ବାତାବରଣ
କବିତା ଶୁଣଂତିନାଇ କେହି ଖାଲି ସଭାକୁ ଯାଂ'ତି
ଫଟୋ ପାଇଁ ସଂବାଦ ପାଇଁ ଏଠିସେଠି ଏକାଠି,
ସଂବଲପୁରରୁ ଜଣାଏ ସରୋଜ ମହାଂତି !
ମୁଁ ବି ଜାଣେ ବହୁ ସାଥୀ ମୋର ଏମିତି
କହଂତି ଆମ ଆଖି ମୋବାଇଲରେ, କାନ କବିତାଠି !
ହଉ ଆଜ୍ଞା , ଯେ ବିଚାରବଂତ ତା ଆଗେ ଆମ୍ଭେ ହୀନମତି।
ସରୋଜ ସାରା ରାଇଜରେ ଖୋଲିଚି ସୁରକ୍ଷା ସମିତି
ସେ ତାର ଅବୈତନିକ ସର୍ବକାଳୀନ ସଭାପତି !
ଛାଡ଼ଂତୁ ତା କଥା,
ବିଟି ବାଇଗଣ ଗଂଧମାର୍ଦ୍ଦନ ବାସାଂତରୀ ଥଇଥାନ ଜିଏମ୍ ବିହନ
ତାହିଁରେ ଥାଉଚି ତା ମନ
ଗଲାଣି ଯୌବନ ପେଷୁଚି କଷଣ
ଦେଶ ଜଗୁଜଗୁ ରସାତଳକୁ ଯାଉଚି ଗାଁ ସପନ
ଏବକୁଏବକୁ ଆସିବଆସିବ ହଉଚି ବିଟି ସୋରିଷ
ବିଚାରୀ ଅଂଚି କରିବ କ'ଣ
ଚଲେଇଚି ତା ବାଟେ ବେଉଷଣ
ବାରିବ କ'ଣ ନିଜ ହାତେ ତ ନିଆଁକୁ କରିଚି ବରଣ !
ସରୋଜର ମୁହଁଯାକ ଚୂନଧଉଳା କଟା ଧାନଗଛ ମୂଳ !
ତା ତଳେ ଲୁଚିଚି ସବୁ ହତାଶ ଓ ଶୂନ୍ୟତାକୁ
ସମାଧି ଦେଇ ବସିଥିବା କାଢ଼!
ଦେଖା ହେଇନି କାହିଁ କୋଉଦିନୁ
ଭିଡିଓ କଲ୍ କରି ପଚାରିପାରଂତି ତ ଖବର କ'ଣ
କଣ ଖବର ଦେବାନଂଦ ଆମ ଦୁର୍ଗାର ବା
ନୂଆ, କୋଉଠି କଣପାଇଁ କରିବାର ଅଛି ଜନ ଆଂଦୋଳନ !
ଉତ୍ତର ଖୋଜୁଚି ମୁଁ ଅନେକ, ଅନେକ ମୋ ମନେ ପ୍ରଶ୍ନ।
ଏଇ ଯେମିତି ବସ୍ତିରେ ସରୋଜ ଖୋଜେ କାଇଁ ଜହ୍ନ
କାଇଁ ନିଇତି ଖାଏ ରସୁଣ ସ' ବିଟ୍'ଲୁଣ
କାଇଁ ଆକାଶ ଛାଡ଼ି ମାଟିରେ ଖୋଜେ ପାଦଚିହ୍ନ
ଦିନ ପରେ ରାତି ନା ରାତି ପରେ ଦିନ
ଏମିତି ଏମିତି ଛୋଟମୋଟ କେତେ କଣ !!
ସରୋଜ ବି ମତେ କରିପାରଂତା ତ ଫୋନ୍ !
ନେଟୱର୍କ ବାହାରେ ମୁଁ ତ ନାଇଁନ !
ଆମେ ବି ଅଭାବିତ ପତିତ ଆମର କେ ତ କରିବ ପାବନ !
ଟେଲିପାଥି ବୋଧେ, ଆସିଗଲା କନେକ୍ସନ୍,ବାଜିଲା ରିଂଟୋନ୍
ସରୋଜ ଧରିଥିଲା କଲମ ଓ କହିଲା ଆଉଁସି ଥୋଡ଼ ଆଉ ରୁଢ଼:
ଏବେ ପରା ରାଜଦାଂଡ ଡେଇଁ ତାରକା ହୋଟେଲରେ
କବିତାର ଚାଲିଚି ବସ୍ତ୍ର ହରଣ !
ମିଟିଂ ଥିଲା କୋଉଠି,
କୋଉ କର୍ପୋରେଟ୍ ସଂସ୍ଥା କରିଥିଲା ଆମଂତ୍ରଣ ??
ମୁଁ 'ହାଲୋହାଲୋହାଲୋ କିଛି ଶୁଭୁନି' କହି
କାଟିଦିଏ ଫୋନ୍ ।।