ବୈରାଗୀ ଭ୍ରମର

ବୈରାଗୀ ଭ୍ରମର

ବୈରାଗୀ ଭ୍ରମର ବଂଚେ କିପରି ମରେ ବା କିପରି ?

ଗୁଣଗୁଣ୍ ଗୁଣଗୁଣ୍ ତା'ର ଥମିଯାଏ ?

 

ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !

 ଫୁଲସଂଗ ଛାଡ଼ିଦିଏ ?

 ବଂଚେ କିପରି ମରେ ବା କିପରି ?

କାହାଠିକି ସେ ଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

ଧଳା ଦିଶେ ନା ଗେରୁଆ ?

ବୈରାଗୀ ହୋଇଗଲେ ଭ୍ରମର ଋତୁ ବସଂତ ଆସେନା ?

ଫଗୁ-କୁହୁଡ଼ିରୁ ଅତର-ପିଚିକାରୀର ଫୁଆରାରୁ

ବଣ ବଗିଚାର ଫୁଲରୁ

ରଂଗ ଓ ମହକ ଉଡ଼ିଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

ନିଶ୍ଚିଂତ ହୋଇଯାଆଂତି ସଂଦେହୀ ସ୍ଵାମୀଏ ?

ବାପ ହିପାଜତରୁ ମଫସଲରୁ ଆସିଥିବା ଋଷ୍ୟଶୃଂଗ

 'ନଷ୍ଟ' ଆଉ ହୁଏନା ରେଭେନସାରେ, ବାଣୀବିହାରରେ ?

ବୈରାଗୀ ହୋଇଗଲେ ଭ୍ରମର

ଗାଂଗୁରାମ୍ ଦୋକାନ, ଅବକାରୀ ବିଭାଗ ଉଠିଯାଏ ?

 

ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !

ଫୁଲ ସଂଗ ଛାଡ଼ି ଦିଏ ?

ବଂଚେ କିପରି ମରେ ବା କିପରି ?

 ଗୁଣଗୁଣ୍ ଗୁଣଗୁଣ୍ ତାର ଥମିଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

ବାଜ୍ୟାପ୍ତ ହୋଇଯାଆଂତି ଗାଲିବ୍ ଆଉ ମାନସିଂ ?

ସୁର୍ ଆଉ ମିଜାଜ୍, ତାନ ଆଉ ମସ୍ତି

ଜମି ଉଠିଥିବା ଆସରରୁ

ହଠାତ୍ ଏକ ଟାକରା ଫୁଟି ଉଭେଇଯାଏ  ?

 

ବୈରାଗୀ ହୋଇଗଲେ ଭ୍ରମର

ନୀରବତାରୁ ବର୍ଣମାଳାରୁ

କବିତାର କୁହୁକ ଟିକକ ସରିଯାଏ  ?

 

ରେ ପଳାତକ ଭ୍ରମର !

ଭୁବନ ଭୁବନ ତତେ ମୁଁ ଖୋଜିରହେ 

 

ଆମେ ତ ଶୁଣିଛୁ ବିଶ୍ଵର ଏ ବିନ୍ୟାସରେ

ସୁଧାଭାଗ ସହିତ ବିଷଭାଗ ବି ଥାଏ

ତୁ ଥାଉ ବୋଲି ନୀଳକଂଠ ପରି ବଂଚିହୁଏ ରେ ଭ୍ରମର 

ତୁ ଥାଉ ବୋଲି ଚିର-ଅମର କରିପାରେନା ଅମୃତ

ମିଠା ମିଠା ଭାବରେ ମରିହୁଏ 

 

ତୁ ଥାଉ ବୋଲି ତ

ଅଳକା ସାନ୍ୟାଲର ବୟସ ଜମା ବଢ଼େନା,

ଚିତ୍ରରଥ, ରାଉତରାୟ, ଗୁରୁପ୍ରସାଦ ପରେ

କେହି ନା କେହି କବି

ପାଲରେ ତା'ର ପଡ଼ିଯାଏ !

 

ସୂର୍ଯ ଅସ୍ତ ଯିବାର ଦୁଃଖଠୁ ବଳି

ତତେ ଗୋଟାପଣେ ପାଇଯିବାର ହର୍ଷରେ ହିଁ

ପଦ୍ମ ତା'ର ପାଖୁଡ଼ା ବୁଜିଦିଏ,

ପ୍ରତି ସକାଳେ ସୂର୍ଯକୁ ଦେଖାଏ ତୋର ଶବ 

ପ୍ରତି ସକାଳୁ ତତେ ପ୍ରତୀକ୍ଷା କରି ରହେ 

 

କବିତା ବିନା ବା କି ଜୀବନ

ଭ୍ରମର ବିନା ବା କି ଜଗତ

ରେ ବୈରାଗୀ ଭ୍ରମର !

ଫେରିଆ,

ସାଜେନା ବୈରାଗ୍ୟ ତତେ ସାଜେନା 

 ଗୁଣଗୁଣ୍ ଗୁଣଗୁଣ୍ ତୋର ଥମେନା 

 

ତୋ' ଭିତର ଭ୍ରମର... ଭ୍ରମର ଭିତର ଭ୍ରମର...

ତା' ଭିତର ଭ୍ରମର... ଭିତରତମ ଭ୍ରମର 

ଭୋଗରେ ଭ୍ରମରେ ଜୀଇଁ ଅନୁକ୍ଷଣ 

ଭୋଗରେ ଭ୍ରମରେ ମରି ଅନୁକ୍ଷଣ 

ମାରୁଥାଏ,

ବଂଚାଇ ରଖିଥାଏ ।।