୍କିଆ ନୋଟ୍ ଛପାଇବା ପାଇଁ Rs 2.93; ୫୦୦ ଟଙ୍କିଆ ପାଇଁ Rs 2.94 ଏବଂ ୨୦୦୦ ଟଙ୍କିଆ ପାଇଁ Rs 3.54 ଖର୍ଚ୍ଚ ହୋଇଥାଏ (ଅର୍ଥାତ୍ ଗୋଟିଏ ୨୦୦୦ଟଙ୍କିଆ ନୋଟ୍ ବଜାରକୁ ଆସିଲେ RBIକୁ ୧୯୯୬.୪୬ ଟଙ୍କା ମିଳିଥାଏ)। ତା' ହେଲେ ଥରେ ହିସାବ କଲେ ୩୭୦ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ଦେଶର କେତେ ଧନ ଖର୍ଚ୍ଚ ହୋଇଥିବ? ୨୦୧୮ରେ ପ୍ରକାଶିତ RBI ର ରିପୋର୍ଟ ଅନୁସାରେ ନୋଟବନ୍ଦୀ ପରେ ଜୁଲାଇ, ୨୦୧୬ରୁ ଜୁନ୍ ୨୦୧୭ ଭିତରେ କେବଳ ନୋଟ୍ ଛାପିବା ପାଇଁ RBIକୁ ୭୯୬୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା, ଯାହା ପୂର୍ବ ବର୍ଷ ଅପେକ୍ଷା ୧୩୩% ଅଧିକ ଖର୍ଚ୍ଚ ଥିଲା। ଏବଂ ଏହି କାରଣରୁ RBI ତରଫରୁ ସରକାରୀ ପାଣ୍ଠିକୁ ଅବଦାନରେ ୫୪% କମି ଯାଇଥିଲା। ଏହା ଛଡା ସେତେବେଳେ ଦେଶରେ ଥିବା ସମସ୍ତ ATM ମେସିନ ଗୁଡିକର ମଧ୍ୟ କ୍ୟାସେଟ୍ (ଟଙ୍କା ରହିବା ଖାପ, ପ୍ରତ୍ୟେକ ନୋଟର ଆକାର ଅନୁସାରେ ଏହା ଅଲଗା ଥାଏ) ଗୁଡିକୁ ବଦଳା ଯାଇଥିଲା। ୨୦୨୧ ସୁଧା ସମଗ୍ର ଦେଶରେ ୨୩୮ ହଜାରଟି ATM ମେସିନ ଥିଲା। ତା' ହେଲେ ହିସାବ କଲେ ମେସିନର କ୍ୟାସେଟ୍ ବଦଳାଇବା ବା reshapingର ଖର୍ଚ୍ଚ ବ୍ୟାଙ୍କ ଗୁଡିକ କେଉଁଠୁ ଉଠାଇଥିବେ (ବର୍ଷକୁ ଆପଣଙ୍କ ଆକାଉଣ୍ଟରୁ ATM ଏବଂ A/C maintenance fee କଟାଯାଏ)? ଏବଂ ଏବର୍ଷ ନୋଟ ବଦଳି ପରେ ପୁଣି କ୍ୟାସେଟ୍ ବଦଳା ଯିବ ନା' ନାଇଁ?
ଦେଶରେ ଯେଉଁଠି Government sponsored scheme (ସ୍ବଚ୍ଛ ଭାରତ ମିଶନ୍, MGNREGA, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅମ୍ରିତ ଓ ସ୍ମାର୍ଟ ସିଟି ଯୋଜନା, National Rural Drinking Water Mission, National Health Mission, National Education Mission, Umbrella Integrated Child and Employment Development Services) ଗୁଡିକ' ପାଇଁ ମଧ୍ୟ ସରକାର ପାଖରେ ପାଣ୍ଠି ନାହିଁ ସେଇଠି ଦେଶର ଏତେ ମାତ୍ରାରେ ଖର୍ଚ୍ଚ କରାଯାଇ ଛପା ଯାଇଥିବା ନୋଟ୍ ଗୁଡିକୁ ପ୍ରଚଳନରୁ କାଢିନେବା କ'ଣ ଦେଶର ଆର୍ଥିକ ସ୍ଥିତିକୁ ଦୃଢ କରିବ ନା' ଏହା କେବଳ ଜନତାକୁ "ଅର୍ଥନୀତି ପାଇଁ କାମ ଚାଲିଛି" ବତାଇବା ପାଇଁ?
ସେ ୨୦୧୬ର ନୋଟବନ୍ଦୀ ହେଉ କିମ୍ବା ୨୦୨୩ର ନୋଟ ବଦଳି, ଦୁଇଟି ଯାକ କାର୍ଯ୍ୟକ୍ରମ କଳାଧନକୁ ଧରିବା ପାଇଁ କିମ୍ବା ମନି ହୋର୍ଡି°କୁ ରୋକିବା ପାଇଁ ଯୁକ୍ତିଟି ଆଦୌ ଗ୍ରହଣୀୟ ଲାଗେନି। କାରଣ ବର୍ଷ ୨୦୧୫ରେ ବର୍ତ୍ତମାନର ସରକାର ଜାରି କରିଥିବା ନିୟମ ଅନୁସାରେ ଯେକୌଣସି ବ୍ୟକ୍ତି ଜୁଲାଇରୁ ସେପ୍ଟେମ୍ବର ଭିତରେ ନିଜର ଆୟବର୍ହିଭୂତ ସମ୍ପତ୍ତି ବିଷୟରେ ଜଣାଇ, ସେଥିରୁ ୪୫% ଟିକସ ଆକାରରେ ଦେଇ ନିଜ କଳାଧନକୁ ଧଳା କରି ପାରିବେ ବୋଲି ଆଗରୁ ହିଁ ଘୋଷଣା କରି ସାରିଛନ୍ତି। ଏମିତିକି ୨୦୧୯ରେ ଏଥିରେ NRI ମାନଙ୍କୁ ମଧ୍ୟ ସାମିଲ କରା ଯାଇଥିଲା! ଯଦି ଦୁର୍ନୀତି ବିରୋଧୀ ନୁହେଁ, ଜାଲ୍ ନୋଟ ରୋକିବା ପାଇଁ ନୁହେଁ, ଆତଙ୍କବାଦୀ ଆକ୍ରମଣ ପାଇଁ ଅର୍ଥ ରୋକିବା ପାଇଁ ନୁହେଁ ଆଉ ଏ ସମସ୍ତ ପ୍ରକ୍ରିୟାରେ ଦେଶର ଏତେ ମାତ୍ରାରେ ଅର୍ଥ ଖର୍ଚ୍ଚ ହେଉଛି; ତା' ହେଲେ ସରକାରଙ୍କ ଦ୍ବାରା ହଠାତ୍ ଏମିତି ପଦକ୍ଷେପ ନିଆ ଯାଇଛି କ'ଣ ପାଇଁ? ୨୦୧୬ ନୋଟବନ୍ଦୀ ବେଳକୁ ତ ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିଲା, ଏଥର ବି ଆଗକୁ ନିର୍ବାଚନ ଅଛି କି? ଆଉ ଯଦି ଅଛି ତାହା କର୍ଣ୍ଣାଟକ ନିର୍ବାଚନଠାରୁ କମ ଖର୍ଚ୍ଚରେ ହେବାର ଯୋଜନା ଅଛି କି? ନିଜକୁ mother of democracy (ଗଣତନ୍ତ୍ରର ମା') କୁହାଉଥିବା ଦେଶରେ ପ୍ରଚଳିତ ଗୋଲପୀ ୨୦୦୦ ଟଙ୍କିଆ ନୋଟକୁ ନେଇ ଏପ୍ରକାର ନିଷ୍ପତ୍ତି କ'ଣ ଦର୍ଶାଉଛି? ନା ସବୁ ଚିନ୍ତାଜନକ ବିଷୟ ପରି ଏହି ନୋଟବଦଳି ବି ଇତିହାସରେ କେବଳ "ଦ ପିଙ୍କ୍ ଷ୍ଟୋରୀ" ହୋଇ ଦର୍ଜ ହେବାର ପ୍ରସ୍ତୁତି କରିସାରିଛି?
===================================
*BSE SENSEX: SENSEX stands for Stock Exchange Sensitive Index. The SENSEX, commonly known as the BSE, is India's oldest stock exchange (Bombay Stock Exchange). It is a free-floating, economy-weighted index comprising 30 financially strong and well-established BSE-listed companies
*NIFTY 50: is a benchmark Indian stock market index that represents the weighted average of 50 of the largest Indian companies listed on the National Stock Exchange.
*The Global Terrorism Index measures the direct and indirect impact of terrorism, including its effects on lives lost, injuries, property damage and the psychological aftereffects. It is a composite score that ranks countries according to the impact of terrorism from 0 (no impact) to 10 (highest impact).
*The Clean Note Policy of RBI was introduced 24 years ago in 1999 by the then RBI Governor Dr Bimal Jalan, its objective is to provide good quality currency notes and coins to the citizens.