ଲାଗୁଛି

ଲାଗୁଛି

ଜୀବନ ଯେପରି କିଛି ଦିନ ମହଲତ
ମାଗିଛି ମୃତ୍ୟୁକୁ
ମୃତ୍ୟୁ ତଥାସ୍ତୁ କହି ଲେଉଟି ଯାଇଛି
କିଛି ବାକି କାମ ସାରିବା ପାଇଁ..

ଭାବୁଛି
କେଉଁ କାମ ଆଗେ ସାରିବି

ଈଶ୍ୱରଙ୍କ ପାଖରେ କିଛି ଅଛୁପା
ନ ଥିଲା ବେଳେ
ସ୍ୱୀକାର କରି ନେବାର ଅଛି ମୋର
ଅପରାଧ ଭୁଲ ତ୍ରୁଟି..

କ୍ଷମା ମାଗିନେବାର ଅଛି
ସେଇ ସବୁ ଆଘାତ ଯାହା ଯାହାଙ୍କୁ
ଦେଇଛି ଜଣା ଅଜାଣତରେ
ତା'ର ଏକ ତାଲିକା ଏବେ 
ତିଆରି କରିବାର ଅଛି..

କିଛି ଅପ୍ରକାଶିତ ରହିଗଲା
ଶେଷ ତରୀ ଆସିବା ପୂର୍ବରୁ
ସେମାନଙ୍କୁ ବନ୍ଧନରୁ ପ୍ରକାଶ୍ୟର
ସ୍ୱାଦ ଚଖେଇବାର ଅଛି..

ଯାହା ଯାହାର ଭାଗ୍ୟ ରେଖା
ବଦଳେଇବାରେ ଅସମର୍ଥ ହେବି
ସେଥିକି ଆଉ ଦୁଃଖ କି ଅବସୋସ
ରଖିବିନି..

ଯାହା ଯାହାର ଆଘାତ ଛଳନା
ପ୍ରତାରଣା ପାଇଥିଲି ସେମାନଙ୍କୁ କ୍ଷମା କରି 
ସେ ସବୁକୁ ଭୁଲିବାକୁ ଏବେ ଆରମ୍ଭ
କରିଛି..

ଈଶ୍ୱରଙ୍କୁ ଏବେ ଅଶେଷ କୃତଜ୍ଞତା
ଜୀବନକୁ ଏତେ ଯେ ଦେଇଛନ୍ତି
କିଛି ଦେଇ ନାହାନ୍ତି ବୋଲି କେବେ 
କହିବିନି..