କାଲି କାଶ୍ମୀର, ଆଜି ଦିଲ୍ଲୀ, ଆସନ୍ତା କାଲି ଓଡ଼ିଶା!!

କାଲି କାଶ୍ମୀର, ଆଜି ଦିଲ୍ଲୀ, ଆସନ୍ତା କାଲି ଓଡ଼ିଶା!!

୨୦୧୯ରେ ମୋଦୀ ସରକାର ଦ୍ବିତୀୟ ଥର ଶାସନକୁ ଆସୁଆସୁ ପ୍ରଥମେ ଜାମ୍ମୁ କାଶ୍ମୀରର ଧାରା ୩୭୦ ପ୍ରତ୍ୟାହାର କଲେ। ଧାରା ୩୭୦ ଯେହେତୁ ସାମ୍ବିଧାନିକ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ତାକୁ ପ୍ରତ୍ୟାହାର କରିବାର ଅଧିକାର ସଂସଦର ଅବଶ୍ୟ ରହିଛି। ମୋଦୀ ସରକାର ଜାମ୍ମୁ କାଶ୍ମୀରରୁ କେବଳ ଧାରା ୩୭୦ ପ୍ରତ୍ୟାହାର କଲେ ନାହିଁ, ଏହା ସହିତ ଜାମ୍ମୁ କାଶ୍ମୀରର ରାଜ୍ୟ ପାହ୍ୟା ମଧ୍ୟ ଉଚ୍ଛେଦ କଲେ। ରାତାରାତି ଗୋଟେ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରି ଦିଆଗଲା। ଗତ ପାଞ୍ଚ ବର୍ଷ ଭିତରେ କାଶ୍ମୀରରେ ବିଧାନସଭା ଗଠିତ ହୋଇନାହିଁ କିମ୍ବା ସେଠାରେ ଲୋକ ପ୍ରତିନିଧି କେହି ନାହାନ୍ତି। ଏହା ପରେ ଯେ କୌଣସି ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବାର ଅଧିକାର ସଂସଦରେ ବହୁମତ ଥିବା ସରକାର ପାଇଯାଇଛି। ଯେ କୌଣସି ରାଜ୍ୟକୁ ମନ ଇଚ୍ଛା କେନ୍ଦ୍ର ଅଧିନରେ ରଖିବାର ଏ ଅଧିକାର ସିଧାସଳଖ ସଙ୍ଘୀୟ ବ୍ୟବସ୍ଥାର ବିରୋଧୀ ହୋଇଥିଲେ ମଧ୍ୟ ଏହାକୁ ବିରୋଧ କରିବା ପାଇଁ ରାଜ୍ୟ ସ୍ତରୀୟ ଦଳଗୁଡ଼ିକ ମଧ୍ୟ ସାହସ କରୁନାହାନ୍ତି।

କାଶ୍ମୀରର ରାଜ୍ୟ ପାହ୍ୟା ପ୍ରତ୍ୟାହାର ପ୍ରସ୍ତାବକୁ ସେତେବେଳେ ବହୁ ରାଜ୍ୟ ସରକାର ସମର୍ଥନ କରିଥିଲେ। ସେମାନଙ୍କ ମଧ୍ୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି ଓ ଓଡିଶାର ବିଜୁ ଜନତା ଦଳ ମଧ୍ୟ ରହିଥିଲେ। ଆଜି ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାରକୁ ଏକ ପ୍ରକାର ପଙ୍ଗୁ କରି ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ରାୟ ବିରୋଧରେ ଏକ ଅଧ୍ୟାଦେଶ ଜାରି କରିଛନ୍ତି। ଦିଲ୍ଲୀ ସରକାରର କର୍ମଚାରୀ ମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ନ ରହି କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପ ରାଜ୍ୟପାଳଙ୍କ ଅଧିନରେ କାମ କରିବେ ବୋଲି ଆଦେଶ ଜାରି କରାଯାଇଛି। ଏହି ଅଧ୍ୟାଦେଶ ସିଧାସଳଖ ଗତ ମଇ ୧୧ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଯାଉଛି। ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଓ ନିଜ ଅହଂକାରକୁ ସନ୍ତୁଷ୍ଟ କରିବା ପାଇଁ ମୋଦୀ ସରକାର ସୁପ୍ରିମକୋର୍ଟ ବିରୋଧରେ ଏହି ଅଧ୍ୟାଦେଶ ଆଣିଛନ୍ତି। ଦେଶର ସମ୍ବିଧାନ ବିରୋଧରେ ଏହା ଏକ କଳା ଅଧ୍ୟାଦେଶ। ତେବେ ଏହାକୁ କେବଳ ଆପ୍ ର ସମସ୍ୟା ଭାବି ଅନ୍ୟ ରାଜନୈତିକ ଦଳ ଚୁପ୍ ହୋଇ ବସିଛନ୍ତି। ଅନ୍ୟ ସବୁ ପ୍ରସଙ୍ଗ ପରି ଏ ପ୍ରସଙ୍ଗରେ ମଧ୍ୟ ଓଡ଼ିଶାର ବିଜେଡି ନୀରବ ରହିଛି। ବିଜେଡି ମୁଖିଆ ବୋଧହୁଏ ଭାବୁଛନ୍ତି, ନୀରବରେ ବିଜେପିକୁ ସମର୍ଥନ କଲେ, ତାଙ୍କୁ ବିଜେପି ହଇରାଣ କରିବ ନାହିଁ। ରାଜ୍ୟର କ୍ଷମତା ସଙ୍କୁଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର ଅର୍ଥ ହେଉଛି, ନିଜ ଗୋଡ଼ରେ ନିଜେ କୁରାଢି ମାରିବା। ଆଉ, ସେ କାମଟି ବିଜେଡି ଦୀର୍ଘ ବର୍ଷ ହେଲା କରି ଚାଲିଛି।  

ସଙ୍ଘୀୟ ଢାଞ୍ଚାରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଲାଗି ନିର୍ଦ୍ଦିଷ୍ଟ ଦାୟିତ୍ଵର ତାଲିକା ସମ୍ବିଧାନରେ ରହିଛି ମୋଦୀ ସରକାର କିନ୍ତୁ ସବୁକିଛିକୁ ନିଜ ଅଧୀନରେ ରଖିବାକୁ ବ୍ୟାକୁଳ ବିଶେଷକରି ସର୍ବଭାରତୀୟ ସେବାର ଅଧିକାରୀଙ୍କୁ ନିୟନ୍ତ୍ରଣ କରିବାର ପୂର୍ଣ୍ଣ କ୍ଷମତା ଏବେ ମୋଦୀ ସରକାର ନିଜ ହାତକୁ ନେବାକୁ ଚାହୁଛନ୍ତି । ଡିଲଲ ହେଉଛି ତାର ପ୍ରଥମ ପ୍ରୟୋଗଶାଳା ଉପରାଜ୍ୟପାଳଙ୍କ ଜରିଆରେ ସେଠି ନିର୍ବାଚିତ ସରକାର ଉପରେ ବାବୁମାନେ ହାକିମାତି ବଜାୟ ରଖିବାକୁ ଚାହୁଁଛନ୍ତି ସୁପ୍ରିମକୋର୍ଟ ଗତ ମଇ ୧୧ ତାରିଖ ରାୟରେ ଦିଲ୍ଲୀ ସରକାର ସର୍ଭିସ ର ନିୟନ୍ତ୍ରକ ବୋଲି ରାୟ ଦେବା ପରେ ସେଇ ରାୟକୁ ଉଡେଇ ଦେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବା ଦିନ ଏକ ଅଧ୍ୟାଦେଶ ଆଣି ପୁଣିଥରେ ଦିଲ୍ଲୀ ସରକାରର ସବୁ କ୍ଷମତା ଛଡାଇ ନେଇଛନ୍ତି

କେନ୍ଦ୍ର ସରକାରଙ୍କର ଏହି ଅଧ୍ୟାଦେଶ ସ୍ଵାଭାବିକ ଭାବରେ ସୁପ୍ରିମକୋର୍ଟକୁ ବିଚାର ପାଇଁ ଯିବ ତେବେ ଏହା ସଂସଦରେ ବିଲ ଭାବରେ ଉପସ୍ଥାପିତ ହେବା ବେଳେ ଏହାକୁ କିଏ କିଏ ସମର୍ଥନ କରିବେ, ତା ଉପରେ ଅନେକ କଥା ନିର୍ଭର କରୁଛି ରାଜ୍ୟସଭାରେ ଏହି ବିଲକୁ ଗୃହୀତ କରାଇବାକୁ ହେଲେ ଏଆଇଡିଏମକେ, ବିଜେଡି ଏବଂ ୱାଇଏସଆର କଂଗ୍ରେସର ସମର୍ଥନ ନିହାତି ଦରକାର ବିଜେଡି ଏହି ବିଲକୁ ସଂସଦରେ ରାଜ୍ୟସଭାରେ ସମର୍ଥନ କଲେ, ନିଜ ପାଇଁ ନିଜେ ଗାତ ଖୋଳିବ ଯେ କୌଣସି ଅଧ୍ୟାଦେଶ ବଳରେ ଯେ କୌଣସି ରାଜ୍ୟର କ୍ଷମତା ଛଡାଇନେବାର ଏହି ଏକଛତ୍ରବାଦୀ ଧାରାରେ ଦିନେ ସବୁ ରାଜ୍ୟ ନିଜର ସଙ୍ଘୀୟ ଅଧିକାର ହରାଇବେ

କାଲି ଯାହା କାହମୀରରେ ଘଟିଥିଲା, ଆଜି ସମାନ କଥା ଦିଲ୍ଲୀରେ ଘଟୁଛି । ଏହାର ପୁନରାବୃତ୍ତି ଆସନ୍ତାକାଲି ଓଡିଶା, ପଶ୍ଚିମବଙ୍ଗ, କେରଳ କି ତାମିଲନାଡୁରେ ମଧ୍ୟ ଘଟିବ କାଲି ଯଦି କେନ୍ଦ୍ରରେ ଅଣବିଜେପି ସରକାର ଆସେ, ସେମାନେ ମଧ୍ୟ ବିଜେପି ଶାସିତ ରାଜ୍ୟରେ ଏହି ସମାନ ଫର୍ମୁଲା ପ୍ରୟୋଗ କରିବେ।