ଦୁର୍ଘଟଣା

ଦୁର୍ଘଟଣା

ମୋ ପାପୁଲିରୁ ଗୋଟେ ଗାର ପଳେଇଚି ଖସି
ବାହାନଗା
ତାର କି କାମ ସେଠି?
ସେଠି ତ ରେଳ କର୍ମଚାରୀ ଖଟୁଚଂତି ଅନବରତ
ସେଠି ତ ଶବମାନଂକୁ ଦିଆଯାଇଚି ଦି ଚାରିଟା ଘର
ସେଠି ତ ସରକାରଂକ ପଦାଧିକାରୀ ଜମେଇଚଂତି ଭିଡ଼
ସେଠି ତ ସିବିଆଇ ଖୋଜୁଚି ଅସଲ ଚେର
ଆଉ ଦୁଇମାସ ଭିତରେ ସିଏ ଦେବ ରିପୋର୍ଟ ତାର
(ଯଦିଓ ବାବୁ ଜାଣିଚନି କୋଉଠି ଲୁଚିଚି ବଦମାସ୍ କାଂଡକାର !)
ସେଠି ତ ଖବରକାଗଜର ପ୍ରତିନିଧି ମହଜୁଦ
ପ୍ରତିଦିନ ଲୋମହର୍ଷକ ଦୃଶ୍ୟ, ନୂଆନୂଆ ଖବର
ସେଠି ତ ଷ୍ଟ୍ରେଚର ଧରି ଛିଡ଼ାହେଇଚଂତି ଯେ ଯାହାର ଈଶ୍ୱର
ସେଠି ତ ରକ୍ତଦବାକୁ ଧାଡ଼ିବାଂଧିଚଂତି କେତେ ସ୍ଵେଚ୍ଛାସେବକ
ନାନା ଦିଗର ନାନା ବର୍ଣ୍ଣର 
ସେଠି ତ ରତ୍ନଭଂଡାର ଖୋଲାଯାଇଚି ଓଷଦର
ସେଠି ତ ଲୋକଚିହ୍ନଟ କରିବାକୁ ଆସିଯାଇଚଂତି ପରିବାର
ସେଠି ତ ପରିବାର ପିଛା ଦିଆଯାଉଚି ସାଂତ୍ବନା- ଅନୁଦାନ
ସେଠି ତ ମିଳିତ ସରକାରର ଏକମତ ଯେ
ମରିଥିବା ଲୋକଂକ ପରିବାର ଥଇଥାନ
ସେଠି ତ ଖାଇବାପୁଡ଼ା ଓ ପାଣିବୋତଲ ଧରି ଠିଆ ହେଇଚଂତି କଂପାନୀଦଳ
ସେଠି ତ ଲୁଗା ଓ ଆଧାର କାର୍ଡ ନେଇ ଅପେକ୍ଷା କରିଚଂତି
ଶେଷ ବଂଶଧରମାନେ 
ସେଠି ତ ହୁତୁହୁତିଆ ଖରାରେ ବର୍ଷୁଚି ଲୁହ
ସେଠି ତ ମାଛିଏ କରୁଚଂତି ନୀରବ ପ୍ରାର୍ଥନା ଲଗାତର୍
ସେଠି ତ ପ୍ରତି ମୁହୂର୍ତ୍ତରେ ଜଳୁଚି ଦୀପ 
ସେଠି ତ ଅଳ୍ପ ସମୟ ପାଇଁ ହଉପଛେ ଭୁଲିଯାଇଚଂତି ଯୁଦ୍ଧ
ପାଶୋରିଯାଇଚଂତି ଈର୍ଷା ହିଂସା ଦ୍ୱେଷ 
(ଭଲପାଇବାର ରଂଗ ନଥାଏ ତ ଏଇ ତା ପ୍ରମାଣ ପୁଣି ଚାକ୍ଷୁଷ !)
ସେଠି ତ ଜୀବନକୁ ବାଜିଲଗେଇ କାଢୁଚଂତି ଛେଚାମୁଂଡ 
ଅଧା ଗୋଡ଼ହାତ ଚେପା ମୁହଁ ଅଂତବୁଜୁଳାର ମାଳ,
ଅସୀମ ଧୈର୍ଯ୍ୟ ମଣିଷର !
ହେ ପ୍ରଭୁ ରକ୍ଷାକର ! ଡାକରେ ଲୁଚିଲେ ଦେବୀଦେବତାଏ
ଏଇଟା ଥିଲା ବିଶେଷ ସମାଚାର।

କିଛି ସମୟ ସ୍ତଂଭକାରମାନେ 
କିଛି ସମୟ ବିତର୍କବାଲାଏ
କିଛି ସମୟ କବି, ନାଟ୍ୟକାର ଓ ଗାଳ୍ପିକ
କିଛି ସମୟ ବିଭାଗୀୟ ମଂତ୍ରୀ,ଯଂତ୍ରୀ ଓ ପୁଲିସି
ବାହାନଗାକୁ କରିଦେଲେ ହଗାନଗା
ଯିଏ ପାଇଲା ଯୋଉପଟୁ ଧରିଲେ ଚୁଟି,ଡେଣା
କଥାନସରୁଣୁ ସଂଗୀତ ତିଆରିହେଇଗଲା ବାଟରେ
ପୁନର୍ଜନ୍ମକୁ କେହିକେହି ନାଟ୍ଯରୂପଦେଇ କଲେ ସିନେମା
ପାଖାପାଖି ପାଁଶ ବର୍ଷ ପରେ !
ବାହାନଗା ଭୁଲିଗଲା ସେ ଥିଲା ବାହାନଗା ।

ସର୍ଚ୍ଚ୍ ଲାଇଟ୍ ପରି 
ମୁଁ ଖୋଜୁଥିଲି କିଂତୁ ଖସିପଳେଇଥିବା ମୋ ପାପୁଲିର ଗାରକୁ,
ତାର କି କାମପଡ଼ିଚି ଏ ହୋହଲ୍ଲା ଭିତରେ !
ଦଳେ ଦୌଡ଼ିବା ଆରଂଭକଲେ ଠିକ୍ ଏତିକିବେଳେ ଶବ ଘରକୁ 
ତ ଧାଇଁଲି ତାଂକ ସ' ମୁଁ !
ଦେଖିଲି,ଭିଡ଼ିଆଣୁଚି ସେ ଶବଗଦାରୁ
'ବଂଚିଚି' କହୁଥିବା ଗୋଟେ ମଣିଷ ହାତକୁ !!
**