ମଣିପୁର : ଯୁକ୍ତିହୀନ ଯୁକ୍ତି

ମଣିପୁର : ଯୁକ୍ତିହୀନ ଯୁକ୍ତି

ମଣିପୁର ବିଷୟରେ ଯେତିକି ତଥ୍ୟ ପଦାକୁ ଆସୁଛି ସେ ତଥ୍ୟକୁ ମିଛ ବୋଲି ପ୍ରମାଣ କରିବାକୁ ଠିକ୍ ସେତିକି ବିତଣ୍ଡା ଯୁକ୍ତି ବି ବଜାରକୁ ଆସୁଛି ।

ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ପ୍ରଫେସର ଓଇନାମ ଭଗତ ନ୍ୟୁଜ୍ ୯ର ଏକ ଆଲୋଚନାରେ ଭାଗ ନେଇ ଏକ ଚମତ୍କାର ଯୁକ୍ତି ରଖିଛନ୍ତି । ତାଙ୍କ କହିବାର କଥା ହେଲା, ହିଂସା ଆଚରଣକୁ ନେଇ ମୈତେୟୀ ଲୋକମାନଙ୍କର ବ୍ୟବହାର କୁକି ଓ ନାଗାମାନଙ୍କର ବ୍ୟବହାର ସହ ମେଳ ଖାଉଛି । ଆଦିବାସୀମାନେ ଅନେକ ସମୟରେ ଉଗ୍ର ବ୍ୟବହାର ଦେଖାଇଥା'ନ୍ତି ଓ ନିଜର ପାରମ୍ପରିକ ନିୟମକୁ ପାଳନ କରିବାକୁ ପସନ୍ଦ କରିଥା'ନ୍ତି । ବାହାର ସମାଜର ନିୟମ କାନୁନ୍ ଠାରୁ ସେମାନଙ୍କ ନିୟମ କାନୁନ୍ ଅଲଗା ଥାଏ । ଦର୍ଶନ ବିଭାଗର ପ୍ରଫେସର ଓଇନାମଙ୍କ ବିତଣ୍ଡା ଯୁକ୍ତି ହେଲା, ଦୁଇ କୁକି ମହିଳାଙ୍କୁ ଲଙ୍ଗଳା କରି ରାସ୍ତାରେ ଚଳାଇବା ଓ ଅସଦ୍ ବ୍ୟବହାର କରିବା ଏବଂ କଟା ମୁଣ୍ଡକୁ ରାସ୍ତା କଡରେ ଝୁଲାଇ ରଖିବା, ବ୍ୟାପକ ହିଂସା ଆଚରଣ କରିବା ଆଦି ବ୍ୟବହାରରେ କୁଆଡେ ସ୍ପଷ୍ଟ ହେଉଛି ଯେ ମୈତେୟୀ ମାନେ ପ୍ରକୃତରେ ଆଦିବାସୀ । ଏପରି ବ୍ୟବହାର କୁଆଡେ ନାଗା ଓ କୁକିମାନଙ୍କ ମଧ୍ୟରେ ଦେଖିବାକୁ ମିଳେ । ତେଣୁ ମୈତେୟୀମାନଙ୍କୁ ନାଗା ଓ କୁକିମାନଙ୍କ ପରି ଏସ୍.ଟି ମାନ୍ୟତା ଦିଆଯାଉ । ମୈତେୟୀମାନେ ସେଇଆ ତ ଚାହୁଁଛନ୍ତି । ସେଇ ଏସ୍.ଟି ମାନ୍ୟତା ପାଇଁ ଏ ମହାଭାରତର ଆୟୋଜନ ।

ଏହା ଭିତରେ ମୋର ମଣିପୁର ପରିସ୍ଥିତିର ବର୍ତ୍ତମାନ ଓ ଅତୀତ ବିଷୟରେ ଦୁଇଟି ଲେଖା ପଢି ମୋର ଜଣେ ପରମ ବନ୍ଧୁ ମୋତେ ଗୋଟେ ଚମତ୍କାର ଯୁକ୍ତି ଦେଲେ । ସଂଘ ଶରଣରେ ଥିବା ବନ୍ଧୁ ମୋର ଯେଉଁ ଯୁକ୍ତିଟି ଦେଲେ ସେଇଟିକୁ ସେ ନିଶ୍ଚିତ ଭାବରେ ତାଙ୍କ ହ୍ୱାଟସ୍ ଆପ୍ ୟୁନିଭରସିଟିରୁ ଷ୍ଟଡି ମ୍ୟାଟାରିଆଲ୍ ଭାବରେ ପାଇଛନ୍ତି ବୋଲି ମୋର ତିଳାର୍ଧେ ସନ୍ଦେହ ନାହିଁ ।  ୨୦୦୪ରେ ମଣିପୁରରେ ଥିବା ଆସାମ ରାଇଫଲର ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ୧୨ ଜଣ ବୟସ୍କା ସ୍ତ୍ରୀଲୋକ ମନୋରମା ଧର୍ଷଣ ଓ ହତ୍ୟା ଘଟଣାକୁ ପ୍ରତିବାଦ କରିବାକୁ ଯାଇ ‘ଇଣ୍ଡିଆନ ଆର୍ମି ରେପ ଅସ୍’ ବ୍ୟାନର ଧରି ଲଙ୍ଗଳା ହେଇ ପ୍ରତିବାଦ କରିଥିଲେ । ଭକ୍ତ ହେଇସାରିଥିବା ମୋର ବନ୍ଧୁଙ୍କର ଲଜ୍ୟାହୀନ ବିତଣ୍ଡା ଯୁକ୍ତି ହେଲା ଯେ, ଦୁଇ କୁକି ଯୋ ମହିଳାଙ୍କୁ ଲଙ୍ଗଳା କରି ରାସ୍ତାରେ ଚଲେଇ ନେବା ପଛରେ ଏଇ କାରଣଟି କୁଆଡେ ମୁଖ୍ୟତଃ ଦାୟୀ । ଯେହେତୁ ସେମାନେ ନିଜେ ନିଜେ ଲଙ୍ଗଳା ହେଇ ପାରୁଛନ୍ତି ତେଣୁ ଲୋକେ ସେମାନଙ୍କୁ ଲଙ୍ଗଳା କରିବାକୁ ସାହାସ ଓ ସରଳ ଉପାୟଟି ପାଇଛନ୍ତି । ସତ କହିଲେ ଏପରି ବିତଣ୍ଡା ଯୁକ୍ତିକୁ ଉତ୍ତର କାହିଁ?

ହ୍ୱାଟସ୍ ଆପ୍ ଓପନ୍ ୟୁନିଭରସିଟିରେ ପାଠ ପଢୁଥିବା ମୋର ଆଉ ଜଣେ ବନ୍ଧୁ ମୋର ଲେଖା ଦୁଇଟି ପଢି ତୁରନ୍ତ ଆଠ ଦଶଟି ଜ୍ଞାନ ପୂର୍ଣ୍ଣ ମେସେଜ୍ ଫରୱାର୍ଡ଼ କରିପକାଇଲେ । ସେ ସବୁ ମେସେଜ୍ ରେ ଥିଲା ସବୁ କଥାରେ ପ୍ରଧାନମନ୍ତ୍ରୀ ଦାୟୀ କାହିଁକି ହେବେ? ସବୁକଥାରେ ତମେସବୁ ପ୍ରଧାନମନ୍ତ୍ରୀଙ୍କୁ ଟାଣୁଛ କାହିଁକି । ତମେ ମଣିପୁର ବେଳକୁ ଲେଖିପକାଉଛ ହେଲେ ପଶ୍ଚିମ ବଙ୍ଗ, ରାଜସ୍ଥାନ କି ଛତିଶଗଡ କଥା କାହିଁ କହୁନା?  ସିଲେକ୍ଟଭି ସାଇଲେନ୍ସ କାହିଁକି? 
୭୮ ଦିନ ନୀରବ ରହିଲା ପରେ ପ୍ରଧାମମନ୍ତ୍ରୀଙ୍କର ମଣିପୁରୁକୁ ନେଇ  ୩୬ ସେକେଣ୍ଡିଆ ବକ୍ତବ୍ୟ ପରେ କ'ଣ କହିବେ କ'ଣ କହିବେ ବୋଲି ବାଟ ପାଉନଥିବା ଭକ୍ତ ମଣ୍ଡଳି ରାହା ପାଇଲେ । ସେଉଠୁ ଯାଇଁ ମଣିପୁର ଘଟଣାକୁ ସାଧାରଣୀକରଣ କରିବା ପ୍ରକ୍ରିୟାରେ ରାଜସ୍ଥାନ ଓ ଛତିଶଗଡ କଥା ଉଠେଇଲେ । ରାଜସ୍ଥାନ ଘଟଣାରେ ଭାରତୀୟ ଜନତା ଦଳର ଛାମୁଆ ଛାତ୍ର ସଂଗଠନ ଏ.ବି.ଭି.ପିର ତିନି ଯୁବକ ସମ୍ପୃକ୍ତ ବୋଲି କିନ୍ତୁ କହିଲେନି କି ସେଠାର ସରକାର ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ହାଜତରେ ଭର୍ତ୍ତି କରିଛନ୍ତି ସେ କଥା ବି କହିଲେନି । ଏକଥା ବି କହିଲେନି ଆଜୀବନ କାରାଦଣ୍ଡରେ ଦୋଷ କାଟୁଥିବା ରାମ ରହିମକୁ ପାରୋଲରେ ବାର ବାର ଛଡା ଯାଇଛି କାହିଁକି? କାହିଁକି ବ୍ରିଜଭୂଷଣଙ୍କୁ ସହଜରେ ଜାମିନ ମିଳିଗଲା? କାହିଁକି ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ଜାମିନ ନେଇ ଦୋମୁହାଁ ନୀତି ଧରିଲା? କାହିଁକି ପ୍ରଧାନମନ୍ତ୍ରୀ ମଣିପୁରକୁ ରାଜସ୍ଥାନ ଓ ଛତିଶଗଡ ସହ ମିଶେଇ କହି ଘଟଣାର ଗୁରୁତ୍ୱ ଓ ଗମ୍ଭୀରତାକୁ ହ୍ରାସ କଲେ? କାହିଁକି ବିଲକିସ୍ ବାନୁ କେସ୍ ରେ ଅପରାଧିମାନଙ୍କୁ ଦଣ୍ଡର କାର୍ଯ୍ୟକାଳ ସରିବା ଆଗରୁ ଛାଡିଦିଆ ଗଲା ଓ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରାଗଲା? କାହିଁକି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମଣିପୁର ନେଇ ଚୁପ୍ ଅଛନ୍ତି?

ବନ୍ଧୁ କିନ୍ତୁ ମୋର ଆହୁରି ଜ୍ଞାନ ଦେଇ ମୋତେ କହିଲେ, ତମେ ଜାଣିନ କୁକିମାନେ ପ୍ରକୃତରେ ଭାରତୀୟ ନୁହଁନ୍ତି । ସେମାନେ ମିଆଁମାରରୁ ଅନୁପ୍ରବେଶ କରି ଜଙ୍ଗଲ ଭିତରେ ଅଫିମ ଚାଷ କରି ଦେଶକୁ ନଷ୍ଟ କରୁଛନ୍ତି । ସେମାନେ ଖ୍ରୀଷ୍ଟିଆନ୍ ତେଣୁ ହିନ୍ଦୁ ବିରୋଧି । ସେମାନେ ଆତଙ୍କବାଦୀ । ସେମାନେ କେତେ ହିନ୍ଦୁଙ୍କୁ ମାରିଛନ୍ତି ଜାଣିଛ ନା?  ସେ ସବୁ ଆଦିବାସୀମାନେ ଦେଶ ବିରୋଧି କାମରେ ଲିପ୍ତ ଅଛନ୍ତି ।ଖ୍ରୀଷ୍ଟିଆନ୍ ବୋଲି ବିଦେଶରୁ ତାଙ୍କ ପାଖକୁ କୋଟି କୋଟି ଟଙ୍କା ଆସୁଛି । ଟଙ୍କା ସବୁ ଆମ ହିନ୍ଦୁଙ୍କ ବିରୋଧରେ ବ୍ୟବହାର ହେଉଛି । ଆଉ କେତେ ବର୍ଷ ପରେ ପୁରା ନର୍ଥଇଷ୍ଟରେ ଆଉ ହିନ୍ଦୁ ରହିବେନି ।

କଥାଟି ବୁଲି ବୁଲି ଶେଷରେ ଆସି ପହଞ୍ଚିଲା ହିନ୍ଦୁ ଖତରେ ମେଁ ହେ  ।
 
ଏହା ଭିତରେ ସଂସ୍କୃତି ଓ ପର୍ଯ୍ୟଟନ ଏବଂ ଡେଭେଲପମେଣ୍ଟ ଅଫ୍ ନର୍ଥ ଇଷ୍ଟର୍ଣ୍ଣ ରିଜିୟନ ଅଫ୍ ଇଣ୍ଡିଆର କେନ୍ଦ୍ରୀୟ ମନ୍ତ୍ରୀ ଜି. କ୍ରିଷ୍ଣା ରେଡି କହିଛନ୍ତି ଯେ, ସେ ମଣିପୁର ବିଷୟରେ କିଛି କହିପାରିବେନି କାରଣ ତାଙ୍କର ମଣିପୁରରେ କିଛି କରିବାର ନାହିଁ । ଏପରି ମନ୍ତବ୍ୟ ଶୁଣିଲା ବେଳକୁ ଲାଗୁଛି ମନ୍ତ୍ରୀ ମହାଶୟ ହୁଏତ ନିଜର ମନ୍ତ୍ରଣାଳୟ ବିଷୟରେ ଅବଗତ ନାହାଁନ୍ତି । ହୁଏତ ମଣିପୁର ସହ ସମୁଦାୟ ନର୍ଥ ଇଷ୍ଟର୍ଣ୍ଣ ରିଜିୟନ୍ ଭାରତର କେଉଁ ଦିଗରେ ସେ ଜାଣିନାହାଁନ୍ତି ।

ମଣିପୁର ହଟଚମଟ ଭିତରେ ଲୁଚିଯାଉଥିବା ଅନ୍ୟଏକ ଖବର ହେଲା  ସରକାରୀ ହିସାବ ଅନୁସାରେ ଗଲା ଛଅ ମାସରେ ୮୭,୦୦୦  ସେମାନଙ୍କର ଭାରତୀୟ ନାଗରୀକତ୍ୱ ଛାଡି ଅନ୍ୟଦେଶର ନାଗରିକତା ହେଇଛନ୍ତି । ଭାରତ ବିଶ୍ୱ ଗୁରୁ ହେଲାପରେ ଓ ଗଲା ନଅ ବର୍ଷରେ ଅର୍ଥନୀତି, ପ୍ରଯୁକ୍ତି, ବିଜ୍ଞାନ, ଗବେଷଣା ଓ ନିଯୁକ୍ତି ଆଦି ଅନେକ କ୍ଷେତ୍ରରେ କୁଆଡେ ଇର୍ଷଣୀୟ ପ୍ରଗତୀ ହାସଲ କଲାପରେ, ଏମିତି କି ପରିସ୍ଥିତି ଉପୁଜିଛି ଯେ ଲୋକେ ଦେଶ ଛାଡିବାକୁ ପସନ୍ଦ କରୁଛନ୍ତି । ଆମ ପ୍ରଧାନମନ୍ତ୍ରୀଙ୍କୁ ବିଦେଶରେ ବେଶ୍ ଆଦର ଓ ସମ୍ମାନ ମିଳୁଛି ପରା । ସେତେବେଳେ ଆମ ଲୋକେ ଦେଶ ଛାଡି ଚାଲିଯାଉଛନ୍ତି କାହିଁକି? ମଣିପୁର ଘଟଣା ସହ ଏ ସରକାରୀ ତଥ୍ୟକୁ ମିଳେଇ ଥରେ ଦେଖିବା କି?

ମିଛ ଖବରର ପ୍ରଚାର ଓ ପ୍ରସାରର ଯେଉଁ ଭୟଙ୍କର ଫସଲ ବୁଣାଯାଇଥିଲା ତା'ର ଅମଳ ଆରମ୍ଭ ହେଇଗଲା । ସତକୁ ମିଛ ଓ ମିଛକୁ ସତ କରିପକାଇବା ପାରିବାପଣ ନୁହେଁ । ବାପା ଯାହା କରନ୍ତି ସବୁବେଳେ ଠିକ୍ ହିଁ କରନ୍ତି କଥାରେ ଭାସି ନଯାଇ ପ୍ରକୃତ ପରିସ୍ଥିତିକୁ ଅନୁଶୀଳନ କରିବାକୁ ହେବ । ହ୍ୱାଟସ୍ ଆପ୍ ଓପନ୍ ୟୁନିଭରସିଟିର ଫରୱାର୍ଡ଼ ମେସେଜର ଜ୍ଞାନରୁ ବାହାରି ପ୍ରକୃତ ତଥ୍ୟ ଓ ଘଟଣା ଏବଂ ଦୂର୍ଘଟଣାର ଭିନ୍ନ ଭିନ୍ନ ପାଶ୍ୱର୍ତଳକୁ ବିଚାରକୁ ନେବାକୁ ହେବ ।