ମିଡିଆ ବଜାର ; କିଛି ଅକୁହା କଥା
ମିଡିଆ ଏକ ବଜାର ନା ଏକ ମିଶନ ? ଏ ପ୍ରଶ୍ନର ଉତ୍ତର ଅତି ସହଜ । ଏକଦା ଏହା ମିଶନ ଥିଲା ଓ ଏବେ ଏହା ବଜାରରେ ପରିଣତ ହୋଇଛି । ତେବେ ମିଡିଆ ବଜାରର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇପାରେ । ବର୍ତ୍ତମାନ ଛତୁ ଫୁଟିଲା ଭଳି ନୂଆ ନୂଆ ଓଡିଆ ଖବର ଚ୍ୟାନେଲ୍ ଦେଖାଯାଉଛି । ବିଭିନ୍ନ ବ୍ୟାବସାୟିକ ସଂସ୍ଥା ଏହାର ମାଲିକ ହୋଇଥିବା ବେଳେ ପ୍ରତ୍ୟେକ ସଂସ୍ଥାରେ ରାଜନୈତିକ ହସ୍ତକ୍ଷେପ ରହିଛି ବୋଲି ବ୍ୟାପକ ଚର୍ଚ୍ଚା ହେଉଛି । ବିଶେଷକରି ଉଚ୍ଚ ପଦପଦବୀର ସମ୍ପାଦକମାନଙ୍କୁ ନିଯୁକ୍ତି ଦେବା ପାଇଁ ମାଲିକମାନଙ୍କ ଉପରେ ଓଡିଶା ସରକାରର କେତେଜଣ ପ୍ରଭାବଶାଳୀ ନେତା ଚାପ ପକାଉଥିବା ବେଳେ କେନ୍ଦ୍ର ସରକାରର ଆଉ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ପ୍ରାୟ ସବୁ ଚ୍ୟାନେଲରେ ନିଜ ପତିଆରା ବିସ୍ତାର କରିଥିବା ଦେଖିବାକୁ ମିଳୁଛି । ଦିଲ୍ଲୀରୁ ଓଡିଆ ଗଣମାଧ୍ୟମର ଭାଗ୍ୟ ନିର୍ଦ୍ଧାରିତ ହେଉଛି ବୋଲି ଏକ ନିର୍ଦ୍ଦିଷ୍ଟ ସୂଚନା ପାଠକମାନଙ୍କୁ ଦେବାରେ କୌଣସି ଅସୁବିଧା ନାହିଁ । ତେବେ ସମ୍ପାଦନା ବିଭାଗକୁ ନିଜ ହାତରେ କବ୍ଜାରେ ରଖିବା ପାଇଁ ରାଜନୈତିକ ଦଳମାନଙ୍କର ଆଗ୍ରହ ନୂଆ ନୁହେଁ । ସ୍ୱାଧୀନତା ପରବର୍ତ୍ତୀ ଭାରତର ଗଣମାଧ୍ୟମ ସବୁ ବେଳେ ଶିଳ୍ପପତି ଓ ରାଜନେତାଙ୍କ ବନ୍ଧନୀ ଭିତରେ ରହି ଆସିଛି । ଗଣମାଧ୍ୟମ ସଂସ୍ଥା ଚଳାଇବା ଲାଗି ଯେଉଁପ୍ରକାର ଭିତ୍ତିଭୂମି ଓ ସମ୍ବଳର ଆବଶ୍ୟକତା ରହିଛି ତାହା ଜଣେ ସାଧାରଣ ସାମ୍ବାଦିକ ପକ୍ଷରେ ଯୋଗାଡ କରିବା ସମ୍ଭବ ନୁହେଁ । କୋଟି କୋଟି ଟଙ୍କା ହେଲେ ଯାଇଁ ଖବର ବ୍ୟବସାୟ ସମ୍ଭବ ବୋଲି ଯେଉଁ ପରିସ୍ଥିତି ସୃଷ୍ଟି କରାଯାଇଛି ତାହାର ପରିଣତି ସ୍ୱରୂପ ଆମର ତଥାକଥିତ ମୁକ୍ତ ଓ ନିର୍ଭୀକ ଗଣମାଧ୍ୟମ ପୁଞ୍ଜିପତିଙ୍କର ହସ୍ତମୁଦି ମାହାଲ୍ ପାଲଟିଯାଇଛି ।
୫୦ ଦଶକରେ ଦେଶ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଦେଶର ଦୁଇ ପ୍ରଭାବଶାଳୀ ସମ୍ବାଦପତ୍ରକୁ ବିଦ୍ରୁପ କରି କହୁଥିଲେ, ଝୋଟକଳର ସମ୍ବାଦ ଓ ଲୁହାଖଣିର ସମ୍ବାଦ । ନେହେରୁଙ୍କ ଏହି ବିଦ୍ରୁପ ପଛରେ ରହିଥିଲା ଖବରକାଗଜର ମାଲିକାନା ପ୍ରସଙ୍ଗ । ସେତେବେଳେ ଟାଇମ୍ସ ଅଫ୍ ଇଣ୍ଡିଆର ମାଲିକ ବେନେଟ୍ ଆଣ୍ଡ୍ କୋଲ୍ମ୍ୟାନ୍ ପାଖରେ ସବୁଠୁ ଅଧିକ ଝୋଟକଳ ରହିଥିଲା । ଅନ୍ୟତମ ପ୍ରଭାବଶାଳୀ ସମ୍ବାଦପତ୍ର ଷ୍ଟେଟ୍ସ୍ମ୍ୟାନ୍ର ମାଲିକାନା ଥିଲା ଟାଟା କମ୍ପାନୀ ହାତରେ । ସେହିପରି ବିର୍ଲା ଗ୍ରୁପ୍ ହାତରେ ହିନ୍ଦୁସ୍ତାନ ଟାଇମ୍ସର ମାଲିକାନା ରହୁଥିଲା । ବିଭିନ୍ନ ସମୟରେ ଶିଳ୍ପପତିମାନେ ଖବରକାଗଜ କରିଛନ୍ତି ଓ ଖବରକାଗଜ ମାଧ୍ୟମରେ ରାଜନୈତିକ ପତିଆରା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ଶିଳ୍ପପତିମାନଙ୍କ ସହ ସମତାଳରେ ରାଜନୈତିକ ନେତାମାନେ ମଧ୍ୟ ଗଣମାଧ୍ୟମର ମାଲିକ ହେବାକୁ ଉଦ୍ୟମ କରିଛନ୍ତି । ପଣ୍ଡିତ ନେହେରୁ ନିଜେ ନ୍ୟାସ୍ନାଲ୍ ହେରାଲ୍ଡର ପ୍ରତିଷ୍ଠା କରିଥିବା ବେଳ ଦେଶର ପ୍ରାୟ ସବୁ ରାଜନୈତିକ ନେତା ଛୋଟବଡ ଖବରକାଗଜଟିଏ କରିବା ପାଇଁ ଉଦ୍ୟମ କରିଛନ୍ତି । ଓଡିଶା ପ୍ରସଙ୍ଗରେ ଏହା ଗୋଟାପଣେ ରାଜନୈତିକ । ଏଠି ଗଣମାଧ୍ୟମର ମାଲିକାନା ୯୫ ପ୍ରତିଶତ ରାଜନୈତିକ ପରିବାର ହାତରେ ରହିଛି ।
ଓଡିଶାରେ ଗଣମାଧ୍ୟମର ଇତିହାସ ବଡ ବିଚିତ୍ର । ୧୮୬୬ ମସିହାରେ ପ୍ରଳୟଙ୍କରୀ ନଅଙ୍କ ଦୁର୍ଭିକ୍ଷରେ ମହାଶ୍ମଶାନ ପାଲଟିଥିବା ଓଡିଶାରେ ପ୍ରଥମ ଖବରକାଗଜ ଜନ୍ମ ନେଲା । ଭୋକ ଏବଂ ଦାରିଦ୍ର୍ୟ ଭିତରୁ ଜନ୍ମ ନେଇଥିବା ଏହି ପ୍ରତିବାଦର ନାମ ଥିଲା ‘ଉତ୍କଳ ଦୀପିକା’ । ଦୁର୍ଭାଗ୍ୟକ୍ରମେ ଦୀପିକା ଆଜି ମୃତ । ଦୀପିକା ସେତେବେଳେ ସମବାୟ ସୂତ୍ରରେ ପ୍ରକାଶ ପାଉଥିବା ବେଳେ ପରବର୍ତ୍ତୀ ସମୟରେ ରାଜାରାଜୁଡାଙ୍କ ମାଲିକାନାରେ ଖବରକାଗଜ ଓ ପତ୍ରିକା ପ୍ରକାଶ ପାଇଲା । ସ୍ୱାଧୀନତା ପରେ ମୋଟାମୋଟି ସବୁ ଓଡିଆ ଖବରକାଗଜର ମାଲିକାନା ରାଜନୈତିକ ଲୋକଙ୍କ ହାତରେ ରହିଥିଲା । ଲୋକସେବକ ମଣ୍ଡଳ ତରଫରୁ ରାଧାନାଥ ରଥଙ୍କ ହାତରେ ‘ସମାଜ’, ହରେକୃଷ୍ଣ ମହତାବଙ୍କ ହାତରେ ‘ପ୍ରଜାତନ୍ତ୍ର’, ବିଜୁ ପଟ୍ଟନାୟକଙ୍କ ହାତରେ ‘କଳିଙ୍ଗ’, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ହାତରେ ‘ସ୍ୱରାଜ୍ୟ’, ନନ୍ଦିନୀ ଶତପଥିଙ୍କ ହାତରେ “ଧରିତ୍ରୀ” ର ମାଲିକାନା ପରମ୍ପରା ଆଜି ପର୍ଯ୍ୟନ୍ତ ଗଡି ଆସିଛି । ରାଜନୈତିକ ପରିବାର ହିଁ ଖବରକାଗଜ ଚଳାଇବା ପାଇଁ ଯୋଗ୍ୟତମ ବ୍ୟବସାୟୀ ବୋଲି ଏକ ଚିରସ୍ଥାୟୀ ଧାରଣା ଓଡିଶାରେ ସୃଷ୍ଟି ହୋଇଛି ।
ରାଜନୈତିକ ମାଲିକାନା ସହିତ ମୁକ୍ତ ଓ ନିରପେକ୍ଷ ସାମ୍ବାଦିକତାର ଅନେକ ସମୟରେ ସଂଘର୍ଷ ଘଟିଥିଲେ ମଧ୍ୟ ସାମ୍ବାଦିକତା ନିଜକୁ ଜାହିର କରିବାରେ ସଫଳ ହୋଇଛି । ନେହେରୁଙ୍କ ନ୍ୟାସ୍ନାଲ୍ ହେରାଲ୍ଡରେ ସମ୍ପାଦକ ଭାବରେ ଏମ୍.ଚଲ୍ପତି ରାଓ ସମ୍ପାଦକୀୟ ଅସ୍ମିତାକୁ କେବେ ବି ବଳି ଦେଇନାହାନ୍ତି । ଏକଦା ବିଜୁବାବୁଙ୍କ ମାଲିକାନାରେ ପ୍ରକାଶ ପାଇଥିବା ‘କଳିଙ୍ଗ’ ନିଜ ସମ୍ପାଦନା ବିଭାଗକୁ ସବୁପ୍ରକାର ରାଜନୈତିକ ଓ ବ୍ୟାବସାୟିକ ପ୍ରଭାବରୁ ମୁକ୍ତ ରହିଥିଲା ବୋଲି କୁହାଯାଏ । ଶିଳ୍ପ ଏବଂ ମୁକ୍ତ ଅର୍ଥନୀତିରେ ବିଶ୍ୱାସୀ ବିଜୁ ପଟ୍ଟନାୟକ ସେତେବେଳେ ଜଣାଶୁଣା ସାମ୍ୟବାଦୀ ମନମୋହନ ମିଶ୍ରଙ୍କୁ ‘କଳିଙ୍ଗ’ର ମୁଖିଆ ଭାବରେ ଅବସ୍ଥାପିତ କରିଥିଲେ । ଆଜିର ସମୟରେ ସେ ପ୍ରକାର ମନୋବୃତ୍ତି ପୁରାପୁରି ବିରଳ । ସମ୍ବାଦପତ୍ର ଓ ଟେଲିଭିଜନ୍ ଚ୍ୟାନେଲ୍ ସ୍ୱତ୍ତ୍ୱାଧିକାରୀଙ୍କ ମର୍ଜିକୁ ନେଇ ଚାଲିବ ନା ଏକ ମୁକ୍ତ ସମ୍ପାଦନା ବିଭାଗ ଏହାର ପରିଚାଳନା କରିବେ ତାକୁ ନେଇ ଆଜି ଆଉ ପ୍ରଶ୍ନବାଚୀ ମଧ୍ୟ ନାହିଁ । ସମ୍ପାଦନା ବିଭାଗ ସିଧାସଳଖ ମାଲିକଙ୍କର ଆଦେଶକୁ ନିଜର ସମ୍ପାଦକୀୟ ଧର୍ମ ବୋଲି ଗ୍ରହଣ କରି ନେଇସାରିଛନ୍ତି । ସାମ୍ବାଦିକତା ଏକ ମୁକ୍ତ ବୃତ୍ତି ନୁହେଁ ଏହା ଅନ୍ୟ ଯେ କୌଣସି ଚାକିରୀ ପରି ଭୟ ଓ ବନ୍ଧନରେ ଭରା ବୃତ୍ତିଟିଏ ମାତ୍ର । ଉଭୟ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ସାମ୍ବାଦିକ କେବଳ ମାତ୍ର ବେତନଭୋଗୀ କର୍ମଚାରୀ । ତାହାର କୌଣସି ମୁକ୍ତଚିନ୍ତନ ନାହିଁ ଅବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ତାହାର କୌଣସି ନିଜସ୍ୱ ବକ୍ତବ୍ୟ ମଧ୍ୟ ନାହିଁ । ଅନେକ ସମୟରେ ଟେଲିଭିଜନ୍ ଉପସ୍ଥାପକମାନେ ପୋଷାଶୁଆ ପରି ନିଜ ମାଲିକଙ୍କ ସ୍ୱରକୁ ଘୋଷି ଚାଲୁଛନ୍ତି । ଆଜି ‘ନ୍ୟାସ୍ନାଲ୍ ହେରାଲ୍ଡ’ ବା ‘ପେଟ୍ରିୟଟ୍’ ଭଳି ସମ୍ବାଦପତ୍ର ନାହିଁ ଯେଉଁଠି ସମ୍ପାଦନା ବିଭାଗ ନିଜ ମାଲିକକୁ ଅଣଦେଖା କରି ସ୍ୱାଧୀନତାର ପରାକାଷ୍ଠା ପ୍ରଦର୍ଶନ କରିବ । ଟାଟାଙ୍କ ଭଳି ଅତ୍ୟନ୍ତ ଶକ୍ତିଶାଳୀ ଶିଳ୍ପପତି ମଧ୍ୟ ଗୋଟିଏ ସମୟରେ ‘ଷ୍ଟେଟ୍ସମ୍ୟାନ୍’ର ମାଲିକାନାରୁ ବହିଷ୍କୃତ ହୋଇଥିଲେ । ସମ୍ପାଦନା ମଣ୍ଡଳୀର ପ୍ରଭାବକୁ ସଠିକ୍ ଭାବରେ ସାମ୍ନା କରି ନପାରି ଏକଦା ଧୀରୁ ଭାଇ ଅମ୍ବାନୀଙ୍କୁ ‘ସନ୍ଡେ ଅବ୍ଜର୍ଭର୍’କୁ ବନ୍ଦ କରିବାକୁ ପଡିଥିଲା । ସେ ସମୟ ଓଲଟି ଯାଇଛି । ଆଜି ମାଲିକ ହିଁ ସମ୍ପାଦକ ଓ ସାମ୍ବାଦିକ । ବାକି ସମସ୍ତେ କେବଳ ନାମହୀନ ଡିଟିପି ଅପ୍ରେଟର୍ ମାତ୍ର । ଟେଲିଭିଜନ୍ରେ ମଧ୍ୟ ଆମେ ଯେଉଁ ଚର୍ଚ୍ଚିତ ଚେହେରାମାନଙ୍କୁ ଦେଖୁଛୁ ସେମାନେ କେବଳ ମୁଖା । ସେମାନେ ଆଉ କାହାର ସ୍ୱରକୁ ନିଜ କଣ୍ଠରେ ଉପସ୍ଥାପନ କରୁଛନ୍ତି ମାତ୍ର । ମୁହଁ ଓ ମୁଖାର ଏହି ଷଡଯନ୍ତ୍ର ଭିତରେ ଗଣମାଧ୍ୟମର ସ୍ୱାଧୀନତା ଏକପ୍ରକାର ଦରମଲା ଅବସ୍ଥାରେ ପଡି ରହିଛି ।
ଓଡିଶାରେ ପ୍ରତିବର୍ଷ କିଛି ନୂଆ ଖବରକାଗଜ ବାହାରୁଛି ଓ ନୁଆ ଟେଲିଭିଜନ୍ ଚ୍ୟାନେଲ୍ ମଧ୍ୟ ଆରମ୍ଭ ହୋଇଛି । ନିଜର ରାଜନୈତିକ ପତିଆରାକୁ ଜାହିର କରିବା ପାଇଁ ନେତାମାନେ ଓ ବ୍ୟାବସାୟିକ ଲାଭ ପାଇଁ ବ୍ୟବସାୟୀମାନେ ଗଣମାଧ୍ୟମକୁ ପ୍ରବେଶ କରୁଛନ୍ତି । ତେବେ ଏଥିରେ ଗଣମାଧ୍ୟମର ମାନ, ପ୍ରତିଷ୍ଠା ଅବା ପ୍ରଭାବ କାଣିଚାଏ ମଧ୍ୟ ବଢ଼ୁନାହିଁ । ଅଧିକ ବେତନଭୋଗୀ ସାମ୍ବାଦିକଙ୍କ ସଂଖ୍ୟା ବଢ଼ିଛି । ହେଲେ ନିର୍ଭୀକତା, ସ୍ୱାଧୀନ ଚିନ୍ତା, ସୃଜନଶୀଳ ବିଚାର ଓ ଖବର ପରିବେଷଣରେ ନୂତନତା ଆସୁନାହିଁ । କୋଉଠି ନା କୋଉଠି ଏକ ସ୍ୱେଚ୍ଛାକୃତ ଦାସତ୍ୱ ବରଣ କରିବା ପାଇଁ ଆମେ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ବୋଲି ଭାବି ନେଇଛୁ । ଅସଲ କଥା ହେଉଛି ଆପେ ବଞ୍ଚିଲେ ବୋପାର ନାଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଦାୟିତ୍ୱ ତୁଲାଇବାର ଆଦର୍ଶ କଥା କିଏ ଚିନ୍ତା କରିବ ? ଏଠି ବ୍ୟବସାୟ ଓ ଲାଭ ବଡକଥା । ଟିଆର୍ପି ବଢ଼ିଲେ ବିଜ୍ଞାପନ ରାଜସ୍ୱ ବଢ଼ିବ । ସାମ୍ବାଦିକତାର ନୀତି ଓ ଆଦର୍ଶକୁ ଧରିବସିଲେ ଟିଆର୍ପି ବଢ଼ିବ ନାହିଁ ବୋଲି ଆଉ ଏକ ଭୟଙ୍କର ଅନ୍ଧବିଶ୍ୱାସ ଆମର ସବୁ ସାମ୍ବାଦିକଙ୍କ ପାଖରେ ରହିଛି । ତେଣୁ ଆମେ ଚିତ୍କାରକୁ ଖବରର ସବୁଠୁ ବଡ ପ୍ରାଚୁର୍ଯ୍ୟ ବୋଲି ଭାବୁଛୁ । ବେଳେବେଳେ ଧାର୍ମିକ ଉନ୍ମାଦନା ସୃଷ୍ଟି କରିବା ଭଳି ସାମ୍ପ୍ରଦାୟିକ କାର୍ଯ୍ୟ କରିବାରେ ଆମ ସାମ୍ବାଦିକମାନେ ପଶ୍ଚାତ୍ପଦ ହେଉନାହାନ୍ତି । ଟେଲିଭିଜନ୍ ସାମ୍ବାଦିକଙ୍କର କାଣ୍ଡଜ୍ଞାନ ସତେ କି ଚୁଲି କୁ ଯାଇଛି । ଏହି ସ୍ଥିତିରେ ଆମର ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଦାୟିତ୍ୱ କେମିତି ତୁଲାଇବ ତାହା ଇଶ୍ୱର ଜାଣନ୍ତି ।