ନିରବ ରହିବାର ବେଳ ନୁହେଁ ଇଏ
ମୁଁ ଜାଣେ, ହୁଏତ ତୁମେ ବି ଜାଣ ।
ଅଥଚ, ନିରବତାର କୁହୁଡିଟିଏ
ବେଢ଼ିରହିଛି ଆମ ଦୁହିଁଙ୍କୁ,
ଯେମିତି ଆମେ ଦୁହେଁ ପ୍ରାର୍ଥନାରତ
କେଉଁ ଏକ ପ୍ରାଚୀନ ଉପାସନାସ୍ଥଳୀର
ଜୀର୍ଣ୍ଣ ଗର୍ଭଗୃହରେ ଏବେ, ଯେଉଁଠି
ଚୁପ୍ ରହିବା ବିଧେୟ ।
ଏବେ, ସ୍ତୁତିଗାନ ଭିନ୍ନ
ପ୍ରତିଟି ଉଚ୍ଚାରଣ ରାଜଦ୍ରୋହ
ଓ ଯାହା ଅବଧାରିତ ନୁହେଁ
ସେ ସବୁ ଶବ୍ଦର ପ୍ରୟୋଗ ନିଷେଧ...
ଏବେ, ଆମେ ସମସ୍ତେ
କେବଳ ଜୟଘୋଷ କରୁଥିବା
ମେରୁଦଣ୍ଡହୀନ ଭିଡଟିଏର
ଅଂଶ ହେବାକୁ ବାଧ୍ୟ ।
ଯୁଗେ ଯୁଗେ, ଏମିତି ଭିଡସବୁ ହିଁ
ସୁରକ୍ଷାକବଚ ପାଲଟିଯାଆନ୍ତି
ଅହଂକାରୀ ଶାସକମାନଙ୍କର ।
ସଭ୍ୟତାସବୁର ଶେଷରେ,
ଏଇମାନେ ହିଁ ବଞ୍ଚିରହନ୍ତି
ଶବଦାହ ପାଇଁ...
ଏବେ, ଶବଦାହର ବେଳ ନୁହେଁ ।
ଏ ସମୟ ନିରବ ରହିବାର ନୁହେଁ...
ମୁଁ ଜାଣେ,
ତୁମେ ବି ଜାଣ ହୁଏତ !
ଅଥଚ...