ଅଭୟ କୁମାର ପାଢୀଙ୍କ କବିତାକୁ ନେଇ ଏକ ଅସମ୍ପୂର୍ଣ୍ଣ ଚର୍ଚ୍ଚା-୨
(୨)
"ଋତୁ ପ୍ରତି"ର ଅଭୟ ପାଢୀ
ଏବେ ଆମେ ଆସିବା ‘ଋତୁପ୍ରତି’ କବିତା ସଙ୍କଳନକୁ । ଏ ସଙ୍କଳନର ପ୍ରଥମ ୧୦ଟି କବିତା ହେଲା ଋତୁପ୍ରତି-୧ରୁ ୧୦ ଯାଏଁ । ଶେଷତମ କବିତାଟି ଅସମ୍ପୂର୍ଣ୍ଣ । କବିଙ୍କର ତରଳ ମନକୁ ଏଠି ଭେଟି ହେବ । ଜଣେ ଏହାକୁ ସୁଦୁ ପ୍ରେମ କବିତା ଭାବି ପଢିପାରେ । ଏଠି ପ୍ରେମ ହେଲା ମୂଳ । ସେ ପ୍ରେମ ପ୍ରେମିକା ଲାଗି ହେଉ, ଇଶ୍ୱର ଲାଗି ହେଉ ଅବା ଋତୁପ୍ରତି ହେଉ । ସେ ଋତୁକୁ ମାଧ୍ୟମ କରି ପ୍ରେମର ପରିପ୍ରକାଶ ହେଉ । ଏଠି କବିଙ୍କ ମସ୍ତିଷ୍କ ଅପେକ୍ଷା ତାଙ୍କ ହୃଦୟ ସହ ଆପଣଙ୍କର ଭେଟ ହେବ । ଏଠି କିଛି କବିତାରେ ପ୍ରେମୀ ମଣିଷଠି ତେଜି ଦେଇଛି ତାର ଅହଂ । ନିଜ ଅସ୍ମିତାକୁ ସତେ ଯେମିତି ମିଟେଇ ଦେବାକୁ ଚେଷ୍ଟା କରିଛି । । ପ୍ରେମରେ ଏକ ସମର୍ପଣ ଭାବ ଅଛି । ଋତୁପ୍ରତି-୫ରେ କବିଙ୍କ ସମର୍ପଣ ଦେଖନ୍ତୁ- “ତୁମ ଦେହ ପାଲଟିଯାଏ ଅତଳ ସାଗର / ତୁମେ ମୋତେ ତୁମ କଳ୍ପନାର ନାଆଟିଏ କର/ ଓ ଭସାଇ ନିଅ ତୁମ ଦେହ ଜଳଧିରେ ।” କିନ୍ତୁ ଋତୁପ୍ରତି -୬ ପରେପରେ କିଛି ପ୍ରଶ୍ନ ତାଙ୍କୁ ଘାରୁଛି ଓ ସେ ପ୍ରଶ୍ନ ସବୁ ଅନେକଟା ସାର୍ବଜନୀନ । ଅଭୟ କୁମାର ପାଢୀଙ୍କ ଭିତରେ ଆମେ ନିଜେ ଭେଟୁଥିବା ପ୍ରଶ୍ନକୁ ପ୍ରତକ୍ଷ୍ୟ କରିପାରିବା । ଅଭୟ ପାଢୀଙ୍କ ଭିତରେ ଏକ ତର୍କାତୁର ପ୍ରାଣଟିଏ ଚିରକାଳ ବସା ବାନ୍ଧିଥାଏ । ତାଙ୍କର ପ୍ରଶ୍ନକୂଳତାକୁ ଏଠି ବି ଦେଖିହେବ । ଦେହ, ମନ ଓ ଆତ୍ମାକୁ ନେଇ ତାଙ୍କର ପ୍ରଶ୍ନ ସବୁ ଏ କବିତାରେ ଭେଟି ହେବ । ତୁମମୟତା ଭିତରେବି ତାଙ୍କୁ ଯେଉଁସବୁ ପ୍ରଶ୍ନ ଅଥୟ କରିଛି ସେସବୁ ଆମକୁବି ଅଥୟ କରିବ । ଋତୁପ୍ରତି-୭ରେ କବିଙ୍କ ପ୍ରଶ୍ନକୁ ଭେଟନ୍ତୁ-“ ଦେହ ଯଦି ଗଛଟିଏ ଅବା ଲତାଟିଏ / ଦେହ ଯଦି ଆଧାର ମାତର / ଦେହ ଯଦି ଡ଼ାଳ ଡ଼େମ୍ଫ ଓ ଫୁଲରେ ସଜ୍ଜିତ ଏକ କରୁଣ ଓଲଟ ବୃକ୍ଷ/ ମନ କଣ ଫୁଲର ସୁବାସ ଅବା ଫୁଲର ପରାଗ ରେଣୁ, ସୁନେଲି କେଶର?” ଋତୁପ୍ରତି-୯ରେ କବି କୁହନ୍ତି-“ ମନକୁ ଦେଖିବା ପାଇଁ / କେବଳ ମନଟିଏ ଲୋଡ଼ା ହୁଏ / ମନର ଉର୍ଦ୍ଧ୍ୱରେ କ’ଣ ଆଉ କିଛି ଥାଏ?” ଜନ୍ମାନ୍ଧର ଇନ୍ଦ୍ରଧନୁ ବର୍ଣନା ସଂକଳନର ଗୁରୁଗମ୍ଭୀରତା ଏଠି ଦେଖିବାକୁ ମିଳିବ ନାହିଁ । କିଛି ତୁମମୟ ପଣର ତରଳତା, ସମର୍ପଣ ଓ କିଛି ପ୍ରଶ୍ନ ତଥା ଦ୍ୱନ୍ଦ୍ୱ । ତଥାପି ବେଳେବେଳେ ସେ ତୁମମୟତାରେ ହଜିଯିବାକୁ ନେଇ ତାଙ୍କ ଭିତରେ କିଛିଟା ଅସମଂଜସତା ଦେଖିବାକୁ ମିଳେ । ଋତୁପ୍ରତି-୬ ରେ ଦେଖନ୍ତୁ-“ ଯଦିଓ ମୁଁ ସାନ ନାଆଟିଏ ଥିଲି ତୁମ ଦେହ ପାରାବାରେ/ ମୁଁ ଥରେଥରେ ଦ୍ୱୀପଟିଏ ଅବା ଅନପ୍ତରୀପଟାଏଁ ହେଇଯାଏ ତୁମ ଦୁଇ ଆଖିର ହ୍ରଦରେ ।”
ସଙ୍କଳନର ଦ୍ୱିତୀୟ ଭାଗ-ଉତ୍ତରାର୍ଦ୍ଧ / ଅନ୍ୟାନ୍ୟ ନାମରେ ଯାଗା ପାଇଛି ।
ଆମ ଭିତରୁ ଅନେକେ ଅନେକ ସମୟରେ ଫେରିଯିବାକୁ ଚାହୁଁ ମାଆର ଜରାୟୁକୁ ଯାହା ଆମକୁ ଲାଗିଥାଏ ସବୁଠୁ ବେଶି ସୁରକ୍ଷିତ । ବଡ଼ ହେଲା ପରେ ଆସୁଥିବା ଅନେକ ଝଡ଼ ଝଂଜା ବେଳେ ଆମେ ଫେରିଯିବାକୁ ଚାହୁଁ ମା ପାଖକୁ । କବିତାଟି ମା ଚାଲିଗଲା ପରର ସନ୍ତାପରେ ଜଡ଼ସଡ଼ । ଯେଉଁ ବୟସରେ ହେଉପଛେ ମାଆର ନ ରହିବାର ଅର୍ଥ ହେଲା- ପୃଥିବୀ ପୂର୍ବବତ ହେଇ ରହେନାହିଁ ଅନ୍ତତଃ ମା ହରେଇଥିବା ବ୍ୟକ୍ତିଟି ଲାଗି । ସେ ଭାବଟିକୁ ଅଭୟ କୁମାର ପାଢୀ ଯେଉଁପରି କିଛି ମାର୍ମିକ ଧ଼ାଡ଼ିରେ ଧରିଛନ୍ତି, ଜାଣିବା ଲାଗି ପଢନ୍ତୁ ‘ମା’ ଶୀର୍ଷକର କବିତାକୁ । “ ମା ଦେଖ୍ , ତୋ ଆଖି କରୋଡ଼ର ଦୀପ ସଳିତାକୁ ତେଜି ଦେଖ୍ / ମୁଁ କେମିତି ଅସମର୍ଥ ବୋହିବାକୁ /ଶେଷଯାତ୍ରା ଓ ଶ୍ମଶାନ ପର୍ଯ୍ୟନ୍ତ ତୋର ସଗ୍ୟାଁହୀନ ଚଉରାଶିକୁ । ମା, ପାରିବୁ ଯଦି ଫେରାଇ ନେ/ ମୋର କୃତ୍ରିମ ଆଲୋକରେ ଝଲ୍ ମଲ୍ ସାମ୍ରାଜ୍ୟରୁ /ତୋ କୁକ୍ଷିର ପ୍ରଶାନ୍ତ ଅନ୍ଧାରକୁ ।”
ପରବର୍ତ୍ତୀ ଦୁଇଟି କବିତା ହେଲା- ‘ପକ୍ଷୀ ପାଇଁ ଗୀତ ଟିଏ’ ଓ ‘ବାର୍ଦ୍ଧକ୍ୟରେ ନିଜ ଚିତ୍ର’ । ଗୋଟିଏ ବୟସରେ ବୋଧେ ଆମ ସଭିଙ୍କୁ ମୃତ୍ୟୁ ନାମକ ଚିରନ୍ତନ ସତ୍ୟଟି ନିଜ ନିଜ ଢଂଗରେ ଘାରିଥାଏ । କବିତାର ଗୋଟିଏ ଧାଡ଼ି-“ଯଂଜାଳର ଯନ୍ତ୍ରଣାରେ ଛନ୍ଦା ଛଟପଟ ପକ୍ଷୀ ଜାଣେ ଶ୍ମଶାନହିଁ ଶେଷ ସ୍ଥାନ / ସେଇଠି ନିର୍ବାଣ / ଶ୍ମଶାନହିଁ ଚିର ବୃନ୍ଦାବନ / ନନ୍ଦନ କାନନ(ପକ୍ଷୀ ପାଇଁ ଗୀତଟିଏ) ।” ‘ବାର୍ଦ୍ଧକ୍ୟରେ ନିଜ ଚିତ୍ର’ କବିତାର ଆଉ ଗୋଟିଏ ଧାଡ଼ି ଦେଖନ୍ତୁ- “ ପାଉଁଶିଆ ରଂଗର ସଂଚିତ ହତାଶା ଯୁବା ବେଳର/ ଦିନଲିପିର ଚିରାଫର୍ଦ୍ଧ ହେଇ ଖସୁଛି/ ଫୁଲ, ସିନ୍ଦୁର ଓ ଅଳତାରେ ସଜା ଦେଶାଂତରୀ ପ୍ରେମିକା, ବନ୍ଧ୍ୟା ପତ୍ନୀ/ ଅବା ନିଲ୍ଲଜ ରକ୍ଷିତାର ଶବାଧାର ଉପରେ/ ନିଜ ନିର୍ବାସିତ ଯୌବନର ଘୁଣଖିଆ କାଠଖମ୍ବ ଛିଡ଼ା ହେଇଛି ବିଧୁର ବେଶରେ/ ଶ୍ମଶାନର ଅଦୃଶ୍ୟ କୋଣରେ ।”
କବିଙ୍କ କବିତାରେ ବାହ୍ୟ ପୃଥିବୀ କମ ମଣିଷର ଅଭ୍ୟନ୍ତରରେ ଚାଲୁଥିବା କଥାଗୁଡ଼ିକ ବେଶି ଯାଗା ପାଇଛି । ଲାଗିବ କବି ନିଜେ ହିଁ ଅଛନ୍ତି ସବୁଠି । ପ୍ରଶ୍ନ ହେଲା କବି ସମାଜରେ ଥିବା ବିଭିନ୍ନ ବର୍ଗ ବିଭିନ୍ନ ସମୁଦାୟର କ’ଣ ପ୍ରତିନିଧିତ୍ୱ କରୁଛନ୍ତି । ନା ସେ ଏକ ନିର୍ଦ୍ଧଷ୍ଟ ବର୍ଗରହିଁ ପ୍ରତିନିଧିତ୍ୱ କରୁଛନ୍ତି? କବିତା ପଢିଲେ ବୁଝି ହେବଯେ ‘ମୁଁ’ ଟିର ପ୍ରତିନିଧିତ୍ୱ ବେଶୀ । ସେଥିରେ ଅସୁବିଧା ନାହିଁ କିନ୍ତୁ ସେ ‘ମୁଁ’ଭିତରେ କେତେ ଲୋକ, କେଉଁ ବର୍ଗର ଲୋକ ନିଜକୁ ଦେଖିପାରିବେ, ନିଜକୁ ଭେଟିପାରିବେ ସେ ହେଲା ଅସଲ । ଚାଲନ୍ତୁ ସେ ପ୍ରତିନିଧିତ୍ୱ କରୁଥିବା ବର୍ଗର ଅଭ୍ୟନ୍ତରକୁ ଦେଖିବା । କବି କହୁଛନ୍ତି ଚିତ୍ରକରକୁ ଯେ - “ଚିତ୍ରକର ଅଭ୍ୟନ୍ତରର ଚିତ୍ରାଙ୍କନ ଅତ୍ୟନ୍ତ କଠିନ/ ଅଭ୍ୟନ୍ତରର ଚିତ୍ର ପ୍ରଦର୍ଶନ ପାଇଁ ନୁହେଁ ଚିତ୍ରକର / ରୂପରେଖ ଆକୃତି ବିକୃତିକୁ ଅନୁଭବ କର( ଚିତ୍ରାଙ୍କନ) ।” କବି ଭିତରେ ସାରାଜଗତ ଲାଗି ମଂଗଳ ଓ ଆଶ୍ୱସନା ଖୋଜିବାର ଅଭିପ୍ସା ଆମେ ଦେଖୁ । ‘ଦ୍ରୁମ’ କବିତାରେ କବି କହୁଛନ୍ତିି-“ପୂର୍ବାପର ସମ୍ପର୍କ ଥାଉ ନ ଥାଉ / ମାତ୍ର ପ୍ରତି ଡ଼ାଳରେ ଥାଉ ବିହଂଗ ପାଇଁ ନୀଡ଼ / ସରୀସୃପ ପାଇଁ କୋଟର/ ବାନର ପାଇଁ କ୍ରୀଡ଼ାଶାଳ / ଆରୋହୀ ପାଇଁ ସୋପାନ / ପଥିକ ଲାଗି ଆଶ୍ୱସନାର ଛାଇ / ଅମିତାଭ ପାଇଁ ବୁଦ୍ଧତ୍ୱ ପ୍ରାପ୍ତିର ବିଶ୍ୱସନୀୟ ଅଲୈାକିକ ବ୍ୟବସ୍ଥା ।” ଶେଷ ଧାଡ଼ିରେ କହୁଛନ୍ତି-“ ପୂର୍ବାପର ସମ୍ପର୍କ ନଥିଲେ ନଥାଉ / ଶାସ୍ୱତ ଦ୍ରୁମଟିଏ ଥାଉ ସବୁରି ଭିତରେ ନିରନ୍ତର ।” କବି ଏଠି ଏମିତି ଏକ ଉଦାର ମଣିଷର କଳ୍ପନା କରୁଛନ୍ତି ଯା ଭିତରେ ସଭିଙ୍କ ଲାଗି ଯାଗା ଥିବ । ଏମିତି ସମାବେଶୀ ଚରିତ୍ରର ମଣିଷଙ୍କ ଅଭାବରେ ଆମ ପୃଥିବୀଟି ଆଜି ବଡ଼ ଦାରୁଣ ଲାଗୁଛି । ସେଇ ଧାରାରେ ଆଉ ଏକ କବିତା ହେଲା ‘କାନ୍ଥ’ ଯେଉଁଠି କବି ଆମ ଭିତରେ ଥିବା ଓ ଉଠାଯାଉଥିବା କାନ୍ଥ ଗୁଡ଼ିକୁ ଭାଂଗିବା କଥା କହୁଛନ୍ତି । କବିଙ୍କ କଳ୍ପନା କାନ୍ଥ ଭଂଗାରୁ ଆଗକୁ ବଢିଯାଉଛି, ଯେଉଁଠି ସେ କହୁଛନ୍ତି କାନ୍ଥ ମାନଙ୍କ ଚାଲିବା କଥା । କାନ୍ଥମାନଙ୍କୁ ଗୋଡ଼ ଦେଉଛନ୍ତି କବି । କାନ୍ଥ କବିତାରେ କବି କହୁଛନ୍ତିି-“ କାନ୍ଥକୁ ଉସ୍ଛାହିତ କର ନଗ୍ରଜନେ / ଆଦେଶ ଅମାନ୍ୟ ହେଉ ବାହୁବଳୀ ଛତ୍ରପତିଙ୍କର / ଚାଲିବା ଆରମ୍ଭ କରୁ, ପାହୁଣ୍ଡ ପକାଉ କାନ୍ଥ ବିଳୟ ହେବା ପୂର୍ବରୁ ସଚରାଚର / ସମଗ୍ର ସଂସାର ।”
‘ଖେଳ’ ଓ ‘ନୂଆ ଖେଳ’ ନାଁରେ ଥିବା କବିତା ଦୁଇଟି ପଢନ୍ତୁ ଜାଣିବେ କବି ଅଭିଜାତ ଜୀବନରୁ ମୁକୁଳିଯିବାକୁ କହୁଛନ୍ତି । ମୁଖାହୀନ ମଣିଷ ହେବାର କଥା କହୁଛନ୍ତି । ସେ ଏକଥା କହିଲା ବେଳେ ଆମକୁ ଯେତେ କହୁଛନ୍ତି, ତାଠୁ ବେଶି ନିଜକୁ କହୁଛନ୍ତି । ମତେ ଲାଗେ ଅଭୟ କୁମାର ପାଢୀ ମୁକଳିଯିବାର ପ୍ରତିଶ୍ରୁତି ଯାହା ନିଜକୁ ବହୁ ଆଗରୁ ଦେଇଆସୁଥିବେ ସେ ଦିଗରେ କାମ ଆରମ୍ଭ କରିଦେଇଥିଲେ । ମୁକଳିଯବାକୁ କସରତ କଲାବେଳେ ହିଁ କାଳ ତାଙ୍କୁ ନେଇଗଲା । ଏ ଦୁଇ କବିତାର କିଛି ଧାଡ଼ି ଆପଣଙ୍କ ସାମ୍ନାରେ-“ ପରିତ୍ୟାଗ କର ଦଂଡ଼ କୋଦଂଡ଼/ ଥରେ ବାହାରି ଆସ ଆସନରୁ/ ଚାରି କାନ୍ଥର ଚୈାହଦୀରୁ / ଋତୁ ନିୟନ୍ତ୍ରିତ ଗଂଭୀରା ଭିତରୁ / ଚିର ବସଂତର ସାମ୍ରାଜ୍ୟରୁ / ଆଦୌ ଘାସ ନ ଥିବା ଖେଳ ପଡ଼ିଆକୁ ଯେଉଁଠି / ଜୀବନ ରେଖା ଛୁଇଁବାକୁ / ପ୍ରତି ହାତ ପ୍ରତି ପାପୁଲି ପ୍ରତି ଆଂଠୁ ବ୍ୟଗ୍ର ଉଦଗ୍ର/........ବିପକ୍ଷରୁ ମୁକ୍ତି ପାଇଁ ଏଇତ ଗୋଟିଏ ବାଟ / ଆସ ସାମିଲ ହେଇଯାଅ ଭିଡ଼ ଭିତରେ/ ଦେଖିବ ଖେଳର ମଜା ।”
ଅନ୍ୟ କବିତାରେ କବି ବିଲିଆର୍ଡ଼ରୁ ବାଗୁଡ଼ି ଖେଳକୁ ଆସିବାକୁ କହୁଛନ୍ତି । ବିଲିଆର୍ଡ଼ ଆଭିଜାତ୍ୟର ପ୍ରତୀକ । ବାଗୁଡ଼ି ଏଠି ସାଧାରଣ ମଣିଷ ସହ ଜଡ଼ିତ ଏକ ଖେଳ । କବି ଲେଖୁଛନ୍ତି-“ ବିଲିଆର୍ଡ଼ ଖେଳରେ ଲାଭ ନା ଲୋଭ / ମଖମଳି ସବୁଜ ଗାଲିଚାରେ ନା ବଳଦ ଚରେ ନା କହୁଣିରୁ ରକ୍ତ ଝରେ / ନା ଦୁବ ଘାସ ଉପରେ ବାସ ଚହଟେ ଶିଶିରର...../ ଏଥର ବାଗୁଡ଼ିର ନୂଆଁ ଖେଳରେ/ ପାପୁଳିରୁ କହୁଣୀରୁ ଝରୁଥିବା ରକ୍ତ/ ପ୍ରତି ଶିଶିର କଣକୁ ରକ୍ତାକ୍ତ ଲୋହିତ କରୁ / ସେଥିରେ ତ ଜୀବନ ନିହିତ ।” ବାଗୁଡ଼ି ଖେଳ ଲାଗି କବି ପ୍ରସ୍ତୁତ ହେଉଥିଲେ । ସେଠୁ ପୁଣି କବି ଯାଉଛନ୍ତି ‘ପଶାଖେଳ’କୁ । ବାଗୁଡ଼ି ଖେଳ କଥା କହୁଥିବା କବି ପୁଣି କହୁଛନ୍ତି-“ ପଶାଖେଳ ଜାରି ରହୁ ଦିନ ରାତି ନିରନ୍ତର ।” ବାଗୁଡ଼ିରୁ ପଶାଖେଳକୁ ଯାଇ ସୂଚ୍ୟଗ୍ର ମେଦିନୀ କଣ ସବୁ କିଛି ଦେଇଦେବାକୁ ପ୍ରସ୍ତୁତ କବି କହୁଛନ୍ତି ସବୁ ନିଅ କିନ୍ତୁ ସେମାନେ ରହୁନ୍ତୁ । ପ୍ରତିପକ୍ଷଟି ଲାଗି ନିଜ ଭିତରେ ଯାଗା ରଖିଛନ୍ତି କବି । କହୁଛନ୍ତିି –“ଶତ୍ରୁଶୂନ୍ୟ କରନାହିଁ ଧରାକୁ / ପଦାନତ କରନାହିଁ ପ୍ରତିପକ୍ଷର ପଦାତିକ ଅଶ୍ୱାରୋହୀ/ ଗୁଣବନ୍ତ ଧନୁର୍ଦ୍ଧର ସାମଂତଙ୍କୁ / ପଦଚ୍ୟୁତ କରନାହିଁ ସିଂହାସନ ପିପାସୁ କବନ୍ଧଙ୍କୁ ।” ପ୍ରଥମ ସଙ୍କଳନ ପରି କବି ଏଇ ସଙ୍କଳନରେବି ରାଜତନ୍ତ୍ର ସହ ଜଡ଼ିତ ଶଦ୍ଦାବଳୀ, ପ୍ରତୀକ, ଚିତ୍ର ଭିତରେ ବୁଲିବା ଦେଖିପାରିବେ । ଏଇ ବୋଧେ କବିଙ୍କ ଅଭ୍ୟନ୍ତର ଯେଉଁଠି ସେ ଅଧିକତମ ସମୟ ଚାଲବୁଲ କରନ୍ତି । । ନିଜ ଜୀବନ ଓ ଜିଜିବୀଷାର କଥା କହିଲା ବେଳେ ସେ ଏଇସବୁ ଶବ୍ଦାବଳୀଙ୍କୁ ପାଥେୟ କରିଛନ୍ତି । କବି ନିଜର ବୃତ୍ତିଗତ କାରଣରୁ ଭାରତର ଅନେକ ଯାଗା ବୁଲିଛନ୍ତି । ଅନେକ ଜାତି / ସମୁଦାୟ /ଧର୍ମ ଓ ଭାଷାର ଲୋକଙ୍କ ଜୀବନକୁ ଦେଖିବାର ଅବସର ପାଇଛନ୍ତି । କିନ୍ତୁ ସେ ଯେଉଁ ବିବିଧତାର ପ୍ରତକ୍ଷ୍ୟ କରିଛନ୍ତି, ସେସବୁ କବିତାକୁ ଆସିଲା ନାହିଁ କାହିଁକି? ସାମାଜିକ ଜୀବନର କଥା କହିବା ଲାଗି ଅନ୍ୟ ଶଦ୍ଦାବଳୀ ବ୍ୟବହାର କରାଯାଇପାରିଥାନ୍ତା । ଆମ ଅଭିଜାତ ବର୍ଗ ଓ ଉଚ୍ଚ ମଧ୍ୟବିତ୍ତ ଜୀବନ ବୋଧେ ସେଇ ସାମନ୍ତୀ ଚିନ୍ତା ଓ ଶଦ୍ଦାବଳୀରେ ଅଭ୍ୟସ୍ତ ।
ଖୁବ୍ କମ କବି ଥିବେ ଯେଉଁମାନେ ସକାଳର ସ୍ୱପ୍ନ ଦେଖିନଥିବେ । ସେ ସକାଲଟି ଚିରାଚରିତ ସକାଲ ନୁହେଁ । ସେ ସକାଲଟି ସତ୍ୟ ଓ ନ୍ୟାୟର ସକାଲ । ହିଂସାମୁକ୍ତ ଶାନ୍ତିର ସକାଲ । କବି ସକାଲକୁ ଭେଟୁଛନ୍ତି ସକାଲର ଖବରକାଗଜରୁ ଯାହା ବିଭସ୍ଛ । ତେଣୁ ସେସବୁ ବିଭସ୍ଛତା ଥାଉ ଥାଉ ପ୍ରତିଦିନ ଆସୁଥିବା ସକାଲଟି ସେ ସକାଲ ନୁହେଁ । ତେଣୁ କବି ସେ ଅନାକାଂକ୍ଷିତ ସକାଳର ଦାରୁଣ ଚିତ୍ର ଥୋଇଥୋଇ ଶେଷରେ କହୁଛନ୍ତି-“ ପୁନରାୟ କାହିଁକି ସକାଳ ହେଲା / ଅନ୍ଧାର ତ ଖୁବ୍ ଭଲ ଥିଲା, କାହିଁକି ସକାଲ ହେଲା?( ହଠାତ୍ ସକାଳ ହେଲା) ।”
ଏ କବିତା ପୂର୍ବରୁ କବି ଦୁଇଟି କବିତା ଲେଖିଛନ୍ତି ସେ ହେଲା- ‘ନିମ୍ନଗାମୀ’ଓ ‘ନର୍କଗାମୀ’ । କବି କହୁଛି-“ନର୍କହିଁ ସ୍ୱର୍ଗର ଅପ୍ରଭଂଶ, ଅବିଛେଦ୍ୟ ଅଂଶ ।” ସତ୍ୟଟି ଏକରୈଖିକ ନୁହେଁ । କିଛି ବି ବ୍ଳାକ ଏଣ୍ଡ ହ୍ୱାଇଟ୍ ନୁହେଁ । ସ୍ୱର୍ଗ ଭିତରେ ନର୍କ ଓ ନର୍କ ଭିତରେ ସ୍ୱର୍ଗ କେବଳ କବି ଦେଖିପାରେ । ସ୍ୱର୍ଗକୁ ଛି କରିପାରେ କବି । ଏ ସଙ୍କଳନରେ ଆଉ ଦୁଇଟି କବିତା ଅଛି । ଗୋଟିଏ ହେଲା ‘ଯାତ୍ରାରମ୍ଭ’ ଓ ‘ଫେରିବାକୁ ହେବ’ । ପ୍ରଥମ କବିତାରେ କବି କହୁଛନ୍ତି ଅବାଟରେ ଯିବି ଏଥର । ଏ ଅବାଟଟି କଣ? ଶଗଡ଼ ଗୁଳାର ଜୀବନରୁ ଭିନେ ହେବାର ଆହ୍ୱାନକୁ କବି ସ୍ୱିକରୁଛନ୍ତି କି? କବି କହୁଛନ୍ତି-“ ବାଟରେ ମୃତ୍ୟୁନ୍ୱେଷୀ ମଣିଷ ବା ଇଶ୍ୱରଙ୍କୁ ଭେଟିବାର ଅଭିଳାଷ ନାହିଁ ଯେଣୁ/ ଅବାଟରେ ଯିବାକୁ ଦିଅ ଏଥର ।” କବି ବଂଚିଥିଲେ ହୁଏତ ଆମେ କହିପାରିଥାନ୍ତ ଅବାଟରେ ଯିବାକୁ କେହି ଅନୁମତି ଦିଏ ନାହିଁ, ମାଡ଼ିଯିବାକୁ ହୁଏ । ଅନୁମତିର ଅପେକ୍ଷାରେ ରହିଲେ ଅବାଟରେ ଯାଇହୁଏ ନାହିଁ । ଫେରିଯିବା ଲାଗି ପ୍ରସ୍ତୁତ ହେଉଥିଲେ କବି । କବି ଏକ ଅଜବ ପ୍ରାଣୀ ଯିଏ ଫେରିଯିବା ଲାଗି ପ୍ରସ୍ତୁତି ବେଳେ ବି ରହିଯିବାର କାରଣ ପ୍ରତି ମୋହଗ୍ରସ୍ତ ଥାଏ । ସେ ପ୍ରସ୍ତୁତିକୁ ଭେଟିବେ ଏ ସଙ୍କଳନର ଶେଷ କବିତାରେ । ‘ଫେରିବାକୁ ହେବ’ କବିତାରେ କବି ନିଜକୁ କହୁଛନ୍ତି- “ଯା ଉଡ଼ିଯା କ୍ଷିତିଜର ସେ ପାରିରେ ଥିବା ସ୍ୱଳ୍ପ ପ୍ରସସ୍ଥ ସାମ୍ରାଜ୍ୟକୁ / ନିର୍ବିକାର ନିଷ୍ପାପ ଅସ୍ତିତ୍ୱକୁ / ଝାଡ଼ିଦେ ଡ଼େଣା / ଝାଡ଼ିଦେ ମୋହର ଡ଼ାଳ / ଆଶ୍ରାର ବିଶି ଆଂଗୁଠି / ଯା ଉଡ଼ିଯା ଅଂଧାରକୁ ଆଲୋକକୁ / ଉତଳ ଉର୍ଦ୍ଧ୍ୱକୁ ।” ଆସିଛି ଏକା ଯିବି ମୁଁ ଏକା କହିବ ବେଳେ କବିଙ୍କ କବିତାରେ ଆମେ ଦେଖିବାଯେ ଜଣେ ଏକା ଆସିଥାଇପାରେ କିନ୍ତୁ ସେ ଏକା ହେଇ ରହିନଥାଏ । ତେଣୁ ଯିବା ବେଳେ ଏକା ଏକା ଯିବାଟାକୁ ସହଜରେ ଗ୍ରହଣ କରିପାରେ ନାହିଁ । କବି ଏଠି ନିଜକୁ ନିଜେ ବୁଝଉଥିବା ଥିବା ଆପଣ ଦେଖିପାରିବେ ।
ବର୍ଣନା ଉପରେ କବିଙ୍କ ଭରସା ନାହିଁ କିନ୍ତୁ ସେ ବର୍ଣନା କରିବା ଆଗ୍ରହରୁ ନିଜକୁ ମୁକ୍ତ କରିପାରି ନାହାନ୍ତି । ବର୍ଣନାର ସିମୀତତା ବାବଦରେ କିନ୍ତୁ କବି ସଚେତନ । ତାଙ୍କ ମତରେ ସତ୍ୟ ହେଲା ଅନୁଭବର କଥା, ବର୍ଣନାରେ ତାକୁ ଧରି ହୁଏ ନାହିଁ । ଠିକ୍ ସେମିତି କବିଙ୍କ କବିତା ବାବଦରେ ମୋର ଏ ବର୍ଣନାକୁ ସତ ମନେ କରିବେ ନାହିଁ । ନାଟ୍ୟକାର ଓ ସାହିତ୍ୟିକ ଦ୍ୱାରିକା ନାୟକ ଦେଇଥିବା ଦାୟିତ୍ୱ ହେତୁ ମୁଁ ଏ ବର୍ଣନା ଥୋଇଲି ଆପଣଙ୍କ ସାମ୍ନାରେ । ଅଭୟ ପାଢୀ ଗପ ଲେଖିଛନ୍ତି, ଅନ୍ୟ ବହି ମଧ୍ୟ ଲେଖିଛନ୍ତି । ବେତାରରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଅନେକ କଥା କହିଛନ୍ତି ବେତାରରେ । ଅନେକ ସଂସ୍ଥା ଓ ଅନୁଷ୍ଠାନ ସହ କାମ କରିଛନ୍ତି । ତାଙ୍କର ଅନେକ ଅବଦାନ ଅଛି ସେସବୁ ସଂସ୍ଥା ଓ ଅନୁଷ୍ଠାନ ପ୍ରତି । ସେସବୁରୁ ଆମେ ତାଙ୍କର ମୋଟାମୋଟି ବିଚାରଟି ଜାଣିପାରିବା । କିନ୍ତୁ ମୁଁ ଏସବୁ ଏଠି ଚର୍ଚ୍ଚା କରିନାହିଁ । ତାଙ୍କ ବ୍ୟକ୍ତି ଜୀବନ, ବ୍ୟକ୍ତିତ୍ୱ ଓ ସାହିତ୍ୟକୁ ନେଇ ଆଗକୁ ଆହୁରି ଆଲୋଚନାର ସୁଯୋଗ ଅଛି ।
କବିଙ୍କ କବିତା ଆମ ପାଖରେ । ତାଙ୍କୁ ନେଇ ଅନେକ ସ୍ମୁତି ଆମ ପାଖରେ । ତାଙ୍କରି ଭାଷାରେହିଁ ତାଙ୍କ ପାଇଁ ଆଜି ଆମ ମନର କଥା-“ ପ୍ରତି ଘରକଣ ଭଂଗା ଦର୍ପଣରେ / ଅଂଧାରରେ ତୁମରି ଆକୃତି , ତୁମ ପ୍ରତିବିମ୍ବ / କିଏ କହେ ତୁମେ ନାହଁ ଆମରି ପାଖରେ ଅବା ନିଜ ଘରେ ।”