ବିଲୁପ୍ତ ହେଉଛି ବ୍ୟକ୍ତି ସ୍ବାଧୀନତା

ବିଲୁପ୍ତ ହେଉଛି ବ୍ୟକ୍ତି ସ୍ବାଧୀନତା

ଆପଣ ବବି ଫିଲ୍ମରେ ଦେଖିଥିବେ ? ନାୟିକା ବବି ଯେମିତି ନାୟକ ରାଜ୍ ସାଙ୍ଗରେ ଦେଖା କରି ନ ପାରିବ   ସେଥିପାଇଁ  ବବିର ବାପା ତାକୁ ଗୋଟିଏ କୋଠରୀରେ ବନ୍ଦ କରି ବାହାରୁ ଚାବି ପକାଇ ଦେଇଛି । କେବଳ ବବି କାହିଁକି, ୭୦ ଦଶକରେ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମରେ ଏପରି ହୋଇଛି । ଏକଥା ଅଲଗା ଯେ ଏ ସବୁ କ୍ଷେତ୍ରରେ ନାୟିକା ଶାଢ଼ି ବ୍ୟବହାର କରି ଝରକା ବାଟେ ବାହାରକୁ ପଳେଇ  ଯାଇଛି  । ଆପଣ ଏହାକୁ ମନୋରଞ୍ଜନର ଏକ ଅଂଶ ଭାବେ ଉପଭୋଗ କରୁଥାଇ ପାରନ୍ତି । କିନ୍ତୁ ଟିକେ ଗମ୍ଭୀର ଭାବେ ଚିନ୍ତା କଲେ ଆପଣ ଜାଣି ପାରିବେ ଏହା ହେଉଛି ବ୍ୟକ୍ତି ସ୍ବାଧୀନତା ବା ବ୍ୟକ୍ତିଗତ ସ୍ବତନ୍ତ୍ରତାର ହତ୍ୟା । 

କେବଳ ଫିଲ୍ମ ନୁହେଁ, ଏବେ ଆମେ ଦେଖୁଛୁ, ଅନେକ ମୂଖ୍ୟମନ୍ତ୍ରୀ ଓ ଆମ ପ୍ରଧାନମନ୍ତ୍ରୀ କୈାଣସି ଅଞ୍ଚଳକୁ ଗସ୍ତ କରିବା ପୁର୍ବରୁ ସେ ଅଞ୍ଚଳର କେତେକ ଲୋକଙ୍କୁ ବାନ୍ଧି ନେଇ ଅଟକ ରଖି ଦିଆଯାଏ । ଏପରି କରିବାର କାରଣ ହେଉଛି କାଳେ ସେମାନେ ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କୁ କଳାପତାକା ଦେଖାଇବେ କିମ୍ବା ଆଉ କୈାଣସି ଅଘଟଣ ଘଟାଇବେ । ଲକ୍ଷ କରାଯାଉ ଯେ ସେମାନେ ସେ ପର୍ଯ୍ୟନ୍ତ କୈାଣସି ଅଘଟଣ ଘଟାଇ ନାହାନ୍ତି । ତଥାପି କାଳେ କୈାଣସି ଅଘଟଣ ଘଟାଇବେ ସେହି ସନ୍ଦେହରେ ସେମାନଙ୍କୁ ବାନ୍ଧି ନିଆଯାଇ ଜେଲରେ ଭର୍ତ୍ତି କରି ଦିଆଯାଏ । ଏହା ବି ବ୍ୟକ୍ତି ସ୍ବାଧୀନତା ହତ୍ୟାର ଆଉ ଏକ ଉଦାହରଣ।

ବର୍ତ୍ତମାନ ଥିବା ଆଇନ୍ ଅନୁଯାୟୀ ତିନୋଟି କାରଣରୁ ଜଣକୁ ଜେଲରେ ରଖାଯାଇ ପାରିବ । ପ୍ରଥମଟି ହେଲା ଯଦି କୋର୍ଟ ଦ୍ବାରା ଜଣେ ଦୋଷୀ ସାବ୍ୟସ୍ତ ହେବ  ତାକୁ ଜେଲ୍ ଦଣ୍ଡ ହେବ । ଏଥିରେ କାହାର ଆପତ୍ତି ନାହିଁ।  ସେଥିପାଇଁ ସମ୍ବିଧାନର ଧାରା ୨୦ରେ ପ୍ରାବଧାନ ରହିଛି ଯେମିତି ଜଣେ ନିର୍ଦ୍ଦୋଷ ବ୍ୟକ୍ତିକୁ ଦଣ୍ଡ ଦିଆଯିବ ନାହିଁ। 

ଅପରାଧ ପୂର୍ବରୁ ବନ୍ଦୀ

ଦ୍ବିତୀୟ କାରଣ ହେଉଛି କୈାଣସି ବ୍ୟକ୍ତି କୈାଣସି ଅପରାଧ କରିବ ବୋଲି ସନ୍ଦେହ କରି ଏକ ସମ୍ଭାବନା ଆଧାରରେ ତାକୁ ଗିରଫ କରି ଦିଆଯିବ । ଏହାକୁ କୁହାଯାଏ ନିବାରକ ନିରୁଦ୍ଧ ବା Preventive Detention । ଇଁରେଜମାନେ ୧୯୧୫ ମସିହାରେ  ଏହି ଉଦ୍ଦେଶ୍ୟରେ ଡିଫେନ୍ସ ଅଫ୍ ଇଣ୍ଡିଆ ଆକ୍ଟ ଓ ପରେ ଡିଫେନ୍ସ ଅଫ୍ ଇଣ୍ଡିଆ ଆକ୍ଟ- ୧୯୩୯ ଆଇନ‌ ଆଣିଥିଲେ। ପୁଣି ରାଓଲାଟ୍ ଆକ୍ଟ ଆସିଲା । ଏହି ଡିଫେନ୍ସ ଅଫ୍ ଇଣ୍ଡିଆ ଆକ୍ଟ ଆଜି ପର୍ଯ୍ୟନ୍ତ ରହିଛି ସତ, କିନ୍ତୁ ଏହାକୁ ବିଦେଶୀ ଶତ୍ରୁମାନଙ୍କ ବିରୁଦ୍ଧରେ ଲାଗୁ କରା ଯାଉଛି। 


ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଏକମତ ଥିଲା ଯେ ସ୍ବାଧୀନ ଭାରତରେ ଏପରି ବ୍ୟବସ୍ଥା ରହିବ ନାହିଁ।  କିନ୍ତୁ ୧୯୫୦ ମସିହାରେ ସ୍ବାଧୀନ ଭାରତର ଆମରି ସରକାର ପ୍ରିଭେଣ୍ଟିଭ୍ ଡିଟେନସନ୍ ଆକ୍ଟ ପାଶ୍ କଲା ଯାହା ବଳରେ ଜଣେ ଲୋକ ଅପରାଧ କରି ନଥିଲେ ମଧ୍ୟ ଅପରାଧ କରିବାର ସମ୍ଭାବନା ଆଧାରରେ ତାକୁ ଗିରଫ କରାଯାଇ ପାରିବ । ଅବଶ୍ୟ ସେତେବେଳର ପରିସ୍ଥିତି ଭିନ୍ନ ଥିଲା। ଦେଶ ବିଭାଜନ ବେଳର ସାମ୍ପ୍ରଦାୟିକ ହିଂସା ଓ ଉଗ୍ର କ୍ଷେତ୍ରୀୟବାଦକୁ ନିୟନ୍ତ୍ରଣ କରିବା ପାଇଁ ତତ୍କାଳୀନ ଗୃହମନ୍ତ୍ରୀ ବଲ୍ଲଭଭାଇ ପଟେଲ ଏଥିପାଇଁ ବିଲ୍ ଆଗତ କରିଥିଲେ। ଏହା କରିବା ପୁର୍ବରୁ ସେ ସାରା ରାତି ଶୋଇ ପାରି ନଥିଲେ ବୋଲି କହିଥିଲେ । ଏହି ଆଇନ୍‌ ମୁଳରୁ ମାତ୍ର ଏକ ବର୍ଷ ପାଇଁ ଥିଲା । କିନ୍ତୁ ପ୍ରତି ବର୍ଷ ଏହାକୁ ଆହୁରି ଏକ ବର୍ଷ ପାଇଁ ଘୁଞ୍ଚାଇ ଘୁଞ୍ଚାଇ ଏମିତି ୧୯୬୯ ମସିହାରେ ଯାଇ ଏହା ସମାପ୍ତ ହେଲା । ୧୯୬୯ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲୋକସଭାରେ ସଂଖ୍ୟା ଗରିଷ୍ଠତା ହରାଇବାର ବିପଦ ଦେଖାଗଲା, କମୁନିଷ୍ଟମାନେ ସେତେବେଳେ ତାଙ୍କୁ ଯେଉଁସବୁ ସର୍ତ୍ତରେ ସମର୍ଥନ ଦେଇଥିଲେ ତାହା ଭିତରୁ ଗୋଟିଏ ଥିଲା ପ୍ରିଭେଣ୍ଟିଭ୍ ଡିଟେନସନ୍ ଆକ୍ଟ ହଟାଇବା । 


୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଚଣ୍ଡ ସଂଖ୍ୟା ଗରିଷ୍ଠତା ସହ ପୁଣି ଥରେ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ତାଙ୍କର ପ୍ରଥମ କାମ ଥିଲା ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ୍ ସିକୁରିଟି ଆକ୍ଟ ବି ମିସା ଆଇନ୍ ତିଆରି କରିବା । ଏହି ଆଇନ୍ ବଳରେ ଯେ କୌଣସି ଲୋକକୁ ବିନା ଅପରାଧରେ ଗିରଫ କରି ଜେଲରେ ଭରି ହେବ । ୧୯୭୪ରେ ଇନ୍ଦିରା ଗାନ୍ଧୀ ଆଉ ଏକ ଆଇନ୍ ଆଣିଲେ ଯାହାର ନାଁ ଥିଲା କୋଫେପୋସା ( କଞ୍ଜରଭେସନ୍ ଅଫ୍ ଫରେନ୍ ଏକ୍ସଚେଞ୍ଜ ଏଣ୍ଡ ପ୍ରିଭେନସନ୍ ଅଫ୍ ସ୍ମଗଲିଂ ଆକ୍ଟ) । ଏହାର ଉଦ୍ଦେଶ୍ୟ ଥିଲା ଦେଶରେ ବୈଦେଶିକ ମୁଦ୍ରାର କଳାବଜାରୀ ଓ ଚୋରା ଚାଲାଣ ରୋକିବା । କିନ୍ତୁ ଜରୁରୀ ପରିସ୍ଥିତିରେ ଏହି ଉଭୟ ଆଇନ୍ ବଳରେ ଦେଶସାରା ପ୍ରାୟ ୪୦ ହଜାର ରାଜନୈତିକ ନେତା, ସାମାଜିକ କର୍ମୀ ଏବଂ ମୂଖ୍ୟତଃ ଇନ୍ଦିରାଙ୍କ ବିରୋଧୀଙ୍କୁ ଗିରଫ କରାଯାଇ ଜେଲରେ ରଖାଗଲା । ୧୯୭୮ରେ ଜନତା ପାର୍ଟି ସରକାର ମିସା ଆଇନ୍ ଖତମ କରିଥିଲେ ମଧ୍ୟ କୋଫେପୋସା ଆଜି ବି ବଳବତ୍ତର ରହିଛି । ୧୯୮୦ ମସିହାରେ ଜନତା ପାର୍ଟି ସରକାର ଭାଙ୍ଗିବା ପୂର୍ବରୁ ସେମାନେ ପ୍ରିଭେନସନ ଅଫ୍ ବ୍ଲାକ୍ ମାର୍କେଟିଂ ଏଣ୍ଡ ମେଣ୍ଟେନାନ୍ସ ଅଫ୍ ସପ୍ଲାଇଜ୍ ଅଫ୍ ଏସେନସିଆଲ୍ କମୋଡିଟିଜ୍ ଆକ୍ଟ ଆଣିଥିଲେ । ଏସବୁ ଆଇନର ନାଁରୁ ଏଗୁଡ଼ିକର ଉଦ୍ଦେଶ୍ୟ ମହତ୍ ଥିବାର ଜଣାଗଲେ ମଧ୍ୟ ଏ ସବୁଥିରେ ଗୋଟିଏ ପ୍ରାବଧାନ ଥିଲା ଯେ ଜଣିଏ ବ୍ୟକ୍ତିକୁ ଅପରାଧ କରିବା ପୂର୍ବରୁ ଅପରାଧ କରିବା ସମ୍ଭାବନା ଆଧାରରେ ଗିରଫ କରାଯିବ । 

୧୯୮୦ ମସିହାରେ ଇନ୍ଦିରା ଗାନ୍ଧୀ ପୁଣି ଥରେ କ୍ଷମତାକୁ ଆସିବା ପରେ ନ୍ୟାସନାଲ ସିକୁରିଟି ଆକ୍ଟ ବା ରାଷ୍ଟ୍ରୀୟ ସୁରକ୍ଷା ଆଇନ୍ ଆଣିଲେ । ଏହି ଆଇନ୍ ଆଜି ପର୍ଯ୍ୟନ୍ତ ରହିଛି।  ୧୯୮୪ ମସିହାରେ ଇନ୍ଦିରାଙ୍କ ହତ୍ୟା ପରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ସବୁଠାରୁ କଠୋର ଟାଡା ( ଟେରରିଷ୍ଟ ଏଣ୍ଡ ଡିସରପ୍ଟିଭ୍ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟ) ଆଇନ୍ ପ୍ରଣୟନ କଲେ । ଏହି ଆଇନ୍ ପ୍ରଥମେ କେବଳ ଦୁଇ ବର୍ଷ ପାଇଁ ଲାଗୁ ହେବାର ଥିଲେ ମଧ୍ୟ ପ୍ରତି ୨ ବର୍ଷରେ ପୁଣି ଥରେ ୨ ବର୍ଷ ପାଇଁ ଏହାର ନବୀକରଣ ହେଉଥିଲା । ଅନ୍ତତଃ ୧୯୯୫ ମସିହାରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଏହି ଆଇନ୍ ଖତମ କରିଥିଲେ। 

୨୦୦୧ରେ ଆମେରିକାର ଓ୍ବାର୍ଲଡ୍‌ ଟ୍ରେଡ୍ ସେଣ୍ଟରରେ  ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଥିବା ଏନ୍.ଡି.ଏ ସରକାର ପୋଟୋ ( ପ୍ରିଭେନସନ୍ ଅଫ୍ ଟେରରିଜମ୍ ଅର୍ଡିନାନ୍ସ) ଅଧ୍ୟାଦେଶ ଜାରି କଲେ । ୨୦୦୨ରେ ପାର୍ଲିଆମେଣ୍ଟର ଯୁଗ୍ମ ଅଧିବେଶନରେ ଆଇନ୍ ପାଶ୍‌ କରି ଏହାକୁ ପୋଟା (ପ୍ରିଭେନସନ୍ ଅଫ୍ ଟେରରିଜମ୍ ଆକ୍ଟ) ଆଇନରେ ପରିବର୍ତ୍ତିତ କରାଗଲା। ବିରୋଧୀ ଦଳମାନେ ଏହାକୁ ସମାଲୋଚନା କରିଥିଲେ। ଦୁଇ ବର୍ଷ ଧରି ଏହି ଆଇନ୍ ବଳବତ୍ତର ରହିବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବରେ ୟୁପିଏ ସରକାର ଆସିଲା ସେମାନେ ୨୦୦୪ରେ ଏହି ଆଇନ୍ ଖତମ କଲେ । 

ସେତେବେଳକୁ ଏନଏସଏ ଓ କୋଫେପୋସା ଆଇନ୍ ଚାଲୁ ରହିଥିଲା । କିନ୍ତୁ ସେତିକିରେ ୟୁପିଏ ସରକାର କାମ ଚଳାଇ ପାରିଲେ ନାହିଁ। ୧୯୬୭ ମସିହାରୁ ଆଉ ଗୋଟିଏ ଆଇନ୍ ଚାଲୁ ରହିଥିଲା। ତାହାର ନାଁ ଥିଲା ୟୁଏପିଏ (ଅନଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟ) । ଏବେ ୟୁପିଏ ସରକାର ଏଥିରେ ସଂଶୋଧନ ଆଣି ଏହାକୁ ଆହୁରି କଠୋର ବନାଇଲେ ଏବଂ ପୋଟାରେ ଥିବା ଅଧିକାଂଶ ପ୍ରାବଧାନ ଏଥିରେ ସାମିଲ କଲେ । ମୁମ୍ବାଇର ତାଜ୍ ହୋଟେଲ ଉପରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ ୨୦୦୮ ମସିହାରେ  ୟୁଏପିଏ ଆଇନରେ ପୁଣି ଥରେ ସଂଶୋଧନ ଅଣାଯାଇ ଏହାକୁ ଆହୁରି କଠୋର ବନାଗଲା । ଶେଷରେ ୨୦୧୯ ମସିହାରେ ବର୍ତ୍ତମାନର ମୋଦୀ ସରକାର ଏହି ଆଇନରେ ସଂଶୋଧନ କରି ଏହାର ଏମିତି ସ୍ଵରୁପ କରିଦେଲେ ଯେ ସରକାରଙ୍କର ମାନବାଧିକାର  ଓ ବ୍ୟକ୍ତି ସ୍ବାଧୀନତା ପ୍ରତି ଥିବା ଛଦ୍ମ ସମ୍ମାନ ଟିକକ ମଧ୍ୟ ଆଉ ରହିଲା ନାହିଁ । ଏହି ସଂଶୋଧନ ବଳରେ ଆତଙ୍କବାଦୀ କାହାକୁ କୁହାଯିବ ନିର୍ଣ୍ଣୟ କରିବା ପାଇଁ ଆଗରୁ ଆଇନରେ ଯେଉଁ ପ୍ରାବଧାନ ଥିଲା ତାହାକୁ ବି ହଟାଇ ଦିଆଗଲା । ଏଣିକି ସରକାର ଯାହାକୁ ବି ଚାହିଁବେ, ଅପରାଧ ହେବା ପୁର୍ବରୁ  ଗିରଫ କରି ଜେଲରେ ପୁରାଇ ଚାଲିଛନ୍ତି । 

ଦଣ୍ଡାଦେଶ ପୂର୍ବରୁ ବନ୍ଦୀ

ତୃତୀୟ କାରଣ ହେଉଛି ଯଦି ଜଣେ କୈାଣସି ଦୋଷ କରିଥିବାର ଅଭିଯୋଗ ଥିବ, ତାକୁ ବିଚାର ଅପେକ୍ଷାରେ ଜେଲରେ ରଖାଯିବ । ଏହାକୁ କୁହାଯାଏ ବିଚାରାଧୀନ ନିରୁଦ୍ଧ ବା undertrial detention । ଏପରି ଭାବରେ ଜେଲରେ ରହିଥିବା ବ୍ୟକ୍ତିକୁ ଅଭିଯୁକ୍ତ କୁହାଯାଏ। ସେ ବାହାରକୁ ଆସିଲେ କାଳେ ତଦନ୍ତରେ ବାଧା ସୃଷ୍ଟି କରିବ କିମ୍ବା ବିଚାରର ଶୁଣାଣି ସମୟରେ କୋର୍ଟକୁ ନ ଆସି ଆତ୍ମଗୋପନ କରିବ, ସେହି ସନ୍ଦେହରେ  ତାକୁ ଜେଲରେ ରଖା ଯାଇଥାଏ । ଏପରି ବନ୍ଦୀକୁ ଜାମିନରେ ବାହାରକୁ ଛାଡି ଦିଆଯିବ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ କୈାଣସି ନିର୍ଦ୍ଦିଷ୍ଟ ଆଇନ୍ ନାହିଁ ଓ ବିଚାରପତି ନିଜର ବିବେକର ଅନୁମୋଦନ ଅନୁସାରେ ଏଥିପାଇଁ ନିଷ୍ପତ୍ତି ନିଅନ୍ତି। 

ଗତ ବର୍ଷ ଡିସେମ୍ବର ମାସରେ ସ୍ଵରାଷ୍ଟ୍ରମନ୍ତ୍ରୀ ପାର୍ଲ୍ୟାମେଣ୍ଟରେ ଦେଇଥିବା ଏକ ଉତ୍ତର ଅନୁଯାୟୀ ସେହି ବର୍ଷ ଅଗଷ୍ଟ ମାସ ସୁଦ୍ଧା ଭାରତରେ ଯେତେ ଲୋକ ଜେଲରେ ଥିଲେ ସେମାନଙ୍କ ମଧ୍ୟରୁ ୭୬% ହେଉଛନ୍ତି ବିଚାରାଧୀନ ବନ୍ଦୀ। ମୋଟ ୫,୫୪,୦୩୪ ବନ୍ଦୀଙ୍କ ମଧ୍ୟରୁ ୪,୨୭,୧୬୫ ଜଣ ଏହି ଶ୍ରେଣୀର ବନ୍ଦୀ । ଏହି ବିଚାରାଧୀନ ବନ୍ଦୀଙ୍କ ମଧ୍ୟରୁ ପ୍ରତି ୫ ଜଣରେ ୩ ଜଣ ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ଜାତିରୁ ଆସିଥାନ୍ତି । ଭାରତୀୟ ଜେଲରେ ଯେତେ ଜଣ ବନ୍ଦୀ ରହିପାରିବାର କ୍ଷମତା ଅଛି, ୨୦୨୧ ମସିହା ସୁଦ୍ଧା ତାହାର ୧୩୦.୨% ସେଠାରେ ରହିଛନ୍ତି ।

ସମଗ୍ର ପୃଥିବୀରେ ଗୋଟିଏ ନିୟମ ପ୍ରତିଷ୍ଠିତ ଅଛି ଯେ ଯେ ପର୍ଯ୍ୟନ୍ତ ଜଣେ ଦୋଷୀ ପ୍ରମାଣିତ ହୋଇ ନାହିଁ ସେ ନିର୍ଦ୍ଦୋଷ । ଏହାକୁ presumption of innocence କୁହାଯାଏ । ଅବଶ୍ୟ ଆଜିର ସମାଜରେ ଏହାର ବ୍ୟତିକ୍ରମ ଏତେ ଦେଖିବାକୁ ମିଳୁଛି ଯେ ତାହାକୁ ଆଉ ବ୍ୟତିକ୍ରମ କୁହା ନଯାଇ ପ୍ରତିଷ୍ଠିତ ଚଳଣି କୁହାଯିବ । ଆମ୍ ଆଦମୀ ପାର୍ଟିର ଦୁଇଜଣ ମନ୍ତ୍ରୀ ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ଅଛନ୍ତି । ସେମାନଙ୍କ ବିରୁଦ୍ଧ ଅଭିଯୋଗର ଯାଞ୍ଚ ଏବେ ବି ଚାଲିଛି । ଏ ପର୍ଯ୍ୟନ୍ତ ବିଚାରର ଶୁଣାଣି ଆରମ୍ଭ ହୋଇ ନାହିଁ । ତଥାପି ପାର୍ଟିର ସମାଲୋଚକମାନେ ଏହାକୁ ବିଦୃପ କରି କୁହନ୍ତି ' କିନ୍ତୁ ଆପଣଙ୍କର ତ ଦୁଇ ଦୁଇ ଜଣ ମନ୍ତ୍ରୀ ଜେଲରେ ଅଛନ୍ତି ଯାହାଙ୍କୁ କୋର୍ଟ ବେଲ୍ ଦେଉ ନାହିଁ' । ତେଣୁ ଜେଲର କଷ୍ଟ ସହିତ ସମାଜରେ ବଦନାମ ହେବାଟା ଏଥିରେ ନିଶ୍ଚିତ। 

ଏକଥା ନୁହେଁ ଯେ ଦେଶର ବିଚାରପତିମାନେ ଏ ବିଷୟରେ ଚିନ୍ତିତ ନୁହନ୍ତି । ୧୯୮୦ ମସିହାରେ ସୁପ୍ରିମକୋର୍ଟ କହିଥିଲେ, 

["Are prisoners persons? Yes, of course. To answer in the negative is to convict the nation and the Constitution of dehumanisation and to repudiate the world legal order." ]

'ଯେଉଁମାନେ ବନ୍ଦୀ ଅଛନ୍ତି ସେମାନେ କ'ଣ ମଣିଷ ନୁହନ୍ତି ? ହଁ, ଅବଶ୍ୟ। ଏଥିରେ ନାଁ କହିବା ଅର୍ଥ ସାରା ଦେଶକୁ ଦୋଷୀ କରିବା ଓ ମନୁଷ୍ୟହୀନତା କରିବା ଏବଂ ବିଶ୍ବ ବିଚାର ପ୍ରଣାଳୀକୁ ପ୍ରତ୍ୟାଖ୍ୟାନ କରିବା ।‌"

ଏତେ ଅତୀତକୁ ଯିବା ଦରକାର ନାହିଁ । ଗତବର୍ଷ ନଭେମ୍ବର ମାସରେ ବର୍ତ୍ତମାନର ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି କହିଥିଲେ ତଳ କୋର୍ଟର ବିଚାରପତିମାନେ କେତେକ ଜଘନ୍ୟ ଅପରାଧରେ ଅଭିଯୁକ୍ତକୁ ଜାମିନ ଦେବାକୁ ଡରୁଛନ୍ତି କାରଣ ତାହାଦ୍ବାରା ସେମାନଙ୍କୁ ଶରବ୍ୟ କରାଯିବ ।  

ବ୍ୟକ୍ତି ସ୍ବାଧୀନତା ଖତମ କରିବା ପାଇଁ ଆଜିକାଲି ଯେଉଁ ଆଇନକୁ ସବୁଠାରୁ ବଡ଼ ଅସ୍ତ୍ର ରୁପେ ବ୍ୟବହାର କରାଯାଉଛି ତାହା ହେଉଛି ପି.ଏମ୍.ଏଲ୍.ଏ ( ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ) ଏଥିରେ ଜଣେ ଅପରାଧ କରି ସାରିଛି ବୋଲି ଅଭିଯୋଗ କରାଯାଇ ତାକୁ ଗିରଫ କରାଯାଏ । ମାତ୍ର ଏଥିରେ ବେଲ୍ ମିଳିବା ପ୍ରାୟ ଅସମ୍ଭବ । ସେଥିପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ଅନେକ ଲୋକଙ୍କୁ ଜେଲକୁ ପଠାଯାଉଛି। ଯଦି କାହାକୁ ଅନ୍ୟ କୌଣସି ଆଇନର ବିଭିନ୍ନ ଧାରାରେ ଅନ୍ୟ କୌଣସି ଏଜେନ୍ସି ଦ୍ବାରା ଗିରଫ କରା ଯାଇଥିବ , ତାକୁ କୋର୍ଟ ଦ୍ବାରା ବେଲ୍ ମିଳିବା ପୁର୍ବରୁ ଇଡି  (ଏନଫୋର୍ସମେଣ୍ଟ ଡାଇରକ୍ଟୋରେଟ୍) ସେଥିରେ କୁଦି ପଡୁଛି ଏବଂ ତୁରନ୍ତ ସେହି ଏକା ଅଭିଯୋଗକୁ ପିଏମଏଲଏ ଅନ୍ତର୍ଗତ କରା ଯାଉଛି । ସେମାନେ ଜାଣିଛନ୍ତି ପିଏମଏଲଏ ଆଇନରେ ବେଲ୍ ମିଳିବା ପ୍ରାୟ ଅସମ୍ଭବ। ଫଳରେ ରାଜନୈତିକ ପ୍ରତିଦ୍ବନ୍ଦୀ ବିନା ବିଚାରରେ ଦୀର୍ଘ ଦିନ ଜେଲରେ ରହିବ । ଦିଲ୍ଲୀର ଆପ୍ ସରକାରରେ ଥିବା ଦୁଇଜଣ ପ୍ରମୁଖ ମନ୍ତ୍ରୀ ମନୀଷ ଶିଶୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଘଟଣାରେ ଏହା ହିଁ ହୋଇଛି । ପ୍ରଥମେ ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ଯାଞ୍ଚ ସିବିଆଇ କରୁଥିଲା । ମାତ୍ର ସେଥିରେ ବେଲ୍ ମିଳିବାର ସମ୍ଭାବନା ବେଶି ଥିବାରୁ ସେଥିରେ ଇଡି କୁଦି ପଡ଼ିଲା । 

ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଆଇନ୍ ପାଶ୍ ହୋଇଥିଲା । ପରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଆଇନର ସଂଶୋଧନ ହୋଇଥିଲା । କିନ୍ତୁ ଏହି ଉଭୟ ପ୍ରଧାନମନ୍ତ୍ରୀ ଜାଣିଥିଲେ ଏହି ଆଇନ୍ କେତେ କଠୋର ଏବଂ ସେଥିପାଇଁ ସେମାନେ ବହୁ ସତର୍କତାର ସହିତ ଏହାକୁ ଉପଯୋଗ କରୁଥିଲେ । ସେଥିପାଇଁ ୨୦୦୨ ମସିହାରୁ ୨୦୧୪ ମଧ୍ୟରେ ଏହି ଆଇନ୍ ବଳରେ ମାତ୍ର ୧୧୨ଟି କେଶ୍ ରୁଜୁ ହୋଇଥିଲା । 

୨୦୧୯ ମସିହାରେ ମୋଦୀ ସରକାର ଏଥିରେ ଅତିକମରେ ୯ଟି ସଂଶୋଧନ ଆଣି ଏହାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତି ସ୍ବାଧୀନତା ଓ ସାମ୍ବିଧାନିକ ମୂଲ୍ୟ ବିରୋଧୀ କରି ଦେଇଛନ୍ତି । ପାର୍ଲ୍ୟାମେଣ୍ଟରେ ଗୃହମନ୍ତ୍ରୀ ଦେଇଥିବା ବୟାନ ଅନୁସାରେ ଜୁନ୍ ୨୦୧୪ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପିଏମଏଲଏରେ ୫୩୧୦ଟି କେଶ୍ ରୁଜୁ ହୋଇଛି, ୩୦୮୬ଟି ଛାପା ପଡ଼ିଛି ୧.୪ ଟ୍ରିଲିଅନ ଟଙ୍କାର କଥିତ କଳାଧନ‌ ଜବତ ହୋଇଛି ଏବଂ ୮୮୬ଟି ଚାର୍ଜସିଟ୍ ଦାଖଲ ହୋଇଛି ‌। ମାତ୍ର ଏସବୁ ସତ୍ତ୍ୱେ ଏହି ଆଇନ୍ ବଳରେ ଆରମ୍ଭରୁ ଏପର୍ଯ୍ୟନ୍ତ ହୋଇଥିବା ୫୪୨୨ଟି ମୋକଦ୍ଦମା ମଧ୍ୟରୁ ମାତ୍ର ୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅର୍ଥାତ୍ ଏହି ଆଇନ୍ ଲାଗୁ ହେବାରେ ସଫଳତାର ପ୍ରତିଶତ ହେଉଛି ମାତ୍ର ୦.୪% । ପୁଣି ଇଡି ତରଫରୁ ଜାରି ଏକ ବୟାନ ଅନୁସାରେ ଗତ ୨୦ ବର୍ଷରେ ବା ୨୦୨୩ ଜାନୁଆରୀ ସୁଦ୍ଧା ଏହି ଆଇନ୍ ବଳରେ ମାତ୍ର ୨୫ଟି ମୋକଦ୍ଦମାର ବିଚାର ସରିଛି । ଏହି ଆଇନ୍ ଅନ୍ତର୍ଗତ ଏତେଗୁଡିଏ ମୋକଦ୍ଦମାରେ ଏତେ କମ୍ ସଂଖ୍ୟକ ମୋକଦ୍ଦମାର ଫଏସଲା ହେବାର କାରଣ କ'ଣ ? ଏହାର କାରଣ ହେଉଛି ଯେ ବର୍ତ୍ତମାନର ସରକାର ସମୟରେ ଏହି ଆଇନର ଉଦ୍ଦେଶ୍ୟ ନୁହେଁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା । ଉଦ୍ଦେଶ୍ୟ ହେଉଛି ଯାଞ୍ଚ ଚାଲିଛି କହି ଅନନ୍ତ କାଳ ପର୍ଯ୍ୟନ୍ତ ତାକୁ ଜେଲରେ ରଖିବା ଓ ଜେଲ୍ ବାହାରେ ତାହାର ଚରିତ୍ର ସଂହାର କରିବା ‌ ।   କଳାଧନ ବିରୁଦ୍ଧରେ କିମ୍ବା ମନିଲଣ୍ଡରିଂ ବିରୁଦ୍ଧରେ ଥିବା ଯେ କୌଣସି ଆଇନକୁ ସମସ୍ତେ ସମର୍ଥନ କରିବେ । କିନ୍ତୁ ଉପର ସଂଖ୍ୟାକୁ ଦେଖିଲେ ଯେ କେହି କହିବ ଯେ ପିଏମଏଲଏ ଆଇନ୍ ତାହା କରୁ ନାହଁ । ତାହେଲେ କ'ଣ କରୁଛି ? 

ପିଏମଏଲଏ ଆଇନ୍ ବଳରେ ଇଡି କାହାକୁ ବି ଦେଶର କେଉଁ ବି ଅଞ୍ଚଳରୁ ଡାକି ପାରିବ । ସେଥିପାଇଁ ଅନ୍ୟସବୁ ଆଇନରେ ଯେମିତି ଅଛି , ଏଥିରେ ରାଜ୍ୟ ପୋଲିସର ସହାୟତା ଦରକାର ନାହିଁ କି ରାଜ୍ୟ ସରକାରଙ୍କ ଅନୁମତି ଦରକାର ନାହିଁ । ଡକାଇବାର କାରଣ ମଧ୍ୟ ଜଣାଇବା ଦରକାର ନାହିଁ । ବାସ୍ ଏମିତି ଉଠାଇ ନେବ । ଘଣ୍ଟା ଘଣ୍ଟା ଧରି ଅଫିସରେ ବସାଇ ପଚରା ଉଚୁରା କରିବ । ଏଥିରେ ଶିକାର ହୋଇଥିବା ପ୍ରମୁଖ ବ୍ୟକ୍ତିମାନେ ହେଉଛନ୍ତି ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମନୀଷ ଶିଶୋଦିଆ, ସତ୍ୟେନ୍ଦ୍ର ଜୈନ ଓ ପି. ଚିଦାମ୍ବରମଙ୍କ ଭଳି ରାଜନେତାମାନେ । ଏକଥା ବୁଝି ହୁଏ ନାହିଁ ଯେ ଇଡି ପାଖରେ ଏମିତି କେତେ ପ୍ରଶ୍ନ ଥାଏ ଯେ ସେଗୁଡ଼ିକ ପଚାରିବା ପାଇଁ ଏହି ନେତାମାନଙ୍କୁ ୮ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଇଡି ଅଫିସରେ ବସିବାକୁ ପଡେ । କିନ୍ତୁ ଉଦ୍ଦେଶ୍ୟ ନୁହେଁ ପ୍ରଶ୍ନ ପଚାରିବା । ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏହି ସମୟରେ ସରକାରଙ୍କ ସପକ୍ଷବାଦୀ ଗଣମାଧ୍ୟମରେ ସେମାନଙ୍କ ଚରିତ୍ର ସଂହାର କରିବା । 

ଏଥିରେ ସବୁଠାରୁ ଜଘନ୍ୟ ପ୍ରାବଧାନ ହେଉଛି ଇଡି ଦ୍ବାରା ପଚରା ଉଚୁରା ହେବା ବେଳେ ଅଭିଯୁକ୍ତର ଓକିଲ ସେଠାରେ ରହିବ ନାହିଁ । ତେବେ ବିଡମ୍ବନା ଏହିଠାରେ ଶେଷ ହୋଇନାହି । ଅନ୍ୟ ସବୁ ଆଇନରେ ଏଫଆଇଆର ଥାଏ, ଯାହାର ଏକ କପି ଅଭିଯୁକ୍ତକୁ ଦିଆଯାଏ । ପିଏମଏଲଏରେ ଏହାକୁ ଇ.ସି.ଆଇ.ଆର୍ କୁହାଯାଏ । କିନ୍ତୁ ଏଥିରେ ଅଭିଯୁକ୍ତକୁ ଇସିଆଇଆର କପି ମିଳେ ନାହିଁ । ଅର୍ଥାତ୍ ଅଭିଯୁକ୍ତ ଜାଣିବ ନାହିଁ ପ୍ରକୃତରେ କେଉଁ କାରଣରୁ ତା ବିରୁଦ୍ଧରେ ମୋକଦ୍ଦମା ରୁଜୁ ହୋଇଛି । ପୁଣି ଅନ୍ୟ ସବୁ ଆଇନରେ ପ୍ରାବଧାନ ରହିଛି ଯେ ପଚରାଉଚୁରା ବେଳେ ଅଭିଯୁକ୍ତ ଯାହା କହିଥିବ ତାହାକୁ କୋର୍ଟରେ‌ ସତ୍ୟ ବୋଲି ଗ୍ରହଣ କରାଯିବ ନାହିଁ। ତାହାକୁ ସତ୍ୟ ବୋଲି ଗ୍ରହଣ କରିବାକୁ ହେଲେ, ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଚରାଉଚୁରା ହେବା ଆବଶ୍ୟକ । ମାତ୍ର ପିଏମଏଲଏ ଆଇନରେ ତାହା ନାହିଁ। ଇଡି ପଚରାଉଚରା ବେଳେ ମାଡ଼ ମାରି ଓ ନିର୍ଯ୍ୟାତନା କିମ୍ବା ଧମକ ଦେଇ ଅଭିଯୁକ୍ତ ଠାରୁ ଯେଉଁ ବୟାନ ଆଦାୟ କରିଥିବ ତାହାକୁ କୋର୍ଟରେ ସତ୍ୟ ବୋଲି ଗ୍ରହଣ କରାଯିବ । 

ପୃଥିବୀର ଯେ କୌଣସି ଗଣତାନ୍ତ୍ରିକ ଓ ସଭ୍ୟ ଦେଶରେ ଗୋଟିଏ ଆଇନଗତ ସିଦ୍ଧାନ୍ତ ଥାଏ ଯେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାର ଦାୟିତ୍ବ ହେଉଛି ଯାଞ୍ଚ ଏଜେନ୍ସିର । କିନ୍ତୁ ପିଏମଏଲ କ୍ଷେତ୍ରରେ ଏହା ଓଲଟା । ଏଠାରେ ଅଭିଯୁକ୍ତକୁ ପ୍ରମାଣ କରିବାକୁ ହେବ ଯେ ସେ ନିର୍ଦ୍ଦୋଷ । 

ନୂତନ ଆଶା ?

ଆଇନର ଏହିସବୁ ଅଗଣତାନ୍ତ୍ରିକ ଓ ବ୍ୟକ୍ତି ସ୍ୱତନ୍ତ୍ରତା ବିରୋଧୀ ପ୍ରାବଧାନ ବିରୁଦ୍ଧରେ ସୁପ୍ରିମକୋର୍ଟରେ ୨୪୨ଟି ପିଟିସନ ଦାଖଲ ହୋଇଥିଲା । ମାତ୍ର ଦୁର୍ଭାଗ୍ୟର କଥା ଯେ ଗତବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଖାନଓ୍ବାଲିକର, ତାଙ୍କ ଅବସର ଗ୍ରହଣର ଦୁଇ ଦିନ ପୁର୍ବରୁ,ଏହି ସବୁ ପିଟିସନକୁ ଅଗ୍ରାହ୍ୟ କରି ପିଏମଏଲଏ ଆଇନରେ ସବୁକିଛି ଠିକ୍ ଅଛି ବୋଲି ରାୟ ଶୁଣାଇଲେ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସବୁଆଡେ ସମାଲୋଚନା ହେଲା । ଅବଶ୍ୟ ଏହି ଘଟଣାର ପ୍ରାୟ ଏକ ମାସ ପରେ, ତତ୍କାଳୀନ ମୂଖ୍ୟ ବିଚାରପତି ଏନ୍.ଭି. ରମଣାଙ୍କ ନେତୃତ୍ବରେ ଏକ ତିନି ଜଣିଆ ବେଞ୍ଚ ରାଜି ହୋଇଛନ୍ତି ଯେ ସେମାନେ ଏହି ଆଇନର ଦୁଇଟି ପ୍ରାବଧାନକୁ ନେଇ ପୁନର୍ବାର ବିଚାର କରିବେ । ପ୍ରଥମଟି ହେଲା ଅଭିଯୁକ୍ତକୁ ଇସିଆଇରର କପି ଯୋଗାଇ ନ ଦିଆଯିବା ଓ ଦ୍ବିତୀୟଟି ହେଲା ଦୋଷ ପ୍ରମାଣ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଦୋଷୀ ବୋଲି ଭାବି ବେଲ୍ ଦେବା ପ୍ରକ୍ରୀୟାକୁ କଠିନ ଓ ପ୍ରାୟ ଅସମ୍ଭବ କରିବା । ଏହାର ଶୁଣାଣି ବେଳେ ଅନ୍ୟ ଦିଗ ଗୁଡିକ ବିଷୟରେ ଶୁଣିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ । ତେବେ ଯଦିଓ ଜଷ୍ଟିସ୍ ରମଣା ଅବସର ଗ୍ରହଣ କରି ସାରିଲେଣି ଓ ସେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ପରେ ସେହି କେଶ୍‌ ର ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ଜଣା ପଡି ନାହିଁ, ତଥାପି ସମସ୍ୟା ଯେ ରହିଥାଇ ପାରେ ବୋଲି ସୁପ୍ରିମକୋର୍ଟଙ୍କ ସ୍ବୀକାର ମଧ୍ୟ ଏପରି ଅନ୍ଧାରି ଆଇନ୍ ହଟାଇବା ଦିଗରେ ଏକ ସ୍ବାଗତଯୋଗ୍ୟ କଦମ ବୋଲି ମାନିହେବ ।


ପରେ ୧୪ଟି ଅଣବିଜେପି ରାଜନୈତିକ ଦଳଙ୍କୁ ପ୍ରତିନିଧିତ୍ଵ କରି ଆଡଭୋକଟ ଅଭିଷେକ ମନୁ ସିଙ୍ଗଭି ସୁପ୍ରିମକୋର୍ଟ ଯାଇଥିଲେ । ତାଙ୍କର ଅଭିଯୋଗ ଥିଲା ଯେ ଏହି ଆଇନର ବିଭିନ୍ନ ପ୍ରାବଧାନକୁ ଅପବ୍ୟବହାର କରି ସରକାରୀ ଦଳ ନିଜର ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ଶରବ୍ୟ କରୁଛନ୍ତି, ଧମକ ଦେଉଛନ୍ତି, ଦୀର୍ଘ ଦିନ ଧରି ଜେଲରେ ରଖୁଛନ୍ତି ଓ ଆହୁରି ବିଭିନ୍ନ ପ୍ରକାରର ହଇରାଣ କରୁଛନ୍ତି । ଏଥିପାଇଁ ଏକ ଗାଇଡ ଲାଇନ୍ ଜାରି କରିବାକୁ ସେ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଯଦିବା ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି ଏପରି ଅଭିଯୋଗ ଉପରେ କୈାଣସି ମନ୍ତବ୍ୟ ଦେଇ ନାହାନ୍ତି, କିନ୍ତୁ କେବଳ ରାଜନୈତିକ ଦଳମାନଙ୍କ ପାଇଁ ଏଥିଲାଗି ଅଲଗା ଶୁଣାଣି ହୋଇ ପାରିବ ନାହିଁ କହି ତାହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । ବ୍ୟକ୍ତିଗତ ଭାବେ ଏଭଳି ଘଟଣା ହେଲେ କୋର୍ଟ ତାହା ପ୍ରତି ଦୃଷ୍ଟି ଦେବ ବୋଲି ସେ କହିଥିଲେ। 

ତେବେ ନିକଟରେ  ସୁପ୍ରିମକୋର୍ଟ ଆଉ ଗୋଟିଏ ମୋକଦ୍ଦମାରେ ଦେଇଥିବା  ରାୟ ବେଶ ତାତ୍ପର୍ଯ୍ୟପୁର୍ଣ ମନେ ହୁଏ । ସିଆରପିସି ଅନୁଯାୟୀ ପ୍ରାବଧାନ ରହିଛି, ଜଣେ ଅଭିଯୁକ୍ତକୁ ୬୦ ଦିନ ପରେ ଓ ଜଘନ୍ୟ ଅପରାଧ କ୍ଷେତ୍ରରେ ୯୦ ପରେ କେବଳ ଏହି କାରଣରୁ ବେଲ୍ ମିଳିବାରୁ ବଞ୍ଚିତ କରା ଯାଇ ପାରିବ ନାହିଁ ଯେ ଯାଞ୍ଚ ସରିନାହିଁ । ରିତୁ ଛାବରିଆ ବନାମ ଭାରତ ସରକାର ମୋକଦ୍ଦମାରେ ବିଚାର କରି ଚଳିତ ବର୍ଷ ଏପ୍ରିଲ ୨୬ ତାରିଖରେ ସୁପ୍ରିମକୋର୍ଟ କହିଥିଲେ ଯେ ଅଭିଯୁକ୍ତକୁ ସ୍ବାଭାବିକ ବେଲ୍ ରୁ ବଞ୍ଚିତ କରିବା ଅଭିସନ୍ଧି ରଖି  ଯାଞ୍ଚ ଏଜେନ୍ସିଗୁଡିକ ଯେଉଁ ଭଳି ଭାବେ ଯାଞ୍ଚ ନ ସାରି କେବଳ ଚାର୍ଜସିଟ୍ ଦାଖଲ କରିଚାଲିଛନ୍ତି, ତାହାକୁ ଅନୁମତି ଦିଆ ଯିବ ନାହିଁ । ଏହା ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଥିଲା ଏବଂ ପିଏମଏଲଏ ଆଇନରେ ଥିବା ଆଉ ଏକ ଅସଭ୍ୟ ଓ ନିର୍ଯାତନାମୁଳକ ପ୍ରାବଧାନକୁ ହଟାଇବା ପାଇଁ ଏହା ଯଥେଷ୍ଟ ଥିଲା । କାରଣ ସାଧାରଣତଃ ଯାଞ୍ଚ ସରିବା ପରେ ଚାର୍ଜସିଟ୍ ଦାଖଲ କରାଯାଏ । ଏହା ପରେ ଅଭିଯୁକ୍ତକୁ ବେଲ୍ ମିଳିବ ।  ୬୦ କିମ୍ବା ୯୦ ଦିନ ମଧ୍ୟରେ ଯାଞ୍ଚ ନ ସରିଲେ ଅଭିଯୁକ୍ତକୁ ସ୍ବାଭାବିକ ବେଲ୍ ମିଳିବା କଥା  । କିନ୍ତୁ ଦେଖା ଯାଉଛି, ଇଡି ଓ ସିବିଆଇ ପ୍ରତିଥର ବେଲ୍ ପାଇଁ ହେବାକୁ ଥିବା ଶୁଣାଣି ପୂର୍ବରୁ ଗୋଟିଏ ଲେଖାଏଁ ଚାର୍ଜସିଟ୍ ଦାଖଲ କରି କହୁଛନ୍ତି ଯାଞ୍ଚ ଏକ ଗୁରୁତ୍ବପୂର୍ଣ୍ଣ ସୋପାନରେ ପହଞ୍ଚିଛି, କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସେମାନଙ୍କ ହସ୍ତଗତ ହୋଇଛି ଓ ତେଣୁ ଏବେ ଅଭିଯୁକ୍ତକୁ ବେଲ୍ ଦିଆଗଲେ ଯାଞ୍ଚ ବାଧାପ୍ରାପ୍ତ ହେବ ।   ଏହା ଫଳରେ ବେଲ୍ ମିଳୁନି ଏବଂ ଅଭିଯୁକ୍ତ ବିନା ବିଚାରରେ ବର୍ଷାଧିକ କାଳ ଜେଲରେ ରହୁଛି। 

ସୁପ୍ରିମକୋର୍ଟଙ୍କ ଏହି ସ୍ବାଗତଯୋଗ୍ୟ ରାୟକୁ  ଭାରତ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇ  ଏହି ରାୟର ପୁନର୍ବାର ବିଚାର ପାଇଁ ପ୍ରାର୍ଥନା ହେବାରେ , ସୁପ୍ରିମକୋର୍ଟ ଏହାକୁ ଶୁଣିବାକୁ ରାଜି ହୋଇଛନ୍ତି ଏବଂ ଅନ୍ୟ କୋର୍ଟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ ପାଇଁ ସେମାନେ ତାଙ୍କ ପୁର୍ବ ରାୟ ଆଧାରରେ ବେଲ୍ ଦେବାରୁ ନିବୃତ୍ତ ରହିବେ ।‌ 

ଶେଷରେ କେବଳ ଏତିକି କହି ହେବ ଯେ ବ୍ୟକ୍ତି ସ୍ବାଧୀନତା ଓ ସ୍ୱତନ୍ତ୍ରତାର ସୁରକ୍ଷା ପାଇଁ କେବଳ ସମ୍ବିଧାନରେ ଏହାର ଉଲ୍ଲେଖ ରହିବା ଏବଂ ସୁପ୍ରିମକୋର୍ଟ ଏହାକୁ ସୁରକ୍ଷା ଦେବା ଯଥେଷ୍ଟ ନୁହେଁ। ସରକାର ଏସବୁକୁ ବୃଦ୍ଧାଙ୍ଗୁଷ୍ଠି ଦେଖାଇ ଫେକ୍ ଏନକାଉଣ୍ଟର ଓ ବୁଲଡୋଜର ଆକ୍ରମଣ କରୁଛନ୍ତି ଓ ତାହାକୁ ଲୋକପ୍ରିୟ କରାଇ ସେଥିପାଇଁ ଶ୍ରେୟ ନେବାକୁ ମଧ୍ୟ ପଛାଉ ନାହାନ୍ତି। ବ୍ୟକ୍ତି ସ୍ବାଧୀନତା ହେଉଛି ସଭ୍ୟ ସମାଜର ଏକ ସ୍ବାଭାବିକ ଜୀବନଧାରା ଏବଂ ସ୍ବାଧୀନ ଦେଶ ହୋଇ ରହିବାର ଏହା ଏକ ପ୍ରମୁଖ କାରଣ ବୋଲି ସାଧାରଣରେ ସଚେତନତା ବୃଦ୍ଧି ହେବା ଉଚିତ।